Unknown

 

 

 

 

 

 

 

 

୧୦୭ତମ ସଂଖ୍ୟା କୋଣାର୍କ ୧୯୯୮

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସଂପାଦକ

ଶ୍ରୀ ଶ୍ରୀନିବାସ ଉଦ୍‍ଗାତା

 

ସଚିବ

ଡକ୍ଟର ହରପ୍ରସାଦ ପରିଚ୍ଛା ପଟନାୟକ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ୱର – ୭୫୧୦୧୪

ଫୋନ୍‍, ଫାକ୍ସ : ୪୩୧୮୪୦, ୪୩୩୮୫୩

 

ମୁଦ୍ରାକର : ପ୍ରିଣ୍ଟ – ଟେକ୍‍ ଅଫ୍‍ସେଟ

ଗଜପତି ନଗର, ଭୁବନେଶ୍ୱର – ୫

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ ।

ପ୍ରକାଶିତ ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ

ତଥା ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ଅନୁମତି ସାପେକ୍ଷ ।

ରଚନାରେ ପ୍ରକାଶିତ ମତାମତ ଲେଖକଙ୍କର ନିଜସ୍ୱ ମତ ।

 

ବିଷୟ-ସୂଚୀ

୧.

ପୀୟୂଷପୂର୍ଣ୍ଣ କାଷ୍ଠପିଣ୍ଡ

ପ୍ରହରାଜ ସତ୍ୟନାରାୟଣ ନନ୍ଦ

୨.

ସାହିତ୍ୟସମ୍ରାଟ ବିକ୍ରମ ଦେବବର୍ମା

ଶ୍ରୀ ପଦ୍ମଚରଣ ସାହୁ

୩.

ବିଶ୍ଵପ୍ରସିଦ୍ଧ ଟୀକାକାର ଶ୍ରୀଧର ସ୍ଵାମୀ

ପଣ୍ଡିତ ଅନ୍ତର୍ଯାମୀ ମିଶ୍ର

୪.

ଶିଶୁ ବ୍ୟକ୍ତିତ୍ୱର ବିକାଶ ଦିଗରେ

ଓଡ଼ିଆ ଶିଶୁସାହିତ୍ୟ ପତ୍ରିକା : ଏକ ବିଚାର

ଶ୍ରୀ ଅଶୋକ କୁମାର ହୋତା

୫.

ଓଡ଼ିଆ ଭାଷାର ସଙ୍କଟ, ସୁରକ୍ଷା ଓ ସମୃଦ୍ଧି

ଶ୍ରୀ ବିନୋଦବିହାରୀ ବିକ୍ରମ

୬.

ମୋ ଦୃଷ୍ଟିରେ ପରିବର୍ତ୍ତିତ ସାମାଜିକ

ସ୍ଥିତି ଓ ବ୍ୟକ୍ତି ଜୀବନରେ ଦୃଶ୍ୟକାବ୍ୟର ଭୂମିକା

ଶ୍ରୀ ରଣଜିତ୍‌ ପଟ୍ଟନାୟକ

୭.

ପାଉରୀ ଭୂୟାଁମାନଙ୍କର ଆଚାର ବିଧି ଓ ପ୍ରଥା

ସୁନୀତା ଶତପଥୀ

୮.

ଚଉଛକିରେ ସାହିତ୍ୟିକ

ଡକ୍ଟର ରତ୍ନାକର ଚଇନି

୯.

ଓଡ଼ିଆ ଶିଶୁ ସାହିତ୍ୟରେ ନାନାବାୟାଗୀତ

ଶ୍ରୀ ରାମପ୍ରସାଦ ମହାନ୍ତି

୧୦.

ଚରିତକାର ସୁରେନ୍ଦ୍ର ମହାନ୍ତି (ଆତ୍ମ ଓ ପର)

ଡକ୍ଟର ଲାବଣ୍ୟ ନାୟକ

୧୧.

ଓଡ଼ିଶାରେ ଶୂନ୍ୟ - ସାଧନାର ପରଂପରା

ଡକ୍ଟର ରାଘବାନନ୍ଦ ନାୟକ

୧୨.

ଏକାଡେମୀ ସମାଚାର

 

୧୩.

ସଂପାଦକୀୟ

 

 

ପୀୟୂଷପୂର୍ଣ୍ଣ କାଷ୍ଠପିଣ୍ଡ

ପ୍ରହରାଜ ସତ୍ୟନାରାୟଣ ନନ୍ଦ

 

ଆତ୍ମା ଦେହରେ ପୁନଃ ପୁନଃ ବାସ କରୁଥିବାରୁ ତା'ର ବୈଷ୍ଣବୀୟ ନାମ ପୁନର୍ବସୁ । ପିଣ୍ଡରେ ଯାହା ବ୍ରହ୍ମାଣ୍ଡରେ ସେଇପରି ଘଟୁଥିବାର ନଜିର ଶାସ୍ତ୍ରରେ ରହିଛି । ଶ୍ରୀଜଗନ୍ନାଥ ନବ କଳେବର ଅବସରରେ ନୂଆ ବିଗ୍ରହ ଧାରଣ କରନ୍ତି । ଦିଅଁଙ୍କର ଘଟ ଶଙ୍ଖ-ଚକ୍ର-ଗଦା-ପଦ୍ମ ଚିହ୍ନିତ ଅଧଃମୂଳ ନିମ୍ବ ବୃକ୍ଷରୁ ନିର୍ମିତ ହୁଏ । ଏହା ପୀୟୂଷପୂର୍ଣ୍ଣ କାଷ୍ଠପିଣ୍ଡର କଳ୍ପନା । ଉର୍ଦ୍ଧ୍ୱମୂଳ ଅଶ୍ଵତ୍‌ଥକୁ ‘‘ଗୀତା’’ର ପଞ୍ଚଦଶ ଅଧ୍ୟାୟରେ ସଂସାର ବୃକ୍ଷ ସହିତ ତୁଳନା କରାଯାଇଛି । ଜୀବନ ପରି ଏହାର ଆରମ୍ଭ ଓ ଶେଷ ଜାଣିବା ଅସମ୍ଭବ । ଅସଙ୍ଗ-ଶସ୍ତ୍ରରେ ମାୟା-ବୃକ୍ଷକୁ ଚ୍ଛିନ୍ନ କରି ମୁମୁକ୍ଷୁ ପରିମାର୍ଗିତ ପଥରେ ଅଗ୍ରସର ହୁଏ । ପୁରୁଷୋତ୍ତମ ଜଗନ୍ନାଥ ରୂପେ ଆତ୍ମପ୍ରକାଶ କରିଥିବାରୁ ମାୟାମୟ ମର୍ତ୍ତ୍ୟଭୁବନରେ ଯିଏ ଐଶୀ ଅନ୍ନେଷଣରେ ବିଶ୍ଵାସୀ ସେ ଆୟୁଧାଦି ଚିହ୍ନିତ ଓ ଦେବୀଙ୍କର ସ୍ଵପ୍ନାଦେଶରେ ସଂକେତୀକୃତ ନିମ୍ବବୃକ୍ଷକୁ ବ୍ରହ୍ମର ଆଧାର ବା ଘଟ ଭାବିବା ସ୍ଵାଭାବିକ ।

 

ଯେଉଁଠାକୁ ଗଲେ ନିବର୍ତ୍ତନର ନିୟମ ଲାଗୁ ହୁଏ ନାହିଁ ତାହା ହିଁ ପରମ ଧାମ । ସେ ପରମ ଧାମର ନିବାସୀ, ପରମ ପବିତ୍ର ସତ୍ତା । ସେ ଅନୁଶାସିତାର । ତାଙ୍କ ନିୟମ ଅନୁଯାୟୀ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର, ଜୀବ ଓ ବସ୍ତୁ ନିୟନ୍ତ୍ରିତ । ଏକ ସଂହତ ସମାଜର ଅଭୀପ୍‌ସାକୁ କାଳ କାଳ ଧରି ସେ ଶ୍ରଦ୍ଧାମୟ ରୀତିରେ ପରିଚାଳିତ କରୁଛନ୍ତି । ତେଣୁ ଦାରୁ-ବ୍ରହ୍ମର ଧାରଣା ପ୍ରାଚୀନ ହେଲେ ମଧ୍ୟ ନିତ୍ୟ ନୂତନ ଅନୁଚିନ୍ତାରେ ପରିବର୍ତ୍ତନଶୀଳ ସମୟ ପ୍ରବାହ ମଧ୍ୟରେ ପ୍ରଜ୍ଞାକୁ ଉନ୍ମୀଳିତ କରେ । ଉପନିଷଦରେ କୁହାଯାଇଛି, ପ୍ରଜ୍ଞା ହିଁ ବ୍ରହ୍ମ ।

 

ଜ୍ଞାନ, କର୍ମ ଓ ଭକ୍ତି ମଧ୍ୟରେ ସମନ୍ୱୟ ରକ୍ଷାକଲେ ଶରୀର-ଯାତ୍ରା କଷ୍ଟକର ହୁଏ ନାହିଁ । ପଞ୍ଚ ମହାଭୂତ ପଞ୍ଚୀକୃତ ହୋଇ, ଭାଗବତ କହିବା ପରି, ଚବିଶ ତତ୍ତ୍ୱରେ ମଣିଷର ସତ୍ତା ଆଧାରିତ ହୋଇଛି । ଶରୀର ରଥର ସାରଥି ଆତ୍ମା ପ୍ରସନ୍ନ ହେଲେ ଜନ୍ମକର୍ମର ବନ୍ଧନରୁ ମୁକ୍ତି ଚାହୁଁଥିବା ମଣିଷ ତତ୍ତ୍ଵକୁ ଆପେକ୍ଷିକ ତତ୍ତ୍ଵରେ ଲୀନ କରି ସେ ନିଜେ ହିଁ ବ୍ରହ୍ମସତ୍ତା ବୋଲି (ତତ୍ତ୍ୱମସି) ଉପଲବ୍ଧି କରିବ ।

 

ଜଗନ୍ନାଥ ସମସ୍ତ ଜଗତର ପ୍ରଭୁ । ସେ ସର୍ବ ନାମ, ସର୍ବ ରୂପ । ସର୍ବ ଲୋକର ସ୍ରଷ୍ଟା ଓ ପାଳନକର୍ତ୍ତା । ସେ ସ୍ମୃତି, ଜ୍ଞାନ ଓ ଅପୋହନ । ‘‘ଜ୍ଞାନସିଦ୍ଧି’’ରେ ଭବଭୂତି ତାଙ୍କୁ ‘‘ସର୍ବ ବୁଦ୍ଧମୟଂ ସିଦ୍ଧି/ବ୍ୟାପିନଂ ଗଗନୋପମମ୍‌’’ ଆଖ୍ୟା ଦେଇଛନ୍ତି । ଋଷି ପ୍ରାର୍ଥନାରେ ସେ ବ୍ରହ୍ମାନନ୍ଦର ଆଧାର । ପରମ ସୁଖର ଆଳୟ । ସମସ୍ତ ବୁଦ୍ଧିର ସାକ୍ଷୀ ସ୍ଵରୁପ । ଜୟଦେବଙ୍କ ପ୍ରାର୍ଥନାରେ ସେଇ ହରିଙ୍କର ଅମ୍ଳାନ ଚରିତ ଭବ-ସାଗର ତାରଣ ପାଇଁ ବହିତ୍ର ବା ନୌକାଟିଏ ।

 

ପୁନରାବର୍ତ୍ତନ ସୂତ୍ରରେ ଜୀବାତ୍ମା ଶରୀରରେ ଯେପରି ଆଧାରିତ ହୁଏ, ଉଦ୍ଭିଦ ଭିନ୍ନ ସ୍ଥାନରେ ଅଙ୍କୁରିତ ହୁଏ । ଶାଶ୍ଵତଧର୍ମଗୋପ୍ତା ସତ୍ତ୍ୱ, ରଜ, ତମ ଗୁଣର ରଜ୍ଜୁରେ ଆତ୍ମାକୁ ଦେହରେ ବାଛି ରଖିବାରୁ ଗୁଣ ଓ ବିଷୟ ଅନୁଭବ ତା ପାଇଁ ବାଧ୍ୟତାମୂଳକ ହୁଏ । ଦାରୁକୁ ସୁନା କୁରାଢ଼ି, ରୂପା କୁରାଢ଼ି ଓ ଲୁହା କୁରାଢ଼ିରେ କର୍ତ୍ତନ କରିବା ଭବବନ୍ଧନ ସ୍ଵରୁପ ରଜ୍ଜୁକୁ ଚ୍ଛିନ୍ନ କରିବାର ସାଧନା-। ‘ସା’ ଅର୍ଥ ଦିବ୍ୟ, ଧନ ଅର୍ଥାତ୍‌ ସଂପଦ । ଆସୁରୀ ପ୍ରବୃତ୍ତି କାମକ୍ରୋଧ, ଲୋଭମୋହ, ମଦମାତ୍ସର୍ଯ୍ୟର ତାଡ଼ନାରେ ଜର୍ଜରିତ କରେ । ଦୈବୀ ସଂପଦ ଅହିଂସା, ସତ୍ୟ, ସଂଶୁଦ୍ଧି, ସମଦମାଦି ଗୁଣରେ ମଣିଷକୁ ସମୃଦ୍ଧ କରେ । ପାର୍ଥିବ ସତ୍ତାରେ ଦିବ୍ୟତ୍ୱ ଧାରଣର ଅହୋଭାଗ୍ୟ, ଭାଗବତ ଭାଷାରେ, ମଣିଷର । ‘‘ତୃଣାଦପି ସୁନୀଚେନ ତରୁରିବ ସହିଷ୍ଣୁନାଂ’’ ଅହଂମୁକ୍ତ ହେବାର ତ୍ୟାଗ ସମର୍ଥିତ ମାର୍ଗ । ଏଇ ତ୍ୟାଗ ମାନବ ସମାଜ ପାଇଁ ଶ୍ରଦ୍ଧା, ସମ୍ବେଦନା ଓ ସହଜ ସତ୍ୟର ନିବିଡ଼ତା ସୃଷ୍ଟିକରେ । ଆଉ ନୀଳ ସିନ୍ଧୁ ତୀରର କଳା ଠାକୁର ହିଁ ଜଗବନ୍ଧୁ ରୂପେ ପ୍ରକୀର୍ତ୍ତିତ ମୈତ୍ରୀର ଦେବତା । ବିବିଧତା ସତ୍ତ୍ୱେ ସମଗ୍ର ମାନବ ଜାତିକୁ ଆତ୍ମିକ ପ୍ରେମରେ ବାଛି ରଖିବାର ମହାର୍ଘ ଐତିହ୍ୟ ରହିଛି ନୀଳାଦ୍ରିନାଥଙ୍କର ।

 

ପରମାତ୍ମାଙ୍କର ସର୍ବବ୍ୟାପକ ରୂପ ଅଚିନ୍ତନୀୟ । ରାମ, କୃଷ୍ଣଙ୍କ ପରି ଲୀଳା ଦେହ ଧାରଣ କରି ସେ ଗୁରୁ, ପିତା, ମାତା ତଥା ଦେଶମାତୃକାର ହିତ ସାଧନ କରନ୍ତି । ତାଙ୍କ ଆଦର୍ଶ ଯୁଗ ଯୁଗ ଧରି ମଣିଷକୁ ଧର୍ମ ପଥରେ, ସତ୍ୟ ପଥରେ ପାଦ ବଢ଼ାଇବା ପାଇଁ ଅନୁପ୍ରାଣିତ କରେ । କୃଷ୍ଣଙ୍କ ତିରୋଧାନ ପରେ ବ୍ରହ୍ମା, ରୁଦ୍ର ଓ ଇନ୍ଦ୍ରବନ୍ଦିତ ଜଗନ୍ନାଥ ସ୍ଵାମୀ ଦାରୁବିଗ୍ରହ ଧାରଣ କରିବା କଳିକଳ୍ମଷ ନଷ୍ଟ କରି ମୁକ୍ତିକାମୀକୁ ଆପଣାର କରିବାର ଅଙ୍ଗୀକାର । ବଡ଼ଦେଉଳର ନେତରେ ଚିହ୍ନିତ ଚନ୍ଦ୍ରରେଖା ଓ ତାରା କାଳର ଆବର୍ତ୍ତନରୁ ଆତ୍ମାକୁ ରକ୍ଷା କରିବାର ନିଶାଣ ।

 

ଭାରତର ଚାରି ପୀଠ ମଧ୍ୟରୁ ପୁରୁଷୋତ୍ତମ ମୋକ୍ଷ ସାଧନର କ୍ଷେତ୍ର । ସତ୍ୟଯୁଗରେ ବଦ୍ରି, ତ୍ରେତାରେ ରାମେଶ୍ଵର ଓ ଦ୍ୱାପରରେ ଦ୍ୱାରିକା ପରି ଏହାର ମହିମା ବିଶ୍ଵବିଶ୍ରୁତ । 'ସିନ୍ଧୁ ପାରେ ଅପୌରୁଷେୟମ୍‌' ରୂପେ ବର୍ଣ୍ଣିତ ଦାରୁ ବୈଦିକ ସତ୍ୟର ଚିନ୍ମୟ ପ୍ରକାଶ । ପୁରୁଷୋତ୍ତମ ପ୍ରଥମେ ଋଷି ଦୃଷ୍ଟିରେ ପ୍ରତିଭାତ, ପରେ ସ୍ୱପ୍ନରେ, ସଂକେତରେ, ଶିଳାରେ, ଦାରୁରେ ପ୍ରାଣୀନ । ସ୍କନ୍ଦ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ସଂପର୍କରେ କୁହାଯାଇଛି :

 

ମୂଳାୟତନମେତଦ୍ଧି ସୃଷ୍ଟିପାଳନସଂହୃତେଃ

ଅତ୍ରାବତୀର୍ଯ୍ୟ ଭଗବାନ ପ୍ରଜାତ୍ୟନ୍ୟତ୍ର କାର୍ଯ୍ୟତଃ ।

ବିଷ୍ପାଦ୍ୟକୃତ୍ୟଂ ପୃଥ୍ୱାହି ପୁନରତ୍ରୈବ ତିଷ୍ଠତି

ଅତୋ ଦଶାବତାରାଣାଂ ଦର୍ଶନାଦୈସ୍ତୁ ଯତ୍‌ ଫଳମ୍‌

ତତ୍‌ ଫଳଂ ଲଭତେ ମର୍ତ୍ତ୍ୟୋ ଦୃଷ୍ଟ୍ୱା ଶ୍ରୀପୁରୁଷୋତ୍ତମମ୍‌

ଦଶାବତାରସଂଜ୍ଞାଽସ୍ୟ କଥିତା ପୁତ୍ର ମେ ତୟା ।

 

ଶିବ ସ୍କନ୍ଦଙ୍କୁ କହିଛନ୍ତି - ‘‘ଏହି କ୍ଷେତ୍ର ହିଁ ସୃଷ୍ଟି, ସ୍ଥିତି, ପାଳନର ମୂଳାୟତନ । ଭଗବାନ ଏଇ ସ୍ଥାନରେ ନାନା ମୂର୍ତ୍ତିରେ ଅବତୀର୍ଣ୍ଣ ହୋଇ କାର୍ଯ୍ୟବଶତଃ ଅନ୍ୟତ୍ର ଗମନ କରନ୍ତି ଏବଂ ପୃଥିବୀ ସମ୍ବନ୍ଧରେ କର୍ତ୍ତବ୍ୟ କାର୍ଯ୍ୟ ସଂପାଦନ ପୂର୍ବକ ପୁନରାୟ ଏହି ସ୍ଥାନରେ ହିଁ ରହନ୍ତି । ମତ୍ସ୍ୟାଦି ଦଶାବତାର ଦର୍ଶନ କଲେ ଯେଉଁ ଫଳ ହୁଏ, ମାନବ କେବଳ ପୁରୁଷୋତ୍ତମ ଦର୍ଶନରେ ସେହି ଫଳ ଲାଭ କରିଥାଏ ।’’ ଉପନିଷଦ୍‌ରେ ସେଇ ପରମ ମୁହୂର୍ତ୍ତର ବର୍ଣ୍ଣନା ଅତ୍ୟନ୍ତ ଶକ୍ତିଶାଳୀ:

 

ଭିଦ୍ୟତେ ହୃଦୟଗ୍ରନ୍ଥି ଚ୍ଛିଦ୍ୟତେ ସର୍ବସଂଶୟାଃ ।

କ୍ଷିୟନ୍ତେ ସର୍ବ ପାପାଣି ଯସ୍ମିନ୍‌ ଦୃଷ୍ଟେ ପାରାବାରେ ॥

 

କୃଷ୍ଣଙ୍କ ଅପୋଡ଼ା ନାଭି ସମୁଦ୍ର ଅନ୍ଧାରରୁ ନୀଳଶିଖା, ଦ୍ୱୀପରୁ ଆଲୋକିତ ଦେବସ୍ତୃତ ଦାରୁ ରୂପେ ଶଙ୍ଖକ୍ଷେତ୍ରକୁ ସଂଚରିତ ହେବା ସୃଷ୍ଟିର ଭବିଷ୍ୟତ ସଂପର୍କରେ ନୂଆ ଅଙ୍ଗୀକାର । ସୃଷ୍ଟି, ସ୍ଥିତି ଓ ଧ୍ୱଂସର ଅଲୌକିକ ଧାରଣା ଋଷି ଦୃଷ୍ଟିରେ ସମ୍ଭବ । ମଣିଷକୁ ପ୍ରତି ପର୍ଯ୍ୟାୟରେ ତିନୋଟିର ଅଭେଦ୍ୟ ସଂପର୍କ ହୃଦ୍‌ବୋଧ କରିବାକୁ ହୁଏ । ଏପରିକି ଜୀବନକୁ କୈଶୋର, ଯୌବନ, ଜରା, ମୃତ୍ୟୁକୁ ଐହିକ, ଓ ପାରତ୍ରିକ ସହିତ ସଂପର୍କିତ କରୁଥିବା ମଣିଷ ଭଗବାନଙ୍କୁ ଅତି ଅଦ୍‌ଭୂତଭାବେ ସଂଜ୍ଞାୟିତ କରିବା ଅନାବଶ୍ୟକ । ପ୍ରକାଶିତ ହେଲେ ସେ ଅନ୍ଧାରର ଉର୍ଦ୍ଧ୍ୱରେ, ଆଦିତ୍ୟବର୍ଣ୍ଣଂ ତମସ ପରସ୍ତାତ୍‌ । ପ୍ରୟାଣ କାଳରେ ସେ ମନସାଚଳରେ ଭକ୍ତିଯୁକ୍ତ ଯୋଗବଳରେ ପରମରୂପେ ପ୍ରତିଭାତ ହୋଇଥାନ୍ତି ।

 

ଶବର ଦ୍ୱାରା ପୂଜିତ ନୀଳମାଧବ ନୀଳକାନ୍ତମଣି ବିଗ୍ରହ ଥିବାର କିମ୍ବଦନ୍ତୀ ଅଛି । ସ୍ଵପ୍ନାଦିଷ୍ଟ ହୋଇ ବିଦ୍ୟାପତି ସେଇ ମୂର୍ତ୍ତି ବଦଳରେ ଦାରୁଦିଅଁ ଥାପନାର ପ୍ରୟାସ କରିଥିଲେ । କୁହାଯାଏ ସେ ପାପଗ୍ରସ୍ତ ହୋଇଥିବାରୁ ପାପମୁକ୍ତ ହେବାର ତପସ୍ୟାରେ ସଫଳ ହୋଇ ନିମ୍ବବୃକ୍ଷକୁ ସମୁଦ୍ରର ଉତ୍ତାଳ ଲହଡ଼ିରୁ ଉଦ୍ଧାର କରି ବିଶ୍ଵକର୍ମାଙ୍କ ହାତରେ ମୂର୍ତ୍ତି ନିର୍ମାଣ କଲେ । ରାଣୀ ରୁଦ୍ଧ କୋଠରୀଟିକୁ ମାତ୍ର ଏକୋଇଶି ଦିନ ପରେ ଖୋଲିଦେବାରୁ ଶିଳ୍ପୀ ଅନ୍ତର୍ଦ୍ଧାନ ହେଲେ । ଅପୂର୍ଣ୍ଣ ଦିଅଁଙ୍କୁ ନବନିର୍ମିତ ମନ୍ଦିରରେ ପ୍ରତିଷ୍ଠା କରିବା ପାଇଁ ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ଆମନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସ୍ଵର୍ଗପୁରକୁ ଗଲେ । ଇତି ମଧ୍ୟରେ ଗାଲମାଧବଙ୍କ ଅଶ୍ଵ ଯୁଗ ଯୁଗ ଧରି ବାଲିରେ ପୋତି ହୋଇ ପଡ଼ିଥିବା ମନ୍ଦିର ଚୂଡ଼ା ଝୁଣ୍ଟିବାରୁ ସିକତା ଗର୍ଭରୁ ମନ୍ଦିର ହେଲା । ଇନ୍ଦ୍ରଦ୍ୟୁମ୍ନଙ୍କ ସପକ୍ଷରେ କାକ ଓ କଚ୍ଛପ ସାକ୍ଷ୍ୟ ଦେବାରୁ ଗାଲମାଧବ ଅଧିକାର ସାବ୍ୟସ୍ତ କରି ପାରିଲେ ନାହିଁ । ପୁଣି ଯାଗଯଜ୍ଞ କରି ଇନ୍ଦ୍ରଦ୍ୟୁମ୍ନ ଶଙ୍କର୍ଷଣ, ସୁଭଦ୍ରା ଓ ଜଗନ୍ନାଥଙ୍କ ମୂର୍ତ୍ତି ପ୍ରତିଷ୍ଠା କଲେ ।

 

ଶାବର ସଂସ୍କୃତି, କେତେ ଇନ୍ଦ୍ରଦ୍ୟୁମ୍ନଙ୍କ ଅନ୍ୱେଷା, କରକଣ୍ଡୁଙ୍କ ଜିନନାଥ ଉପାସନା, ଜଗନ୍ନାଥ କ୍ଷେତ୍ରରେ ଅଶୋକଙ୍କ ପରେ ବୁଦ୍ଧଙ୍କ ଦନ୍ତପୂଜା, ଖାରବେଳଙ୍କର ମଗଧରୁ ଜିନନାଥ ଉଦ୍ଧାର ପଟ୍ଟଭୂମିରେ ସାତବାହନମାନେ ହିଁ ବୈଦିକ ଯଜ୍ଞରେ ପୁରୁଷୋତ୍ତମ କ୍ଷେତ୍ରର ଯଶ ବୃଦ୍ଧି କରିବାର ଐତିହାସିକ ପ୍ରମାଣ ରହିଛି । ବାସୁଦେବ, ସଂକର୍ଷଣ ସମନ୍ୱିତ ଧର୍ମଧାରାର ଆଭାସ କ୍ରମେ ସ୍ପଷ୍ଟ ହେଲା । ହୁବିଷ୍କଙ୍କ ମୋହରରେ ବିଷ୍ଣୁମୂର୍ତ୍ତି ହିଁ ଏହାର ନିଦର୍ଶନ । ପାଞ୍ଚାଳର ରାଜା ବିଷ୍ଣୁମିତ୍ରଙ୍କ ବାସୁଦେବ ଉପାସନା ଇତିହାସ ପ୍ରସିଦ୍ଧ ।

 

ବେଦର ରଚନା କାଳ ପ୍ରାୟ ଖ୍ରୀ:ପୂ: ପଞ୍ଚମ ଶତାବ୍ଦୀ । ଖାରବେଳଙ୍କର ଏକ ଶିଳାଲେଖରେ ସ୍ପଷ୍ଟ ପ୍ରମାଣ ରହିଛି ଯେ, ଖ୍ରୀ:ପୂ: ୧୪୦୦ରେ ଦର୍ଭ ଘାସ ପରିପୂର୍ଣ୍ଣ ପୃଥୁଦକ ଦର୍ଭ ନଗରରେ ନେତୁ ପ୍ରତିମା ଥିଲେ । ତିକ୍ତକାଷ୍ଠରୁ ପ୍ରତିମା ନିର୍ମାଣ ପିଥୁଣ୍ଡ ବା ପୁରୀରେ ଜଗନ୍ନାଥଙ୍କ ବିବର୍ତ୍ତିତ ରୂପ ସଂପର୍କରେ ଧାରଣା ଦିଏ । ଏରକା ବଣ ସହିତ ଦର୍ଭଘାସର ତୁଳନା ଯଦୁବଂଶ ଧ୍ଵଂସ ପରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ଆବିର୍ଭାବ ଯୋଗୁ ପୁରୁଷୋତ୍ତମ ବିଭାବ ‘‘ଗୁହ୍ୟଃ ସର୍ବତମୋଧ୍ଵଂସୀ ସର୍ବପୂଣ୍ୟଫଳପ୍ରଦଃ’’ ରୂପେ ‘‘ନୀଳାଦ୍ରିମହୋଦୟ’’ରେ କୀର୍ତ୍ତିତ । ବିଗତ ଅଶୀଦଶକରେ ସମୁଦ୍ରଗର୍ଭରୁ ଦ୍ଵାରକା ନଗରୀ ସଂପର୍କରେ ଯେଉଁ ପ୍ରାତ୍ନତାତ୍ତ୍ୱିକ ପ୍ରମାଣ ମିଳିଛି ପୁରୀରେ କୃଷ୍ଣ ଦାରୁବିଗ୍ରହ ଧାରଣ କରିବାର ଧାରଣାକୁ ତାହା ବଦ୍ଧମୂଳ କରେ । ପ୍ରଳୟ ଏକ ଭୂଖଣ୍ଡରେ ସଂଘଟିତ ହେବା ଏବଂ ସୃଷ୍ଟିରେ ବିବର୍ତ୍ତିତ ବିଶ୍ୱାସକୁ ନୂଆ ରୂପରେ ସ୍ଵୀକାର କରୁଥିବା ପରମସତ୍ତା ଐତିହ୍ୟ ସୂତ୍ରରେ ଅଭିନ୍ନ । ସମୟ ପ୍ରବାହରେ ଆତ୍ମା ଘଟରେ ପୁନଃ ପୁନଃ ବାସ କରିବା ପାରଂପାରିକଭାବେ ବିଷ୍ଣୁ ରଥ, ସୂର୍ଯ୍ୟ ରଥ ପୃଷ୍ଠପଟରେ ରଥଯାତ୍ରାର ତାତ୍ପର୍ଯ୍ୟ ବୁଝାଇଦିଏ-। କାଳର ଗତି ସହିତ ଇକ୍ଷ୍ୱାକୁ କୁଳ ଦୈବତମ୍‌ ରୂପେ ଜଗନ୍ନାଥ ଉପାସିତ ହେବା, ବଳରାମ ସୁଭଦ୍ରା ଓ କୃଷ୍ଣ ରୁପେ ଲୀଳା କରିବା ଇଷ୍ଟ ଅଭୀପ୍‌ସାର ମହତ୍ୱ ରେଖାଙ୍କିତ କରେ । ପ୍ରକୃତି ଓ ପୁରୁଷ ଉଭୟ ସଂପର୍କରେ ସଚେତନ ହେବା ଦ୍ୱାରା ପରମର ସାନ୍ନିଧ୍ୟ ପାଇଁ ମୁମୁକ୍ଷୁ ବ୍ରତୀ ହୋଇଥାଏ । ପୁରୁଷୋତ୍ତମଙ୍କର ସର୍ବବ୍ୟାପକ ରୂପ ଅଚିନ୍ତନୀୟ ହୋଇଥିବାରୁ ଉପନିଷଦ୍‌ଭାଷାରେ ସେ ସବୁଠୁ ବେଶି ଭୟଙ୍କର ଓ ସବୁଠୁ ବେଶି ପବିତ୍ର । ବଳରାମ ଦାସଙ୍କ ଭାଷାରେ -

 

ଅନନ୍ତ କୋଟି ବ୍ରହ୍ମାଣ୍ଡରେ ଏକଇ ଈଶ୍ୱର

ସ୍ୱଇଚ୍ଛେ ବିଜୟେ ଦକ୍ଷିଣସିନ୍ଧୁ ତୀର ।

ଆପଣାର ନାମ ଶ୍ରୀପୁରୁଷୋତ୍ତମ ପୁରୀ

ବ୍ରହ୍ମା ସର୍ଜିଲା ତାହା ଅତି ଯତ୍ନ.କରି ।

ମାରକଣ୍ଡ ଈଶ୍ୱର ନଗ୍ରର ଦଣ୍ଡପାଟ

ଚାରି ଦ୍ୱାରେ ବସାଇ ଯେ ମୁକତି ଚାରିହାଟ ।

 

ସନ୍ତୋଷ, ତିତିକ୍ଷା ଓ ମୁକ୍ତି ଆଦିର କଳ୍ପନା ଶାସ୍ତ୍ରୀୟ ଦୃଷ୍ଟିରେ ଭାସ୍ଵର ଏଇ ଦ୍ୱାରଗୁଡ଼ିକରେ-। ସବୁ ପ୍ରାଚୀନ ସଭ୍ୟତା ମାଟିତଳେ ଷଣ୍ଢର କରୋଟି ନିର୍ମିତ ହୋଇଥିବାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଖୋଜି ପାଇଛି । ଏଇ ଧାରଣା ବେଦର ଏକ ସୂକ୍ତରେ ସୁନ୍ଦରଭାବେ ରୂପାୟିତ ହୋଇଛି: ‘‘ଚତ୍ୱାରିଶୃଙ୍ଗା ତ୍ରୈଲେକୈ ପାଦା’’ରୁ ଆରମ୍ଭ ହୋଇଥିବା ଏଇ ସୂକ୍ତଟି ପରଂବ୍ରହ୍ମ ବିପୁଳ ସୃଷ୍ଟିରେ ସ୍ଵୟଂ ବୃଷଭରୂପେ ପ୍ରବିଷ୍ଟ ହୋଇଥିବାର ପ୍ରତୀକାତ୍ମକ ଯୁକ୍ତି ଉପସ୍ଥାପନ କରେ । ‘ସ୍କନ୍ଦପୂରାଣ’ରେ ମାର୍କଣ୍ଡେୟ ତୀର୍ଥ ପ୍ରସଙ୍ଗରେ କୁହାଯାଇଛି :

 

ଧର୍ମଶ୍ଚତୁଷ୍ପାଦ୍‌ ଯଜ୍ଞସ୍ତ୍ଵଂ ସ୍ଵର୍ଣ୍ଣଶୃଙ୍ଗସ୍ତ୍ରୟୀ ବପୁଃ ।

ଗୋପତେ ବାହରୂପୀ ତ୍ୱଂ ଶୂଳିନଂ ତ୍ୱାଂ ନମାମ୍ୟଽହମ୍‌ ॥

 

ବୃଷଭର ଶୃଙ୍ଗ ସ୍ପର୍ଶ ପରେ ବିଷ୍ଣୁରୂପୀ ନିଗ୍ରୋଧ ବା ଅକ୍ଷୟ ବଟକୁ ପ୍ରଣାମ ଓ ପ୍ରଦକ୍ଷିଣ କରି ବାଟ ମୂଳରେ ଥିବା ନାରାୟଣଙ୍କ ବାହନ ଗରୁଡ଼ଙ୍କୁ ଦର୍ଶନ କରିବା ପରେ ‘‘ପୁରୁଷ ସୂକ୍ତ’’ରେ ଭଗବାନଙ୍କ ପୂଜା କରିବା ପାଇଁ ‘‘ପଞ୍ଚତୀର୍ଥ ମାହାତ୍ମ୍ୟ’’ରେ ନିର୍ଦ୍ଦେଶ ଅଛି । ‘‘ସହସ୍ରଶୀର୍ଷା ପୁରୁଷଃ । ସହସ୍ରାକ୍ଷଃ ସହସ୍ରପାତ୍‌ । ସଭୂମି ବିଶ୍ଵତୋ ବୃତ୍ୱା ଅତ୍ୟତିଷ୍ଠଦ୍‌ଦଶାଙ୍ଗୁଳମ୍‌ ।’’ (ସେଇ ପୁରୁଷଙ୍କର ହଜାରେ ଶିର, ହଜାରେ ଚକ୍ଷୁ, ହଜାରେ ପାଦ ରହିଛି । ସେ ସଂସାରରେ ପରିବ୍ୟାପ୍ତ ହେଉଥିଲେ ମଧ୍ୟ ଦଶ ଆଙ୍ଗୁଠି ବାହାରକୁ ରହିଛନ୍ତି ।)

 

କାଳଚକ୍ର, ଅନ୍ନଚକ୍ର ଓ ଜୀବନଚକ୍ର ବିଶ୍ଳେଷଣରୁ ସୃଜନଚକ୍ରରେ ପୁରୁଷୋତ୍ତମଙ୍କ ମହିମା ବାରି ହୋଇପଡ଼େ । ବୁଝିପାରିଲେ - ପୃଥିବୀରୁ ଉଡ଼ୁଥିବା ପକ୍ଷୀ, ମାଟିରେ ଥିବା ଜୀବ, ମାଟି ତଳେ ଥିବା ଷଣ୍ଢର କରୋଟି ମଣିଷ ଜ୍ଞାନରେ ଆସ୍ତିକ ଭାବନାର ଆଭାସ ଦିଏ । ଯାହା କିଛି ପରସ୍ପର ସଂପର୍କରେ ରହିଛି ତା’ର ମୂଲ୍ୟାୟନ ହୁଏ । ‘ଗୀତା’ର ପଞ୍ଚଦଶ ଅଧ୍ୟାୟରେ ପୁରୁଷୋତ୍ତମ କ୍ଷର (ନଷ୍ଟଶୀଳ) ସତ୍ତାରୁ ଭିନ୍ନ ଏବଂ ଅକ୍ଷର (ଅବ୍ୟୟୀ) ସତ୍ତାରୁ ଉତ୍ତମ ହୋଇଥିବାରୁ ଲୋକରେ ଓ ଜ୍ଞାନରେ ସେ ହିଁ ବନ୍ଦନୀୟ । ନଶ୍ଵରତା ଊର୍ଦ୍ଧ୍ୱରେ ରହୁଥିବାରୁ ସେ ସର୍ବଶକ୍ତିମାନ୍‌, ସର୍ବଜ୍ଞାତା ଓ ସର୍ବବ୍ୟାପକ । ନୀଳଶୈଳରେ ତାଙ୍କର ନିଶ୍ଚିତ ପାଦ ନିହିତ ଅଛି ବୋଲି ଶଙ୍କର ‘‘ଜଗନ୍ନାଥାଷ୍ଟକ’’ରେ କହିଛନ୍ତି । କବି ଶତାନନ୍ଦ ‘ରତ୍ନମାଳା’ରେ ତାଙ୍କର ମହିମା ଗାନ କରିଛନ୍ତି ନିମ୍ନୋକ୍ତ ଶ୍ଳୋକରେ :

 

ଯସ୍ୟ ପ୍ରଭୋଃ ସର୍ବବିଧ ପ୍ରସନ୍ନଃ

ଜ୍ଞାନାଞ୍ଜନୈରଞ୍ଜିତ ଲୋଚନ ଶ୍ରୀଃ ।

ତ୍ରିକାଳଦର୍ଶେ ଚ କଳୌ ନରଃ ସ୍ୟାତ୍‌

ତସ୍ମୈ ନମଃ ଶ୍ରୀପୁରୁଷୋତ୍ତମାୟ ॥

 

ଜଗନ୍ନାଥ ‘‘ସିନ୍ଧୁପାରେ ଅପୌରୁଷମ୍‌’’ର ଦାରୁଦିଅଁ । ମର୍ତ୍ତ୍ୟରେ ବୈଦିକ ସତ୍ୟର ଚିନ୍ମୟ ପ୍ରକାଶ । ତ୍ରିକାଳଦର୍ଶୀ ଋଷି ଏବଂ ଇଷ୍ଟନିଷ୍ଠାରେ ଅଟଳ ଯୁଗ ପ୍ରବର୍ତ୍ତନକାରୀ ଗୁରୁଙ୍କର ପରମ ସହିତ ସଂପର୍କ ଭାରତଭୂମିରେ ପରମ ଲୀଳାର ରହସ୍ୟ ଉଦ୍‌ଘାଟନ କରିଛି । ପୁରୁଷୋତ୍ତମଙ୍କ ‘‘ଚରଣ କିଶଳୟ’’ରେ ଲକ୍ଷ୍ମୀଙ୍କର ନିଳୟ । ସେ ‘ଶ୍ରୀ’ । ସେ କୀର୍ତ୍ତି । ଆଉ ଜଗନ୍ନାଥ ହିଁ ସଂଶ୍ଳେଷିତ ସତ୍ୟର ପୁନଃପ୍ରକାଶ । ‘‘ଶ୍ରୀକୃଷ୍ଣ ଲୀଳାମୃତ ମହାକାବ୍ୟ’’ରେ ପଣ୍ଡିତ ନିତ୍ୟାନନ୍ଦ ଲେଖିଛନ୍ତି :

 

ଯଂ ବେଦାନ୍‌ କବୟୋ ବଦନ୍ତି ଚତୁରଃ ଶ୍ରୀବାସୁଦେବାଦିକ-

ନାହୁଃ ସାତ୍ତ୍ୱତ ପୁଙ୍ଗବାଃ ସୁକୃତିନୋ ଧର୍ମାର୍ଥକାମାମୃତମ୍‌ ।

ଶ୍ରୀ ନୀଳାଚଳ କନ୍ଦରୋଦର ଭୁବି ବ୍ୟକ୍ତଂ ଚତ଼ୁର୍ଦ୍ଧାସ୍ଥିତଂ

ତଂ ବନ୍ଦେମହି ନନ୍ଦନନ୍ଦନତନୁଂ ରାଧାଧବଂ ମାଧବମ୍‌ ।।

 

ବେଦରେ ବିଷ୍ଣୁ ବା ବାସୁଦେବଙ୍କୁ ସମସ୍ତ ଦେବତାଙ୍କର ଅଦ୍ୱୈତ ସ୍ଵରୁପଭାବେ କଳ୍ପନା କରାଯାଇଛି । ଯିଏ ଯେଉଁ ଭାବରେ ତାଙ୍କୁ ଉପାସନା କରେ ସେ ସେହି ଭାବରେ ତାହା ଗ୍ରହଣ କରନ୍ତି । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଏକତ୍ର ପ୍ରଣବ ରୂପରେ ପରିକଳ୍ପିତ । ଏହା ପୁରୁଷୋତ୍ତମ ତତ୍ତ୍ଵ । କାଠପିଣ୍ଡରେ ପୀୟୁଷ ସଂଚରିତ ହେଉଥିବାର ଅବିଶ୍ଵାସ୍ୟ ବାସ୍ତବତା । ସଂସାରରେ ହେଉ, ଶରୀରରେ ହେଉ ଟିକିଏ ନିରେଖି ଦେଖିଲେ ସେ ହିଁ ପୁରର ନିବାସୀ । ସେ ପୁରୁଷ, ମାୟା ବିଗ୍ରହରେ ବନ୍ଦୀ । ତେଣୁ ଦାରୁଦିଅଁରେ ଭାଇଭଉଣୀର ସଂପ୍ରୀତି ବ୍ୟକ୍ତି, ପରିବାର ଓ ବିଶ୍ଵ ସଂହତିର ପ୍ରତୀକ । କାଳର ଆବର୍ତ୍ତନରୁ ବୁଦ୍ଧମୟ ଚନ୍ଦ୍ରବିନ୍ଦୁରେ ପହଞ୍ଚିବା ପାଇଁ ସାଧନର ମାର୍ଗ । ସେ ଅନୁକମ୍ପାର ମହୋଦଧି । ସେ ‘ନିଖିଳୟନବନ୍ଧୁ' । ଆଗାମୀ ଶତାବ୍ଦୀକୁ ଆଲୋକ ଓ ଆନନ୍ଦ ପଥରେ ପରିଚାଳିତ କରୁଥିବା କଳାଠାକୁରଙ୍କ ନୂଆ ବିଗ୍ରହ ଜୟଦେବଙ୍କ ‘‘ଗୀତ ଗୋବିନ୍ଦ’’ର ପ୍ରଣତିମଧୁର ବର୍ଣ୍ଣନାରେ ସ୍ମରଣୀୟ ହେଉ :

 

ସାନ୍ଦ୍ରାନନ୍ଦପୁରନ୍ଦରାଦି ଦିବିଷଦ୍‌ବୃନ୍ଦୈର ମନ୍ଦାଦରା-

ଦାନନ୍ଦୈ ମୁକୁଟେନ୍ଦ୍ରନୀଳମଣିଭଃ ସଂଦର୍ଶିତେନ୍ଦୀବରମ୍‌ ।

ସ୍ୱଚ୍ଛନ୍ଦଂ ମକରନ୍ଦସୁନ୍ଦର ଗଳନ୍‌ମନ୍ଦାକିନୀ ମେଦୁରଂ

ଶ୍ରୀଗୋବିନ୍ଦପଦାରବିନ୍ଦମଶୁଭସ୍କନ୍ଦାୟ ବନ୍ଦାମହେ ॥

 

***

 

ସାହିତ୍ୟସମ୍ରାଟ ବିକ୍ରମ ଦେବବର୍ମା

ଶ୍ରୀ ପଦ୍ମଚରଣ ସାହୁ

 

ସଂସ୍କୃତି ସମନ୍ୱୟର ବାର୍ତ୍ତାବହ :

ଜୟପୁର ରାଜବଂଶୋଦ୍‌ଭବ ବିକ୍ରମ ଦେବବର୍ମା ଥିଲେ ଭାରତୀୟ ସଂସ୍କୃତିର ମୂର୍ତ୍ତିମନ୍ତ ପ୍ରତୀକ । ବେଦଉପନିଷଦ କେବଳ ଅଧ୍ୟୟନ ନୁହେଁ, ସେସବୁର ନିର୍ଦ୍ଧାରିତ ନୀତିନିୟମ ସେ ନିଷ୍ଠାର ସହିତ ପାଳନ କରୁଥିଲେ । ସେ ଥିଲେ ଆଜୀବନ ସାହିତ୍ୟସାଧକ । ସଂକୀର୍ଣ୍ଣ ଆଞ୍ଚଳିକତା ଓ ଭାଷାର ସୀମା ପ୍ରତିବନ୍ଧକତାଠାରୁ ବହୁ ଉର୍ଦ୍ଧ୍ୱକୁ ଚାଲି ଯାଇଥିଲା ତାଙ୍କର ସାହିତ୍ୟ । ଓଡ଼ିଆ ଓ ତେଲଗୁ ଉଭୟ ଭାଷାରେ ଅଗାଧ ପାଣ୍ଡିତ୍ୟ ତାଙ୍କୁ କରିଥିଲା ଆନ୍ଧ୍ରୋତ୍କଳ ସଂସ୍କୃତିର ସଂଯୋଗ ସେତୁ । ଗବେଷକ ଡକ୍ଟର ଏ.ଭି.ଡି. ଶର୍ମାଙ୍କ ମତରେ - He distinguished himself by virtue of his talents and his services to Andhra and Orissa in the literary, socio-cultural and educational fields. He was a poet, scholar and playwright in Sanskrit, Telugu and Oriya. He had other abiding interests in the field of dramaturgy, public service and popular movements in Andhra and Orissa’. (୧) ସେ ଥିଲେ ଓଡ଼ିଆ ଓ ତେଲଗୁ ଉଭୟ ଭାଷାର ବିଶିଷ୍ଟ ସାହିତ୍ୟିକ, ଆନ୍ଧ୍ର ବିଶ୍ଵବିଦ୍ୟାଳୟର ଭାଷାସାହିତ୍ୟ ଅଧ୍ୟୟନ ପାଇଁ ପାଠ୍ୟକ୍ରମ ନିର୍ଦ୍ଧାରକ ଏବଂ ଆନ୍ଧ୍ର ଭାରତୀତୀର୍ଥ ଗବେଷଣା ବିଶ୍ୱବିଦ୍ୟାଳୟର କୁଳପତି ତଥା ଆନ୍ଧ୍ର ସାହିତ୍ୟ ସମାଜ (Academy)ର ସଭାପତି । ଏଣେ ସେତେବେଳର ଓଡ଼ିଶା ପାଇଁ ପାଟଣା ବିଶ୍ଵବିଦ୍ୟାଳୟ ଓଡ଼ିଆ ଭାଷାସାହିତ୍ୟର ପାଠ୍ୟପୁସ୍ତକ ମନୋନୟନ କମିଟି ସଭ୍ୟ, ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି, ପ୍ରାବନ୍ଧିକ, ଅନୁବାଦକ, ନାଟ୍ୟକାର ତଥା ଲେଖକ ଓ ସାହିତ୍ୟର ପୃଷ୍ଠପୋଷକ । ସଂସ୍କୃତ ସାହିତ୍ୟରେ ପାରଦର୍ଶିତା ତାଙ୍କୁ ସାର୍ବଭୌମ ବିଦ୍ୱାନ ପ୍ରତିପାଦିତ କରିଥିଲା । ନିଜର କର୍ମମୟ ଜୀବନରେ ବିକ୍ରମ ଦେବବର୍ମା ଦୀର୍ଘ ୪୬ ବର୍ଷ ଓଡ଼ିଶା ବାହାରେ - ବିଶାଖାପାଟଣାଠାରେ ଅବସ୍ଥାନ କରିଥିଲେ । ସେଠାରେ ସେ ଗଢ଼ିଥିଲେ ‘ଉତ୍କଳ ସମାଜ’ ଓ ସେହି ମାଧ୍ୟମରେ ସେ ଥିଲେ ପ୍ରବାସୀ ଓଡ଼ିଆଙ୍କ ଦିଗ୍‌ଦର୍ଶକ, ସଂସ୍କୃତିରକ୍ଷକ ତଥା ତତ୍ତ୍ଵାବଧାରକ । ତାଙ୍କର ସଂଗଠନଶକ୍ତି ବିଚ୍ଛିନ୍ନ ଓଡ଼ିଆ ଜନସାଧାରଣଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥିଲା ଦୀର୍ଘ ଅର୍ଦ୍ଧଶତାବ୍ଦୀ ପାଇଁ । ସେ ଥିଲେ ଓଡ଼ିଶାର ବ୍ୟାସକବି ଫକୀର ମୋହନ ସେନାପତି ଓ କବିବର ରାଧାନାଥ ରାୟଙ୍କ ସାହିତ୍ୟିକ ବନ୍ଧୁ । ଉତ୍କଳଗୌରବ ମଧୁସୂଦନ ଦାସଙ୍କର ସେଥିଲେ ଅନ୍ତରଙ୍ଗ ସହକର୍ମୀ । ତାଙ୍କୁ କୁହାଯାଉଥିଲା ଓଡ଼ିଶାର ବିକ୍ରମାଦିତ୍ୟ । ସର୍ବୋପରି ବିକ୍ରମ ଦେବବର୍ମା ଥିଲେ ଓଡ଼ିଶାର ଜାତୀୟ ସଂଗଠନ ‘ଉତ୍କଳ ସମ୍ମିଳନୀ’ର ପାରଳାଖେମୁଣ୍ଡି ଦଶମ ଅଧିବେଶନର ସଭାପତି । ଏଭଳିଭାବେ ସେ ବିବେଚିତ ହୋଇଥିଲେ ଆନ୍ଧ୍ରୋତ୍କଳ ସଂସ୍କୃତି ସମନ୍ୱୟର ବାର୍ତ୍ତାବହ । ଊନବିଂଶ ଶତାବ୍ଦୀ ଅଷ୍ଟମ ଦଶକଠାରୁ, ବିଂଶଶତାବ୍ଦୀ ମଧ୍ୟଭାଗ ଯାଏଁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ - ବିଶେଷତଃ ଶେଷ ପର୍ଯ୍ୟାୟରେ ଏ ରାଜ୍ୟର ଦକ୍ଷିଣ ସୀମା ନିର୍ଦ୍ଧାରଣ ପାଇଁ ଆନ୍ଧ୍ର ଏବଂ ଉତ୍କଳୀୟମାନେ ନୀତିଗତ ବୈରତା, ରାଜନୈତିକ ଛକାପନ୍‌ଝା ଓ ସାମାଜିକ ବିଦ୍ଵେଷର ଶିକାର ହୋଇ ପଡ଼ିଥିବା ବେଳେ ଏ ଦୁଇ ଭାଷାଭାଷୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ସକାଶେ ବିକ୍ରମ ଦେବବର୍ମା ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ତାହା ଉଭୟ ରାଜ୍ୟର ସାଂସ୍କୃତିକ ଇତିହାସରେ ଅବିସ୍ମରଣୀୟ ରହିବ ।

 

(୧)

Integration of Andhra & Orissa Culture, Ph.D. Thesisa ମୁଖବନ୍ଧ ।

 

ସାହିତ୍ୟିକ କୃତି : ଓଡ଼ିଆ

ବିକ୍ରମ ଦେବବର୍ମା ଦୀର୍ଘ ନିରାମୟ ଜୀବନ ଯାପନ କରିଥିଲେ । ସାଧନା ପାଇଁ ଉତ୍ତମ ସ୍ଵାସ୍ଥ୍ୟ ଯେ ଅପରିହାର୍ଯ୍ୟ - ଏହା ବିନାଦ୍ୱିଧାରେ ଯେ କେହି ସ୍ଵୀକାର କରିବେ । ବର୍ମା ମହୋଦୟଙ୍କର ସ୍ୱାସ୍ଥ୍ୟ ଶେଷଜୀବନ ଯାଏ ଅକ୍ଷୁର୍ଣ୍ଣ ରହିଥିଲା ଓ ସେ ନିରବଚ୍ଛିନ୍ନଭାବେ ସାଧନାରତ ଥାଇ ରଚନା କରିଥିଲେ ବହୁ ଅମୂଲ୍ୟ ଗ୍ରନ୍ଥ ।

 

ଭାଗବତ ଗୀତା ମାହାତ୍ମ୍ୟ : ବିକ୍ରମ ଦେବବର୍ମାଙ୍କର ଏହା ପ୍ରଥମ ପ୍ରକାଶିତ ଗ୍ରନ୍ଥ-। ସେ ଏଥିରେ ସଂସ୍କୃତ ଭାଗବତରୁ ନବାକ୍ଷରୀ ବୃତ୍ତରେ ଓଡ଼ିଆ ପଦ୍ୟାନୁବାଦ କରିଥିଲେ ।

 

ସଂଗୀତ ରାଧାମାଧବ ନାଟକ : ଏଥିରେ ରାଧିକାଙ୍କର ମାନଭଂଜନ ବୃତ୍ତାନ୍ତ ନାଟକ ଆକାରରେ ଉପସ୍ଥାପିତ ହୋଇଛି । ପାତ୍ରପାତ୍ରୀଙ୍କର ସଂସ୍କୃତରେ କଥୋପକଥନ ଏ ନାଟକର ବିଶେଷତ୍ଵ ଓ ନୂତନତ୍ଵ । ଏ ନାଟକ ବହୁବାର ରଙ୍ଗମଞ୍ଚରେ ଅଭିନୀତ ହୋଇ ଉଚ୍ଚପ୍ରଶଂସା ଲାଭ କରିଥିଲା । ମୁଦ୍ରିତ ବହି ପଢ଼ିବାପରେ ବ୍ୟାସକବି ଫକୀର ମୋହନ ସେନାପତି ଲେଖିଥିଲେ -

 

ତୁମ୍ଭର କବିତ୍ୱ ରାଧାମାଧବ ନାଟକ

ପଢ଼ିଜ୍ଞାନକରେ ମୋର ଜୀବନ ସାର୍ଥକ,

ବିଶାଖାପାଟଣା ମଧ୍ୟେ ତୈଲଙ୍ଗ ଦେଶରେ

‘ଛନ୍ତି ଦେଶୀଲୋକ କେହି ନାହାନ୍ତି ପାଶରେ;

ଓଡ଼ିଆ ପଢ଼ିବା ପାଇଁ ସମର୍ପିଛ ପ୍ରାଣ

ଧନ୍ୟ ଧନ୍ୟ ତୁମ୍ଭ ମାତୃଭାଷା ପ୍ରତି ଟାଣ,

ସଂସ୍କୃତ ଉତ୍କଳ ଆନ୍ଧ୍ର କରିଣ ଆୟାସ

ତିନିଭାଷେ ଭଲଭାବେ କରିଛ ଅଭ୍ୟାସ (୨)

 

(୨)

‘ଉତ୍କଳ ଭ୍ରମଣ’, ଫକୀର ମୋହନ ଗ୍ରନ୍ଥାବଳୀ ।

 

ଶ୍ରୀ ଗୋବିନ୍ଦ ମଂଜରିକାବଳୀ : ଏହା ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‌ଗର ଗ୍ରନ୍ଥର ଓଡ଼ିଆ ପଦ୍ୟାନୁବାଦ । ପ୍ରତ୍ୟେକ ଛାନ୍ଦ ମୂଳ ସଂସ୍କୃତ ଶ୍ଲୋକ ବୃତ୍ତରେ ରଚିତ ଓ ଏ ଗ୍ରନ୍ଥର ଅନେକ ସଂସ୍କରଣ ପ୍ରକାଶିତ ହୋଇଛି ।

 

ଯଜୁର୍ବେଦୀୟ ସଂଧ୍ୟାପ୍ରୟୋଗ : ଏ ପୁସ୍ତକ କ୍ରିୟାନିଷ୍ଠ ବ୍ରାହ୍ମଣମାନଙ୍କ ଆଚରଣ ପାଇଁ ଉପଯୋଗୀ । ନିଜେ କ୍ଷତ୍ରିୟ ହେଲେ ମଧ୍ୟ ବିକ୍ରମ ଦେବବର୍ମା ନିଜର କର୍ମକର୍ମାଣି, ଶୌଚ ସଦାଚାର ବେଦଶାସ୍ତ୍ର ମୁତାବକ କରୁଥିଲେ ଏବଂ ଏହା ସମସ୍ତଙ୍କ କରଣୀୟ ବୋଲି ଏ ଗ୍ରନ୍ଥରେ ମତପ୍ରକାଶ କରିଥିଲେ ।

 

ଦ୍ୱିଜାଚମନ ବିଧାନଂ : ଏ ଗ୍ରନ୍ଥ ମଧ୍ୟ ଶୌଚସଦାଚାର ତଥା ତ୍ରିବିଧ ଆଚମନର ବିଧିବିଧାନ ଉପରେ ଆଧାରିତ । ଏଥିରେ ସନ୍ନିବେଶିତ ପ୍ରତ୍ୟେକ ସଂସ୍କୃତ ଶ୍ଳୋକର ସରଳ ଓଡ଼ିଆ ଅନୁବାଦ ଦିଆଯାଇଛି । ଏଣୁ ଏହା ସାଧାରଣ ଆଗ୍ରହୀ ତଥା ଜ୍ଞାନପିପାସୁଙ୍କ ମଧ୍ୟରେ ଖୁବ୍‌ ଆଦୃତି ଲାଭ କରିଥିଲା । ନିଜେ ବିକ୍ରମ ଦେବବର୍ମା କର୍ମକର୍ମାଣି ବେଳେ ଏଥିରେ ଥିବା ଶ୍ଳୋକଗୁଡ଼ିକୁ ଅନର୍ଗଳ ଆବୃତ୍ତି କରୁଥିଲେ ।

 

କାଦମ୍ବରୀ କଥାସାର : ଏହା ମହାକବି ବାଣଭଟ୍ଟଙ୍କ ବିରଚିତ ‘କାଦମ୍ବରୀ’ କାବ୍ୟର ଓଡ଼ିଆ ଗଦ୍ୟାନୁବାଦ । ଅଳ୍ପ କଥାରେ ଉଚ୍ଚ ଏବଂ ଗଭୀର ଭାବ ପ୍ରକାଶ କରିବାରେ ବିକ୍ରମ ଦେବବର୍ମା ଥିଲେ ସିଦ୍ଧହସ୍ତ । ବିରାଟକାୟ କାଦମ୍ବରୀ କାବ୍ୟକୁ ମାତ୍ର ୨୬ ପୃଷ୍ଠା ମଧ୍ୟରେ ସଂକ୍ଷେପରେ ସେ ପରିପ୍ରକାଶ କରି ପାରିଥିଲେ । ସମସ୍ତ ମୂଳଭାବ ଅକ୍ଷୁର୍ଣ୍ଣ ରହିଥିଲା । ଏ ପୁସ୍ତକ ବିଜ୍ଞ ପାଠକମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା ।

 

ତୁଳସୀ ବିକ୍ରମ ରାମାୟଣ : ଭକ୍ତ କବି ତୁଳସୀ ଦାସଙ୍କ ‘ରାମ ଚରିତ ମାନସ’ର ଓଡ଼ିଆ ଅନୁବାଦ । ଏହା ଚଉଦ ଅକ୍ଷରୀ ଛନ୍ଦରେ ରଚିତ । ବର୍ମା ମହୋଦୟ ଅନୁବାଦ କର୍ମରେ ମନୋନିବେଶ କରିଥିବାବେଳେ ଅନ୍ୟଜଣେ ଅନୁବାଦକଙ୍କ ତୁଳସୀ ରାମାୟଣ ପ୍ରକାଶିତ ହୋଇଯିବା ଯୋଗୁଁ ନିଜେ ଆଉ ଏହି ଅନୁବାଦରେ ଆଗେଇଲେ ନାହିଁ ଏବଂ ସେହି ଅସଂପୂର୍ଣ୍ଣ ଗ୍ରନ୍ଥରେ ହିଁ ଉଲ୍ଲେଖ କଲେ -

 

ତା’ ଅନୁବାଦତ ଆବର      ମୁଦ୍ରିତ ହୋଇଲା ଖବର,

ସ୍ଵପୁରେ ପ୍ରବେଶି ଜାଣିଲି      ଇତର କାଣ୍ଡ ନରଚିଲି ।

 

କିନ୍ତୁ ଏହି ଅସଂପୂର୍ଣ୍ଣ ରାମାୟଣ ମାନ୍ଦ୍ରାଜ ପ୍ରଦେଶ ସ୍କୁଲସମୂହରେ ବହୁବର୍ଷଧରି ଓଡ଼ିଆ ବିଭାଗ ପାଠ୍ୟ ପୁସ୍ତକ ଭାବେ ପ୍ରଚଳିତ ଥିଲା ।

 

ସରସ ଗୀତାବଳୀ : ଏଥିରେ ୩୫ଟି କବିତା ସ୍ଥାନ ପାଇଥିଲା । ବର୍ମା ମହୋଦୟ ବିଭିନ୍ନ ସମୟରେ ଏସବୁ ରଚନା କରିଥିଲେ ଓ ତତ୍‌କାଳୀନ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା । ପାରଳାଖେମୁଣ୍ଡିର ପୁରୋହିତ ନୀଳମଣି ରଥଶର୍ମା ପତ୍ରପତ୍ରିକାରୁ ସଂଗ୍ରହ କରି ଏସବୁ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ । ଏଥିର କବିତା ଓ ପ୍ରତ୍ୟେକ ସ୍ତବ, ଜଣାଣ ତଥା ଚୌପଦୀ ବିଭିନ୍ନ ରାଗତାଳରେ ରଚନା କରାଯାଇଥିଲା । ଶିଳ୍ପୀମାନଙ୍କ କଣ୍ଠରେ ଏସବୁର ବହୁଳ ପ୍ରସାର ଘଟିଥିଲା।

 

ଭକ୍ତିରତ୍ନମାଳିକା : ଏଥିରେ ୬୮ଟି ଶ୍ଲୋକ ଏବଂ କବିତା ସ୍ଥାନ ପାଇଛି । ବିକ୍ରମ ଦେବବର୍ମା ବିଭିନ୍ନ ସମୟରେ ଦେବଦେବୀ ଦର୍ଶନ ବେଳେ ସଂସ୍କୃତ ଶ୍ଳୋକଗୁଡ଼ିକ ମୁହେଁ ମୁହେଁ ରଚନା କରି ଗାଇ ଯାଉଥିଲେ । ବର୍ମା ମହୋଦୟଙ୍କ ପୁରୋହିତ ନୀଳମଣି ରଥଶର୍ମା ସେସବୁ ପଚାରି ବୁଝି ଲିପିବଦ୍ଧ କରୁଥିଲେ । ସେସବୁ ସମେତ ତାଙ୍କର ଅନ୍ୟାନ୍ୟ ସ୍ତବ, ସ୍ତୋତ୍ର, କବଚ ଆଦି ଏଥିରେ ସ୍ଥାନ ପାଇଛି । ସଂସ୍କୃତ ରଚନାଗୁଡ଼ିକ ଅସାଧାରଣ ପାଣ୍ଡିତ୍ୟପୂର୍ଣ୍ଣ - ଏହା ସମୀକ୍ଷକମାନେ ଅକୁଣ୍ଠ ସ୍ଵୀକାର କରିଛନ୍ତି ।

 

ଲୋକୋକ୍ତିତତି : ଏଥିରେ ଅତି ମୂଲ୍ୟବାନ ପ୍ରବାଦସବୁ ରହିଛି । ଓଡ଼ିଆ ଭାଷା ଓ ଲୋକସଂସ୍କୃତିର ପ୍ରାଣ ଏସବୁରେ ଭରି ରହିଛି । ସଂସ୍କୃତିର ଆଲୋଚକ ଓ ଗବେଷକଙ୍କ ପାଇଁ ଏହା ଏକ ମୂଲ୍ୟବାନ ଗ୍ରନ୍ଥ ।

 

ଋତୁ ବର୍ଣ୍ଣନା : ଏଥିରେ ଷଡ଼ରତୁର ସଂକ୍ଷେପ ଓ ସୁନ୍ଦର ବର୍ଣ୍ଣନା କରାଯାଇଛି । ପ୍ରକୃତିକୁ ପ୍ରାଣଭରି ଭଲ ପାଇବା ଓ ଅନୁଭବ କରିବାର ସୂକ୍ଷ୍ମାତିସୂକ୍ଷ୍ମ ଭାବଧାରା ଏଥିରେ ପ୍ରକାଶିତ ହୋଇଛି-

 

ବୁଦ୍ଧଚରିତ ନାଟକ : ଏହା ବୌଦ୍ଧ ଧର୍ମ ଉପରେ ଆଧାରିତ । ଗୌତମ ବୁଦ୍ଧଙ୍କ ଗୃହତ୍ୟାଗ, ସିଦ୍ଧିଲାଭ, ଧର୍ମପ୍ରଚାର ଆଦି ଉପାଖ୍ୟାନ ଏଥିରେ ବର୍ଣ୍ଣିତ । ଗୌତମ, ରାହୁଳ, ଯଶୋଧାରା ଓ ଅନ୍ୟାନ୍ୟ ୧୬ଟି ଚରିତ୍ର ମାଧ୍ୟମରେ ଏ ନାଟକର ବିଷୟବସ୍ତୁ ଉପସ୍ଥାପନ କରାଯାଇଛି ।

 

ଉତ୍କଳ କୁନ୍ଦମାଳା ନାଟକ : ଏହା ରାମାୟଣର ଉତ୍ତରକାଣ୍ଡକୁ ନେଇ ରଚିତ । ସୀତାଙ୍କ ହସ୍ତନିର୍ମିତ କୁନ୍ଦମାଳା ଦର୍ଶନ କରି ରାମଚନ୍ଦ୍ର ଶୋକାଭିଭୂତ ହୋଇ ପଡ଼ିଥିବା ମୁହୂର୍ତ୍ତକୁ ମୁଖ୍ୟ ଘଟଣାଭାବେ ଏ ନାଟକରେ ଉପସ୍ଥାପନ କରାଯାଇଛି । ଓଡ଼ିଆରେ ଲେଖା ହୋଇଥିବା ଯୋଗୁଁ ‘ଉତ୍କଳ କୁନ୍ଦମାଳା’ ନାମକରଣ କରାଯାଇଛି ।

 

ଏସବୁ ପୁସ୍ତକର ବିଶଦ୍‌ ଆଲୋଚନା ସେତେବେଳେ ପତ୍ରପତିକାରେ ପ୍ରକାଶ ପାଇଥିଲା-। ଅନେକ ପଣ୍ଡିତ ଏସବୁ ବହି ଉପରେ ନିବନ୍ଧମାନ ଲେଖିଥିଲେ ଓ ଯେଉଁ ବହି ସ୍କୁଲ, କଲେଜପାଠ୍ୟ ମନୋନୀତ ହୋଇଥିଲା, ସେସବୁର ସ୍ଵତନ୍ତ୍ର ଆଲୋଚନା ଗ୍ରନ୍ଥମାନ ପ୍ରକାଶ ପାଇଥିଲା ।

 

ସାହିତ୍ୟ କୃତି : ତେଲଗୁ

ଓଡ଼ିଆ ଭାଷାରେ ଯେତିକି, ତେଲଗୁ ଭାଷାରେ ମଧ୍ୟ ପ୍ରାୟ ସମ ପରିମାଣର କୃତି ବିକ୍ରମ ଦେବବର୍ମାଙ୍କର ରହିଥିଲା । ଆନ୍ଧ୍ର ଭାଷାଭାଷୀ ଲୋକଙ୍କ ଉପରେ ସେସବୁ ପୁସ୍ତକର ଅଖଣ୍ଡ ପ୍ରଭାବ ପଡ଼ିଥିଲା । ସେଗୁଡ଼ିକ ମଧ୍ୟରେ ବିଶେଷ ଉଲ୍ଲେଖନୀୟ ହେଲା -

 

ଶ୍ରୀନିବାସ କଲ୍ୟାଣମ୍‌ ନାଟକ : ଏହା ଥିଲା ତେଲଗୁ ଭାଷାର ଏକ ଉଚ୍ଚକୋଟୀର ନାଟକ । ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ଏହି ଉପାଖ୍ୟାନ ବିଶ୍ଵବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ପାଠ୍ୟ ହୋଇଥିବା ଯୋଗୁଁ ଏ ବହି ଉପରେ ଅନେକ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା ଗ୍ରନ୍ଥ ପ୍ରକାଶ ପାଇଥିଲା । ନାଟକଭାବେ ମଞ୍ଚସ୍ଥ ହୋଇ ଏହା ଜନସମାଜରେ ଏକପ୍ରକାର ଆଲୋଡ଼ନ ସୃଷ୍ଟି କରିଥିଲା । ତେଲଗୁ ଭାଷା ସାହିତ୍ୟରେ ନାଟ୍ୟକାରଙ୍କ ଦକ୍ଷତା କିଭଳି ରହିଥିଲା, ତାହା ‘ସମ୍ବଲପୁର ହିତୈଷିଣୀ’ ୧୯୦୩ ଜୁନ୍‌ ୩ ତାରିଖ ସଂଖ୍ୟାରେ ପ୍ରକାଶିତ ଏକ ସମ୍ବାଦରୁ ଜଣାଯାଏ । ସମ୍ବାଦଟି ଥିଲା - ‘ବ୍ରହ୍ମପୁର : ଗତ ଶନିବାର ସ୍ଥାନୀୟ ଧର୍ମପ୍ରଦର୍ଶକ ରଙ୍ଗାଳୟରେ ଶ୍ରୀ ବିକ୍ରମ ଦେବ ମହୋଦୟଙ୍କ ରଚିତ ଆନ୍ଧ୍ର ‘ଶ୍ରୀନିବାସ କଲ୍ୟାଣ୍‌ ନାଟକ’ର ଅଭିନୟ ହୋଇଯାଇଅଛି । ଜଣେ ଉତ୍କଳପୁତ୍ରଙ୍କର ଆନ୍ଧ୍ରଭାଷାରେ ଏପରି ଚିତ୍ତହାରିଣୀ କବିତା ଦେଖି, ଶତ ଶତ ଦର୍ଶକ ଚମତ୍‌କୃତ ହୋଇ ବିକ୍ରମ ଦେବଙ୍କୁ ଧନ୍ୟବାଦ ଦେଇଥିଲେ’ । (୩)

 

(୩)

ଓଡ଼ିଶାର ବିକାଶରେ ପତ୍ରପତ୍ରିକାର ପ୍ରଭାବ - ଗୋପାଳ ଚନ୍ଦ୍ର ମିଶ୍ର ।

 

କୃଷ୍ଣାର୍ଜୁନ ଚରିତମ : ଏହା ଉଚ୍ଚ ମାନର ତେଲଗୁ ପୁସ୍ତକ । ମାଡ଼ଗୁଲ ରାଜ୍ୟର ରାଜା କୃଷ୍ଣ ଭୂପତିଙ୍କ ସଭାପଣ୍ଡିତ ଏହା ରଚନା କରିଥିଲେ । ତାହାଙ୍କ ଉତ୍ତରାଧିକାରୀଙ୍କଠାରୁ ପାଣ୍ଡୁଲିପି ସଂଗ୍ରହ କରି ବିକ୍ରମ ଦେବବର୍ମା ଏହି ବହିର ପାଣ୍ଡିତ୍ୟପୂର୍ଣ୍ଣ ଟୀକା ଲେଖିଥିଲେ । କୃଷ୍ଣ ଅର୍ଜୁନଙ୍କ ବନ୍ଧୁତ୍ୱକୁ ଦ୍ଵୈତ ଅର୍ଥବୋଧକ ଶବ୍ଦ ପ୍ରୟୋଗ କରି ବର୍ମା ମହୋଦୟ ଯେଉଁ ଦୀର୍ଘ ଆଲୋଚନା କରି ମୂଳଲେଖା ସହିତ ସଂପାଦନା କରିଥିଲେ - ତାହା ତେଲଗୁ ସାହିତ୍ୟ ରାଜ୍ୟରେ ଆଲୋଡ଼ନ ସୃଷ୍ଟିକରିଥିଲା । ଏହି ପୁସ୍ତକ ଯୋଗୁଁ ତେଲଗୁ ସାହିତ୍ୟରେ ବିକ୍ରମ ଦେବବର୍ମାଙ୍କ ଆସନ ସୁଦୃଢ଼ ହୋଇଯାଇଥିଲା ।

 

ମାନବତୀ ଚରିତମ୍‌ : ଏହି ପୌରାଣିକ ତେଲଗୁ ନାଟକ ବିକ୍ରମ ଦେବବର୍ମାଙ୍କର ଅନ୍ୟତମ ଶ୍ରେଷ୍ଠ କୃତି । ଏହାର ଅନେକ ସଂସ୍କରଣ ପ୍ରକାଶିତ ହୋଇଛି । ମାନବତୀର ଚରିତ୍ର ଚିତ୍ରଣରେ ବର୍ମା ମହୋଦୟଙ୍କ ଅନିର୍ବଚନୀୟ ସାହିତ୍ୟିକ-ପ୍ରତିଭାର ପରିପ୍ରକାଶ ହୋଇଥିବାକଥା ତେଲଗୁ ଆଲୋଚକମାନେ ମୁକ୍ତ କଣ୍ଠରେ ସ୍ଵୀକାର କରିଛନ୍ତି ।

 

ନୀତି ଗୀତିତତି : ଏଥିରେ ନୀତିକବିତା ସବୁ ସନ୍ନିବେଶିତ । ଏହି ସୁଚିନ୍ତିତ ଓ ଶିକ୍ଷଣୀୟ ଛୋଟ ଛୋଟ କବିତା ଆନ୍ଧ୍ର ସମାଜରେ ଗଭୀର ପ୍ରଭାବ ବିସ୍ତାର କରିଥିଲା । ଏ ପୁସ୍ତକ ତେଲଗୁ ଭାଷାର ‘ଚାଣକ୍ୟନୀତି’ ଭଳି ସର୍ବସାଧାରଣରେ ଗୃହୀତ ହୋଇ ରହିଛି ।

 

ଗୋବିନ୍ଦ ମଂଜରୀକାବଳୀ : ଶଙ୍କରାଚାର୍ଯ୍ୟଙ୍କ ‘ମୋହ ମୁଦ୍‌ଗର’କୁ ବିକ୍ରମ ଦେବବର୍ମା ଯେମିତି ଓଡ଼ିଆରେ ଅନୁବାଦ କରିଥିଲେ, ଠିକ୍‌ ସେମିତି ତେଲଗୁରେ ମଧ୍ୟ ଅନୁବାଦ କରିଥିଲେ । ଏହି ତେଲଗୁ ସଂସ୍କରଣ ବହୁବାର ମୁଦ୍ରିତ ହୋଇଥିଲା ଏବଂ ଆନ୍ଧ୍ର ବୁଦ୍ଧିଜୀବୀ ମହଲର ଏହା ଏକ ପ୍ରିୟ ଗ୍ରନ୍ଥ ଥିଲା ।

 

ଶ୍ରୀକୃଷ୍ଣ ଗୀତବ୍ରତ : ଶ୍ରୀକୃଷ୍ଣ ଉପାସନା ପଦ୍ଧତି ଓ ନୀତିନିୟମ ଉପରେ ଆଧାରିତ ଏହି ପୁସ୍ତକ ବୈଷ୍ଣବମାନଙ୍କର ଅତି ପ୍ରିୟ ପାଠ୍ୟ ଥିଲା । ଏହାକୁ ସେମାନେ ନିଜର Manual ବା ‘ହେଣ୍ଡବୁକ୍‌’ ଭଳି ବ୍ୟବହାର କରୁଥିଲେ ।

 

ଏସବୁ ଗ୍ରନ୍ଥ ବ୍ୟତୀତ ଓଡ଼ିଆ, ତେଲଗୁ ଓ ସଂସ୍କୃତ ଭାଷାରେ ବିକ୍ରମ ଦେବବର୍ମାଙ୍କର ଅସଂଖ୍ୟ ପ୍ରବନ୍ଧ, ଗଳ୍ପ, ନୀତିକଥା, ଢଗଢ଼ମାଳି, ରମ୍ୟରଚନା, ବ୍ୟାକରଣ ଓ ଜ୍ୟୋତିଷ ଶାସ୍ତ୍ର ଉପରେ ଆଲୋଚନାମାନ ତତ୍‌କାଳୀନ ପତ୍ରପତ୍ରିକାରେ ଦୀର୍ଘ ୬୦ ବର୍ଷ ଧରି ପ୍ରକାଶ ପାଇଆସିଥିଲା । ବିଭିନ୍ନ ଶବ୍ଦ ଓ ବର୍ଣ୍ଣ ଉପରେ ଅନେକ ଛୋଟ ଛୋଟ ଲେଖା ମଧ୍ୟ ସେ ଲେଖିଥିଲେ - ଯାହାକି ସେ ସମୟର ଦୈନିକ ‘ଆଶା’, ସାପ୍ତାହିକ ‘ନବୀନ’ ପ୍ରଭୃତି ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକ ମହଲରେ ଖୁବ୍‌ ଆଦୃତି ଲାଭ କରିଥିଲା ।

 

ଓଡ଼ିଆ ଆନ୍ଦୋଳନ :

ଓଡ଼ିଶାରେ ‘ଉତ୍କଳ ସମ୍ମିଳନୀ’ ପ୍ରତିଷ୍ଠାର ବହୁପୂର୍ବେ ଖ୍ରୀ ୧୮୮୬ରେ ବିଶାଖାପାଟଣାଠାରେ ବିକ୍ରମ ଦେବବର୍ମା ‘ଉତ୍କଳ ସମାଜ’ ଗଠନ କରି ପ୍ରବାସୀ ଓଡ଼ିଆଙ୍କୁ ସଂଗଠିତ କରି ରଖିଥିଲେ । ସେ ସେଠାରେ ଉତ୍କଳୀୟ ସଂସ୍କୃତିକୁ ବଞ୍ଚାଇ ରଖିବା ସକାଶେ ନିଜେ ଓଡ଼ିଆ ନାଟକମାନ ରଚନା କରି ମଞ୍ଚସ୍ଥ କରାଉଥିଲେ; ସେଥିପାଇଁ ନିଜ ଖର୍ଚ୍ଚରେ ଏକ ସ୍ଥାୟୀ ରଙ୍ଗ ମଞ୍ଚ ପ୍ରତିଷ୍ଠା କରିଥିଲେ । ଏହା ଦ୍ୱାରା ଉତ୍କଳୀୟ ସଂସ୍କୃତିର ସୁରକ୍ଷା ସହିତ ଓଡ଼ିଆମାନେ ସଂଗଠିତ ହୋଇ ରହିଥିଲେ । ଖ୍ରୀ: ୧୯୦୩ରେ ‘ଉତ୍କଳ ସମ୍ମିଳନୀ’ ପ୍ରତିଷ୍ଠା ହେବାପରେ ନିଜେ ବିକ୍ରମ ଦେବବର୍ମା କେତେକ ସହଯୋଗୀଙ୍କୁ ସାଙ୍ଗରେ ଆଣି ସମ୍ମିଳନୀର ପ୍ରତ୍ୟେକ ଅଧିବେଶନରେ ଯୋଗ ଦେଉଥିଲେ । ଭାଷା, ସାହିତ୍ୟ ଓ ସଂସ୍କୃତି ସଂପର୍କୀୟ କେତେକ ପ୍ରସ୍ତାବ ସେ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଗତ କରିଥିଲେ ଏବଂ ସେସବୁ ଗୃହୀତ ହୋଇଥିଲା । ବର୍ମା ମହୋଦୟ ପାରଳାଖେମୁଣ୍ଡିଠାରେ ୧୯୧୪ ମସିହାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନରେ ସଭାପତିତ୍ୱ କରିଥିଲେ । ସେଠାରେ ତାଙ୍କର ସଭାପତି ଅଭିଭାଷଣ ଥିଲା ତତ୍‌କାଳୀନ ପ୍ରାକୃତିକ ଓଡ଼ିଶାର ବାସ୍ତବ ଚିତ୍ର । ସେ ଓଡ଼ିଆଙ୍କର ରାଜନୈତିକ, ଶାସନଗତ, ଶିକ୍ଷା - ବିଶେଷତଃ ନାରୀଶିକ୍ଷା, ଶିଳ୍ପ, ସ୍ଵାସ୍ଥ୍ୟ, ପ୍ରଥମ ବିଶ୍ଵଯୁଦ୍ଧକାଳୀନ ଅବସ୍ଥା ଆଦି ସମସ୍ତ ସମସ୍ୟା ଓ ସେସବୁର ସମାଧାନ ଦିଗ ପ୍ରତି ଆଲୋକପାତ କରିଥିଲେ । (୪) ଏତଦ୍‌ବ୍ୟତୀତ ସେ ବିଭିନ୍ନ ସମୟରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସପକ୍ଷରେ ଫିଲିପ-ଡଫ କମିଟି ଓ ଓଡ଼ୋନେଲ କମିଟି ଆଗରେ ନିଜେ ସାକ୍ଷ୍ୟ ଦେଇଥିଲେ ଏବଂ ଅନ୍ୟାନ୍ୟ ଓଡ଼ିଆ ଭାଷାଭାଷୀ ଲୋକେ ସାକ୍ଷ୍ୟଦେବାର ସୁବନ୍ଦୋବସ୍ତ କରିଥିଲେ । ଖ୍ରୀ : ୧୯୨୮ରେ ସାଇମନ କମିଶନଙ୍କ ଭାରତ ଭ୍ରମଣ ପରେ ବିକ୍ରମ ଦେବବର୍ମା ୧୯୩୦ ଜାନୁଆରୀ ୧୫ ତାରିଖରେ Madras Oriyas and the Simon Commission ଶିରୋନାମାରେ ଏକ ଇଂରାଜୀ ପ୍ରଚାର ପୁସ୍ତିକା ଲେଖି, ମୁଦ୍ରିତ କରାଇ ହଜାର ହଜାର ସଂଖ୍ୟାରେ ବିତରଣ କରାଇଥିଲେ । ଏହା ଦ୍ୱାରା ଅଣଓଡ଼ିଆ ଓ ଅଣଭାରତୀୟମାନେ ମଧ୍ୟ ଓଡ଼ିଶା ପ୍ରଦେଶ ଗଠନ ବ୍ୟତିରେକ ଓଡ଼ିଆଙ୍କ ବାସ୍ତବ ସମସ୍ୟା ବୁଝିବାର ସୁଯୋଗ ସୃଷ୍ଟି ହୋଇଥିଲା ।

 

(୪)

ଓଡ଼ିଆ ଆନ୍ଦୋଳନର ଇତିହାସ - ପଣ୍ଡିତ ବାଇକୋଳି ମହାପାତ୍ର ।

 

ବିକ୍ରମ ଦେବବର୍ମା ଜୟପୁର ରାଜସିଂହାସନ ଅଳଂକୃତ କରିବାର ତିନିବର୍ଷ ପରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାର ଘୋଷଣା ପ୍ରକାଶିତ ହେଲା । ଜୟପୁରକୁ ଓଡ଼ିଶାରେ ମିଶାଇବା ଦାବି ନେଇ ୧୯୩୪ ମସିହାରେ ମହାରାଜା ବିକ୍ରମ ଦେବବର୍ମା ଏଠାରେ ‘ଉତ୍କଳ ସମ୍ମିଳନୀ’ ଅଧିବେଶନ ଅନୁଷ୍ଠିତ କରାଇଥିଲେ ଏବଂ ଏହାର ସୁଫଳ ମଧ୍ୟ ମିଳିଥିଲା । ବହୁ ବାଧାବିଘ୍ନ ସତ୍ତ୍ୱେ ଜୟପୁର ଓଡ଼ିଶାରେ ରହିଲା । ଏଥିରେ ସମଗ୍ର ପ୍ରାକୃତିକ ଓଡ଼ିଶା ଆନନ୍ଦିତ ହୋଇଥିଲା । କଟକରୁ ଗୋପାଳଚନ୍ଦ୍ର ପ୍ରହରାଜ ଏକ ପତ୍ରରେ ଲେଖିଥିଲେ - ‘ଆମେ ଜୟପୁରକୁ, ତହିଁ ସଙ୍ଗେ ସଙ୍ଗେ ବିକ୍ରମ ଦେବବର୍ମାଙ୍କୁ ପାଇଲୁ । ଏହି ସମ୍ବାଦରେ ପ୍ରତ୍ୟେକ ଓଡ଼ିଆପୁଅର ମନ କୁଣ୍ଢେମୋଟ ହୋଇଯାଇଅଛି। (୫) ‘ଉତ୍କଳ ସାହିତ୍ୟ ସମାଜ’ର ସଂପାଦକ ଲକ୍ଷ୍ମୀନାରାୟଣ ସାହୁ ବିକ୍ରମ ଦେବବର୍ମାଙ୍କ ପାଖକୁ ଏକ ପତ୍ରରେ ଲେଖିଥିଲେ - Pray accept our hearty expressions at the news of Jeypore coming into the ken of New Orissa - Sir, your labours in the past and your constant and silent labours for the cause of Oriya amalgamation are too great for words. Our breasts are rising with a worth of joy and happiness ever expanding with the thought that though your blessings and goodwill, the cause of Orissa and specially Oriya literature will thrive with ever increasing amplitude and move on right lines. Your presence will ever be felt as a source of illumination to the Oriya race through literature which really gives tongue to the mute. (୬) ।

 

(୫) ଓ (୬) ବିକ୍ରମ ଦେବବର୍ମା ରଚନାବଳୀ ।

 

ବ୍ୟକ୍ତିଗତ ଜୀବନ :

ବିକ୍ରମ ଦେବବର୍ମାଙ୍କ ପିତା କୃଷ୍ଣଚନ୍ଦ୍ର ଦେବ ଥିଲେ ଜୟପୁର ରାଜା ରାମଚନ୍ଦ୍ର ଦେବ, ୩ୟ (୧୮୬୦ - ୧୮୮୯)ଙ୍କ କନିଷ୍ଠ ଭ୍ରାତା । କିନ୍ତୁ ଦୁଇଭାଇଙ୍କ ମଧ୍ୟରେ କେତେକ ବିଷୟରେ ମତାନ୍ତର ଓ ପରେ ମନାନ୍ତର ହେବା ଯୋଗୁଁ କୃଷ୍ଣଚନ୍ଦ୍ର ଦେବ ସସ୍ତ୍ରୀକ ରାଜ୍ୟ ଛାଡ଼ି ଯାଇ ତତ୍‌କାଳୀନ ଗଂଜାମ ଜିଲ୍ଲାର ଦକ୍ଷିଣ ଉପାନ୍ତ ଗ୍ରାମ ପର୍ବତାଲପେଟାରେ ଅବସ୍ଥାନ କରିଥିଲେ । ସେହିଠାରେ ବିକ୍ରମ ଦେବବର୍ମା ଖ୍ରୀ: ୧୮୬୯ ଜୁନ୍‌ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ବାଲ୍ୟଶିକ୍ଷା ସମାପ୍ତକରି ଏବଂ ପିତାଙ୍କଠାରୁ ସଂସ୍କୃତ ଓ ଜ୍ୟୋତିଷ ଶାସ୍ତ୍ର ଶିକ୍ଷା ପରେ ସେ ୧୬ ବର୍ଷ ବୟସରେ ଆନକାପାଲ୍ଲୀ ନିକଟସ୍ଥ ମାଡ଼ଗୁଲ କ୍ଷୁଦ୍ର ରାଜ୍ୟର ଅପୁତ୍ରିକ ତଥା ସ୍ଵର୍ଗତ ରାଜାଙ୍କୁ ଦତ୍ତପୁତ୍ର ହୋଇଥିଲେ । କିନ୍ତୁ ଦୁଇ ବିଧବା ରାଣୀଙ୍କ କନ୍ଦଳ ଯୋଗୁଁ ଦତ୍ତସର୍ତ୍ତ ରଦ୍ଦ ହୋଇ ଯାଇଥିଲା । ସେତେବେଳକୁ ବିକ୍ରମ ଦେବବର୍ମା ବିଶାଖାପାଟଣାଠାରେ କୋର୍ଟ୍‌ ଅଫ୍‌ ୱାର୍ଡ଼ସ ଆଦେଶ ପ୍ରକାରେ ଇଂରାଜୀ ଶିକ୍ଷା ଗ୍ରହଣ କରୁଥିଲେ । ପର୍ବତାଲପେଟାରେ ଥିବା ପିତାମାତାଙ୍କର ମଧ୍ୟ ଦେହାନ୍ତ ହୋଇ ସାରିଥିଲା । ଏଣୁ ମାଡ଼ଗୁଲ ଦତ୍ତସର୍ତ୍ତ ରଦ୍ଦ ହେବା ପରେ ମଧ୍ୟ ସେ ଆଉ ବିଶାଖାପାଟଣା ଛାଡ଼ି ନ ଥିଲେ ଓ ସେଠାରେ ହିଁ ରହି ସାହିତ୍ୟ ସାଧନା କରିଥିଲେ । ତା’ ସାଙ୍ଗକୁ ଓଡ଼ିଆ ସଂଗଠନ ତାଙ୍କୁ ବୃହତ୍ତର କର୍ମପରିସର ଯୋଗାଇ ଦେଇଥିଲା । ଆନ୍ଧ୍ର ପଣ୍ଡିତ ଓ ଓଡ଼ିଆ ବିଦ୍ୱାନମାନଙ୍କ ସହିତ ତାଙ୍କର ସଂପର୍କ ସାହିତ୍ୟ ଆଲୋଚନା ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଥିଲା-। ତାଙ୍କର ନିଷ୍ଠା, ଅଧ୍ୟବସାୟ ଓ ପାଣ୍ଡିତ୍ୟ ଯୋଗୁଁ ସେ ହୋଇ ଉଠିଲେ ସମ୍ମାନାସ୍ପଦ ଏବଂ ତାଙ୍କର ବାସଗୃହ ଏକ ସାହିତ୍ୟ ତୀର୍ଥ ବିବେଚିତ ହୋଇଥିଲା ।

 

ବ୍ୟକ୍ତିଗତ ଜୀବନରେ ସେ ଥିଲେ ସରଳ, ମିଷ୍ଟଭାଷୀ ଏବଂ ଧର୍ମପରାୟଣ, ଓ ଅତିଥିସେବା ଥିଲା ତାଙ୍କର ଦୈନନ୍ଦିନ କାର୍ଯ୍ୟର ଅଂଶବିଶେଷ । ତାଙ୍କର ଜନହିତକର କାର୍ଯ୍ୟର ସ୍ଵୀକୃତି ସ୍ଵରୂପ ବ୍ରିଟିଶ ସରକାର ତାଙ୍କୁ ‘ଅନରାରୀ ମାଜିଷ୍ଟ୍ରେଟ’ ନିଯୁକ୍ତ କରିଥିଲେ ଏବଂ ଖ୍ରୀ : ୧୯୧୧ ଡିସେମ୍ବର ୧୨ ତାରିଖରେ ଏକ ସନନ୍ଦ ପ୍ରଦାନ କରିଥିଲେ । ମାନ୍ଦ୍ରାଜ ସରକାରଙ୍କ ମୁଖ୍ୟ ଶାସନ ସଚିବ Mr. A. Stewart ଙ୍କ ସ୍ଵାକ୍ଷରରେ ପ୍ରଦତ୍ତ ଉକ୍ତ ସନନ୍ଦରେ ଲେଖାଥିଲା – ‘‘By Command of his Excellancy the Vice-Roy and Governor General in Council, this certificate is presented in this name of his most gracious Majesty, King George V, Emperor of India on the ocassion of His Majesty’s Coronation Durbar at Delhi to Sri Vikram Deo Burma Garu son of Krushna Deo Garu in recognition of his charities and encouragement of scholarship.’

 

କେବଳ ଏତିକି ନୁହେଁ, ସେ ବହୁ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଥିଲେ । ଆନ୍ଧ୍ରଭାରତୀ ତୀର୍ଥ ଗବେଷଣା ବିଶ୍ଵବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନଜନକ D. Litt. ତଥା ‘ସାହିତ୍ୟ’ ସମ୍ରାଟ’ ଉପାଧି ପ୍ରଦାନ କରାଯାଇଥିଲା । ଏ ଉପାଧି ପାଇବା ପରେ ଆନ୍ଧ୍ର ଏବଂ ଓଡ଼ିଶା ଉଭୟ ରାଜ୍ୟରେ ବିକ୍ରମ ଦେବବର୍ମାଙ୍କ ସମ୍ମାନ ଅଧିକରୁ ଅଧିକ ବୃଦ୍ଧି ପାଇଥିଲା ।

 

ବିକ୍ରମ ଦେବବର୍ମା ବଲାଙ୍ଗୀର ପାଟଣା ରାଜପରିବାରର ଜେମା ବିଦୂଷୀ ହୀରା ଦେବୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଠାରୁ ବର୍ମା ମହୋଦୟଙ୍କର ଏକମାତ୍ର କନ୍ୟା ମଣିଦେବୀ ଜନ୍ମ ହୋଇଥିଲେ । ମଣିଦେବୀଙ୍କ ବିବାହ ହୋଇଥିଲା, ଷଢ଼େଇକଳା ରାଜପରିବାରର ଉଚ୍ଚଶିକ୍ଷିତ ତଥା ବିଶିଷ୍ଟ ଐତିହାସିକ କୁମାର ବିଦ୍ୟାଧର ସିଂହଦେଓଙ୍କ ସହିତ ଏବଂ ତାଙ୍କର ପୁତ୍ର ରାମକୃଷ୍ଣ ଦେବଙ୍କୁ ବିକ୍ରମ ଦେବବର୍ମା ଦତ୍ତପୁତ୍ର ଭାବେ ଆବାଲ୍ୟରୁ ଗ୍ରହଣ କରି ନେଇଥିଲେ ।

 

ରାଜ୍ୟପ୍ରାପ୍ତି ଓ ରାଜତ୍ଵ :

ବିଶାଖାପାଟଣାଠାରେ ସ୍ଵନାମଧନ୍ୟ ବିକ୍ରମ ଦେବବର୍ମା ସାଧାରଣ ଜୀବନଯାପନ କରୁଥିବା ବେଳେ, ପରିଣତ ବୟସରେ, ଅତ୍ୟନ୍ତ ଆକସ୍ମିକଭାବେ ତାଙ୍କୁ ଜୟପୁର ରାଜ୍ୟପ୍ରାପ୍ତି ହୋଇଥିଲା । ବିଧିର ଏ ବିଚିତ୍ର ନିର୍ଦ୍ଦେଶ ଯେ, ଏକଦା ଜୟପୁର ରାଜ୍ୟ ଅଧୀନସ୍ଥ କ୍ଷୁଦ୍ର ଜମିଦାରୀ ‘ମାଡ଼ଗୁଲ’ରେ ୧୬ ବର୍ଷ ବୟସରେ ସେ ଦତ୍ତପୁତ୍ର ହେବା ସମ୍ଭବ ହୋଇ ନ ଥିବାସ୍ଥଳେ ୬୧ ବର୍ଷ ବୟସରେ ଭାରତର ଏହି ବୃହତ୍ତମ ଜମିଦାରୀ ଜୟପୁରର ରାଜସିଂହାସନ ଅଳଂକୃତ କଲେ ୧୯୩୧ ଜୁନ୍‌ ମାସ ୫ ତାରିଖରେ । ଏହି ବିଶାଳ ରାଜ୍ୟର କ୍ଷେତ୍ରଫଳ ଥିଲା ୧୪ ହଜାର ବର୍ଗମାଇଲ, ଜନସଂଖ୍ୟା ସେତେବେଳକୁ ୮ ଲକ୍ଷ ଏବଂ ରାଜ୍ୟର ବାର୍ଷିକ ରାଜସ୍ଵ ଆୟ ଥିଲା ୨୨ ଲକ୍ଷ ଟଙ୍କା । ସେତେବେଳର ଅପୁତ୍ରିକ ରାଜା ରାମଚନ୍ଦ୍ର ଦେବ (୪ର୍ଥ)ଙ୍କର ଦେହାନ୍ତ ହେବାପରେ ରାଜ୍ୟର ଉତ୍ତରାଧିକାରୀ କିଏ ହେବ - ତାହା ଏକ ପ୍ରଶ୍ନବାଚୀ ହୋଇ ଉଠିଥିଲା । ଏଥିପାଇଁ ତିନିଜଣ ଦାବୀଦାର ଥିବା କଥା ସେତେବେଳେ ପ୍ରକାଶିତ ଖବର ‘ଜୟପୁର ଗାଦିପ୍ରସଙ୍ଗ’ରୁ ସ୍ପଷ୍ଟ ଜଣାଯାଏ । ସେଥିରେ ଉଲ୍ଲେଖ ଥିଲା - ‘ଜୟପୁର ସମସ୍ଥାନମ୍‌ ଏବେ ଦେବାନ ଶ୍ରୀଯୁକ୍ତ ରାମକୃଷ୍ଣ ରାଓ ଆଇ.ସି.ଏସ.ଙ୍କ ଦାରା ସରକାରଙ୍କ ବିଶେଷ ଆଦେଶକ୍ରମେ ପରିଚାଳିତ ହେଉଛି । ବର୍ତ୍ତମାନ ଜୟପୁର ଗାଦି ପାଇଁ ତିନିଜଣ ପ୍ରାର୍ଥୀ ବାହାରିଛନ୍ତି । ପ୍ରଥମ ହେଉଛନ୍ତି ଏକାନ୍ନବର୍ତ୍ତୀ ରାଜ ପରିବାରର ଶ୍ରୀଯୁକ୍ତ ବିକ୍ରମ ଦେବବର୍ମା, ଦ୍ୱିତୀୟ ହେଉଛନ୍ତି ମହାରାଜାଙ୍କ ଭଉଣୀ ମଣି ଦେବୀ ତାଙ୍କ ସନ୍ତାନ ପକ୍ଷରୁ ଓ ତୃତୀୟ ହେଉଛନ୍ତି ପାଟ ମହାଦେଈ । ଗତ କେତେଦିନ ହେଲା ପାଟମହାଦେଈ ପିତ୍ରାଳୟରୁ ଦଳବଳ ସହିତ ଗଡ଼କୁ ଫେରି ଆସିଛନ୍ତି । (୭) ଏ ପରିପ୍ରେକ୍ଷୀରେ ଅନ୍ୟ ଦୁଇଟି ଆବେଦନକୁ ଉପେକ୍ଷା କରି ବ୍ରିଟିଶ ସରକାର ବିକ୍ରମ ଦେବବର୍ମାଙ୍କୁ ଜୟପୁର ମହାରାଜାଭାବେ ଘୋଷଣା କରିଥିଲେ ।

 

(୭)

ଶଶିଭୂଷଣ ରଥଙ୍କ ‘ଦୈନିକ ଆଶା’ ତା: ୭.୩.୧୯୩୧ ।

 

ଏଭଳି ଜଣେ ଖ୍ୟାତାନାମା ବ୍ୟକ୍ତିଙ୍କୁ ରାଜାଭାବେ ପାଇ ଜୟପୁର ଅଧିବାସୀଏ ଆନନ୍ଦିତ ହୋଇଥିଲେ ଏବଂ ସମଗ୍ର ପ୍ରାକୃତିକ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଅଭିନନ୍ଦନ ବାର୍ତ୍ତାମାନ ଆସି ମହାରାଜାଙ୍କ ପାଖରେ ପହଞ୍ଚିଥିଲା ।

 

ମହାରାଜା ବିକ୍ରମ ଦେବବର୍ମାଙ୍କ ରାଜ ଦରବାର ପଣ୍ଡିତସଭା ଭଳି ମନେହେଉଥିଲା । ଓଡ଼ିଶା ଓ ଆନ୍ଧ୍ର ଅଞ୍ଚଳର ବହୁ ପଣ୍ଡିତ, ଜ୍ଞାନୀ, ଗୁଣୀ ବ୍ୟକ୍ତି ମହାରାଜାଙ୍କ ନିକଟରେ ଉପସ୍ଥିତ ହେଉଥିଲେ ଏବଂ ଜୟପୁର ସେତେବେଳେ ଉଜ୍ଜୟିନୀ ଭଳି ବିଦ୍ୟାନଗରୀ ବିବେଚିତ ହୋଇଥିଲା ।

 

ସଂସ୍କୃତିର ପୃଷ୍ଠପୋଷକତା :

ସାହିତ୍ୟ ସମ୍ରାଟ ବିକ୍ରମ ଦେବବର୍ମା ଜୟପୁରର ରାଜତ୍ୱ ଗ୍ରହଣ କରିବାପରେ ଯେ କଳା, ସାହିତ୍ୟ, ସଂସ୍କୃତି ପାଇଁ ପୃଷ୍ଠପୋଷକତା ଆରମ୍ଭ କଲେ - ତାହା ନୁହେଁ; ବିଶାଖାପାଟଣାଠାରେ ଅବସ୍ଥାନ କାଳରେ ହିଁ ନିଜର ସୀମିତ ସମ୍ବଳରୁ ଅର୍ଥବ୍ୟୟ କରି କବି, ସାହିତ୍ୟିକ ଓ କଳାକାରମାନଙ୍କୁ ସହାୟତା ଦେଉଥିଲେ । ସେସବୁ ମଧ୍ୟରେ ନାରୀକବି ଅନ୍ନପୂର୍ଣ୍ଣା ପଟ୍ଟନାୟକଙ୍କ ପରିବାରକୁ ସହାୟତା ବିଶେଷ ଉଲ୍ଲେଖଯୋଗ୍ୟ । ଜୟପୁର ରାଜ୍ୟର ରାଜା ହେବାପରେ ତାଙ୍କର ପୃଷ୍ଠପୋଷକତା ସାହିତ୍ୟ ପାଇଁ, ଶିକ୍ଷା ପାଇଁ, କଳା ଓ ସଂସ୍କୃତି ପାଇଁ ଅଧିକରୁ ଅଧିକ ବୃଦ୍ଧି ପାଇଥିଲା । ସେ ଦେଇଥିବା ପାଞ୍ଚହଜାର ଟଙ୍କା ଦାନରେ ପଣ୍ଡିତ ନୀଳକଣ୍ଠ ଦାସ ପ୍ରତିଷ୍ଠା କରିଥିଲେ - ‘ନବଭାରତ’ ପ୍ରେସ୍‍ ଓ ସାହିତ୍ୟ ପତ୍ରିକା । (୮) ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ପଞ୍ଚମ ଭାଗ ପ୍ରକାଶନ ପାଇଁ ଗୋପାଳଚନ୍ଦ୍ର ପ୍ରହରାଜଙ୍କୁ ସେ ଦଶହଜାର ଟଙ୍କା ଦାନ କରିଥିଲେ । ଏହାର ବହୁ ପୂର୍ବରୁ କିନ୍ତୁ ବିଶାଖାପାଟଣାଠାରେ ଅବସ୍ଥାନ କାଳରୁ ଭାଷାକୋଷ ପ୍ରଥମ ଭାଗ ପ୍ରକାଶନ ବେଳେ ହିଁ ଗୋପାଳ ପ୍ରହରାଜ ସେହି ଖଣ୍ଡରେ ବିକ୍ରମ ଦେବବର୍ମାଙ୍କ ଫଟୋ ଚିତ୍ର ସହ ତାଙ୍କୁ ଶୁଭାକାଂକ୍ଷୀ ତଥା ସହଯୋଗୀଭାବେ ଗ୍ରନ୍ଥରେ ଉଲ୍ଲେଖ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଚତୁର୍ଥଭାଗ ତାଙ୍କୁ ଉତ୍ସର୍ଗ କରିଥିଲେ ।

 

କେବଳ ଭାଷାସାହିତ୍ୟ ନୁହେଁ, କଳାର ଉନ୍ନତି ପାଇଁ ସେ ତାଲିମପ୍ରାପ୍ତ କରାଇ ଚିତ୍ରଶିଳ୍ପୀମାନଙ୍କୁ ନିଜ ରାଜ୍ୟରେ ରଖି ଆର୍ଟ ଗାଲେରୀ ପ୍ରତିଷ୍ଠା କରିଥିଲେ । ସେତେବେଳେ ମହାରାଜା ବିକ୍ରମ ଦେବବର୍ମାଙ୍କ ପୃଷ୍ଠପୋଷକତାରେ ଶିଳ୍ପୀମାନେ ଦର୍ପଣ ଉପରେ ଛୁଞ୍ଚିମୂନରେ ଚିତ୍ର ଆଙ୍କିବାରେ ସମଗ୍ର ଭାରତରେ ପ୍ରସିଦ୍ଧିଲାଭ କରିଥିଲେ । ସେହିଭଳି ସେ କଟକଠାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରାଥମିକ ସ୍ତରରେ ଦେଢ଼ଲକ୍ଷ ଟଙ୍କା ଦାନ କରିଥିଲେ ଓ ବିଶାଖାପାଟଣାଠାରେ ଜନାନା ହସପିଟାଲ ଓ ଶିଳ୍ପ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ନିଜ ଜମିଦାରୀରେ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସାହାଯ୍ୟ ସମେତ ବ୍ରହ୍ମପୁର ଖଲିକୋଟ କଲେଜ ଓ ଉତ୍କଳ ବିଶ୍ଵବିଦ୍ୟାଳୟରେ ଛାତ୍ରବୃତ୍ତି ଖଂଜିଥିଲେ । ସେ ଆନ୍ଧ୍ର ଗବେଷଣା ବିଶ୍ଵବିଦ୍ୟାଳୟର କୁଳପତି ଥାଇ ସେଠାରୁ ଓଡ଼ିଶାର ସାହିତ୍ୟିକ ଚିନ୍ତାମଣି ମହାନ୍ତିଙ୍କୁ ‘କବିଶେଖର’ ଉପାଧି ପ୍ରଦାନ କରିଥିଲେ-। କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରଚନାବଳୀ ପ୍ରକାଶନ ସମେତ ବହୁ ଦୁଃସ୍ଥ ସାହିତ୍ୟିକଙ୍କୁ ମାସିକ ଭତ୍ତା ମଧ୍ୟ ଖଂଜିଥିଲେ । ଶିକ୍ଷା ପାଇଁ ବିକ୍ରମ ଦେବବର୍ମାଙ୍କର ମହତ୍ତର ଦାନ ଥିଲା ଆନ୍ଧ୍ର ବିଶ୍ଵବିଦ୍ୟାଳୟକୁ ବାର୍ଷିକ ଏକଲକ୍ଷ ଟଙ୍କା ଲେଖାଏଁ ୨୦ ବର୍ଷରେ ୨୦ ଲକ୍ଷ ଟଙ୍କା ଅନୁଦାନ । ନବଗଠିତ ଏହି ବିଶ୍ଵବିଦ୍ୟାଳୟର ତତ୍‌କାଳୀନ କୁଳପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏବଂ ସେଠାକର ସେତେବେଳର ପ୍ରଫେସର ହୁମାୟୁନ କବୀର, ହୀରେନ ମୂଖାର୍ଜୀ, ଭି.କେ. କ୍ରିଷ୍ଣମେନନ ଓ ଜନ ମାଥାଇ ବିକ୍ରମ ଦେବବର୍ମାଙ୍କୁ ସାହାଯ୍ୟ ଭିକ୍ଷାକରି ଏ ଅନୁଦାନ ପାଇଥିଲେ ଏବଂ କୃତଜ୍ଞତା ସ୍ଵରୁପ ବିଶ୍ଵବିଦ୍ୟାଳୟ କେନ୍ଦ୍ରୀୟ ଗ୍ରନ୍ଥାଗାରକୁ ‘ବିକ୍ରମ ଦେବ ଲାଇବ୍ରେରୀ’ ନାମିତ କରିଥିଲେ । ବର୍ତ୍ତମାନ ଉକ୍ତ ଗ୍ରନ୍ଥାଗାର ଭାରତର ବୃହତ୍ତମ ଗ୍ରନ୍ଥାଗାରମାନଙ୍କ ମଧ୍ୟରେ ଅନ୍ୟତମ । କେବଳ ପାର୍ଥିବ ସାହାଯ୍ୟ ନୁହେଁ, ନୈତିକ ସହାୟତା ଓ ଯୁବଗୋଷ୍ଠୀଙ୍କୁ ମୂଲ୍ୟବାନ ଉପଦେଶ ଦେବାରେ ତାଙ୍କର ପରିପକ୍ୱ ସାମର୍ଥ୍ୟ ରହିଥିଲା । ଉତ୍କଳ ବିଶ୍ଵବିଦ୍ୟାଳୟର କଟକଠାରେ ୧୯୪୯ ମସିହାରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ତାଙ୍କର ଦୀକ୍ଷାନ୍ତ ଭାଷଣ ବିଦାୟୀ ଯୁବ-ସ୍ନାତକଙ୍କ ମନରେ ଏବଂ ବିଶ୍ଵବିଦ୍ୟାଳୟ ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଏହା ଥିଲା ତାଙ୍କ ଜୀବନର ଶ୍ରେଷ୍ଠ ତଥା ଶେଷ ସଂଭାଷଣ । ଏହି ବିରଳ ବ୍ୟକ୍ତିର ଅଧିକାରୀ ସାହିତ୍ୟ ସମ୍ରାଟ ବିକ୍ରମ ଦେବବର୍ମାଙ୍କର ଦେହାନ୍ତ ହେଲା ୧୯୫୧ ଏପ୍ରିଲ ୧୪ ତାରିଖରେ ୮୨ ବର୍ଷ ବୟସରେ । ସେ ଥିଲେ ପ୍ରାଚୀନ ନନ୍ଦପୁର ତଥା ଆଧୁନିକ ଜୟପୁର ରାଜ୍ୟର ଶେଷ ମହାରାଜା ।

 

(୮)

ଅର୍ଦ୍ଧଶତାବ୍ଦୀର ଅନୁଭୂତି ୧ମ ଭାଗ - ଚିନ୍ତାମଣି ମିଶ୍ର ।

 

ଉପସଂହାର :

ବିକ୍ରମ ଦେବବର୍ମା ଦୁଇଟି ଭାଷା, ଦୁଇଟି ସାହିତ୍ୟ, ଦୁଇଟି ସଂସ୍କୃତି ତଥା ଦୁଇଟି ରାଜ୍ୟର ସାମାଜିକ ଜୀବନରେ ଉଚ୍ଚପ୍ରତିଷ୍ଠା ଲାଭ କରିଥିଲେ । ଏହା କେବଳ ତାଙ୍କରି ପକ୍ଷରେ ସମ୍ଭବ ହୋଇଥିଲା । କେତେଦୂର ନିରପେକ୍ଷ ହେଲେ ଜଣେ ଲୋକ ଏଭଳି ଦୁଇଟି ଭିନ୍ନ ସାଂସ୍କୃତିକ ପରିସରରେ ହାର୍ଦ୍ଦିକତାର ସହିତ ଗ୍ରହଣୀୟ ହୋଇପାରେ ତାହା କଳ୍ପନାତୀତ । ବର୍ମା ମହୋଦୟ ନିଜେ ଚେଷ୍ଟାକରି କୌଣସି କୃତ୍ରିମ ଉପାୟରେ ଏଭଳି ସମନ୍ଵୟ ରକ୍ଷା କରିନଥିଲେ, ଆବାଲ୍ୟରୁ ପରିସ୍ଥିତି ଓ ପରିବେଷ୍ଟନୀ ତାଙ୍କୁ ସେହିଭଳି ଗଢ଼ି ତୋଳିଥିଲା ।

 

ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଚାଲିଥିଲାବେଳେ ବିକ୍ରମ ଦେବବର୍ମାଙ୍କର ଆନ୍ଧ୍ର ବିଶ୍ୱବିଦ୍ୟାଳୟକୁ ବିପୁଳ ଅନୁଦାନ, ଆନ୍ଧ୍ର ସାହିତ୍ୟ ସମାଜକୁ ନେତୃତ୍ୱ ଓ ସେହି ଭାଷାର ସାହିତ୍ୟିକଙ୍କୁ ସାହାଯ୍ୟ ସହଯୋଗ ସେତେବେଳେ ଓଡ଼ିଆଙ୍କୁ ସୁଖ ଲାଗିନଥିଲା । ସେହି ଭଳି ବର୍ମା ମହୋଦୟଙ୍କ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା, କଟକ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆର୍ଥିକ ସାହାଯ୍ୟ ଦେବା, ଓଡ଼ିଆ ପତ୍ରପତ୍ରିକା ପ୍ରକାଶନ ଓ ଭାଷାକୋଷ ପ୍ରଣୟନ ପାଇଁ ସହଯୋଗ କରିବା ଏବଂ ‘ଉତ୍କଳ ସମ୍ମିଳନୀ’ର ନେତୃତ୍ୱ ନେବାରେ ତେଲଗୁ ଭାଷାଭାଷୀଙ୍କର ହୁଏତ ଗାତ୍ରଦାହ ହୋଇଥିବ । କାରଣ ବିକ୍ରମ ଦେବବର୍ମା ଓଡ଼ିଆ ବଂଶୋଦ୍‌ଭବ ହୋଇଥିଲେ ମଧ୍ୟ ତେଲଗୁ ଭାଷାଭାଷୀ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଏବଂ ଜୀବନର ଦୁଇତୃତୀୟାଂଶ ସେ ଆନ୍ଧ୍ର ଅଞ୍ଚଳରେ ହିଁ ଅତିବାହିତ କରିଥିଲେ । ଏଣୁ ଜନ୍ମର ଦାବି ଓ ରକ୍ତର ପ୍ରେରଣାକୁ ନେଇ ଓଡ଼ିଆ ଏବଂ ତେଲଗୁ ପ୍ରତ୍ୟେକ ଭାଷାଭାଷୀ ତାଙ୍କୁ ‘କେବଳ ନିଜର’ ମନେକରି ବେଳେବେଳେ ପରସ୍ପର ଅସହିଷ୍ଣୁ ହୋଇ ପଡ଼ିଥିଲେ । କିନ୍ତୁ ସାମାନ୍ୟ ରାଜନୈତିକ ସୀମାରେଖା ଓ ଭାଷାଗତ ସଂକୀର୍ଣ୍ଣତାର ଟିକିଏ ଊର୍ଦ୍ଧ୍ୱକୁ ଯାଇ ମହାଭାରତୀୟ ଦୃଷ୍ଟିକୋଣରୁ ବିଚାର କଲେ ସମସ୍ତେ ଜାଣି ପାରିବେ ଯେ ବିକ୍ରମ ଦେବବର୍ମା ଥିଲେ ଜାତୀୟ ସମ୍ପଦ ଓ ଭାରତୀୟ ସମନ୍ଵୟ ସଂସ୍କୃତିର ବାର୍ତ୍ତାବହ । ଆଜିର ବିଦ୍‌ଗଧ ଶ୍ରୋତା, ପାଠକ, ଗବେଷକ ଓ ଆଲୋଚକମାନେ ବର୍ମା ମହୋଦୟଙ୍କୁ ଏହି ଦୃଷ୍ଟିରୁ ଗ୍ରହଣ କରିବା ପାଇଁ ବିନମ୍ର ନିବେଦନ ।

 

ଅଶୋକନଗର, ବ୍ରହ୍ମପୁର (ଗଂଜାମ)

***

 

ବିଶ୍ୱ ପ୍ରସିଦ୍ଧ ଟୀକ।କ।ର ଶ୍ରୀଧର ସ୍ୱାମୀ

ପଣ୍ଡିତ ଅନ୍ତର୍ଯାମୀ ମିଶ୍ର

 

ପ୍ରାତଃସ୍ମରଣୀୟ ମହାତ୍ମା ଶ୍ରୀଧର ସ୍ଵାମୀ ଜଣେ ପ୍ରଚଣ୍ଡ ପ୍ରତିଭାଧର, ଅଲୌକିକ ମେଧାସଂପନ୍ନ ତଥା ସମନ୍ୱୟାତ୍ମକ ଦୃଷ୍ଟିକୋଣ ସଂପନ୍ନ ବେଦାନ୍ତ ଦର୍ଶନ ପ୍ରବକ୍ତା ରୁପେ ବିଶ୍ଵପ୍ରସିଦ୍ଧ-। ଭାରତୀୟ ସଂସ୍କୃତି, ଧର୍ମ ଓ ଦର୍ଶନର ପ୍ରାଣସ୍ଵରୂପ ଶ୍ରୀମଦ୍‌ ଭଗବତଗୀତା ଓ ଶ୍ରୀମଦ୍‌ ଭାଗବତ ପ୍ରଭୃତି ଶାସ୍ତ୍ରସମୂହକୁ ସ୍ଵକୀୟ ଭାବବୋଧଗମ୍ୟ ବ୍ୟଞ୍ଜନା ଓ ଶୈଳୀରେ ଟୀକା କରି ସେ ସମଗ୍ର ଭାରତବାସୀଙ୍କର ଏକାନ୍ତ ଆପଣାର ହୋଇଯାଇଛନ୍ତି । ତତ୍‌କୃତ ଭାଷ୍ୟସମୂହ ଅଦ୍ୱୈତବାଦର ସିଦ୍ଧାନ୍ତ ଉପରେ ଆଧାରିତ ହେଲେହେଁ ଦ୍ଵୈତବାଦ ଓ ଭକ୍ତିରସର ସମନ୍ୱୟରେ ଅପରୂପ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟରେ ବିଭୂଷିତ । ପ୍ରଜ୍ଞାର ଐଶ୍ଵର୍ଯ୍ୟମୟ ଆଭାସ ପରିପୂର୍ଣ୍ଣ ତତ୍‌ପ୍ରଣୀତ ଭାଷ୍ୟସମୂହ ଭାରତୀୟ ଆଧ୍ୟାତ୍ମଶାସ୍ତ୍ରର ମୁକୁଟମଣି ରୂପେ ସ୍ଵୀକୃତ । ଈଶ୍ୱର ସାଧନ ମାର୍ଗକୁ ସୁଗମ ଓ ସରଳ ରୀତିରେ ଦିବ୍ୟାନୁଭୂତିସଂପନ୍ନ ନୂତନ ସ୍ଵାଦରେ ଉପସ୍ଥାପନାହିଁ ତାଙ୍କ ଭାଷ୍ୟର ଚମତ୍କାରିତା ।

 

ପୂଜ୍ୟ ଶ୍ରୀଧର ସ୍ଵାମୀ ଚତୁର୍ଦ୍ଦଶ ଶତାବ୍ଦୀର ପ୍ରାରମ୍ଭରେ ମାଘ ଶୁକ୍କ ସପ୍ତମୀ ତିଥିରେ ଓଡ଼ିଶା ପ୍ରଦେଶର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟବର୍ତ୍ତୀ ମରେଇଗାଁ ବା ମୟୂରଗ୍ରାମ ବ୍ରାହ୍ମଣ ଶାସନରେ ଜନ୍ମଗ୍ରହଣ କରିଥିଲେ । ଉପନୟନ ପରେ ସେ ଗୃହରେ ରହି ପାରଂପରିକ ରୀତିରେ ବେଦବେଦାନ୍ତ ଅଧ୍ୟୟନ କରିଥି‌ଲେ । ଯୌବନକାଳରେ ଆତ୍ମାର ଅପରୋକ୍ଷାନୁଭୂତି ଅନୁସନ୍ଧାନରେ ଶ୍ରୀଧର ଗୃହତ୍ୟାଗ ପୂର୍ବକ ପବିତ୍ର ନୀଳାଚଳ ଧାମରେ ପଦାର୍ପଣ କଲେ । ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ଭୋଗବର୍ଦ୍ଧନ ପୀଠର ସିଦ୍ଧମହାତ୍ମା ରାମକୃଷ୍ଣାନନ୍ଦଙ୍କର ଶିଷ୍ୟତ୍ୱ ଗ୍ରହଣ କଲାପରେ ସେ ସ୍ଵାମୀପାଦ ଶ୍ରୀଧର ରୂପେ ପରିଚିତ ହେଲେ । ଭୋଗବର୍ଦ୍ଧନ ମଠ ତଥା ଏହାର ଏକ ଶାଖା କପିଳାସ ପୀଠସ୍ଥିତ ବ୍ରହ୍ମଚାରୀମଠର ଗୁରୁକ୍ରମାନ୍ୱୟରୁ ଶ୍ରୀଧରଙ୍କ ସାଧନା ଜୀବନର କିଞ୍ଚିତ୍‌ ପରିଚୟ ଉପଲବ୍ଧ ହୋଇଥାଏ ।

 

ଏହି କ୍ରମାନ୍ୱୟରୁ ଉପଲବ୍ଧ ହୁଏ ଯେ, ଭୋଗବର୍ଦ୍ଧନ ପୀଠର ମହେଶ୍ଵରୀ ନନ୍ଦ ସରସ୍ୱତୀଙ୍କ ଶିଷ୍ୟ ମହାଯତି ରାମକୃଷ୍ଣାନନ୍ଦ ଭାନୁଦେବଙ୍କଠାରୁ ସନନ୍ଦ ଲାଭପୂର୍ବକ କପିଳାସ ପୀଠରେ ବ୍ରହ୍ମଚାରୀ ମଠ ସ୍ଥାପନ କରିଥିଲେ । ସ୍ଵାମୀପାଦ ଶ୍ରୀଧର ସ୍ଵଗୁରୁ ପ୍ରତିଷ୍ଠିତ କପିଳାସସ୍ଥିତ ବ୍ରହ୍ମଚାରୀ ମଠରେ ନିବାସ ପୂର୍ବକ କୈଳାସପତିଙ୍କ ଧାମରେ ନୃସିଂହ ମନ୍ତ୍ର ଜପକରି ଚତୁର୍ଦ୍ଦଶ ବିଦ୍ୟାଭ୍ୟାସ କରିଥିଲେ । ସାଧନାରେ ସିଦ୍ଧି ଲାଭ ପରେ ସେ ବିଶ୍ଵପ୍ରସିଦ୍ଧ ଭାଷ୍ୟସମୂହ ସେହି ପବିତ୍ର ପୀଠରେ ପ୍ରଣୟନ କରିଥିଲେ । ଏ ଅବଧି ଶ୍ରୀଧର ସ୍ୱାମୀଙ୍କର ସମାଧି କପିଳାସରେ ବିଦ୍ୟମାନ ।

 

ଯୋଗୀଜନସେବ୍ୟ କପିଳାସ ପୀଠରେ ରକ୍ତାଶୋକକୁଞ୍ଜ ମଧ୍ୟରେ ଶ୍ରୀଧର ସ୍ଵାମୀ ପ୍ରଭୁନୃସିଂହଙ୍କ ପାଦପଦ୍ମତଳେ ଏକାଗ୍ରଚିତ୍ତରେ ଉପବେଶନପୂର୍ବକ ବିଶ୍ଵପ୍ରସିଦ୍ଧ ଟୀକାସମୂହ ରଚନା କରିଥିଲେ । ସୂଚନା ଦିଆଯାଇପାରେକି ସେହି ସମୟରେ ଜନସାଧାରଣ ଶ୍ରୀମଦ୍‌ ଭଗବତ ଗୀତା, ଶ୍ରୀମଦ୍‌ ଭାଗବତ ପ୍ରଭୃତି ଦୁର୍ଲଭ ଶାସ୍ତ୍ର ସଂପର୍କରେ ଅନଭିଜ୍ଞ ଥିଲେ । କେବଳ ପ୍ରାଜ୍ଞ, ବିଜ୍ଞ ଓ ପଣ୍ଡିତଙ୍କ ମଧ୍ୟରେ ଏହି ସବୁ ଦୁର୍ଲଭ ଶାସ୍ତ୍ରର ଆଲୋଚନା ସୀମାବଦ୍ଧ ଥିଲା । ବେଦର ସମସ୍ତ ପ୍ରଚ୍ଛନ୍ନ ତତ୍ତ୍ୱ ଏହିସବୁ ପରମ ଗ୍ରନ୍ଥରେ ପ୍ରତିପାଦିତ ହୋଇଥବାରୁ ଏହାକୁ ସର୍ବବେଦାନ୍ତସାର ତଥା ଭାରତୀୟ ସଂସ୍କୃତିର ଅନୁପମ ରତ୍ନର ମାନ୍ୟତା ଦିଆଯାଏ । ପୂଜ୍ୟ ଶ୍ରୀଧର ସ୍ଵାମୀ ଏହି ଦୁର୍ଲଭ ଶାସ୍ତ୍ରସମୂହର ଯେଉଁସବୁ ଟୀକା ପ୍ରଣୟନ କରିଛନ୍ତି ତାହା ସିଦ୍ଧାନ୍ତରତ୍ନ ସମନ୍ୱିତ ସର୍ବଜନାଦୃତ ଭାଷ୍ୟ ରୂପେ ବିବେଚିତ । ଉଲ୍ଲେଖଯୋଗ୍ୟଯେ ଶ୍ରୀଧରଙ୍କ ଟୀକା ଅନୁକରଣରେ ସନାତନ ଗୋସ୍ଵାମୀ, ଜୀବ ଗୋସ୍ଵାମୀ, ବିଶ୍ୱନାଥ ଚକ୍ରବର୍ତ୍ତୀ, ବଳଦେବ ବିଦ୍ୟାଭୂଷଣ ଓ ଅତିବଡ଼ୀ ଜଗନ୍ନାଥ ଦାସ ପ୍ରଭୃତି ମହାତ୍ମାବୃନ୍ଦ ବିସ୍ତୃତ ଶାସ୍ତ୍ରମାନ ରଚନା କରିଛନ୍ତି ।

 

ଶ୍ରୀଧର ସ୍ଵାମୀ ରଚନା କରିଥିବା ପରମ ଶାସ୍ତ୍ରସମୂହ ହେଉଛି ଶ୍ରୀମଦ୍‌ ଭଗବତ ଟୀକାର ସୁବୋଧିନୀ ଟୀକା, ଶ୍ରୀମଦ୍‌ ଭାଗବତର ଭାବାର୍ଥ ଦୀପିକା ଟୀକା, ବିଷ୍ଣୁପୁରାଣର ଆତ୍ମପ୍ରକାଶ ଟୀକା, ସନ୍‌ତ ସୁଜାତୀୟର ବାଳବୋଧିନୀ ଟୀକା, ଗୀତାସାରର ବ୍ରହ୍ମ ସମ୍ବୋଧିନୀ ଟୀକା, ଭାଗବତ ପୁରାଣ ବିଷୟକ ଦେବସ୍ମୃତି ଟୀକା, ପଦାର୍ଥ ପ୍ରକାଶିକା ପୁରାଣ ଟୀକା, ବ୍ରଜବିହାର କାବ୍ୟ, କେତେକ ସ୍ମୃତିଶାସ୍ତ୍ର ଏବଂ ଅନେକ ଉପାଦେୟ ଶ୍ଳୋକସମୂହକୁ ଏକତ୍ରିତ କରି ଶ୍ରୀପଦ୍ୟାବଳୀ । ଏହି ସମସ୍ତ ଶାସ୍ତ୍ର ସରଳ ସଂସ୍କୃତ ଭାଷାରେ ଲିଖିତ । ସେହି ସମୟରେ ଓଡ଼ିଆ ଭାଷାର ସଂପୂର୍ଣ୍ଣ ବିକାଶ ହୋଇନଥିବାରୁ ତଥା ବିଜ୍ଞ ମହଲରେ ସଂସ୍କୃତ ଭାଷାର ଆଦର ଥିବାରୁ ଶ୍ରୀଧର ସଂସ୍କୃତ ଭାଷାରେ ହିଁ ଲେଖିଥିଲେ । ଉଲ୍ଲେଖଯୋଗ୍ୟଯେ ସର୍ବଭାରତୀୟ ସ୍ତରରେ ଭାବବିନିମୟର ମୁଖମାଧ୍ୟମ ସେହି ସମୟରେ ସଂସ୍କୃତ ଭାଷାହିଁ ଥିଲା । ତେଣୁ ସମଗ୍ର ଭାରତବର୍ଷରେ ଏହି ଭାଷ୍ୟସମୂହ ବିଶେଷ ଜନାଦୃତ ଲାଭ କରିଥିଲା ।

 

ଶ୍ରୀଧର ସ୍ଵାମୀଙ୍କ କୃତ ଶ୍ରୀମଦ୍‌ ଭଗବତ୍‌ ଗୀତାର ସୁବୋଧିନୀ ଟୀକା ବିଶ୍ଵ ପ୍ରସିଦ୍ଧ । ସାତଶହ ଶ୍ଲୋକ ବିଶିଷ୍ଟ ଗୀତା ସଦୃଶ ବିଶ୍ଵକୋଷର ସୁବୋଧିନୀ ଟୀକା ହେଉଛି ଏକ ସୁବୋଧ୍ୟ ଓ ସରଳ ଭାଷ୍ୟ । ଏହି ଟୀକାରେ ସ୍ୱାମୀପାଦ ଶ୍ରୀଧର ମାନବ ଜୀବନର ପରମ ଲକ୍ଷ୍ୟ ତଥା ନିଶ୍ରେୟସ ପ୍ରାପ୍ତିର ସମନ୍ୱୟାତ୍ମକ ସିଦ୍ଧାନ୍ତ ହୃଦୟସ୍ପର୍ଶୀ ଭାଷାରେ ବ୍ୟକ୍ତ କରିଛନ୍ତି । ସାର୍ବଜନୀନ ଦୃଷ୍ଟିକୋଣରୁ ଏହି ଭାଷ୍ୟ ଏକ ପୂର୍ଣ୍ଣ ବିବେଚନାତ୍ମକ ଗ୍ରନ୍ଥ । ଏହି ଟୀକାର ବୈଶିଷ୍ଟ୍ୟ ହେଉଛି ଏଥିରେ ଭାରତୀୟ ଦାର୍ଶନିକ ବିଚାରବୋଧର ବ୍ୟାବହାରିକ ରୀତିନୀତି ସହଜ ଶୈଳୀରେ ଅଭିବ୍ୟକ୍ତ । ସମର୍ପଣ ଭାବଧାରାରେ ଏହା ପରିବେଷିତ ହୋଇଥିବାରୁ ମାନବୀୟ ହୋଇ ମଧ୍ୟ ଦିବ୍ୟ ହୋଇଯାଇଛି । କେତେକ ଜ୍ଞାନପନ୍ଥୀ ସନ୍ନାସୀ ଓ ପଣ୍ଡିତ ଏହି ଟୀକାରେ ସମର୍ପଣ ଭାବାପନ୍ନ ଭକ୍ତିର ପ୍ରାଧାନ୍ୟକୁ ସମର୍ଥନ ନକରିବାରୁ ସ୍ଵୟଂ କାଶୀବିଶ୍ଵନାଥ ନିମ୍ନୋକ୍ତ ଶ୍ଲୋକରେ ଏହାର ମୂଲ ନିର୍ଣ୍ଣୟ କରିଥିବାର ପ୍ରବାଦ ରହିଛି ।

 

ଅହଂ ବେତ୍ତି ଶୁକୋ ବେତ୍ତି ବ୍ୟାସ ବେତ୍ତିନ ବେତ୍ତିବୋ

ଶ୍ରୀଧରଂ ସକଳଂ ବେତ୍ତି ଶ୍ରୀ ନୃସିଂହ ପ୍ରସାଦତଃ ।

 

ଶ୍ରୀଧରଙ୍କ କୃତ ଶ୍ରୀମଦ୍‌ ଭାଗବତର ଭାବାର୍ଥନ୍ଦୀପୀକା ଭାଷ୍ୟ ଅଖିଳ ବିଶ୍ଵର ଏକ ଅମୂଲ୍ୟ ବିଭବ । ଭାରତୀୟ ସଂସ୍କୃତିର ସର୍ବଶ୍ରେଷ୍ଠ ଭକ୍ତି ଗ୍ରନ୍ଥ ତଥା ସକଳ ଶାସ୍ତ୍ରର ଅମୃତ ଭାଗବତ ସଂପର୍କରେ ସଂକ୍ଷିପ୍ତ ସୂଚନା ଦେବାକୁ ଯାଇ ପୂଜ୍ୟ ସ୍ଵାମୀପାଦ ଉଲ୍ଲେଖ କରିଛନ୍ତି :

 

ଶ୍ରୀମଦ୍‌ ଭାଗବତାଭିଧଃ ସୁରତରୁ ସ୍ତାରଙ୍କୁର ସଜ୍ଜନିଃ

ସ୍କନ୍ଧୈର୍ଦ୍ୱାଦଶ ଭିସ୍ତତ୍ରଃ ପ୍ରବିଳସଦ୍‌ ଭକ୍ତ୍ୟାଳବୀଳୋଦୟଃ

ଦ୍ୱାତ୍ରିଂଶ ତ୍ରିଶତଞ୍ଚ ଯସ୍ୟ ବିଳସତ୍‌ ଶାଖାଂ ସହସ୍ୟାଣ୍ୟଳଂ

ପର୍ଣ୍ଣାଶ୍ୟଷ୍ଟ ଦଶେଷ୍ଟଦୋତି ସୁଲେଭୌ ବର୍ବତ୍ତି ସର୍ବୋପରି ।

 

ଶ୍ରୀଧରଙ୍କ ମତରେ ଭକ୍ତିରୂପକ ମୃତ୍ତିକାରେ ସତ୍‌ରୂପକ ବୀଜରୋପଣ ଦ୍ୱାରା ଯେଉଁ ମହାନ୍‌ ଦେବବୃକ୍ଷ ଉତ୍ପନ୍ନ ହୋଇଅଛି ତାହାହିଁ ଭାଗବତ । ଏହି ପରମବୃକ୍ଷ ଦ୍ୱାଦଶ ଶାଖା, ତିନିଶହ ବତିଶି ପ୍ରଶାଖା ଓ ଅଠର ସହସ୍ର ଭକ୍ତି ପୂର୍ଣ୍ଣ ପତ୍ର ଦ୍ୱାରା ସୁଶୋଭିତ । ଏହି ପୁରୋଦୃଷ୍ଟିରେ ସେ ଭାବାର୍ଥ ଦୀପିକା ଭାଷ୍ୟ ରଚନା କରିଥିଲେ । ଏହି ଟୀକାରେ ବେଦର ପରମ ତତ୍ତ୍ୱ ଭାଗବତ ଭାବଧାରାରେ ବ୍ୟକ୍ତ ହୋଇଥିବାରୁ ଏହା ବିଶେଷ ଲୋକପ୍ରିୟତା ଅର୍ଜନ କରିଥିଲା । ଏହା ଶ୍ରୀଧର ସ୍ୱାମୀଙ୍କର ଏକ ସମନ୍ୱୟାତ୍ମକ ଭକ୍ତି ତତ୍ତ୍ଵ ସମ୍ବଳିତ ଟୀକା । ସମଗ୍ର ଭାରତବର୍ଷରେ ଭାଗବତର ଭାବାର୍ଥ ଦୀପିକା ଟୀକା ‘‘ଶ୍ରୀଧରୀ’’ ନାମରେ ଖ୍ୟାତ । ଗୌରବର ବିଷୟ ଏହି ଟୀକାରେ ଶ୍ରୀଧରଙ୍କ ରଚିତ ପ୍ରାରମ୍ଭିକ ବନ୍ଦନା ଅଗଣିତ ବ୍ୟକ୍ତିଙ୍କର ନିତ୍ୟ ସ୍ମରଣୀୟ ଶ୍ଳୋକରୂପେ ମାନ୍ୟତା ପ୍ରାପ୍ତ ।

 

ନାରାୟଣଂ ନମସ୍କୃତ୍ୟଂ ନରୌଚୈବ ନରୋତ୍ତମଂ

ଦେବୀ ସରସ୍ଵତୀ ବ୍ୟାସ ତତୋ ଜୟ ମୁଦୀରୟେତ୍‌

ମୂକଂ କରୋତି ବାଚାଳଂ ପଙ୍ଗୁ ଲଂଘୟତେ ଗିରି

ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ।

 

ଏପରିକି ସ୍ଵୟଂ ପ୍ରେମାବତାର ଗୌରାଙ୍ଗ ମହାପ୍ରଭୁ ଶ୍ରୀଧର ସ୍ଵାମୀଙ୍କର ଏହି ଲୋକପ୍ରିୟ ଟୀକା । ଶ୍ରବଣ କରି ତାଙ୍କୁ ଗୁରୁରୂପେ ସ୍ଵୀକାର କରିଥିଲେ ।

 

ଶ୍ରୀଧର ସ୍ୱାମୀ ପ୍ରସାଦେ ଭାଗବତ ଜାନି ।

ଜଗତ୍‌ଗୁରୁ ଶ୍ରୀଧର ସ୍ଵାମୀ ଗୁରୁକରି ମାନି ।

 

ଉଲ୍ଲେଖନୀୟ ହେଉଛି ଏହି ଟୀକା ଅନୁସରଣରେ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ ।

 

ଶ୍ରୀଧର ନାମେ ବିପ୍ରବର      କଳିଯୁଗରେ ଜନ୍ମତା’ର

ଶ୍ରୀଭାଗବତଯେ ପୁରାଣ      ଅଷ୍ଟାଦଶ ସସ୍ର ଶ୍ଳୋକେଣ

ତା’ ଟୀକା ଚଉବିଂଶ ସସ୍ର      କରଇ ଶ୍ରୀଧର ପ୍ରକାଶ

ବିପ୍ର କୁଳରେ ଜନ୍ମହୋଇ      ଜଗନ୍ନାଥ ଯେ ନାମ ବହି

ପ୍ରାକୃତ ବନ୍ଧେ ଭାଗବତ      କହିଲେ ସନ୍ଥ ଜନହିତ ।

 

ଏତଦ୍‌ ଭିନ୍ନ ଶ୍ରୀଧର ସ୍ଵାମୀ ବିଷ୍ଣୁ ପୁରାଣର ସାରଗର୍ଭକ ଆତ୍ମ ପ୍ରକାଶ ଟୀକା, ସନତ୍‌ ସୁଜାତୀୟର ବାଳବୋଧିନୀ ଟୀକା, ଗୀତାସାରର ବ୍ରହ୍ମ ସମ୍ବୋଧିନୀ ଟୀକା, ଭାଗବତ ପୁରାଣ ବିଷୟକ ଦେବସ୍ମୃତି ଟୀକା, ପଦାର୍ଥ ପ୍ରକାଶିକା ପୁରାଣଟୀକା, ବ୍ରଜବିହାର କାବ୍ୟ, ତଥା ଶ୍ରୀ ପଦ୍ୟାବଳୀ ରଚନା କରିଥିଲେ, ଯାହାକି ଏକ ସ୍ଵତନ୍ତ୍ର ଆଲୋଚନା ଆବଶ୍ୟକ କରେ । ଏହି ଦୁର୍ଲଭ ଟୀକାସମୂହରେ ଅଦ୍ୱୈତ ମତ ସହିତ ପ୍ରେମଭକ୍ତିମୂଳକ ମତର ସମନ୍ଵୟ ପ୍ରତିପାଦିତ ହୋଇଅଛି । ତତ୍‌କୃତ ଭାଷ୍ୟସମୂହରେ ଭାବ, ଭାଷା ତଥା ଆଧ୍ୟାତ୍ମିକତାର ବହୁ ବର୍ଣ୍ଣ ଆଲୋକଛଟା ବିଚ୍ଛୁରିତ । ସ୍ଵକୀୟ ରଚନାରେ ସେ ଭାରତୀୟ ଆଧ୍ୟାତ୍ମବିଦ୍ୟା ଓ ଦର୍ଶନକୁ ସୌରଭମୟ କରି ଜଗଦ୍‌ଗୁରୁ ପଦବାଚ୍ୟ ହୋଇ ପାରିଛନ୍ତି । ଜ୍ଞାନାଲୋକ ବିଭୂଷିତ ତାଙ୍କର ଭାଷ୍ୟସମୂହ ସାଧନାସମ୍ଭୂତ ଐଶୀ ବାଣୀରେ ପରିପୂର୍ଣ୍ଣ । ତାଙ୍କ ରଚନାବଳୀ ସୁବୋଧ୍ୟ, ଜ୍ଞାନ ଐଶ୍ଵର୍ଯ୍ୟ ପୂର୍ଣ୍ଣ, ଦାର୍ଶନିକ ଦୃଷ୍ଟିକୋଣ ସମନ୍ୱୟାତ୍ମକ ଏବଂ ଭକ୍ତି ଭଗବତ୍‌ ପ୍ରୀତିରୂପା, ଯାହାର ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ହିଁ ପରମାନନ୍ଦ । ପୂଜ୍ୟ ଶ୍ରୀଧର ସ୍ଵାମୀ ଆପଣା ରଚନାରେ ବାରମ୍ବାର ପରମାନନ୍ଦ ଶବ୍ଦ ପ୍ରୟୋଗ ପୂର୍ବକ ପ୍ରଚ୍ଛନ୍ନ ମାଧୁର୍ଯ୍ୟରେ ଭାଷ୍ୟସମୂହକୁ ରସାଣିତ କରି ବିଶ୍ଵବନ୍ଦନୀୟ ହୋଇପାରିଛନ୍ତି ।

 

ଶ୍ରୀଧରଙ୍କ ଭାଷ୍ୟର ମହନୀୟତା ହେଉଛି ଈଶ୍ଵର ସାଧନ ମାର୍ଗ ସହଜ ସୁଲଭ ରୀତିରେ ତଥା ସମର୍ପଣ ଭାବାପନ୍ନ ପରମ ଭାଗବତ ଧର୍ମ ରୂପେ ପ୍ରତିପାଦିତ । ଆପଣାର ହୃଦୟସ୍ପର୍ଶୀ ଭାଷାରେ ସେ ସକଳ କର୍ମକୁ ଭାଗବତ ଧର୍ମରେ ପରିଣତ କରିବାର ସନ୍ଦେଶ ହିଁ ଦେଇଯାଇଛନ୍ତି । ତାଙ୍କ କୃତିସମୂହର ପ୍ରତ୍ୟେକଟି ପଂକ୍ତି ଭକ୍ତି ମାର୍ଗର ପ୍ରାଞ୍ଜଳ ଓ ସମନ୍ନୟାତ୍ମକ ଦିଗ୍‌ଦର୍ଶକ । ମାନବ ଜାତିର ଐହିକ ଓ ପାରଲୌକିକ କଲ୍ୟାଣ ନିମିତ୍ତ ଏହି ମହାନ୍‌ ଗ୍ରନ୍ଥସମୂହ ହେଉଛି ଶ୍ରୀଧର ସ୍ଵାମୀଙ୍କର ଶ୍ରେଷ୍ଠ ଅବଦାନ । ସଂକ୍ଷେପରେ କହିଲେ, ଭାରତୀୟ ସଂସ୍କୃତିର ସମନ୍ୱୟାମତ୍ମକ ସାମଗ୍ରିକ ଚେତନା ତାଙ୍କ ଭାଷ୍ୟସମୂହରେ ସାକାର ହୋଇଉଠିଛି । ସ୍ଵକୀୟ ଅଲୌକିକ ଲେଖନୀ ଚାଳନା ଦ୍ୱାରା ଧର୍ମକ୍ଷେତ୍ରରେ ସମନ୍ନୟସ୍ଥାପନର ସ୍ଵର୍ଣ୍ଣିମଚିତ୍ର ଅଙ୍କନକରି ସେ ପ୍ରାତଃସ୍ମରଣୀୟ ହୋଇଯାଇଛନ୍ତି ।

 

ବଡ଼ପଣ୍ଡା ସାହି, ଢେଙ୍କାନାଳ - ୭୫୯୦୦୧

 

***

 

ଶିଶୁ ବ୍ୟକ୍ତିତ୍ୱର ବିକାଶ ଦିଗରେ ଓଡ଼ିଆ ଶିଶୁ ସାହିତ୍ୟ ପତ୍ରିକା :

ଏକ ବିଚାର

ଶ୍ରୀ ଅଶୋକ କୁମାର ହୋତା

 

ବ୍ୟକ୍ତିତ୍ୱ ମଣିଷର ଜୀବନ-ପୁଷ୍ପର ସୌରଭ ସଦୃଶ । ବ୍ୟକ୍ତିତ୍ଵର ପରିପ୍ରକାଶ ଶିଶୁ ଅବସ୍ଥାରୁ ହିଁ ସାଧିତ ହୋଇଥାଏ । ମଣିଷର ବ୍ୟକ୍ତିତ୍ଵ ଦୁଇଟି ମୁଖ୍ୟ ବିଭାବକୁ ନେଇ ପରିପୃଷ୍ଟ ହୁଏ-। ପ୍ରଥମଟି ହେଲା ବଂଶାନୁଗୁଣ (Heredity) - ମଣିଷର ଶାରୀରିକ ଗଠନ, କଣ୍ଠସ୍ୱର, ଉଚ୍ଚତା, ବୃଦ୍ଧିର ସ୍ତର । ଦ୍ୱିତୀୟଟି ହେଲା ପରିପାର୍ଶ୍ଵ (Environment) ଯାହାକି ମଣିଷ ମନରେ ବିଶେଷ ପ୍ରଭାବ ପକାଇଥାଏ । ମଣିଷର ଚିନ୍ତାଧାରା, ଜୀବନ-ଦର୍ଶନ, ମନୋଭାବ ଓ ମୂଲ୍ୟବୋଧ ତା’ର ପରିବେଶ ଦ୍ୱାରା ବେଶ୍‌ ପ୍ରଭାବିତ ଓ ନିୟନ୍ତ୍ରିତ । ପରିବେଶ ଶିଶୁର ବ୍ୟକ୍ତିତ୍ୱ ଗଠନ ଦିଗରେ ମୂଖ୍ୟ ଭୂମିକା ଗ୍ରହଣ କରିଥାଏ । ପରିବାର, ସମାଜ, ବିଦ୍ୟାଳୟ ମଧ୍ୟରେ ସଂହତି ଥିଲେ ଶିଶୁ ବ୍ୟକ୍ତିତ୍ଵ ତହିଁରୁ ପ୍ରେରଣା ଓ ଉତ୍ସାହ ପାଏ । ଏହି ପରିପ୍ରେକ୍ଷୀରେ ଶିଶୁ ସାହିତ୍ୟ ପତ୍ରିକା ପରିପାର୍ଶ୍ଵର ଏକ ବିଶିଷ୍ଟ ଅଙ୍ଗରୂପେ ଗୁରୁତ୍ୱପୂର୍ଣ୍ଣ । ଏହି ଶିଶୁ ସାହିତ୍ୟ ମାଧ୍ୟମରେ ଆମେ ପିଲାକୁ ଗଢ଼ୁ, ତା’ର ଭାବନାକୁ ରୂପ ଦେଉ ତଥା ଅର୍ନ୍ତର୍ନିହିତ ପ୍ରତିଭାର ସଂପୂର୍ଣ୍ଣ ବିକାଶ କରିବା ପାଇଁ ଉପଯୁକ୍ତ ମାନସିକ ଉପାଦାନ ଯୋଗାଇଥାଉ । ଏହି ପତ୍ରପତ୍ରିକା ଶିଶୁ ବ୍ୟକ୍ତିତ୍ଵର ସର୍ବାଙ୍ଗୀନ ଉନ୍ନତି ତଥା ବିକାଶରେ କେତେଦୂର ସମର୍ଥ ତା’ର ମନସ୍ତାତ୍ତ୍ଵିକ ବିଚାର ହିଁ ଏହି ପ୍ରବନ୍ଧର ଉଦ୍ଦେଶ୍ୟ ।

 

ଶିଶୁ-ସାହିତ୍ୟ ପତ୍ରିକାର ପରିବାର : ଅତୀତ ଓ ବର୍ତ୍ତମାନ

ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଓଡ଼ିଶାରେ କୌଣସି ଶିଶୁ-ପତ୍ରିକା ପ୍ରକାଶ ପାଉନଥିଲା । ସେହି ସମୟରେ ଶିଶୁପତ୍ରିକା ପ୍ରକାଶ କରିବାପାଇଁ କଟକରେ ରେବା ରାୟ ଆପ୍ରାଣ ଚେଷ୍ଟାକରି ୧୯୦୯ ମସିହାରେ ‘‘ପ୍ରଭାତ’’ ନାମକ ଏକ ଶିଶୁ-ସାହିତ୍ୟ ପତ୍ରିକା ସମ୍ପାଦନା କରିଥିଲେ । ସେ ସମୟରେ ଏହା ଥିଲା ଓଡ଼ିଆ ଶିଶୁ-ସାହିତ୍ୟ ସୃଷ୍ଟିର ବିମଳ ସୁପ୍ରଭାତ । ତା’ପରେ ପରେ ୧୯୧୮ ମସିହାରେ ଅଗଣି ଦାସ ଓ ଚିନ୍ତାମଣି ଆଚାର୍ଯ୍ୟଙ୍କ ସମ୍ପାଦନାରେ ପ୍ରକାଶିତ ‘‘ମଧୁକୋଷ’’ ଓ ‘‘ପଞ୍ଚାମୃତ’’? ଓଡ଼ିଆ ଶିଶୁ-ସାହିତ୍ୟକୁ ପ୍ରାଣବନ୍ତ କରିବାରେ ସାହାଯ୍ୟ କରିଥିଲା । ୧୯୩୨ ମସିହାରେ ବାଳକୃଷ୍ଣ କରଙ୍କ ପ୍ରକାଶିତ ମାସିକ ପତ୍ରିକା ‘‘ଜହୁମାମୁଁ ଶିଶୁ-ସାହିତ୍ୟ କ୍ଷେତ୍ରରେ ଏକ ବିଶିଷ୍ଟ ଅବଦାନ ଥିଲା । ସ୍ୱାଧୀନତା ପରେ ପରେ ୧୯୪୮ ମସିହାରେ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ‘ମୀନା ବଜାର’, ୧୯୪୯ ମସିହାରେ ବାଳକୃଷ୍ଣ କରଙ୍କ ‘ଶିଶୁ ସଂଖାଳି’ ଯାହାକି ପ୍ରତି ମାସରେ ପୂର୍ଣ୍ଣମୀ ତିଥିରେ ପ୍ରକାଶ ପାଉଥିଲା । ୧୯୫୧ ମସିହାରେ ରାମକୃଷ୍ଣ ନନ୍ଦଙ୍କ ସଂପାଦିତ ‘ସଂସାର’, ୧୯୫୪ ମସିହାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବିନୋଦ କାନୁନ୍‌ଗୋଙ୍କ ସମ୍ପାଦିତ ‘ଶିଶୁସଂପଦ’, ୧୯୫୫ ମସିହାରେ ‘‘ପିଲାଙ୍କ ସାଥୀ’, ୧୯୫୭ ମସିହାରେ ବରେଣ୍ୟ କବି ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦିତ ‘ଟୁଆଁଟୁଇଁ’, ‘ଠେକୁଆ ଭାଇ’, ‘କୁନି ହାତୀ’, ୧୯୬୭ ମସିହାରେ ନବକିଶୋର ମହାପାତ୍ରଙ୍କ ସଂପାଦିତ ‘ମନପବନ’, ୧୯୬୪ ମସିହାରେ ‘ଗୌରବ’, ୧୯୬୮ ମସିହାରେ ଜାତୀୟ କବି ବୀରକିଶୋର ଦାସଙ୍କ ‘ମୋ ଦେଶ’ ଓ ତତ୍‌କାଳୀନ ଅନ୍ୟ ଦୁଇଟି ପତ୍ରିକା ହେଲା ‘କିଶୋର’ ଓ ‘ବାଘମାମୁଁ’ । ସ୍ଵାଧୀନତା ପରଠାରୁ ୧୯୭୦ ମସିହା ପର୍ଯ୍ୟନ୍ତ କ୍ରମେ କ୍ରମେ ପ୍ରତି ଦୁଇ ବର୍ଷର ବ୍ୟବଧାନରେ ଗୋଟିଏ ଲେଖାଏଁ ଶିଶୁ ପତ୍ରିକା ପ୍ରକାଶିତ ହୋଇ କ୍ରମଶଃ ଏହାର ସଂଖ୍ୟା ବୃଦ୍ଧି ହେବାର ଲକ୍ଷ୍ୟ କରାଯାଏ । ତୁଳନାତ୍ମକଭାବେ ୧୯୭୧ରୁ ୧୯୮୧ - ଏହି ଦଶ ବର୍ଷ ଭିତରେ ଓଡ଼ିଆ ଶିଶୁ-ସାହିତ୍ୟ ପତ୍ରିକାଗୁଡ଼ିକର ପରିମାଣ ଯେଭଳି ଭାବରେ ବୃଦ୍ଧି ପାଇଛି ତାହା ୧୯୦୦ ମସିହାରୁ ୧୯୭୦ ମସିହା ପର୍ଯ୍ୟନ୍ତ ଦୀର୍ଘ ୭୦ ବର୍ଷ ମଧ୍ୟରେ ବି ସମ୍ଭବ ହୋଇ ପାରିନଥିଲା । (୧) ଏହି ଦଶ ବର୍ଷ ମଧ୍ୟରେ (୧୯୭୧ ମସିହାରୁ ୧୯୮୧ ମସିହା) ପ୍ରକାଶ ପାଇଥିବା ପତ୍ରିକାଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା ।

 

(୧୯୭୧ - ୧୯୮୧ ମଧ୍ୟରେ ପ୍ରକାଶ ପାଇଥିବା ଶିଶୁ-ସାହିତ୍ୟ ପତ୍ରିକାର ତାଲିକା)

 

TABLE-1

 

ବର୍ଷ

ପ୍ରମୁଖ ପତ୍ରିକାର ନାମ

ଏହି ଦଶନ୍ଧି (୧୯୭୧-୮୧)ରେ ଜନ୍ମ ନେଇଥିବା ଅନ୍ୟାନ୍ୟ ଶିଶୁ ସାହିତ୍ୟ ପତ୍ରିକା

୧୯୭୧

‘ଶିଶୁଲେଖା’, ‘ବିଶ୍ୱଶିଶୁ’

‘ଟିକିଚଢ଼େଇ’, ‘ବେଲୁନ୍‌ ବାଲା’,

୧୯୭୨

‘ଟୁଉକୁ ମୂଷି’, ‘ଆଜହ୍ନମାମୁଁ’,

‘ବୁଲ୍‌ ବୁଲ୍‌’

‘ନବୋଦିତ’, ‘ଶିଶୁ ଚାନ୍ଦ’, ‘ସୁନାପିଲା’, ‘ଶିଶୁ ସ୍ଵପ୍ନ’, ‘ତଟୁଘୋଡ଼ା’, ‘ଶିଶୁ ଫଉଜ’,

୧୯୭୩

‘ବାରମଜା’, ‘‘ପାରିଜାତ’’,

‘ଅପରାଜିତା’, ‘ବାଇଚଢ଼େଇ’

‘କଳିଙ୍ଗ’, ‘କୁଆଁତାରା’, ‘ମୋତିମାଣିକ’ ‘ଝିଲିମିଲି’, ‘କିଶୋର’, ‘ଆମର ଭାବନା’

୧୯୭୫

‘ଆମେ କୁନାକୂନି’

‘ଫଉଜ’ , ‘ସରଗଚାନ୍ଦ’, ‘ଆଇସ୍‌କ୍ରିମ୍‌’

୧୯୭୭

‘ବଗୁଲିଆ’, ‘କୁନିରାଇଜ’, ‘ଶିଶୁ ନୟନ’,

‘ଶିଶୁ ଜ୍ୟୋତି’, ‘ବିଲୁଆ ନନା’

‘ଶିଶୁ ସଂସାର’, ‘ଚକାଭଉଁରୀ’, ‘କାଠଘୋଡ଼ା’,

‘ବାଲି ରାଇଜ’, ‘ଶିଶୁ ପ୍ରଭା’

୧୯୭୮

‘ଶିଶୁମେଳା’, ‘ଫୁଲକଢ଼ି’, ‘ସୁଜାତା’

୧୯୭୯

‘ଜହ୍ନରାଇଜ’, ‘ଆମେ ଶିଶୁ’, ‘ବିଲେଇ ନାନୀ’

୧୯୮୦

‘ଟିକିସିପାହୀ’

 

ରମେଶ ପତ୍ନୀ, ଓଡ଼ିଆ ଶିଶୁ ସାହିତ୍ୟର କ୍ରମ ବିକାଶ, ହୀରାଖଣ୍ଡ, ୮ -୪୧ ୯୮୪, ପୃ-୪-!

 

(ଡଃ ମହେନ୍ଦ୍ର ମିଶ୍ରଙ୍କଠାରୁ ମିଳିଥିବା ସମୟ-ଉପଯୋଗୀ ସାହାଯ୍ୟ ଓ ପ୍ରେରଣାକୁ ସ୍ଵୀକୃତି ଦେଇ ଧନ୍ୟବାଦ ଜଣାଉଛି ।)

 

ଓଡ଼ିଶାରେ ଅଭିଭାବକଙ୍କ ଅସଚେତନତା, ପାଠକ ଅଭାବ, ଅନଭ୍ୟାସରୁ ହେଉ ବା ଆର୍ଥିକ ଅନଟନ ହେତୁ ବା ଅନ୍ୟ କୌଣସି କାରଣରୁ ହେଉ ଅନେକ ଶିଶୁ-ସାହିତ୍ୟ ପତ୍ରିକା ଅସମୟରେ ମଉଳିଯାଇଛନ୍ତି କିମ୍ବା ଆଜିପର୍ଯ୍ୟନ୍ତ ତିଷ୍ଠି ପାରି ନାହାନ୍ତି । ଆଜିକାର ଶିଶୁ-ସାହିତ୍ୟ ଜଗତରେ ବହୁସଂଖ୍ୟକ ଶିଶୁ-ସାହିତ୍ୟ ପତ୍ରିକାଗୁଡ଼ିକୁ ଲକ୍ଷ୍ୟକଲେ ମନରେ ସ୍ଵତଃ ଏକ ପ୍ରଶ୍ନବାଚୀ ଛିଡ଼ାହୁଏ-ଓଡ଼ିଆ ଶିଶୁ ସାହିତ୍ୟର ଆଶାନୁରୂପ ଉନ୍ନତି ଘଟିଛି କି ? ଏହି ପ୍ରଶ୍ନବାଚୀର ଉତ୍ତରରେ ଜଣେ ଗବେଷକ କହନ୍ତି,

 

‘‘ବିଦେଶୀ ଶିଶୁ-ସାହିତ୍ୟତ ଦୂରର କଥା, ଆମ ଦେଶର, ପୁଣି ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ଆମର ଶିଶୁ-ସାହିତ୍ୟ ଅନୁନ୍ନତ ......’’

 

ପୁଣି ସେ କହନ୍ତି,

‘‘ସଂଖ୍ୟାତ୍ମକ ଓ ଗୁଣାତ୍ମକ ଦୃଷ୍ଟିରୁ ଦେଖିଲେ ଏହାର ଅବସ୍ଥା ସନ୍ତୋଷଜନକ ନୁହେଁ-।’’(୨)

 

୨.

ଡ. ଜଗନ୍ନାଥ ମହାନ୍ତି, ଓଡ଼ିଆ ଶିଶୁ ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ, ପୁଜାତନ୍ତ୍ର, ୧୭-୪-୧୯୮୯ (ଗୁରୁବାର),ପୃ-୧୭ ।

 

ତେଣୁ ଗୁଣାତ୍ମକ ଦୃଷ୍ଟିରୁ ଶିଶୁ-ସାହିତ୍ୟ ପତ୍ରିକା ଶିଶୁ ବ୍ୟକ୍ତିତ୍ୱ ବିକାଶ ପରିପ୍ରେକ୍ଷୀରେ କେତେଦୂର ସକ୍ଷମ ହୋଇଛି ତା’ର ଏକ ମନସ୍ତାତ୍ତ୍ୱିକ ବିଚାର କରିବା ଯୁକ୍ତି ଯୁକ୍ତ ବୋଲି ମନେହୁଏ-

 

୧୯୩୨ ମସିହାରୁ ୧୯୮୭ ମସିହା ପର୍ଯ୍ୟନ୍ତ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ୱକାଳଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ପ୍ରକାଶ ପାଇଥିବା ନଅ ଗୋଟି ଶିଶୁପତ୍ରିକାର ଅନୁଶୀଳନ ଶିଶୁ ବ୍ୟକ୍ତିତ୍ୱର ବିକାଶ ଦିଗରୁ ଓ ବିଷୟାନୁଷଂଗ ଦିଗରୁ ଏହି ପ୍ରବନ୍ଧରେ ଚର୍ଚ୍ଚା କରାଯାଇଛି । ସେହିସବୁ ପତ୍ରିକାଗୁଡ଼ିକ ହେଲା-ବାଳକୃଷ୍ଣ କରଙ୍କ ପ୍ରତିଷ୍ଠିତ ସଚିତ୍ର ‘ଜହ୍ମମାମୁଁ’ (୧୯୩୨), ଡ ମହତାବଙ୍କ ପ୍ରତିଷ୍ଠିତ ‘ମୀନାବଜାର (୧୯୪୮) ନବକିଶୋର ମହାପାତ୍ରଙ୍କ ‘‘ମନପବନ’ (୧୯୬୭), ରାମ ପ୍ରସାଦ ମହାନ୍ତିଙ୍କ ସମ୍ପାଦିତ ସରକାରୀ ମୁଦ୍ରିତ ସଚିତ୍ର ଶିଶୁ ପତ୍ରିକା ‘ଶିଶୁଲେଖା’ (୧୯୭୧), ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କ ‘ଟୁଉକୁମୂଷି’ (୧୯୭୨), ସୌଭାଗ୍ୟଲକ୍ଷ୍ମୀଙ୍କ ସମ୍ପାଦିତ ‘ବାରମଜା’ (୧୯୭୩), ଭ୍ରମରବର ଛାଟୋଇଙ୍କ ‘ବିଲୁଆନନା’ (୧୯୭୭), ବଙ୍କିମ ଚନ୍ଦ୍ର ନାୟକଙ୍କ ସମ୍ପାଦିତ ‘ଟିକିଫୁଲ’ (୧୯୮୨), ପ୍ରଶାନ୍ତ କୁମାର ମହାନ୍ତିଙ୍କ ସମ୍ପାଦିତ 'ଟିକି ଦୁନିଆଁ? (୧୯୮୭) ।

 

ଉପରୋକ୍ତ ଶିଶୁ -ପତ୍ରିକାଗୁଡ଼ିକର ସୃଷ୍ଟିସମ୍ଭାରକୁ ଉପଜୀବ୍ୟକରି ଶିଶୁ ବ୍ୟକ୍ତିତ୍ଵର ନିମ୍ବଲିଖିତ କେତେକ ଦିଗ ଉପରେ ମୂଲ୍ୟାୟନ କରାଯାଇଛି ।

 

୧.

ଶିଶୁର ମାନସିକ (ବୌଦ୍ଧିକ ଓ ସୃଜନାତ୍ମକ) ଅଭିବୃଦ୍ଧି ଓ ଓଡ଼ିଆ ଶିଶୁ-ସାହିତ୍ୟ ପତ୍ରିକା

୨.

ଶିଶୁର ସ୍ଵାସ୍ଥ୍ୟସଚେତନତା ଓ ଓଡ଼ିଆ ଶିଶୁ-ସାହିତ୍ୟ ପତ୍ରିକା

୩.

ବିଜ୍ଞାନମୁଖୀ ଶିଶୁ ଓ ଓଡ଼ିଆ ଶିଶୁ- ସାହିତ୍ୟ ପତ୍ରିକାର ଭୂମିକା

୪.

ଶିଶୁର ନୈତିକ ବିକାଶ ଓ ଚରିତ୍ର ଗଠନ ଦିଗରେ ଓଡ଼ିଆ ଶିଶୁ-ସାହିତ୍ୟ ପତ୍ରିକାର ଭୂମିକା

୫.

ଶିଶୁର ସାହସିକ କୃତି ବିକାଶରେ ଓଡ଼ିଆ ଶିଶୁ- ସାହିତ୍ୟ ପତ୍ରିକା

୬.

ଶିଶୁର ଚିତ୍ତବିନୋଦନ ଓ ଓଡ଼ିଆ ଶିଶୁ-ସାହିତ୍ୟ ପତ୍ରିକା

 

ବର୍ତ୍ତମାନ ଉପରୋକ୍ତ ପ୍ରସଙ୍ଗମାନଙ୍କୁ ବିଷୟଗତ ବିଶ୍ଲେଷଣ (Content analysis) ଭିତ୍ତିରେ ପରୀକ୍ଷା କରାଯାଇପାରେ ।

 

୧. ଶିଶୁର ମାନସିକ (ବୌଦ୍ଧିକ ଓ ସୃଜାନାତ୍ମକ) ଅଭିବୃଦ୍ଧି ଓ ଓଡ଼ିଆ ଶିଶୁ-ସାହିତ୍ୟ ପତ୍ରିକା

ଶିଶୁର ମାନସିକ ବିକାଶକୁ ବୌଦ୍ଧିକ ଚିନ୍ତନ (Convergent thinking) ଏବଂ ସୃଜନାତ୍ମକ ଚିନ୍ତନ (Divergent thinking) ରୂପେ ଗ୍ରହଣ କରାଯାଇପାରେ । ବୌଦ୍ଧିକ ଚିନ୍ତନ ଦ୍ୱାରା କୌଣସି ସମସ୍ୟା ବା ପ୍ରଶ୍ନର ଏକ ସଠିକ୍‌, ନିର୍ଭୁଲ ଉତ୍ତର ବା ସମାଧାନ ସୀମିତ ସମୟ ଭିତରେ ପାଇବାର ପ୍ରତ୍ୟାଶା କରାଯାଏ । ଏହିପରି ଅନେକ ପ୍ରଶ୍ନ/ସମସ୍ୟାଗୁଡ଼ିକର ଯଥାର୍ଥ ଉତ୍ତର ଦେବାରେ ଶିଶୁର ଯୁକ୍ତି, ଚତୁରତା, ସ୍ମରଣ ଶକ୍ତି ତଥା ସଂଖ୍ୟା ଓ ଜ୍ଞାନର ପ୍ରୟୋଗ ଅଳ୍ପେ ବହୁତେ ନିୟୋଜିତ ହୋଇଥାଏ । ଏପରିକି ଶିଶୁର ଶବ୍ଦଜ୍ଞାନ (Vocabulary) ମଧ୍ୟ ତା’ର ବୌଦ୍ଧିକ ଚିନ୍ତନର ପରିସର ଭୁକ୍ତ । ଆଲୋଚ୍ୟ ଶକ୍ତିର ବିକାଶ ତଥା ବିନିଯୋଗ ପାଇଁ ଏଗୁଡ଼ିକ କେତେଦୂର ସହାୟକ ତାହା ସ୍ପଷ୍ଟ ହୋଇଥାଏ । (କ) ‘ଜହ୍ମମାମୁଁ’ରେ ପ୍ରତ୍ୟେକ ଭାରତୀୟ ଭାଷାରେ ମଣିଷ ଶବ୍ଦର ୧୬ଟି ପ୍ରତିଶବ୍ଦ ଯଥାଭାବେ ଦିଆଯାଇ ଶବ୍ଦଜ୍ଞାନ ବୃଦ୍ଧିକରାଯାଇଛି । (ଖ) ‘ମୀନାବଜାର’ ଅନ୍ତର୍ଗତ ଚିତ୍ରଧନ୍ଦା ଶୀର୍ଷକରେ ଅଣ୍ଡାକୃତି ଓ ବୃତ୍ତକୁ ଲାଗିରହିଥିବା ଏକ ଚିତ୍ରକୁ ଲକ୍ଷ୍ୟକରି ପ୍ରଶ୍ନ ରହିଛି ଉଦାହରଣ - କହିଲ ଦେଖି ଅଣ୍ଡାକୃତି କ୍ଷେତ୍ର ବଡ଼ ନା ବୃତ୍ତଗତ । ଏହା ବୁଦ୍ଧି ପରୀକ୍ଷଣ ଅନ୍ତର୍ଗତ Spatial Relation Test ର ଏକ ଉଦାହରଣ ଅଟେ । (ଗ) ‘ଶିଶୁଲେଖା’ରେ ଛୁଞ୍ଚି‌ସାଙ୍ଗକୁ ସୂତା ଆଉ କାହା ସାଙ୍ଗକୁ କିଏ ? ଏହି ପତ୍ରିକାରେ ଚିତ୍ରଦେଖି ଶିଶୁକୁ ଦୁଇଟି ବସ୍ତୁ ମଧ୍ୟରେ ସଂପର୍କ ଦର୍ଶାଇବାକୁ ହୁଏ । ଏହା ବର୍ଟଙ୍କ ସାଦୃଶ୍ୟ ପରୀକ୍ଷଣ (Burts Analogy Test) ଅନ୍ତର୍ଭୁକ୍ତ । (ଘ) ଅପୂର୍ଣାଙ୍ଗ ଚିତ୍ର ଦେଖାଇ କେଉଁ ଅଂଶ ହେଲେ ଚିତ୍ରଟି ସଂପୂର୍ଣ୍ଣ ହେବ ? ଏହା ବୁଦ୍ଧି ପରୀକ୍ଷାର ‘ଚିତ୍ର ପୂର୍ଣ୍ଣକର’ (picture Completion) ପର୍ଯ୍ୟାୟଭୁକ୍ତ । (ଙ) ‘ନୁଆ ଶବ୍ଦ ଦରକାର’ ଶୀର୍ଷକରେ କେତୋଟି ଶବ୍ଦର ସମାର୍ଥବୋଧକ ନୂଆ ଶବ୍ଦଟିଏ ଶିଶୁକୁ ଯୋଡ଼ିବାକୁ ପଡ଼ିଥାଏ । ଏହା ଦ୍ୱାରା ଶିଶୁର ଶବ୍ଦଜ୍ଞାନର ପରିଚୟ ତଥା ପ୍ରୟୋଗକୁଶଳତା ବୃଦ୍ଧିପାଏ । ଏହା ପ୍ରାଥମିକ ମାନସିକ ଦକ୍ଷତା (Primary Mental Abilities) ପରୀକ୍ଷଣ ଅନ୍ତର୍ଭୁକ୍ତ । (ଚ) ଗୋଲକଧନ୍ଦା (ଚିତ୍ର ଦେଖାଇ) ଗୋଟିଏ ଗାରଟାଣି ତିନୋଟି ଚାରି କୋଣିଆ ଘର ଆଙ୍କିବାକୁ ହେବ ଅଥଚ କାଗଜରୁ କଲମ ଉଠିବ ନାହିଁ କି ଗାର ଉପରେ ଗାର ପଡ଼ିବ ନାହିଁ, ଏପରିକି ଗାରକୁ ଗାର କାଟିବ ନାହିଁ । ଏହି ସମସ୍ୟାଟି ଶିକ୍ଷା ତଥା ମନସ୍ତତ୍ତ୍ୱ ସଂପର୍କିତ ଗବେଷଣାରେ ବହୁ ବ୍ୟବହୃତ ଭାଟିଆ ବ୍ୟାଟେରୀ ବୁଦ୍ଧି ପରୀକ୍ଷଣର ଏକ ଉପପରିକ୍ଷଣ ଯାହାକି ‘Paper Pencil Test’ ନାମରେ ମଧ୍ୟ ପରିଚିତ ! (ଛ) ‘ଟୁଉକୁମୂଷି’ରେ ତୁମ ପାଇଁ ଧନ୍ଦା ଶୀର୍ଷକରେ ଅତି ସୁନ୍ଦର ରୂପେ ଧନ୍ଦାଟିଏ ଉପସ୍ଥାପନ ହୁଏ ।

 

‘‘ପାଞ୍ଚଟି ଅକ୍ଷରେ ନାମ ତାହାର

ଗାଣିତିକ ସୂତ୍ର ହେବ ଉତ୍ତର

ପ୍ରଥମ, ୨ୟ, ୪ର୍ଥ ଯୋଗେ

ବାୟୁ ଅନ୍ୟ ଅର୍ଥ ବୁଝାଏ ଆଗେ

ଶେଷ ତିନି ଗୋଟି ଅକ୍ଷର ମିଶି

କାରକ ଗୋଟିଏ ଥାଏ ପ୍ରକାଶି

୩ୟ, ୪ର୍ଥ ଦେଲେ ମିଶାଇ

ସୂର୍ଯ୍ୟଙ୍କ ନିକଟୁ ପାଇବ ଭାଇ

୪ର୍ଥ, ୫ମ ଯେବେ ମିଶିବ

ଯୁଦ୍ଧ ଅର୍ଥଟିକୁ ପ୍ରକାଶୁଥିବ ।

 

ଏହି ଧନ୍ଦା (Riddle)ବା ‘ନାଁ ଦିଆ’ ବୌଦ୍ଧିକ ଗଭୀରତାର ଦ୍ୟୋତକ । ଏହା ସଂପର୍କରେ ଡକ୍ଟର କୁଞ୍ଜବିହାରୀ ଦାସ କହନ୍ତି, ‘‘ମଣିଷର ବିଜ୍ଞ ପ୍ରବୃତ୍ତିରୁ ନାଁ ଦିଆର ଜନ୍ମ ।’’ (୩) କେହି କେହି ଏହାକୁ ବୁଦ୍ଧି ପରିମାପକ word game ର ଆଖ୍ୟା ଦେଇଥାନ୍ତି ।

 

ସୃଜନାତ୍ମକ ଚିନ୍ତନ (Divergent Thinking) ର ଜନକ Prof. Liam Hudsonଙ୍କ ଅନୁସାରେ ଶିଶୁ କୌଣସି ପ୍ରଶ୍ନର ବହୁଳ ସମ୍ଭାବ୍ୟ ଉତ୍ତର ଦେବାରେ ସକ୍ଷମ ହୁଏ ନିଜ କଳ୍ପନା ଓ ମୁକ୍ତ ଚିନ୍ତନ (Opened mind) ର ବିନିମୟରେ । Prof Carl Rogers ସୃଜନଶୀଳତାର ଅଭିବୃଦ୍ଧିପାଇଁ ମାନସିକ ସୁରକ୍ଷା ଓ ମାନସିକ ସ୍ୱାଧୀନତା (psychological safety ଓ psychological freedom) ଆବଶ୍ୟକ ବୋଲି ତାଙ୍କ ଲେଖାଗୁଡ଼ିକରେ ମତବ୍ୟକ୍ତ କରନ୍ତି । (୪) ଶିଶୁ କୌଣସି ପ୍ରଶ୍ନର ସୃଜନାତ୍ମକ ଉତ୍ତର/ସମାଧାନ ଦେବାକୁ ଯାଇ ତା’ର କଳ୍ପନା, ମୁକ୍ତ ଚିନ୍ତନ (free thinking)ର ବିନିମୟରେ ଏକାଧିକ (ବା ବହୁଳ) ସମ୍ଭାବ୍ୟ ଉତ୍ତର ଦେଇଥାଏ ଏବଂ ପରୀକ୍ଷଣରେ ଶିଶୁକୁ ସମୟର ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଥାଏ । ପ୍ରଶ୍ନଟିର କୌଣସି ଠିକ୍‌ ବା ଭୁଲ୍‌ ଉତ୍ତର ନଥାଏ । ଶିଶୁ-ସାହିତ୍ୟ- ପତ୍ରିକାଗୁଡ଼ିକୁ ଅନୁଧ୍ୟାନ କରି ଜଣାପଡ଼ିଛି ଯେ ଯଦି କୌଣସି ଶିଶୁ-ସାହିତ୍ୟ ପତ୍ରିକା ଶିଶୁ ସୃଜନଶୀଳତାକୁ ବୁଝିବାକୁ ଓ ପ୍ରେରଣା ଦେବାକୁ ସଚେଷ୍ଟ ତେବେ ସେହି ଗୌରବ ନିର୍ଦ୍ଦିଷ୍ଟ ରୂପେ କେବଳ ମାତ୍ର ‘ଶିଶୁଲେଖାରେ’ ରହିଛି ବୋଲି ମୁକ୍ତ କଣ୍ଠରେ କୁହାଯାଇପାରେ । କିନ୍ତୁ ସେତିକି ଯଥେଷ୍ଟ ନୁହେଁ । ଏବେ ସୁଦ୍ଧା ଶିଶୁ ସୃଜନଶୀଳତାର କେତେକ ଦିଗ ଆମର ଅଜ୍ଞତା ତଥା ସୀମିତ ଜ୍ଞାନ ଯୋଗୁଁ ଅନାବିଷ୍କୃତ ହୋଇ ରହିଛି ଓ ସେଥିପାଇଁ ଶିଶୁ ସାହିତ୍ୟ ପତ୍ରିକାମାନଙ୍କରେ ଏଗୁଡ଼ିକ ଉପଯୋଗ ହୋଇନାହିଁ । ‘‘ଶିଶୁଲେଖାରେ’ (ଦୁଇଟି ଚିତ୍ର ଦେଖାଇ) ଛବି ଦୁଇଟି ଭିତରେ ଥିବା ପାର୍ଥକ୍ୟ (ଏକାଧିକ) ଦେଖାଇବାକୁ ସୂଚୀତ କରାଯାଇଛି । ଆହୁରି ମଧ୍ୟ ‘କାଗଜ ଦିଅ କଇଁଚି ଦିଅ ଖେଳଣା ଗୁଡ଼ିଏ ନିଅ’ ଶୀର୍ଷକରେ ଚୀନ ଦେଶର ଖେଳଣା ପ୍ରସଂଗରେ ସୂଚନା ଦେବା ସଙ୍ଗେ ସଙ୍ଗେ ବର୍ଗାକାର କାଗଜ ପଟାକୁ ଚେସ୍‌ବୋର୍ଡ଼ ପରି ପେନ୍‌ସିଲ୍‌ରେ ଗାରକାଟି ତା’ଉପରେ ତେରଛା ଗାର ଡଟ୍‌ପେନ୍‌ରେ ଟାଣି ତଦନୁସାରେ ଖଣ୍ଡ ଖଣ୍ଡ କାଟି ଏଗୁଡ଼ିକୁ ବିରାଡ଼ି, କୁକୁର, ହଂସ, ପ୍ରଭୃତି କରି ବହୁ ଖେଳଣା ପ୍ରସ୍ତୁତ କରାଯାଇ ପାରିବ । ଏହି ଖେଳଣାଗୁଡ଼ିକୁ ତିଆରି କରିବାରେ ଶିଶୁ ତା’ର କଳ୍ପନା ଓ ପରିବର୍ତ୍ତନଶୀଳ ଚିନ୍ତନ ଶକ୍ତି (Flexibility in thinking)ର ପ୍ରୟୋଗକରି ଏକାଧିକ ବିଭିନ୍ନ ତଥା ସ୍ୱତନ୍ତ ଖେଳଣା ପ୍ରସ୍ତୁତ କରିବାକୁ ସକ୍ଷମ ହୁଏ । ଶିଶୁର କାର୍ଯ୍ୟକ୍ଷମତା ତାହାର ସମବୟସ୍କ ସାଥୀମାନଙ୍କର କ୍ଷମତା ଉପରେ ଏକ ତୁଳନାତ୍ମକ ଅନୁଶୀଳନ ଦ୍ୱାରା ଶିଶୁର ଚିନ୍ତନ ଶକ୍ତିର ବ୍ୟକ୍ତିସ୍ଵାତନ୍ତ୍ର୍ୟ (Originality) ର ପରିଚୟ ମିଳିଥାଏ ।

 

୪.

Carl R Rogers, Towards a Theory of Creativity in C.Rogers (Ed) On Becoming a person, Boston: Houghton Mittlin, 1961.

 

ଏକ ସୃଷ୍ଟିଶୀଳ ଶିଶୁ ପତ୍ରିକା ଯେ କେବଳ ଶିଶୁର କଳ୍ପନା ରାଜ୍ୟକୁ ସରସ କରେ ତା’ ନୁହେଁ, ଶିଶୁର ସୃଜନଶୀଳ ସୃଷ୍ଟି (Creative production)କୁ ନିଜ କୋଳରେ ସ୍ଥାନ ଦେଇ ତ୍ୱରାନ୍ୱିତ ମଧ୍ୟ କରିଥାଏ । ଏହା ଦ୍ୱାରା ଅନ୍ୟ ପାଠୁଆ ଶିଶୁମାନେ ନିଜର ସୃଷ୍ଟି ପ୍ରତି ସଚେତନ ହେବା ସାଙ୍ଗକୁ ଉତ୍ସାହିତ ମଧ୍ୟ ହୋଇଥାନ୍ତି । ଶିଶୁ ସାହିତ୍ୟ ପତ୍ରିକାରେ ଶିଶୁମାନଙ୍କର ସ୍ଵରଚିତ କବିତା (ଗୀତ), କାହାଣୀ, ପ୍ରବନ୍ଧ ଏପରିକି ଚିତ୍ର ମଧ୍ୟ ସ୍ଥାନ ପାଇବା ଉଚିତ । ଏଥିରେ ଅବଦାନଥିବା ଶିଶୁର ନାମ, ଶ୍ରେଣୀ ଏବଂ ଠିକଣା ରହିବା ବାଞ୍ଛନୀୟ । ପୂର୍ବାଲୋଚିତ ଶିଶୁ ପତ୍ରିକାମାନଙ୍କରୁ କେବଳ ‘ଶିଶୁଲେଖା’ରେ ଶିଶୁର ସୃଷ୍ଟିଶୀଳ ଆତ୍ମପ୍ରକାଶ ପାଇଁ ଦୁଇଟି ବିଭାଗ ରହିଛି ଯଥା - ‘ପିଲାଙ୍କ କଲମରୁ’ ଏବଂ ‘ଶିଶୁ ଚିତ୍ର’ ବା ‘ମୋ ତୁଳି ମୋ ଛବି’ । ଶିଶୁ ସୃଜନଶୀଳତାର ଆତ୍ମପ୍ରକାଶ ପାଇଁ ଏହାର ପ୍ରେରଣା କିଛି କମ୍‌ ନୁହେଁ । ଏହା ଦ୍ୱାରା ଶିଶୁର ସୃଜନଶୀଳ ପ୍ରଚୋଦନା (Creative Motivation)ର ଅଭିବୃଦ୍ଧି ସାଧିତ ହୋଇଥାଏ । ଏହା ମାଧ୍ୟମରେ ପିଲାଦିନୁ ଶିଶୁ ନିଜକୁ ଅନ୍ୟ ଆଗରେ ପ୍ରକାଶ କରିବାର ଦମ୍ଭ, ସାହସ ବାନ୍ଧିଥାଏ । ଆଶାୟୀ ହୁଏ ଆଗାମୀ ଦିନଗୁଡ଼ିକ ପାଇଁ ।

 

ଶିଶୁ-ସାହିତ୍ୟ ପତ୍ରିକାରେ ଏହିପରି ବହୁଗୁଡ଼ିଏ କଳ୍ପନାପ୍ରବଣ ପ୍ରଶ୍ନପତ୍ର ଦିଆଯାଇ ପାରିବ ଯାହାର ଶିଶୁର ସୃଜନଶୀଳତାର ପରିଚୟ ଦେବା ସଙ୍ଗେ ସଙ୍ଗେ ପ୍ରେରଣାର ଉତ୍ସହୋଇ ରହିବ । ନିମ୍ନରେ କେତେଗୁଡ଼ିଏ ଉଦାହରଣ ପ୍ରଦତ୍ତ ହେଲା ।

 

 

ଉପରୋକ୍ତ ପ୍ରଶ୍ନଗୁଡ଼ିକ ପାଇଁ କୌଣସି ସମୟସୀମା ନାହିଁ । ଏହି ପ୍ରଶ୍ନମାନଙ୍କର କୌଣସି ଠିକ୍‌ କିମ୍ବା ଭୁଲ୍‌ ଉତ୍ତର ନାହିଁ । ଏହି ପ୍ରଶ୍ନମାନଙ୍କର ସମ୍ଭାବ୍ୟ ଉତ୍ତରଗୁଡ଼ିକୁ ଶିଶୁ ସ୍ଵାଧୀନଭାବେ ନିଃସଙ୍କୋଚରେ ଦେବେ । (୬) ଏହି ଆଲୋଚକଙ୍କର ‘‘ଶିଶୁ ସୃଜନଶୀଳତା : ପରିଚୟ, ପ୍ରେରଣା ଓ ପରିମାପକ’’ ଏବଂ ‘‘କଳ୍ପନାର ପରିଧିରେ ଶିଶୁ’’ (ପ୍ରକାଶ ଅପେକ୍ଷାରେ) ପୁସ୍ତକଦ୍ୱୟରୁ ଶିଶୁ ସାହିତ୍ୟିକ, ଶିଶୁ ସାହିତ୍ୟାନୁରାଗୀ, ସମ୍ପାଦକ, ଗବେଷକ, ଶିକ୍ଷକସମାଜ ତଥା ପିତାମାତା ବହୁ ଉପାଦେୟ ତଥ୍ୟ ପାଇପାରିବେ।

 

୫.

E.Paul Torrance, Examples & Rationals of Task for Assessing Creative Abilities, Journal of Creative Behaviour, Vol 2 No3, 1968 p.169.

୬.

Wallach M.A & Kogan, N:Modes of thinking in young Children, Newyork : Holt Rinchart & Winston, Inc 1965

 

୨. ଶିଶୁର ସ୍ୱାସ୍ଥ୍ୟ ସଚେତନତା ଓ ଓଡ଼ିଆ ଶିଶୁ ସାହିତ୍ୟ ପତ୍ରିକା

ବିଦ୍ୟାଳୟ ପରିବେଶ ଭିତରେ ପାଠ୍ୟପୁସ୍ତକଗୁଡ଼ିକରୁ ଶିଶୁର ସ୍ଵାସ୍ଥ୍ୟ ସଚେତନତା ଗଢ଼ିଉଠିଥାଏ । ଦେଖାଯାଉ କେତେଦୂର ଆମର ଶିଶୁ ପତ୍ରିକା ସେହି ଉପାଦେୟ ଖୋରାକ୍‌ ଶିଶୁ ପାଇଁ ଯୋଗାଉଛି । ‘‘ଜହୁମାମୁଁ’’ରେ ଜ୍ଞାନର ଆନନ୍ଦ ସ୍ତମ୍ଭରେ ‘‘ଆଖି ଆଚରଣ’; ‘‘ମୀନାବଜାର’’ରେ ‘ରଂଜନ ରଶ୍ମି, ‘ସୃଷ୍ଟିର ରହସ୍ୟ’’; ‘‘ମନପବନ’’ ରେ ‘ଶରୀର ଗଠନ’; ‘‘ଶିଶୁଲେଖା’’ରେ ତଥ୍ୟମୂଳକ ସ୍ତମ୍ଭରେ ‘‘ଦକ୍ଷିଣକୁ ମୁଣ୍ଡକରି’, ‘‘ଗାଈ ସବୁର ମା’, ‘କେତେମିଠା ସାକାରିନ୍‌ କି ମହୁ କି ଚିନି’, ଯେଉଁମାନେ ଆମ ସହିତ ଆମଘରେ ରହୁଛନ୍ତି (ମାଛି), ‘ମାଛ ମହାତ୍ମା’, ଆମଘରେ ଆମ ସହିତ ରହୁଥିବା ଜୀବଜନ୍ତୁ (ବେଙ୍ଗ); ‘‘ଟୁଉକୁ ମୂଷି’’ରେ ‘ଦରକାର ବେଳେ କାମରେ ଆସିବ’ ସ୍ତମ୍ଭରେ ‘ଅଦା ଓ ଶୁଣ୍ଠିର ଗୁଣ’, ଜାଣିବା କଥା ସ୍ତମ୍ଭରେ ‘ଦୁବ ଘାସର ଗୁଣ’, ‘ନାଁ ଟି ମୋର ମିଠା’ । (ଗୀତ); ‘‘ବାରମଜା’’ରେ ‘‘ମହୁର ଗୁଣ’’, ‘‘ଟିକିଫୁଲ’’ରେ ‘ଆମର ଦେହ’, ଇତ୍ୟାଦି ଶିଶୁର ସ୍ଵାସ୍ଥ୍ୟ ଓ ପରିବେଶ ସଚେତନତାର ପରିବାହକ ।

 

୩. ବିଜ୍ଞାନମୁଖୀ ଶିଶୁ ଓ ଓଡ଼ିଆ ଶିଶୁ-ସାହିତ୍ୟ ପତ୍ରିକା

ମଣିଷର କଳ୍ପନା ରାଜ୍ୟକୁ କଳା ଓ ସାହିତ୍ୟଠାରୁ ବିଜ୍ଞାନ ଅଧିକ ଭାବରେ ପ୍ରେରଣା ଦେଇଥାଏ । ଦେଶ ଆଜିକାଲି ପ୍ରାଚୀନ ଅନ୍ଧବିଶ୍ଵାସ, କୁସଂସ୍କାରକୁ ପଛରେ ପକାଇ ବୈଜ୍ଞାନିକ ଚିନ୍ତାଧାରା ନେଇ ଆଗେଇ ଚାଲିଛି । ଯୁଗର ପରିବର୍ତ୍ତନ ସାଙ୍ଗକୁ ତାଳ ଦେଇ ଶିଶୁସାହିତ୍ୟ ପରିବର୍ତ୍ତନ ହୋଇ ଚାଲିଛି । ଆଜିର ‘‘ଆ ଜହ୍ନମାମୁଁ’’ ଶୁଣୁଥିବା ଶିଶୁ ଚାହୁଁଛି ରକେଟ ଚଢ଼ି ଚନ୍ଦ୍ର ଦେଶରେ ପାଦ ଦେବାପାଇଁ । ସେ ପ୍ରତ୍ୟେକଟିକୁ ପ୍ରତ୍ୟକ୍ଷଭାବରେ ପରୀକ୍ଷାନିରୀକ୍ଷା କରି ସତ୍ୟତା ଜାଣିବା ପାଇଁ ଆଗ୍ରହୀ । ତେଣୁ ଶିଶୁ ଅବସ୍ଥାରୁ ତା’ର ମାନସ ପଟରେ ବିଜ୍ଞାନମୁଖୀ ଚିନ୍ତାଧାରା (Scientfic temper) ଜାତକରାଇ ଶିଶୁର ପ୍ରତ୍ୟେକ କାର୍ଯ୍ୟକୁ ବିଜ୍ଞାନର କଷଟି ପଥରରେ ମୂଲ୍ୟାୟନ କରିବାକୁ ହେବ । ଶିଶୁକୁ ବିଜ୍ଞାନଧର୍ମୀ କରାଇବା ପଛରେ ଆମର ପରିବେଶର ଭୂମିକା ଖୁବ ଗୁରୁତ୍ଵପୂର୍ଣ୍ଣ । ପରିବେଶରୁ ମିଳୁଥିବା ଉପାଦାନଗୁଡ଼ିକ ବର୍ତ୍ତମାନ ଶିଶୁସାହିତ୍ୟ ପତ୍ରିକା ମଧ୍ୟରେ କିପରି ପରିବେଷିତ ହୋଇଛି ସେଗୁଡ଼ିକ ଦେଖାଯାଉ ।

 

ଆଲୋଚନା ପାଇଁ ନିଆଯାଇଥିବା ନଅଗୋଟି ଶିଶୁପତ୍ରିକା ଭିତରୁ ଅଧିକାଂଶ ପତ୍ରିକାରେ ଏହାର ଚାହିଦା ରହିଥିବାର ଲକ୍ଷ୍ୟ କରାଯାଏ ଯଥା : ‘‘ଜହ୍ନମାମୁଁ’’ରେ ‘ବିଜ୍ଞାନର ଆନନ୍ଦ’ ସ୍ତମ୍ଭରେ ‘ଆଖିର ଗୁଣ’, ‘ଜଳର ଆକର୍ଷଣ’; ‘‘ମୀନାବଜାର’’ରେ ‘ରଂଜନରଶ୍ମି’, ସୃଷ୍ଟିର ରହସ୍ୟ ସ୍ତମ୍ଭରେ ‘ବାୟୁମଣ୍ଡଳ’, ‘କାଗଜର କାହାଣୀ’, ‘ଶିଶୁଲେଖା’ରେ ‘କମ୍ପ୍ୟୁଟରର ଭାଷା’, ‘ସାପ ଆମର ଉପକାରୀ’, ‘ଗଛ ଆମ ଜୀବନ’, ‘କମ୍ପ୍ୟୁଟର କିପରି ଅଂକ କଷେ’, ‘‘ଟୁଉକୁମୂଷି’’ରେ ବିଜ୍ଞାନ ବିଚିତ୍ରା’ ; ‘‘ବାରମଜା’’ରେ ‘ବିଜ୍ଞାନ ବିଚିତ୍ରା’ ସ୍ତମ୍ଭରେ ‘ସୂର୍ଯ୍ୟ ରଶ୍ମିଯୁକ୍ତ ଚା’ ; ‘କମ୍ପ୍ୟୁଟରରେ ବନ୍ୟପ୍ରାଣୀଙ୍କ ବିବାହ’ ; ‘‘ଟିକିଫୁଲ’’ରେ ‘ଆମ ଦେହ’, ‘ବିଶ୍ଵାସ କରବା ନ କର’, ‘ଦୁଇପାଦ ସମାନ ନୁହେଁ କାହିଁକି ?’, ‘ଜ୍ଞାନ ବିଜ୍ଞାନ’, ‘କୁଇଜ୍‌’, ‘‘ଟିକି ଦୁନିଆଁ’’ରେ ‘ଏଡ଼ିସନ୍‌ଙ୍କ ପିଲାଦିନ’ ଇତ୍ୟାଦି ପରିବେଷିତ ହୋଇଛି । ଏହା ଫଳରେ ଶିଶୁ ମନରେ କୌତୂହଳ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ସୃଷ୍ଟି ରହସ୍ୟକୁ କ୍ରମେ କ୍ରମେ ଜାଣିବା ପାଇଁ ଆଗ୍ରହ ସୃଷ୍ଟି ହୋଇଛି ।

 

୪. ଶିଶୁର ନୈତିକ ବିକାଶ ଓ ଚରିତ୍ର ଗଠନ ଦିଗରେ ଓଡ଼ିଆ ଶିଶୁସାହିତ୍ୟ ପତ୍ରିକାର ଭୂମିକା

ଆଜିର ବସ୍ତୁବାଦୀ ସମାଜରେ ମୂଲ୍ୟବୋଧର ଯେଉଁ ସଙ୍କଟ ଦେଖାଦେଇଛି ତା’ ଭିତରୁ ମଣିଷର ନୈତିକ ଚାରିତ୍ରିକ ମୂଲ୍ୟବୋଧର ଅଧୋପତନ ଅନ୍ୟତମ । ଏବେ ଦେଖାଯାଉ ଶିଶୁର ନୈତିକମାନର ବୃଦ୍ଧିପାଇଁ ଶିଶୁସାହିତ୍ୟ ପତ୍ରିକା କେତେଦୂର ସହାୟକ ।

 

‘ଜହ୍ମମାମୁଁ’ରେ ଉଦାହରଣ ଓ ଗଳ୍ପ ମାଧ୍ୟମରେ ନ୍ୟାୟପରାୟଣତା, କ୍ଷମା, ରାମାୟଣ ଓ ମହାଭାରତରେ ବର୍ଣ୍ଣିତ ବିଭିନ୍ନ ଭୂମିକାରେ ସଂଶ୍ଳିଷ୍ଟଥିବା ସଦ୍‌ଗୁଣଗୁଡ଼ିକର ବର୍ଣ୍ଣନା । ‘ମୀନା ବଜାର’ରେ କୃଷ୍ଣାବତାର, ପୁରାଣ କଥା ବା କାହାଣୀରୁ ଗୁରୁଭକ୍ତି ବଡ଼ ମଣିଷଙ୍କ ପିଲାଦିନ, ଭାଗବତର ମହିମା, ବାଇବେଲ୍‌ କାହାଣୀ । ‘ମନପବନ’ରେ ପୁରାଣ କାହାଣୀରୁ ଗୁରୁଭକ୍ତି, ମହାଭାରତରୁ ଦାନବୀର କର୍ଣ୍ଣ, ପରିଶ୍ରମୀ ହୁଅ (ଗଳ୍ପ), ଲୋଭର ପରିଣାମ (ପୁରାଣ ପୃଷ୍ଠାରୁ) । ‘ଶିଶୁଲେଖା’ରେ ମୋ ପେଁକାଳି ବଜାଇଦେ (କବିତା), ‘ସ୍ୱଦେଶ ଚିନ୍ତନ’, ‘ଶତ୍ରୁତାର ଫଳ’, ‘କର୍ତ୍ତବ୍ୟପରାୟଣତା’ (ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ସଂଗୀତ ମାଧ୍ୟମରେ), ‘ଧୀରକୁ କରିବ ଆଦର’ (ଗୀତ) । ‘ବାରମଜା’ରେ ଆମଦେଶର ଲୋକକଥା ମାଧ୍ୟମରେ ‘ଠକାମିର ଫଳ’, ‘ଟିକିଫୁଲ’ରେ ନୀତି କଥା ସ୍ତମ୍ଭରେ ବିଭିନ୍ନ ଶୀର୍ଷକ ଯଥା-‘ରାଗ ମଣିଷର ପରମ ଶତ୍ରୁ, ଇତିହାସ ପୃଷ୍ଠାରୁ ‘ଅସାଧାରଣ ଆତ୍ମବଳି’, ‘ଟିକିଦୁନିଆଁ’ରେ ପୁରାଣ ପୃଷ୍ଠାରୁ ‘କର୍ମଫଳ’ ଆଦିରେ ନୈତିକ ଓ ଚାରିତ୍ରିକ ଗଠନ ପାଇଁ ଇଙ୍ଗିତ ରହିଛି ।

 

୫. ଶିଶୁର ସାହସିକ କୃତିର ବିକାଶରେ ଓଡ଼ିଆ ଶିଶୁସାହିତ୍ୟ ପତ୍ରିକା

କଳା ହେଉ ବା ବିଜ୍ଞାନ ହେଉ, ସାହିତ୍ୟ ହେଉ ବା କାରିଗରୀ ହେଉ, ଯେକୌଣସି କ୍ଷେତ୍ରରେ ଅଭିବୃଦ୍ଧିର ଚରମ ସୀମାରେ ପହଞ୍ଚିବା ଏକ ଆଶାୟୀ ତଥା ପ୍ରଗତିଶୀଳ ସମାଜର ପ୍ରଧାନ ଲକ୍ଷ୍ୟ । ଯଦି କୌଣସି ଦେଶ ବା ଜାତି କେବେ ଗର୍ବ ଓ ଗୌରବ ଅନୁଭବ କରେ ତେବେ କେତେକ ସ୍ୱଳ୍ପସଂଖ୍ୟକ ସାହସିକ କୃତିକୁ ବୁଝିବାରେ, ପ୍ରଶଂସା କରିବାରେ ଏବଂ ବ୍ୟକ୍ତିବିଶେଷରେ, ଏପରିକି ଶିଶୁମାନଙ୍କଠାରେ ସେହି ସାହସିକ କୃତିକୁ ପ୍ରେରଣା ଦେବାରେ । ମନସ୍ତାତ୍ତ୍ଵିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାପଡ଼େ ଯେ ସାହସିକ କୃତି ବା ସଫଳତାମୁଖୀ ଅଭିପ୍ରେରଣା (Achievement Motive) ଜନ୍ମଗତ ନୁହେଁ (୭) ବରଂ ପରିବେଶଗତ ପ୍ରେରଣା, ସମାଜରୁ ମିଳୁଥିବା ଉତ୍ସାହ-କୁସଂସ୍କାର ଓ ଅନ୍ଧବିଶ୍ୱାସରହିତ ସାମାଜିକ ଜୀବନ ହିଁ ଏହାର ପାଥେୟ । ବାଲ୍ୟାବସ୍ଥା ହେଉଛି ପ୍ରକୃତ ସମୟ, କାରଣ ଏହି ବାଲ୍ୟାବସ୍ଥାରୁ ହିଁ ଶିଶୁର ଅଭ୍ୟାସ ଓ ମନୋବୃତ୍ତି ଗଠିତ ହୁଏ, ଉତ୍ସାହ ବଢ଼େ, ବ୍ୟକ୍ତିତ୍ୱ ଏକ ନିର୍ଦ୍ଦିଷ୍ଟ ରୂପନିଏ । କେବଳ ବାଲ୍ୟକାଳରୁ ହିଁ ଶିଶୁଠାରେ ସ୍ଵାଭିମାନୀ, ପରିଶ୍ରମୀ, ସହଯୋଗିତା ଓ ପ୍ରତିଯୋଗିତା ଭିତ୍ତିକ ମନୋବୃତ୍ତି, କିଛି ନୂତନତ୍ୱ ସୃଷ୍ଟିକରିବାର ଅଭିପ୍ରେରଣା, ଆତ୍ମବିଶ୍ଵାସ ପ୍ରଭୃତି ମୂଲ୍ୟବୋଧ ପୋଷଣ କରାଯାଇପାରେ । ତେଣୁ ଶିଶୁ କିପରି ଉପରୋକ୍ତ ସୁଗୁଣଗୁଡ଼ିକର ଅଧିକାରୀ ହୋଇପାରିବ ତାହା ଦେଖିବା ସମାଜର ପ୍ରତ୍ୟେକ ଦାୟିତ୍ୱସଂପନ୍ନ ବ୍ୟକ୍ତିଙ୍କର କର୍ତ୍ତବ୍ୟ । (୮) ମନସ୍ତତ୍ତ୍ଵ କୁହେ ସାହସିକ କୃତି ବସ୍ତୁତଃ ଏକ ମାନସ ପ୍ରକ୍ରିୟା ଏବଂ ତାହା ସାମାଜିକ ତଥା ସାଂସ୍କୃତିକ ପୀଢ଼ି ଉପରେ ଆଧାରିତ, ଯାହାକି ଶିକ୍ଷାକରାଯାଇପାରେ, ଯେହେତୁ ଏହା ଶିକ୍ଷଣୀୟ ତେଣୁ ବ୍ୟକ୍ତିଠାରେ ଏହାର ଅଭିବୃଦ୍ଧିର ସମ୍ଭାବନା ରହିଛି (ଶର୍ମା, ୧୯୮୧) । ବର୍ତ୍ତମାନ, ଦେଖାଯାଉ ଶିଶୁ ପାଖରେ ପହଞ୍ଚୁଥିବା ଶିଶୁ-ସାହିତ୍ୟ ପତ୍ରିକାରେ ତା’ର ସାହସିକ କୃତିକୁ ତ୍ୱରାନ୍ୱିତ କରୁଥିବା ଉପାଦାନ କେତେ ପରିମାଣରେ ମହଜୁଦ୍‌ ଅଛି ।

 

 

୭.

D.C. McClelland et al Motives in Fantasy, Action & Society.

୮.

Ashok k. Hota, Our Society and Child’s Achievement Motivation (in Press)

 

‘‘ଜହ୍ନମାମୁଁ’’ରେ ଫଟୋ ପରିଚୟ ଶୀର୍ଷକରେ ସାହସିକ କୃତିସଂପନ୍ନ କେତେକ ଚିତ୍ରକୁ ଶିଶୁକୁ ଚିହ୍ନିତ କରାଇବାକୁ ପଡ଼ିଥାଏ । ‘ମୀନାବଜାର’ରେ ଫଟୋଚିତ୍ର, ‘ମନପବନ’ରେ ସାହସୀ କୁଆ (ଗଳ୍ପ), ‘ଶିଶୁଲେଖା’ରେ ସବୁ ଉତ୍ତର ଠିକ୍‌ ଥିଲେ ପୁରସ୍କାର ଶୀର୍ଷକରେ ୧୦ଟି ପ୍ରଶ୍ନ ଦିଆଯାଇଥାଏ । ଏହି ପ୍ରଶ୍ନ ୧୧ ବର୍ଷରୁ କମ୍‌ ଛାତ୍ରଛାତ୍ରୀମାନଙ୍କୁ ଏକ ନିର୍ଦ୍ଦଷ୍ଟ ସମୟସୀମା ଭିତରେ ଉତ୍ତର ପଠାଇବାକୁ ପଡ଼ିଥାଏ । ସର୍ବଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମାଣ ପତ୍ର ଦେବେ ଯେ, ଉତ୍ତରଟି ସଂପୂର୍ଣ୍ଣରୂପେ ଛାତ୍ରର ନିଜସ୍ଵ । ‘‘ବାରମଜା’’ରେ ‘ବୀର ବାଳକ’,‘ସ୍କନ୍ଦଗୁପ୍ତ’, ‘ରାଜକନ୍ୟାର ସାହସିକତା’ (ଇତିହାସ ପୃଷ୍ଠାରୁ), ‘ଟିକିଫୁଲ’ ରେ ‘ଅସାଧାରଣ ଆତ୍ମବଳି’ (ଇତିହାସ କଥା), ଇତ୍ୟାଦି ଏହି ଶ୍ରେଣୀର ।

 

୬. ଶିଶୁର ଚିତ୍ତବିନୋବନ ଓ ଓଡ଼ିଆ ଶିଶୁସାହିତ୍ୟ ପତ୍ରିକା

ମଣିଷ ଜୀବନରେ ବୟସ ବଢ଼ି ଚାଲିବା ଲାଗିଛି । ଆଧୁନିକ ବସ୍ତୁବାଦୀ ମଣିଷ ସେଥିପାଇଁ ଯନ୍ତ୍ର ଉପରେ ଅଧିକ ନିର୍ଭରଶୀଳ ହୋଇ ପଡ଼ୁଛି । ଦୈନନ୍ଦିନ ଜୀବନରୁ ମିଳୁଥିବା ହସ, ଖୁସି, ଆନନ୍ଦ, ମାନସିକ ସୁସ୍ଥତା ମଣିଷକୁ ଉପାଦେୟ ଖୋରାକ୍‌ ଯୋଗାଇ ଆସିଛି । ଶିଶୁ ତା’ର ଦୈନନ୍ଦିନର ପାଠ୍ୟ ପୁସ୍ତକରୁ ପାଇପାରିନଥିବା ହସ, ଖୁସି, ଆନନ୍ଦ ସାଧାରଣତଃ ଶିଶୁସାହିତ୍ୟଠାରୁ ସଂଗ୍ରହ କରେ । ଅନ୍ୟ ସକଳ ପ୍ରକାର ସାହିତ୍ୟର ଉଦ୍ଦେଶ୍ୟ ଭଳି ଶିଶୁସାହିତ୍ୟର ଉଦ୍ଦେଶ୍ୟ ମଧ୍ୟ ରସ ଉଦ୍‌ବୋଧନ ବା ଅନ୍ୟ ଭାଷାରେ କହିଲେ ଆନନ୍ଦ ପ୍ରଦାନ । ତେବେ ଦେଖିବାକଥା ଶିଶୁସାହିତ୍ୟ ପତ୍ରିକାଗୁଡ଼ିକରେ କେତେ ପରିମାଣରେ ସେହି ଜୀବନୀ ଶକ୍ତି ଛପି ରହିଛି ।

 

‘ଜହ୍ନମାମୁଁ’ କ୍ଷୁଦ୍ରଗଳ୍ପ ମାଧ୍ୟମରେ ଶିଶୁର ଚିତ୍ତବିନୋଦନ କରିଥାଏ । ‘ମୀନା ବଜାର’ରେ ଗଳ୍ପ ମଜାକଥା; ‘ମନପବନ’ରେ ‘ଚିଙ୍ଗୁର ପାଠପଢ଼ା’, ‘ଶିଶୁଲେଖା’ରେ ଶିଶୁଗୀତ, ଠେକୁଆ ଠକିଲା (ଗଳ୍ପ);‘ବାରମଜା’ରେ ଦେଶବିଦେଶର ଲୋକକଥା, କଲରାପତରିଆ ବାଘର ଲାଞ୍ଜ ଲମ୍ବା କାହିଁକି-?, ଅଜାନାତି କଥୋପକଥନ; ‘ଟୁଉକୁମୂଷି’ରେ ‘ବଢ଼ିଆ ବ୍ୟବସାୟ’ (ମଜା କାହାଣୀ) । ଏହିପରି ଚିତ୍ତବିନୋଦକ ସାମଗ୍ରୀ ଶିଶୁସାହିତ୍ୟ ପତ୍ରିକାମାନଙ୍କରେ ସଂଯୋଜିତ ଯଦିଓ ତାହା ଯଥେଷ୍ଟ ନୁହେଁ-

 

ଶିଶୁସାହିତ୍ୟ ପତ୍ରିକାର କେତେକ ଅନାବଶ୍ୟକ ଦିଗ

ବର୍ତ୍ତମାନ ବଜାରରେ ମିଳୁଥିବା ବିଭିନ୍ନ ଓଡ଼ିଆ ଶିଶୁସାହିତ୍ୟ ପତ୍ରିକାଗୁଡ଼ିକର ଦୋଷଦୂର୍ବଳତା, ତା’ର ଉନ୍ନତିର ବିଭିନ୍ନ ଦିଗ ଉପରେ ସୁଚିନ୍ତିତ ମତ ପ୍ରଦାନ କରିବା ପାଇଁ ଏ ପ୍ରବନ୍ଧର ପ୍ରାବନ୍ଧିକ : ପଚାଶ ଜଣ ଶିଶୁ ସାହିତ୍ୟିକ, ଶିଶୁ ସାହିତ୍ୟାନୁରାଗୀ, ପାଠକ, ଶିକ୍ଷାପ୍ରେମୀଙ୍କୁ ବିଚାରକ ରୂପେ ନିରୂପଣ କରି ଏକ ପ୍ରଶ୍ନାବଳୀ ପଠାଇଥିଲେ, ସେଥିରୁ କେତେଜଣ ନିରୁତ୍ତର ରହିବାର ଜଣାଯାଏ । ପୁଣି କେତେଜଣ ଅଧୁନା ପ୍ରଚଳିତ ଶିଶୁ ପତ୍ରିକା ଉପରେ ତାଙ୍କର ଅଜ୍ଞତା ପ୍ରକାଶ କରି ପ୍ରଶ୍ନାବଳୀକୁ ଫେରସ୍ତ କଲେ । ସେ ଯାହାହେଉ, ସଂପୂର୍ଣ୍ଣ ଭତ୍ତର ନେଇ ପହଞ୍ଚୁଥିବା ପ୍ରଶ୍ନାବଳୀରୁ ଶିଶୁସାହିତ୍ୟ ପତ୍ରିକାର ଦୋଷ ଦୁର୍ବଳତା ଯାହା ପରିଲକ୍ଷିତ ହୁଏ, ସେଗୁଡ଼ିକ ହେଲା :-

 

୧.

ଶିଶୁସାହିତ୍ୟ ପତ୍ରିକାରେ ଭୂତ, ପ୍ରେତ, ଡାହାଣୀ ସଂପର୍କିତ ଲେଖା ପ୍ରକାଶନ । ଯେହେତୁ ଏହା ଶିଶୁର ମାନସ ରାଜ୍ୟରେ ଅହେତୂକ ଭୟ ଓ ଆଶଂକା ସୃଷ୍ଟି କରିଥାଏ ତେଣୁ ତା’କୁ ଯେତେ ଚେଷ୍ଟା କରାଯାଇପାରେ ଶିଶୁସାହିତ୍ୟ ପତ୍ରିକାରୁ ବାଦ୍‌ ଦେବାକଥା ।

 

୨.

ମୁତ୍ୟୁ ଓ ତତ୍‌ଜନିତ ଉପଲବ୍‌ଧ୍‌ କାହାଣୀ, ଚୋରି ସଂପର୍କିତ ପ୍ରବନ୍ଧ, ଗଳ୍ପ ଏହାର ଅନ୍ୟ ଏକ କଳୁଷିତ ଦିଗ, ତେଣୁ ଏହା ମଧ୍ୟ ଶିଶୁ ସାହିତ୍ୟ ପତ୍ରିକାର କଳେବର ମଣ୍ଡନ ନ କରିବା ଉଚିତ ।

 

୩.

ନିର୍ଦ୍ଦିଷ୍ଟ ଜାତି ବା ଧର୍ମକୁ କେନ୍ଦ୍ରକରି ଗଢ଼ିଉଠିଥିବା ଲେଖା, ହିଂସାତ୍ମକ ଘଟଣା ଶିଶୁ ମନରେ । ସାମ୍ପ୍ରଦାୟିକତା ସୃଷ୍ଟି କରିଥାଏ ତେଣୁ ତାହା ଶିଶୁସାହିତ୍ୟ ପତ୍ରିକାରେ ସ୍ଥାନିତ ନ ହେବା ଉଚିତ ।

 

୪.

ବସ୍ତୁବାଦୀ ଚିନ୍ତାଧାରାପୂର୍ଣ୍ଣ ଗପ, ଅଣ- ବୈଜ୍ଞାନିକ ଲେଖା ଶିଶୁ ମନରେ ଆତ୍ମକେନ୍ଦ୍ରିକ ତଥା ଉଚ୍ଛୃଙ୍ଖଳତା, ଅବିବେକିତା ସୃଷ୍ଟି କରାଇଥାଏ ତେଣୁ ଏହି ସବୁ ଉପାଦାନ ଶିଶୁସାହିତ୍ୟ ପରିସରଭୁକ୍ତ ନହେବା ବାଞ୍ଛନୀୟ ।

 

୫.

ଗୁରୁ ଶିଷ୍ୟ ବା ବାପ ପୁଅ ସଂପର୍କିତ ‘ହସନା’ ଏବଂ ଶିଶୁ ପତିକାରେ ବୟସ୍କଙ୍କ ପାଇଁ ଥିବା ବିଜ୍ଞାପନ ଯେତେଦୂର ସମ୍ଭବ ନ ରହିବା ଉଚିତ । ଏଗୁଡ଼ିକ ଶିଶୁ ମନସ୍ତତ୍ତ୍ୱ ପାଇଁ ଅନୁକୂଳ ନୂହେଁ । ତେଣୁ ଉପରୋକ୍ତ ପ୍ରସଙ୍ଗ କେନ୍ଦ୍ରିକ ଲେଖା ଶିଶୁପତ୍ରିକାର କଳେବର ମଣ୍ଡନ ନକରିବା ବାଞ୍ଛନୀୟ । ମୋଟାମୋଟି ଭାବରେ କହିବାକୁ ଗଲେ ଯେଉଁସବୁ ଉପାଦାନ ଶିଶୁର ମାନସିକ ସ୍ଵାସ୍ଥ୍ୟର ଅନ୍ତରାୟ ହେବ ସେସବୁ ଶିଶୁସାହିତ୍ୟରେ ପରିବେଷଣ ନକରିବା ସମୀଚୀନ ହେବ । ଜଣେ ଆଲୋଚକଙ୍କ ଉକ୍ତିରେ, ‘‘ଆମ ଶିଶୁସାହିତ୍ୟର ବଡ଼ ଦୁର୍ବଳତା ହେଉଛି ଶିଶୁ ସାହିତ୍ୟ ସଂପର୍କରେ ତାଲିମ ନପାଇ ସେ ଦିଗରେ ଲେଖନୀ ଚାଳନା କରିବା (ମହାନ୍ତି, ୧୯୯୦) । (୯) ଆଶାୟୀ ସଚେତନ ଶିଶୁସାହିତ୍ୟକ ନିଜର ଲେଖାରେ ଏ ବିଷୟ ପ୍ରତି ଧ୍ୟାନଦେବା ସମୀଚୀନ ହେବ ।

 

୯.

ଅଶୋକ କୂମାର ମହାନ୍ତି, ଓଡ଼ିଆ ଶିଶୁ ସାହିତ୍ୟର ଇତିହାସ ଓ କ୍ରମବିକାଶ, ଗୋକର୍ଣ୍ଣିକା, ଅଗଷ୍ଟ, ୧୯୯୦, ପୃ-୨୦ ।

 

୮. ଶିଶୁ-ସାହିତ୍ୟ ପତ୍ରିକାର ଗୁଣାତ୍ମକ ବିକାଶ ଉପରେ ଦି’ ପଦ

ବିଶିଷ୍ଟ ଶିକ୍ଷାବିତ୍‌ Arieti (1976) ଯେଉଁ ସମାଜ ବ୍ୟକ୍ତିର ସୃଜନଶୀଳତାକୁ ଉତ୍ସାହିତ କରି ତ୍ଵରାନ୍ୱିତ କରେ ତାକୁ ସୃଜନଶୀଳ ସମାଜ (Creativogenic Society) ର ଆଖ୍ୟା ଦେଇ ନଅଗୋଟି ସାମାଜିକ ଅବସ୍ଥାକୁ ଦର୍ଶାଇଛନ୍ତି । ସେଥିରୁ ମୁଖ୍ୟ କେତୋଟି ହେଲା - ଶିଶୁକୁ ବର୍ତ୍ତମାନସର୍ବସ୍ଵ ନକରି ଭବିଷ୍ୟତଦର୍ଶୀ କରାଇବା । ଦ୍ଵିତୀୟତଃ, ସମାଜରେ ବ୍ୟକ୍ତିକୁ ଜାତି, ଧର୍ମ, ବର୍ଷ ନିର୍ବିଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଃସଙ୍କୋଚରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ପ୍ରେରଣା ଦେବା । ତୃତୀୟତଃ, ସାହସିକ ତଥା ସୃଜନଶୀଳ କୃତି ପାଇଁ ସମାଜ ଦ୍ୱାରା ଶିଶୁକୁ ପୁରସ୍କୃତ ତଥା ସମ୍ମାନିତ କରିବା । (୧୦) ଶିଶୁସାହିତ୍ୟ ରଚନା ଏସବୁ ଉପରେ ପର୍ଯ୍ୟବସିତ ହୋଇ ଶିଶୁ-ପତ୍ରିକାର ଶୋଭା ବର୍ଦ୍ଧନ କରିବା ଉଚିତ । ଏହା ଦ୍ୱାରା ଶିଶୁ ମାନସିକ ସୁସ୍ଥତା ଓ ମୁକ୍ତ ପରିବେଶ ପାଇପାରିବ ଏବଂ କିଛି ନୂତନତା ସୃଷ୍ଟି କରିବା ପାଇଁ ଅଭିପ୍ରେରିତ ହେବ । ଶିଶୁସାହିତ୍ୟର ସ୍ରଷ୍ଟାକୁ ନିଜର ବୟସ ଦେଶ କାଳ । ଭୁଲି ନିଜେ ଶିଶୁ ମନ ନେଇ ସବୁକଥା ଚିନ୍ତାକରିବାକୁ ହଁ ପଡ଼ିବ । ଶିଶୁମାନଙ୍କୁ ସାହିତ୍ୟ ମାଧ୍ୟମରେ ସିଧାସଳଖ ଉପଦେଶ ନଦେଇ ସେମାନେ କିପରି ତହିଁରୁ ଉପଦେଶ ଆହରଣ କରିବେ ସେଥିପାଇଁ ଛାଡ଼ିଦେବାକୁ ପଡ଼ିବ-। ଶିଶୁସାହିତ୍ୟିକ ଶିଶୁର ମାନସିକ ଆବଶ୍ୟକତା ଓ ହାବଭାବ ପ୍ରତି ତୀକ୍ଷ୍‍ଣ ଦୃଷ୍ଟି ଦେଇ ଶିଶୁ ମନ ସହିତ ପ୍ରତ୍ୟକ୍ଷ ଭାବରେ ପରିଚିତ ହେବା ଦରକାର ।

 

୧୦.

S.Arieti, Creativity:The Magic Synthesis, Nyc: Basic Books,1976

 

ପୂର୍ବ ଦର୍ଶିତ ସମସ୍ତ ଦୋଷଦୂର୍ବଳତାକୁ ଶିଶୁସାହିତ୍ୟ ପତ୍ରିକାରୁ ବାଦ୍‌ଦେଇ ତହିଁରେ ନିମ୍ନଲିଖିତ କେତୋଟି ଦିଗ ପ୍ରତି ଦୃଷ୍ଟି ଦେଇ ତାହାର ଗୁଣାତ୍ମକ ବିକାଶର ଆଶା କରାଯାଇପାରେ--

 

(କ)

ଆମ ଦେଶ ତଥା ବିଦେଶର ବିଶିଷ୍ଟ ବ୍ୟକ୍ତିଙ୍କର ଜୀବନୀକୁ ଶିଶୁ ଆଗରେ ଉପସ୍ଥାପିତ କରାଇବ ।

(ଖ)

ଶିଶୁପତ୍ରିକା ମାଧ୍ୟମରେ ଚିତ୍ରାଙ୍କନ କଳା ଶିକ୍ଷାଦେବା ।

(ଗ)

ସାହସିକତାର (Adventure) ଚିତ୍ର ପ୍ରଦର୍ଶନ କରିବା ଓ ତାକୁ ଚିହ୍ନିତ କରିବାକୁ ସୁଯୋଗ ଦେବା କିମ୍ବା ଚିତ୍ରକୁ ଭିତ୍ତିକରି ଗଳ୍ପ ରଚନା କରିବା ଓ ଶୀର୍ଷକ (ଏକାଧିକ) ପ୍ରଦାନ କରିବା ।

(ଘ)

ଶିଶୁସାହିତ୍ୟ ପତ୍ରିକାର ପ୍ରତିଟି ସଂଖ୍ୟାରେ କିଛି ମାତ୍ରାରେ ବୁଦ୍ଧି ପରୀକ୍ଷଣ ତଥା ସ୍ଵଜନଶୀଳତା ପରିମାପକ ଉପରେ କିଛି ପ୍ରଶ୍ନ ଉପସ୍ଥାପନ କରିବା ।

(ଙ)

ଛବି ସହ ଆଦର୍ଶ ଉପସ୍ଥାପିତ କରୁଥିବା ଗଳ୍ପ ଯୋଗାଇ ଦେବା ଏବଂ ତା’ର ଶୀର୍ଷକ ନିରୂପଣ କରିବାକୁ ଶିଶୁକୁ ପ୍ରେରଣା ଦେବା ।

(ଚ)

ଆଧୁନିକ ସମସ୍ୟା ଉପରେ ଆଲୋକପାତ କରି ସରଳ ଭାଷାରେ ଲେଖା ଯୋଗାଇଦେବା-

(ଛ)

ଶିଶୁସାହିତ୍ୟ ପତ୍ରିକାରେ ଶିଶୁକୁ ଆନନ୍ଦ ଦେବାଭଳି ନାଟକ, ଉପନ୍ୟାସ ବ୍ୟଙ୍ଗଧର୍ମୀ ଲେଖା ପରିବେଷଣ କରିବା ।

(ଜ)

ମା ଓ ମାତୃଭୂମି ଉପରେ ଆଧାରିତ ସଂଗୀତ ଶିଶୁସାହିତ୍ୟ ପତ୍ରିକାରେ ଅନ୍ତର୍ଭୁକ୍ତ କରିବା ।

 

୯. ସରକାରଙ୍କ ପକ୍ଷରୁ ଶିଶୁ ସାହିତ୍ୟ ପାଇଁ ଉଦ୍‌ଯୋଗ

(୧)

ବିଭିନ୍ନ ଶିଶୁପୁସ୍ତକ ଓ ପତ୍ରିକାମାନ ଅଳ୍ପ ମୂଲ୍ୟରେ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କୁ ଯୋଗାଇଦେବା ଏବଂ ଏହି ବିଦ୍ୟାଳୟମାନଙ୍କୁ ଯୋଗାଇଦେବା ଏବଂ ଏହି ବିଦ୍ୟାଳୟମାନଙ୍କରେ ପୁରସ୍କାର ଵିତରଣୀ ସଭାରେ ପ୍ରତ୍ୟେକ ପୁରସ୍କାର ପାଇଁ ଏଭଳି ପୁସ୍ତକ ପିଲାଙ୍କ ହାତରେ ଦେବା ।

(୨)

ପ୍ରତ୍ୟେକ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଗୋଟିଏ ଲେଖାଏଁ ପାଠାଗାର ଗଠନ କରିବା ।

(୩)

ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ଶିଶୁ- ସାହିତ୍ୟର କର୍ମଶାଳାମାନ ଆୟୋଜନ କରିବା-

(୪)

ଶିଶୁସାହିତ୍ୟ ଏକାଡେମୀକୁ ସ୍ଵୀକୃତି ଦେବା ।

 

୧୦. ଶେଷକଥା ।

ବର୍ତ୍ତମାନ ଆମ ପାଖରେ ମିଳୁଥବା ଶିଶୁସାହିତ୍ୟ ପତ୍ରିକାମାନ ଶିଶୁ ବ୍ୟକ୍ତିତ୍ୱର ଗୋଟିଏ ମୁଖ୍ୟ ଦିଗ ବ୍ୟତୀତ ଅନ୍ୟ ଦିଗଗୁଡ଼ିକୁ ସମସ୍ତେ ଅଳ୍ପ ବହୁତେ ବିକଶିତ କରିବାରେ ତତ୍‌ପର ହୋଇଛନ୍ତି । ଯେଉଁ ଦିଗଟିର ଆଶାନୁରୂପ ଅଭିବୃଦ୍ଧି ହୋଇପାରିନାହିଁ ତାହା ହେଉଛି ଶିଶୁର ମାନସିକ ବିକାଶ ଏବଂ ନିର୍ଦ୍ଦିଷ୍ଟ ଭାବରେ କହିବାକୁ ଗଲେ ଶିଶୁର ସ୍ଵଜନାତ୍ମକ ଅଭିବୃଦ୍ଧି । ଏଥିପାଇଁ ଶିଶୁ ସାହିତ୍ୟିକ ଏବଂ ଶିଶୁ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କ ଶିଶୁ ସୃଜନଶୀଳତାର ଅଜ୍ଞତା ହିଁ ବିଶେଷ ଭାବରେ ଦାୟୀ । କାରଣ ସେମାନେ ଶିଶୁ ମନସ୍ତତ୍ତ୍ୱ ଏବଂ ନିର୍ଦ୍ଦିଷ୍ଟ ଭାବରେ ସ୍ୱଜନଶୀଳତାର ମନସ୍ତତ୍ତ୍ଵ ବିଷୟରେ ତାଲିମପ୍ରାପ୍ତ ବା ଅଭିଜ୍ଞ ନୁହନ୍ତି । ଜଣେ ଶିକ୍ଷାବିତ୍‌ ଯଥାର୍ଥରେ କହିଛନ୍ତି, ‘‘ଯେଉଁ ଦେଶ ନିଜର ନାଗରିକମାନଙ୍କର ସ୍ୱଜନଶୀଳତା ବା ସୃଷ୍ଟିଶୀଳତାକୁ ଉତ୍ସାହିତ ତଥା ତ୍ଵରାନ୍ୱିତ କରି ନପାରେ ସେ ଦେଶର ପ୍ରକୃତ ପ୍ରଗତି ଅସମ୍ଭବ । ଆମର ବହୁ ପରିଚିତ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ କହନ୍ତି, ‘‘Imagination is more important than knowledge’’ - କଳ୍ପନା ଜ୍ଞାନଠାରୁ ମହତ୍ତର । ପ୍ରତ୍ୟେକ ଶିଶୁ ପ୍ରକୃତିଗତ ରୂପେ ସୃଷ୍ଟିଶୀଳ ବା ସୃଜନଧର୍ମୀ । ପ୍ରତ୍ୟେକଙ୍କ ପାଖରେ କଳ୍ପନାର ସୌଧ ମହଜୁଦ୍‌ ଅଛି । ଅଭାବ ରହିଛି ଆମଠାରେ, ତାକୁ ଏକ ଭିନ୍ନ ଦୃଷ୍ଟିରୁ ଦେଖିବାରେ; ତାକୁ ପରମ୍ପରାମୁକ୍ତ ସ୍ଵାଧୀନତା ଦେବାରେ, ତା’ର ଆଶା ଓ କଳ୍ପନାକୁ ତେଜୀୟାନ କରିବାରେ, ତା’ ହାତରେ ସେମିତି ଶିଶୁ ସାହିତ୍ୟ (ପୁସ୍ତକ/ପତ୍ରିକା) ଦେବାରେ । ଆଜିକାର ପ୍ରତ୍ୟେକ ଶିଶୁସାହିତ୍ୟିକ, ଶିଶୁସାହିତ୍ୟାନୁରାଗୀ, ଆଶାୟୀ ଗୁରୁସମାଜ ତଥା ପିତାମାତାଙ୍କ ପାଇଁ ସୃଜନଶୀଳତାକୁ ଶିଶୁସାହିତ୍ୟ ତଥା ପତ୍ରିକାରେ ସ୍ଥାନ ଦେଇ ଶିଶୁ ବ୍ୟକ୍ତିତ୍ୱର ସୃ‌ଜନଶୀଳତାକୁ ବିକାଶ କରିବା ଏକ ସୁଯୋଗ ତଥା ଏକ ଆହ୍ୱାନ ।

 

References :

Burt, Cyril :

The Meaning and Assessment of Intelligence, In Paul Halmos & Alan Iliffe (Ed) Readings in General Psychology, London: Routledge & Routledge & Kegan Paul; 1958, Pp65-84.

Ganesan, Vedagiri :

Contributions of Wallach and Cogan to Creativity Research, Indian Education, Jan. 1979, Pp131-135.

Hota, Ashok Kumar:

Creativity & Play in our Schooling. The Journal of the Board of Secondary Education, Orissa, 1989, Oct.-Dec. Vol-13, No.4, Pp7-13.

John, Bowlby :

The Roots of Human Personality. In Paul Halmos & Alan Iliffe (Ed) Readings in General Psychology, London; Routledge & Routledge & Kegan Paul, 1958, Pp108-129. Measuring Intellingence with Culture, Fair Tests, Manual & Scale, 2&3.

ମିଶ୍ର, ଗୋପାଳ ଚନ୍ଦ୍ର :

ଆଧୁନିକ ଓଡ଼ିଆ ସାହିତ୍ୟର ଗତିପଥ । ଫେଣ୍ତର୍ସ ପବ୍ଳିଶରସ୍‌, ୧୯୬୫, ପୃ- ୮୮-୯୬।

ମହାନ୍ତି, ବଂଶୀଧର :

ଓଡ଼ିଆ ପତ୍ରପତ୍ରିକାର କ୍ରମବିକାଶ, ପ୍ରଜାତନ୍ତ୍ର ୪୨ତମ ବାର୍ଷିକ. ସଂଖ୍ୟା, ପୃ-୧-୫ ।

ମହାନ୍ତି, ମନୀନ୍ଦ୍ର :

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଶିଶୁ-ସାହିତ୍ୟ, ପ୍ରଜାତନ୍ତ୍ର, ୪୨ ତମ ବାର୍ଷିକ ସଂଖ୍ୟା, ପୃ-୧୧-୧୮

 

 

ଶିକ୍ଷାବିଭାଗ, ସିନାପାଲି କଲେଜ,

କଳାହାଣ୍ଡି- ୭୬୬୧୦୮

 

***

 

ଓଡ଼ିଆ ଭାଷାର ସଙ୍କଟ, ସୁରକ୍ଷା ଓ ସମୃଦ୍ଧି

ଅଧ୍ୟାପକ ବିନୋଦ ବିହାରୀ ବିକ୍ରମ

 

ଭାଷା ସାହିତ୍ୟର ବାହକ । ମନୁଷ୍ୟର ବାଗ୍‌ଯନ୍ତ୍ରନିଃସୃତ ଅର୍ଥବହ ସାର୍ଥକ ଧ୍ଵନିସମଷ୍ଟି ହେଉଛି ଭାଷା । ଭାଷା ମାଧ୍ୟମରେ ମନୋଭାବ ବ୍ୟକ୍ତ କରାଯାଇଥାଏ । କାଳେ କାଳେ ଭାଷାର ପରିବର୍ତ୍ତନ ସାଧିତ ହୋଇଥାଏ । ଫଳରେ ଭାଷାର ପ୍ରକାଶଭଙ୍ଗୀ ଓ ଆଙ୍ଗିକତାରେ ତାରତମ୍ୟ ଘଟିଥାଏ । ସେଥିପାଇଁ ଚର୍ଯ୍ୟାଗୀତିକାର ଭାଷା ଏବଂ ବର୍ତ୍ତମାନର ଓଡ଼ିଆ ଭାଷା ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ଓଡ଼ିଆ ଜାତିର ଉଦ୍ଭବ ସହିତ ତା’ର ଭାଷାର ସୃଷ୍ଟି ହୋଇଛି । ଖ୍ରୀ.ପୂ. ତୃତୀୟ ଶତକରୁ ଅଶୋକଙ୍କର ଅନୁଶାସନ ଓଡ଼ିଶାର ପ୍ରାଚୀନତମ ଭାଷା ଓ ଲିପିର ସଙ୍କେତ ବହନ କରିଛି-। ସେହିକାଳରୁ ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଆ ଭାଷା ତଥା ଲିପିର ବିକାଶ ଘଟିଛି ।

 

ପଞ୍ଚଦଶ ଶତାବ୍ଦୀରେ ଆଜିର ଲୋକକଥିତ ଓଡ଼ିଆ ଭାଷା ଓ ଲିଖିତ ଓଡ଼ିଆ ଲିପିର ଅଭୂତପୂର୍ବ ବିକାଶ ଘଟିଛି। ସେତେବେଳକୁ ସଂସ୍କୃତ ଭାଷାର ପ୍ରାଧାନ୍ୟ ଥିଲା । ଶୁଦ୍ରମୁନି ସାରଳା ଦାସ ସାଂସ୍କୃତିକ ବିପ୍ଳବର ସୂତ୍ରପାତ ଘଟାଇ କଥିତ ଭାଷାକୁ ସାହିତ୍ୟର ମର୍ଯ୍ୟାଦା ଦେଇ ଓଡ଼ିଆ ମହାଭାରତର ଉତ୍ତୁଙ୍ଗ ପୀରାମିଡ଼ ସୃଷ୍ଟି କରିଗଲେ । ଷୋଡ଼ଶ ଶତାବ୍ଦୀରେ ପଞ୍ଚସଖା ଯୁଗରେ ସେହିପରି ବଳରାମ ଦାସ । କଥିତ ଭାଷାକୁ ସାହିତ୍ୟର ସୌକୁମାର୍ଯ୍ୟରେ ମଣ୍ଡିତ କଲେ । ଏଥିପାଇଁ ସେମାନଙ୍କୁ କମ୍‌ ସାମାଜିକ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିନାହିଁ । ଜଗନ୍ନାଥ ଦାସ ‘ମାନକ ଓଡ଼ିଆ ଭାଷା’ (Standard Odia Language) ରେ ଯେଉଁ ଭାଗବତ ସୃଷ୍ଟି କରିଗଲେ, ତାହା ଅଦ୍ୟାବଧି ଓଡ଼ିଆ ଭାଷାର ଆଦର୍ଶ ହୋଇ ରହିଛି । ମାତ୍ର ରୀତିଯୁଗରେ ଲିଖିତ ଓଡ଼ିଆ ଭାଷାକୁ ସଂସ୍କୃତ ସହିତ ସମକକ୍ଷ କରିବା ପାଇଁ ଚେଷ୍ଟା କରାଗଲା ।

 

ଏକଦା ଗଙ୍ଗା ଗୋଦାବରୀ ରାଜ୍ୟ ସହିତ ଓଡ଼ିଆ ଭାଷା ସାହିତ୍ୟ ମଧ୍ୟ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତି ଲାଭ କରିଥିଲା । କେବଳ ସେତିକି ନୁହେଁ, ଓଡ଼ିଆ ଭାଷାର ବହୁ ପ୍ରାଚୀନ ସୂଚନା ମଧ୍ୟ ସିଂହଳ, ଜାଭା, ବାଲି ପ୍ରଭୃତି ସୁଦୂର କଳିଙ୍ଗ ଉପନିବେଶର ରାଜ୍ୟମାନଙ୍କରୁ ମିଳୁଅଛି । କାଳକ୍ରମେ ଓଡ଼ିଆ ଭାଷା ବ୍ୟାପ୍ତିର ସୀମା କ୍ରମଶଃ ସଙ୍କୁଚିତ ହୋଇଆସିଲା ।

 

ପରବର୍ତ୍ତୀ କାଳରେ ବିଭିନ୍ନ ସମୟରେ ଓଡ଼ିଶା ୧୯୩୬ ମସିହା ପର୍ଯ୍ୟନ୍ତ ବଙ୍ଗ, ବିହାର, ମଧ୍ୟପ୍ରଦେଶ ଏବଂ ମାଡ୍ରାସ ପ୍ରେସିଡେନ୍‌ସି ସହିତ ମିଶି ରହିବା ଫଳରେ ତା’ର ନିଜତ୍ୱ ହରାଇ ବସିଲା । ଏହି ସମୟରେ ଓଡ଼ିଆ ଭାଷା ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହେଲା । ବଙ୍ଗାଳୀମାନେ ଓଡ଼ିଆ ଭାଷାର ବିଲୋପ ସାଧନ ପାଇଁ ଚକ୍ରାନ୍ତ କଲେ । ୧୮୩୭ ମସିହାରୁ ଓଡ଼ିଆ ଭାଷା ବିରୁଦ୍ଧରେ ଏକ ପ୍ରକାର ଆନ୍ଦୋଳନର ସୂତ୍ରପାତ ହୋଇ ୧୮୬୮ରୁ ୧୮୭୦ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଏହା ତୀବ୍ରତର ହେଲା ।

 

୧୮୬୮ ଡିସେମ୍ବର ମାସରେ ପ୍ରତ୍ନତତ୍ତ୍ଵବିତ୍‌ ରାଜେନ୍ଦ୍ରଲାଲ ମିତ୍ର ଓଡ଼ିଆ ଭାଷା ବିରୁଦ୍ଧରେ ମତ ଦେଇ କଟକ ଡିବେଟିଂ କ୍ଳବରେ ତାଙ୍କ ଭାଷଣରେ ପ୍ରକାଶ କରିଥିଲେ, ‘‘ଯଦି ଉତ୍କଳରେ ବଙ୍ଗଭାଷା ପ୍ରଚଳିତ ହୁଏ, ତେବେ ବଙ୍ଗଭାଷାରେ ପୁସ୍ତକମାନ ଏଠାରେ ଚଳିବ; ଆଉ ଏଠା ଲୋକେ ଅନାୟାସରେ ଉତ୍ତମ ପୁସ୍ତକ ପାଇପାରିବେ ।’’ ୧୮୬୯ ଜୁଲାଇ ମାସରେ ଉମାଚରଣ ହାଲ୍‌ଦାର ନାମକ ଜଣେ ବଙ୍ଗାଳୀ କର୍ମଚାରୀ ‘କଟକ ଷ୍ଟାର’ ପତ୍ରିକା ମାଧ୍ୟମରେ ବଙ୍ଗଳା ଅକ୍ଷରରେ ଓଡ଼ିଆ ପୁସ୍ତକ ଏବଂ ପତ୍ରପତ୍ରିକାମାନ ମୁଦ୍ରଣ କରିବା ଲାଗି ପ୍ରଚାର କରିଥିଲେ-। ତାଙ୍କର ଅଦ୍ଭୂତ ଯୁକ୍ତି ଥିଲା, ‘‘ଯେବେ ବଙ୍ଗଳା କାଗଜ, ବଙ୍ଗଳା କଲମ ଓ ସିହାଇରେ ଉତ୍କଳ ଅକ୍ଷର ଲେଖାଗଲା, ତେବେ ବଙ୍ଗଳା ଅକ୍ଷରରେ କି ପାଇଁ ଲେଖା ନ ହେବ ?’’ କଟକ ଆଇନ ମହାବିଦ୍ୟାଳୟର ଜନୈକ ଅଧ୍ୟାପକ ରାଜକୃଷ୍ଣ ମୁଖୋପାଧ୍ୟାୟ ମଧ୍ୟ ଓଡ଼ିଶାରେ ଓଡ଼ିଆଭାଷା ପରିବର୍ତ୍ତେ ବଙ୍ଗଳା ଭାଷା ପ୍ରଚଳନ ନିମିତ୍ତ ମନ୍ତବ୍ୟ ଦେଇଥିଲେ । ଏହି ସମୟରେ ୧୮୬୯ ମସିହାରେ ଉତ୍କଳୀୟ ବଙ୍ଗାଳୀମାନଙ୍କ ପକ୍ଷରୁ ବିଦ୍ୟାଳୟମାନଙ୍କରେ ଓଡ଼ିଆଭାଷା ସ୍ଥାନରେ ବଙ୍ଗଳା ଭାଷା ପ୍ରଚଳନ ନିମନ୍ତେ ଅପଚେଷ୍ଟା କରାଯାଇଥିଲା । ବାଲେଶ୍ଵର ଜିଲ୍ଲା ସ୍କୁଲସମୂହର ଇନ୍‌ସପେକ୍ଟର ଶିବଦାସ ଭଟ୍ଟାଚାର୍ଯ୍ୟ ମଧ୍ୟ ଓଡ଼ିଆ ଭାଷା ଉଚ୍ଛେଦ ନିମନ୍ତେ ଚେଷ୍ଟା କରିଥିଲେ । କେବଳ ସେତିକି ନୁହେଁ, ୧୮୭୦ ମସିହାରେ ବାଲେଶ୍ଵର ଭର୍ଣ୍ଣାକୁଲାର ସ୍କୁଲର ଶିକ୍ଷକ କ୍ରାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ‘ଉଡ଼ିୟା ସ୍ଵତନ୍ତ୍ର ଭାଷା ନୟ’ ନାମରେ ଏକ ପୁସ୍ତକ ରଚନା କରି ପ୍ରଚାର କରିଥିଲେ । କଲିକତାରୁ ପ୍ରକାଶିତ ‘ଇଣ୍ଡିଆନ୍‌ ମିରର୍‌’ ସମ୍ବାଦପତ୍ରରେ ଏହି ମତ ସପକ୍ଷରେ ଲେଖା ପ୍ରକାଶିତ ହୋଇଥିଲା ।

 

ଓଡ଼ିଆ ଭାଷାକୁ ବଙ୍ଗଳାର ଉପଭାଷା ବୋଲି ପ୍ରତିପାଦିତ କରିବା ତଥା ଶିକ୍ଷାକ୍ଷେତ୍ରରୁ ଓଡ଼ିଆ ଭାଷାକୁ ଉଠାଇ ଦେବାର ଏତାଦୃଶ ହୀନ ଚକ୍ରାନ୍ତ ଜନ୍‌ବୀମ୍‌ସ, ରେଭେନ୍‌ସା ଏବଂ ମାର୍ଟିନ୍‌ଙ୍କ ପରି ଉତ୍କଳହିତୈଷୀ ସାହେବଙ୍କ ଉଦାରତା ହେତୁ ବିଫଳ ହୋଇଥଲା । ତତ୍କାଳୀନ ‘ବାଲେଶ୍ଵର ସମ୍ବାଦ ବାହିକା ? ଏବଂ ‘ଉତ୍କଳ ଦୀପିକା’ ଆଦି ପତ୍ରିକା ମାଧ୍ୟମରେ ଫକୀର ମୋହନ ସେନାପତି, ଗୌରୀଶଙ୍କର ରାୟ ପ୍ରମୂଖ ଓଡ଼ିଆ ଭାଷା ବିଲୋପ ପ୍ରୟାସ ବିରୁଦ୍ଧରେ ଦୃଢ଼ ସ୍ଵର ଉତ୍ତୋଳନ କରିଥିଲେ । ଓଡ଼ିଶାରେ ବଙ୍ଗଳା ଭାଷାର ପ୍ରଚଳନ ବିରୋଧରେ ଚେଷ୍ଟା କରି ସରକାରଙ୍କ ଦ୍ୱାରା ଓଡ଼ିଆ ଭାଷାକୁ ସ୍ଵତନ୍ତ୍ର ଭାଷାରୂପେ ସ୍ଵୀକୃତ କରାଇ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବିଚିତ୍ରାନନ୍ଦ ଦାସ ଥିଲେ ଅଗ୍ରଗଣ୍ୟ । ସେ ଲେଖିଥିଲେ -

 

‘‘ଟାଣ ପଣେ ଜଣେ ସିହାଣ ଭାଣ୍ଡରୁ ଯତନେ ପିହାଣ ଫେଡ଼ି

ବଙ୍ଗଳା ଅକ୍ଷରେ ଓଡ଼ିଆ ଲେଖିବା ବିଧିକି ଦେଇଛି ଇଡ଼ିରେ ।

ପାଇ ଏ ବିଧାନ ଚାଟଙ୍କ ପ୍ରଧାନ କରୁଛନ୍ତି ଯେତେ ନାଟ

ତା’ ଦେଖି ମୁଁ ଭାଳେ ପରଚଛୁ ଦେଲେ କଣାଙ୍କୁ ଦିଶିବ ବାଟରେ ।’’

 

ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧିର ଆଭିମୁଖ୍ୟ ନେଇ ୧୮୬୭ ମସିହାରେ “ଉତ୍କଳ ଭାଷୋଦ୍ଦିପନୀ ସଭା’ର ଶୁଭାରମ୍ଭ ହୋଇଥିଲା । ‘‘କି ରୂପେ ଉତ୍କଳ ଭାଷା ଉନ୍ନତ ହେବ ଓ ସର୍ବସାଧାରଣର ଉତ୍କର୍ଷ ସାଧନରେ ଯନ୍ନବାନ ହେବ ଏବଂ ସରକାରୀ ମହକୁମାମାନଙ୍କରେ ବର୍ତ୍ତମାନ ଚଳିତ ଥିବା ମିଶ୍ରିତ ଭାଷା ପରିବର୍ତ୍ତନରେ ବିଶୁଦ୍ଧ ଉତ୍କଳ ଭାଷା ଚଳନ ହେବ ଓ କେବଳ ଉପଯୁକ୍ତ ବ୍ୟକ୍ତିମାନେ ଅମଲାଗିରି କର୍ମ କରିପାରିବେ - ଏହି ସମସ୍ତ ଏ ସଭାର ଉଦ୍ଦେଶ୍ୟ ।’’ (୧)

 

ବଙ୍ଗାଳୀମାନଙ୍କ ଚକ୍ରାନ୍ତ ଯୋଗୁ ଓଡ଼ିଆ ଭାଷା ଉପରେ ଉପରୋକ୍ତ ବିପତ୍ତି ଏତିକିରେ ସରିଲା ନାହିଁ । ୧୮୭୧ ମସିହାରେ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ଥିଲା ଦକ୍ଷିଣ ଓଡ଼ିଶା କୋର୍ଟକଚେରୀର ଭାଷା । ସେଠାରେ ବହୁ ଜନ ଆନ୍ଦୋଳନ ଫଳରେ ତେଲୁଗୁ ପରିବର୍ତ୍ତେ ଓଡ଼ିଆ ଭାଷା କୋର୍ଟକଚେରୀର ଭାଷା ରୂପେ ସ୍ଵୀକୃତି ଲାଭକଲା । ପୁଣି ସମ୍ବଲପୁରର କୋର୍ଟକଚେରୀରେ ୧୮୯୫ ମସିହାରୁ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ଭାଷା ପ୍ରଚଳିତ ହେଲା । ବହୁ ଜନ ଅସନ୍ତୋଷ ଓ ଆନ୍ଦୋଳନ ଫଳରେ ସେଠାରେ ଓଡ଼ିଆ ଭାଷାର ପୁନଃପ୍ରଚଳନ କରାଯାଇଥିଲା । ସେତେବେଳ ମାତୃଭାଷାର ଦୁର୍ଗତି ଦେଖି ସଂଗୀତଜ୍ଞ କବି ଦାମୋଦର ପଟ୍ଟନାୟକ ‘ସମ୍ୱଲପୁର ହିତୈଷିଣୀ’ ପୃଷ୍ଠାରେ ଏକ ସଙ୍ଗୀତ ଲେଖିଥିଲେ -

 

‘‘ରହନା ରହନା ଆଉ ଅଚିନ୍ତାରେ ମନ

ଅଚିନ୍ତାରେ ଆଉ ମନ ଅଚିନ୍ତାରେ ମନ ।

ଦେଖୁ ଦେଖୁ ମାତୃଭାଷା ଅଙ୍ଗର ଛେଦନ

ସ୍ୱର୍ଗରୁ ବଳି ଜନନୀ ସଂସାରରେ ସୁଖମଣି

ତା’ର ଦୁର୍ଦ୍ଦଶା ଶୁଣି ସହେ କି ଜୀବନ।’’ ଇତ୍ୟାଦି ।

 

ସମ୍ବଲପୁରର ଓଡ଼ିଆ ଭାଷା ଆନ୍ଦୋଳନରେ ଗଙ୍ଗାଧର ମେହେର ଥିଲେ ସକ୍ରିୟ ସଦସ୍ୟ-। ସେଠାରେ ଦେଖାଦେଇଥିବା ଭାଷା ଆନ୍ଦୋଳନକୁ ସମର୍ଥନ କରି ମଧୁସୂଦନ ଦାସ ବହୁ ପ୍ରତିବାଦପତ୍ର ପ୍ରକାଶ କରିଥିଲେ । ୧୮୯୭ ମସିହାରେ ସେ ଲଣ୍ଡନ ଯାତ୍ର। କରି ସେଠାରେ ବହୁ ବ୍ରିଟିଶ ରାଜନୀତିଜ୍ଞମାନଙ୍କୁ ସାକ୍ଷାତପୂର୍ବକ ଓଡ଼ିଶା ତଥା ଓଡ଼ିଆ ଭାଷାର ଦୁର୍ଗତି ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ । ସେ ୧୯୦୦ ମସିହାରେ ଲର୍ଡ କର୍ଜନଙ୍କ ସମ୍ମୁଖରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ନିମନ୍ତେ ଦାବି ଉପସ୍ଥାପିତ କରିଥିଲେ ।

 

ଉନବିଂଶ ଶତାବ୍ଦୀରୁ ବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଓଡ଼ିଆ ଜାତି ତା’ର ଭାଷା ପାଇଁ ଓ ସ୍ଵତନ୍ତ୍ର ରାଜ୍ୟ ପାଇଁ ନିରବଚ୍ଛିନ୍ନ ସଂଗ୍ରାମ କରିଆସିଛି । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବିଚିତ୍ରାନନ୍ଦ ଦାସ, ଗୌରୀଶଙ୍କର ରାୟ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେରଙ୍କ ସମେତ ରାଧାନାଥ ରାୟ, ମଧୁସୂଦନ ଦାସ, ବୈକୁଣ୍ଠନାଥ ଦେ, ପଣ୍ଡିତ ଗୋବିନ୍ଦ ରଥ, ଗୋପାଳ ଚନ୍ଦ୍ର ପ୍ରହରାଜ, ନନ୍ଦ କିଶୋର ଦାସ, ଗୋପବନ୍ଧୁ ଦାସ ପ୍ରମୁଖ; ପୁଣି ରେଭେନ୍‌ସା, ଜନ୍‌ବୀମ୍‌ସ, ଆମ୍‌ସ୍‌ସଟନ ଓ ମିଲର୍‌ସାହେବ ପ୍ରଭୃତି ଦେଶପ୍ରେମୀ, ପ୍ରଶାସକ, ସାହିତ୍ୟିକ, ଆଲୋଚକ ଓ ସାମ୍ବାଦିକମାନେ ଯେଉଁ ଅକ୍ଳାନ୍ତ ପରିଶ୍ରମ ତଥା ତ୍ୟାଗ ସ୍ଵୀକାର କରିଯାଇଛନ୍ତି, ସେଥିପାଇଁ ସେମାନେ ଚିର ସ୍ମରଣୀୟ ହୋଇ ରହିଥିବେ ।

 

ଏମାନଙ୍କ ବ୍ୟତୀତ ନାଟ୍ୟକାର ଜଗନ୍ମୋହନ ଲାଲା ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବହୁ ଚେଷ୍ଟା କରିଥିଲେ । ଓଡ଼ିଶାର କଚେରୀରୁ ପାର୍ସୀ ଭାଷା ବିଲୋପ କରି ବିଶୁଦ୍ଧ ଓଡ଼ିଆ ଭାଷା ପ୍ରଚଳନ ନିମନ୍ତେ ସେ ଆପ୍ରାଣ ଉଦ୍ୟମ କରିଥିଲେ ।

 

୧୯୦୩ ମସିହାରେ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଗଠିତ ହେଲା । ଏହାର ପ୍ରଧାନ ଲକ୍ଷ୍ୟ ଥିଲା ସ୍ଵତନ୍ତ୍ର ଓଡ଼ିଆ ଭାଷାଭାଷୀ ପ୍ରଦେଶ ଗଠନ । ୧୯୩୬ ମସିହା ଅପ୍ରେଲ ପହିଲାରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେବା ସତ୍ତ୍ଵେ ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଜଳ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଏବଂ ପଶ୍ଚିମ ବଙ୍ଗରେ ରହିଗଲା । ସେସବୁ ବିଚ୍ଛିନ୍ନାଞ୍ଚଳରେ ଏବେ ମଧ୍ୟ ଲକ୍ଷ ଲକ୍ଷ ଓଡ଼ିଆ ରହିଛନ୍ତି । ସେମାନଙ୍କର ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ଏବେ ବି ବହୁ ଦାବି ଓ ଆନ୍ଦୋଳନ ଚାଲୁରହିଛି ।

 

୧୯୫୦ ମସିହାରେ ଭାରତୀୟ ସମ୍ବିଧାନରେ ଓଡ଼ିଆ ଭାଷା ୧୫ଟି ଭାଷା ମଧ୍ୟରେ ସ୍ଵୀକୃତି ଲାଭକଲା । ୧୯୫୪ ମସିହାରୁ ଓଡ଼ିଆ ଭାଷା ସରକାରୀ ଭାଷା ହେବାପାଇଁ ରାଜ୍ୟ ବିଧାନ ସଭାରେ ଚୂଡ଼ାନ୍ତ ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ୧୯୮୫ ଅପ୍ରେଲ ପହିଲାଠାରୁ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ରାଜ୍ୟର ସବୁ ସରକାରୀ ବେସରକାରୀ କାର୍ଯ୍ୟାଳୟମାନଙ୍କରେ ପ୍ରଚଳନ ନିମିତ୍ତ ଉଦ୍ୟମ ହେଲା । ତାହା କିଛିକାଳ ଚାଲୁରହି ପରବର୍ତ୍ତୀ କାଳରେ ସ୍ଥାଣୁ ହୋଇ ପଡ଼ିରହିଲା; ମାତ୍ର ଏବେ ତାହା ପୁନର୍ବାର କାର୍ଯ୍ୟକାରୀ ହେବାର ପ୍ରଚେଷ୍ଟା ଚାଲୁରହିଛି ।

 

ମୋଟ ଉପରେ କହିବାକୁ ଗଲେ ଯେଉଁଠି ଭାଷା ହୁଏ ଉପେକ୍ଷିତ, ଅନାଦୃତ ଓ ଅସ୍ଵୀକୃତ - ସେଠାରେ ସେ ସାହିତ୍ୟର ଉନ୍ନତି ସମ୍ଭାବନା ପ୍ରଶ୍ନ ସମ୍ପୂର୍ଣ୍ଣ ଅବାସ୍ତବ ଓ ଅବାନ୍ତର । ଏକଦା ଓଡ଼ିଆ ଭାଷାର ଦୁର୍ଗତିକୁ ଲକ୍ଷ୍ୟକରି ଫକୀର ମୋହନ ସେନାପତି ଚେତାବନୀ ଦେଇ ‘‘ଉତ୍କଳ ଭାଷାର ଭୂତ ଭବିଷ୍ୟତ’’ ପ୍ରବନ୍ଧରେ ଲେଖିଥିଲେ, ‘‘ଆମ୍ଭେମାନେ ଜଗତର ଇତିହାସରେ ସୁସ୍ପଷ୍ଟ ରୂପେ ଦେଖିବାକୁ ପାଉଁ, ମାତୃଭାଷା ହରାଇ କୌଣସି ଜାତି ଉନ୍ନତି ଲାଭ କରିପାରି ନାହାନ୍ତି । ଏହାର ମଧ୍ୟ ଶତ ଶତ ପ୍ରମାଣ ବିଦ୍ୟମାନ ଅଛି, ମାତୃଭାଷାର ଅନାଦରକାରୀ ଏବଂ ଅବଜ୍ଞାକାରୀ ଜାତିର ଅବନ୍ନତି ଏବଂ ବିନାଶ ଅନିବାର୍ଯ୍ୟ ଅଟେ ।’’ ସେ ଯଥାର୍ଥରେ ଲେଖିଥିଲେ,

 

‘‘କର ନିଜ ଦେଶ ପୁଣି ଭାଷାର ଉନ୍ନତି,

ଲାଗିପଡ଼, ଘୁଞ୍ଚିଯାଉ ଜାତିର ଦୁର୍ଗତି ।’’

(ଉତ୍କଳ ଭ୍ରମଣଂ)

 

ଫକୀର ମୋହନ ପୁଣି ‘ଉତ୍‌ଥାନ ସଙ୍ଗୀତ’ କବିତାରେ କହିଅଛନ୍ତି,

ନକରିଲେ ମାତୃଭାଷାର ଉନ୍ନତି

ଘୁଞ୍ଚିବ କି କେବେ ଦେଶର ଦୁର୍ଗତି ?’’

(ଅବସର ବାସରେ)

 

ରାଧାନାଥ ରାୟ ଓଡ଼ିଆ ଭାଷାର ଭବିଷ୍ୟତ ପ୍ରତି ଆଶାନ୍ୱିତ ହୋଇ ଏହାର ସମୃଦ୍ଧିକଳ୍ପେ ସୂଚାଇଥିଲେ,

 

‘‘ପାହିଲାଣି ଘୋର ତାମସୀ ରଜନୀ

ଫୁଟିବ ଉତ୍କଳ ଭାଷା -କମଳିନୀ ।’’

(ଚିଲିକା)

 

ଗଙ୍ଗାଧର ମେହେର ମାତୃଭାଷାର ମହତ୍ଵ ଉପଲବ୍‌ଧି କରି ‘ଉଦ୍‌ବୋଧନ’ କବିତାରେ ଘୋଷଣା କରିଥିଲେ,

‘‘ଯା ଭାଷା ଦୁର୍ବଳା ସେ ନିଶ୍ଚେ ଅଧମ

କାହିଁ ହେବ ଆନେ ପ୍ରତିଯୋଗେ କ୍ଷମ ?

 

ଯା’ ଭାଷା ଦୁର୍ବଳା କାହିଁ ତା’ର ଜ୍ଞାନ ?

କାହିଁ ତା’ର ରାଜ ଦୁଆରେ ସମ୍ମାନ ?

ଉଚ୍ଚ ହେବା ପାଇଁ କର ଯେବେ ଆଶା,

ଉଚ୍ଚ କର ଆଗେ ନିଜ ମାତୃଭାଷା ।’’

 

ସେ ପୁଣି ଏହି କବିତାରେ କହିଛନ୍ତି,

‘‘ମାତୃଭାଷା ପୋଥି ଛୁଇଁବାକୁ କରେ

ଅନ୍ୟ କେଉଁ ଜାତି ଲଜ୍ଜା ବୋଧ କରେ ?

ମାତୃଭୂମି ମାତୃଭାଷାର ବଦନ

ଦୀପ୍ତ କର ଦେଇ ଧନ ଧ୍ୟାନ ମନ ।’’

(ଅର୍ଘ୍ୟଥାଳି)

 

ମାତୃଭାଷାର ଉନ୍ନତି ପାଇଁ ଗଙ୍ଗାଧରଙ୍କର ଅମର ପଦାବଳୀ ସ୍ମରଣୀୟ ହୋଇ ରହିଥିବ । କବି ଦୃପ୍ତ କଣ୍ଠରେ ଗାଇଥିଲେ,

 

‘‘ମାତୃଭୂମି ମାତୃ-            ଭାଷାରେ ମମତା

ଯା' ହୃଦେ ଜନମି ନାହିଁ,

ତାକୁ ଯେବେ ଜ୍ଞାନୀ-            ଗଣରେ ଗଣିବା

ଅଜ୍ଞାନ ରହିବେ କାହିଁ ?

(‘ମାତୃଭୂମି’ - ଅର୍ଘ୍ୟଥାଳି)

 

ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଉତ୍କଳୀୟ ଜାତୀୟ ଚେତନା ମୁଖ୍ୟତଃ ଭାଷାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିଲା । ସେତେବେଳେ ଓଡ଼ିଆ ଭାଷାରେ ନାଟକ ରଚନା କରିବା ଅସମ୍ଭବ ବୋଲି କେତେକ ଲୋକ ମନ୍ତବ୍ୟ ପ୍ରଦାନ କରୁଥିଲେ । ଏହାର ଉତ୍ତରରେ ରାମଶଙ୍କର ରାୟ ‘କାଞ୍ଚିକାବେରୀ’ ନାଟକର ପ୍ରସ୍ତାବନାରେ କହିଥିଲେ, ‘‘ଘଷା ଖାଇଲେ ସବୁ ସଜାଡ଼ି ହୋଇଯାଏ, ଲୁହା ତାରରୁ ମଧ୍ୟ ସୁସ୍ୱର ବାହାରେ । ନାଟକ ସଙ୍ଗରେ ଭାବର ସମ୍ପର୍କ ଅଛି, ଭାବ ହିଁ ତହିଁର ସାର, ଯେବେ ଓଡ଼ିଆମାନଙ୍କର ଭାବନା ଶକ୍ତି ଅଛି, ତେବେ ଭାଷା ନ ମିଳିବ କାହିଁକି ?’’ ଏଥିରୁ ରାମଶଙ୍କରଙ୍କର ଗଭୀର ଭାଷାପ୍ରୀତିର ପରିଚୟ ମିଳେ ।

 

କବି ଚିନ୍ତାମଣି ମହାନ୍ତି ‘କଳ୍ପନା କୁଞ୍ଜ’ କବିତା ଗୁଚ୍ଛର ‘ମାତୃଭାଷା’ କବିତାରେ ମାତୃଭାଷାକୁ ମହାମହୀୟସୀ ଦେବୀ ଭାବରେ ଆଖ୍ୟା ଦେଇଛନ୍ତି । କବିଙ୍କ ଭାଷାରେ,

 

‘‘ମହାମୟୀୟସୀ ଦେବୀ ମାତା ମାତୃଭାଷା,

ସଂସାର କାନ୍ତାରେ ତୁହି ମାନବର ଆଶା ।’’

(ଚିନ୍ତାମଣି ଗ୍ରନ୍ଥାବଳୀ, ତୃତୀୟ ଭାଗ)

 

ଗୋପାଳଚନ୍ଦ୍ର ପ୍ରହରାଜ ‘ଉତ୍କଳ ସମ୍ମିଳନୀ’, ‘ଉତ୍କଳ ସାହିତ୍ୟ ସମାଜ’ ପ୍ରଭୃତି ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥାଇ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା, ପ୍ରତିଷ୍ଠା ତଥା ଉନ୍ନତି କଳ୍ପେ ଆଜୀବନ ସାଧନା କରିଯାଇଛନ୍ତି । ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ପ୍ରଣୟନ ଯୋଗୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସେ ଅମର ହୋଇ ରହିଥିବେ । ତାଙ୍କର ମାତୃଭାଷା ପ୍ରୀତି ଅତୁଳନୀୟ । ପାଶ୍ଚାତ୍ୟ ଶିକ୍ଷା, ସଭ୍ୟତା ତଥା ଇଂରେଜୀ ଭାଷାର ପ୍ରଭାବରେ ଆମେ କିପରି ନିଜସ୍ଵ ଭୁଲି, ବ୍ୟକ୍ତିତ୍ୱକୁ ଜଳାଞ୍ଜଳି ଦେବା ସଙ୍ଗେ ସଙ୍ଗେ ପ୍ରଗତିର ଦ୍ୱାହି ଦେଇ ମାତୃଭାଷା ଉପରେ କୁଠାରାଘାତ କରି ଚାଲିଛୁ, ତା’ର ଶାଣିତ ସମାଲୋଚନା ତାଙ୍କର ‘ଭାଗବତ ଟୁଙ୍ଗୀରେ ସଂଧ୍ୟା’ରେ ପ୍ରତିଫଳିତ । ପଣ୍ଡିତ ମହାଶୟଙ୍କ ସଂସ୍କୃତିଆ ଭାଷା, ମାଷ୍ଟର ମହାଶୟଙ୍କ ଇଂରେଜୀ ମିଶା ଓଡ଼ିଆ ଭାଷା, ମୁକ୍ତ୍ୟାର ବାବୁଙ୍କ କଚେରିଆ ଭାଷା ଏବଂ ସର୍ବୋପରି ଓଡ଼ିଶାରେ ବଙ୍ଗଳା ସଂକୀର୍ତ୍ତନର ପ୍ରସାର ତଥା ତା’ର ବିକୃତ ଉଚ୍ଚାରଣ ଓଡ଼ିଆ ଭାଷା ପ୍ରତି ଘୋର ଅବମାନନା ତଥା ଅନାଦରର ପରିଚାୟକ । ସେ ‘ଭାଗବତ ଟୁଙ୍ଗୀରେ ସଂଧ୍ୟା’ରେ ଓଡ଼ିଶାରେ ବଙ୍ଗଳା କୀର୍ତ୍ତନର ପ୍ରସାରକୁ ଲକ୍ଷ୍ୟ କରି ଟିପ୍ପଣୀ ଦେଇଛନ୍ତି, ‘‘କିରେ ବାବୁ ! ଓଡ଼ିଆ ଭାଷା ଥାଉଁ ଥାଉଁ ବଙ୍ଗଳା କାହିଁକି’’ ? (ତୃତୀୟ ସଂଧ୍ୟା)

 

ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଗୋପବନ୍ଧୁ ଦାସଙ୍କ ଅକ୍ଳାନ୍ତ ଉଦ୍ୟମ ଅବିସ୍ମରଣୀୟ । ତାଙ୍କର ଓଡ଼ିଆ ଭାଷାପ୍ରୀତି ସମ୍ପର୍କରେ ଡକ୍ଟର ବଂଶୀଧର ମହାନ୍ତି ଲେଖିଛନ୍ତି, ‘‘ସମାଜସେବା ଓ ରାଜନୀତି ବ୍ୟତୀତ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିକ୍ଷା, ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଶିକ୍ଷା ପାଇଁ ପାଣ୍ଠି ସଂଗ୍ରହ, ପ୍ରାଦେଶିକ ଭାଷା ସାହାଯ୍ୟରେ ଉଚ୍ଚ ଶିକ୍ଷା ପ୍ରଦାନ, ଓଡ଼ିଶା ତଥା ଭାରତର ଶିକ୍ଷା ସମସ୍ୟା, ଭାଷା ଓ ଜାତୀୟତା, ଓଡ଼ିଶାର ଶିକ୍ଷା ଆନ୍ଦୋଳନ, ଶିକ୍ଷା, ଶିକ୍ଷକ ଓ ଛାତ୍ର, ଓଡ଼ିଶା ତଥା ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ କଚେରୀ ଭାଷା କରିବା ପାଇଁ ଆନ୍ଦୋଳନ ପ୍ରଭୃତି ବିବିଧ ଭାଷା ସାହିତ୍ୟ ଉନ୍ନୟନମୂଳକ କାର୍ଯ୍ୟରେ ସେ ନିଜକୁ ବିନିଯୋଗ କରିଥିଲେ । ଭାରତର ଅନ୍ୟାନ୍ୟ ଭାଷା ସହିତ ଓଡ଼ିଆ ଭାଷାକୁ ସମକକ୍ଷ କରିବାପାଇଁ ସେ ଥିଲେ ସର୍ବଦା ଚେଷ୍ଟିତ । ଓଡ଼ିଆ ଭାଷାର ଉନ୍ନତି, ପ୍ରଚାର ଓ ପ୍ରସାର ପାଇଁ ଗୋପବନ୍ଧୁ ନିଜ ଜୀବନକୁ ତିଳ ତିଳ କରି ବିସର୍ଜନ କରିଛନ୍ତି । ଓଡ଼ିଶାରେ ଏ ପ୍ରକାର ଭାଷା ସାହିତ୍ୟପ୍ରେମୀ ଦେଶପ୍ରାଣ ତ୍ୟାଗୀ ଦେଶ ସେବକଙ୍କର ଆବିର୍ଭାବ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।’’ (୨)

 

କାଳର ଗତିରେ ଓଡ଼ିଆ ଭାଷାର ବହୁ ଉନ୍ନତି ସାଧିତ ହୋଇଛି । ଏହା ବହୁ ଭାଷା ପ୍ରଭାବରେ ପ୍ରଭାବିତ ହୋଇଅଛି । ଓଡ଼ିଆ ଭାଷା ଦ୍ରାବିଡ଼, ଆଦିବାସୀ, ପାର୍ସି-ଆରବୀ, ତୁର୍କୀ, ଇଂରାଜୀ, ପର୍ତ୍ତୁଗୀଜ ଆଦି ଭାଷାମାନଙ୍କ ସଂସ୍ପର୍ଶରେ ଆସି ସେସବୁ ଭାଷାମାନଙ୍କରୁ ବିପୁଳ ଶବ୍ଦସମ୍ଭାର ଆହରଣ କରିଛି । ଫଳରେ ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାର ବହୁ ଭାବରେ ସମୃଦ୍ଧ ହୋଇଛି । ତଥାପି ଏବେ ବି ଓଡ଼ିଆ ଭାଷା ବହୁ ସଙ୍କଟର ସମ୍ମୁଖୀନ । ଆମେ ମାତୃଭାଷାର ଯଥୋଚିତ ମର୍ଯ୍ୟାଦା ରକ୍ଷା କରିବାକୁ ସମର୍ଥ ହୋଇପାରୁ ନାହୁଁ । ଉପାନ୍ତ ଅଞ୍ଚଳମାନଙ୍କରେ ଓଡ଼ିଆ ଭାଷା କ୍ରମଶଃ ଲୋପ ପାଇବାକୁ ବସିଲାଣି । ଇଂରେଜମାନେ ଏ ଦେଶରୁ ବିଦାୟ ନେଇଥିଲେ ମଧ୍ୟ ଆମର ଦାସ ମନୋବୃତ୍ତି ଫଳରେ ଆମେ ଧାଡ଼ିଟିଏ ସୁଦ୍ଧା ଶୁଦ୍ଧ ଓଡ଼ିଆ ଭାଷାରେ କଥାବାର୍ତ୍ତା କରିପାରୁ ନାହୁଁ । କଥାକଥାକେ ଇଂରେଜୀ ଶବ୍ଦ ଉଚ୍ଚାରଣ ଓଡ଼ିଆ ଭାଷାକୁ ଖେଚୁଡ଼ି କରିଦେଲାଣି । ଆମର ଏଭଳି ଢଙ୍ଗକୁ ବ୍ୟଙ୍ଗ କରି ଫକୀର ମୋହନ କହିଥିଲେ,

 

“କେତେ ବାବୁମାନଙ୍କର ଦେଖିଛି ଦୁର୍ଦ୍ଦଶା,

ଲାଜମାଡ଼େ କହିବାକୁ ନିଜ ମାତୃଭାଷା ।

ନାଚାର ହାଲତେ ଯେବେ ହୁଏ କହିବାକୁ,

ବଡ଼ ହସମାଡ଼େ କିନ୍ତୁ ତାହା ଶୁଣିବାକୁ ।

ଓଡ଼ିଆ ଏଗାରପଣି ବାକି ଇଙ୍ଗରେଜୀ,

ଅଦ୍ଭୁତ ଖେଚୁଡ଼ି ଏକ ହୁଏ ମିଶି ସାଜି ।’’

(ଉତ୍କଳ ଭ୍ରମଣ)

 

ଏବେ ଇଂରେଜୀ ମାଧ୍ୟମ ବିଦ୍ୟାଳୟମାନଙ୍କର ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ଏଭଳି ବ୍ୟୟବହୁଳ ଶିକ୍ଷା ବ୍ୟବସ୍ଥା ଆମର ପିଲାମାନଙ୍କୁ ମାତୃଭାଷାରେ ଦୁର୍ବଳ କରିଦେଉଛି । ଆମର ପିଲାମାନେ ଖାଣ୍ଟି ଓଡ଼ିଆରେ ମା’, ବାପା ନ ଡାକି ମମି, ଡାଡ଼ି, ଡାକିବାରେ କି ମାଧୁର୍ଯ୍ୟ ରହିଛି ? ଆଜି ଆତ୍ମଚିନ୍ତନ ତଥା ଆତ୍ମସମୀକ୍ଷାର ସମୟ ଆସିଛି । ମାତୃଭାଷାର ଉନ୍ନତି ପାଇଁ ଆମେ ଅବିଳମ୍ବେ କେତୋଟି ଦିଗ- ସେଗୁଡ଼ିକ ମଧ୍ୟରେ ଉଲ୍ଲେଖଯୋଗ୍ୟ ହେଉଛି -

 

୧)

ଓଡ଼ିଆ ଭାଷାରେ କଥୋପକଥନ ଓ ଆଲୋଚନା କରିବା ଉଚିତ । ଓଡ଼ିଆରେ ବିକଳ୍ପ ପ୍ରତି - ଶବ୍ଦଟିଏ ଯଦି ଥାଏ, ତାକୁ ବ୍ୟବହାର କରିବାକୁ ପଶ୍ଚାଦ୍‌ପଦ ହେବା ଉଚିତ ନୁହେଁ-

୨)

ପିଲାମାନଙ୍କୁ ଓଡ଼ିଆ ବିଦ୍ୟାଳୟରେ ଶିକ୍ଷା ଦେବାକୁ ଶ୍ରେୟସ୍କର ମନେ କରାଯାଉ ।

୩)

ସଭାସମିତିମାନଙ୍କରେ ଓଡ଼ିଆ ଭାଷାରେ ଭାଷଣ ଦେବାକୁ ଅଗ୍ରାଧିକାର ଦିଆଯାଉ ।

୪)

ପ୍ରତି ମାସରେ କିଛି କିଛି ଓଡ଼ିଆ ପୁସ୍ତକ ଓ ପତ୍ରପତ୍ରିକା କ୍ରୟକରି ପଠନ କରିବା ଉଚିତ ।

୫)

ବିବାହ, ବ୍ରତାଦିରେ ଓଡ଼ିଆ ପୁସ୍ତକ ଉପହାର ଦେବାର ଆଗ୍ରହ ସୃଷ୍ଟି ହୋଉ ।

୬)

ସାହିତ୍ୟସଭାମାନଙ୍କରେ ଉତ୍ସାହର ସହିତ ଯୋଗ ଦେବା ଉଚିତ ।

୭)

ଓଡ଼ିଆ ଭାଷାରେ ଦରଖାସ୍ତ, ଚୁକ୍ତିପତ୍ର, ଅଭିଯୋଗପତ୍ର, ଦାବୀପତ୍ର, ସ୍ମାରକପତ୍ରାଦି ଲେଖାଯାଉ ।

୮)

ସମ୍ବାଦପତ୍ରମାନଙ୍କରେ ଓଡ଼ିଆ ଭାଷାରେ ସରକାରୀ ଓ ବେସରକାରୀ ବିଜ୍ଞାପନ/ବିଜ୍ଞପ୍ତିମାନ ଦିଆଯାଉ ।

୯)

ଚିଠିପତ୍ରମାନ ଓଡ଼ିଆରେ ଲେଖାଯିବା ସଙ୍ଗେ ସଙ୍ଗେ ଓଡ଼ିଶା ଭିତରେ ଚିଠିପତ୍ରର ଠିକଣା ଓଡ଼ିଆ ଭାଷାରେ ଲେଖାଯାଉ ।

୧୦)

ଉତ୍ସବାନୁଷ୍ଠାନମାନଙ୍କରେ ଓଡ଼ିଆ ସଂଗୀତକୁ ଶୀର୍ଷ ସ୍ଥାନ ଦିଆଯାଉ ।

୧୧)

ହିନ୍ଦୀ ଚଳଚ୍ଚିତ୍ର ପ୍ରତି ଆକୃଷ୍ଟ ନହୋଇ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ଅଗ୍ରାଧିକାର ଦିଆଯାଉ-

୧୨)

ନିମନ୍ତ୍ରଣ ପତ୍ରସବୁ ଓଡ଼ିଆ ଭାଷାରେ ମୁଦ୍ରିତ ହେଉ ।

୧୩)

ନାମ ଫଳକମାନ ଓଡ଼ିଆରେ ଲେଖାଯାଉ ।

୧୪)

ବ୍ୟବସାୟୀମାନେ ଓଡ଼ିଆ ଭାଷାର ବିଜ୍ଞାପନ ଫଳକମାନ ଟାଙ୍ଗନ୍ତୁ ।

୧୫)

ପ୍ରଚାରପତ୍ରମାନ ଓଡ଼ିଆ ଭାଷାରେ ଛାପାଯାଇ ବଣ୍ଟନ କରାଯାଉ ।

୧୬)

ଶିକ୍ଷକମାନେ ଛାତ୍ର ଉପସ୍ଥାନ ଓଡ଼ିଆ ଭାଷାରେ ପକାନ୍ତୁ ।

୧୭)

ସବୋପରି ଓଡ଼ିଆରେ ଦସ୍ତଖତ୍‌ କରାଯାଉ ।

 

ସାମ୍ପ୍ରତିକ ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ସ୍ଵାଭିମାନ ରକ୍ଷା କରିବାକୁ ବିପ୍ଳବୀ କବି ରବି ସିଂହଙ୍କର ଉକ୍ତି ସବୁରି ଧ୍ୟେୟ ହେବା ଉଚିତ -

 

‘‘ବଜ୍ଜାତ୍‌ ଯିଏ ଅବହେଳା କରେ ମାତୃଭାଷା

ସେଇ ବେଇମାନ ମୁଣ୍ଡରେ ହାଣ କୁରାଢ଼ି ଫାଶା

ଇସ୍‌ପାତ ଛୁରୀ ଲଗାଇ କାଟ ସେ ଶଳାର ତଣ୍ଟି

କେଶ କାଟିଦେଇ କରିଦିଅ ତାକୁ ସତର ବେଣ୍ଟି ।’’

 

ସଙ୍କେତ ସୂଚୀ -

୧.

ଉତ୍କଳ ଦୀପିକା (୧୮୬୭, ୨ୟ ଭାଗ, ୨୧ଶ ସଂଖ୍ୟା) - ସମ୍ପାଦନା : ଗୌରୀଶଙ୍କର ରାୟ ।

୨.

ଓଡ଼ିଆ ଭାଷା ଆନ୍ଦୋଳନ (ପ୍ରବନ୍ଧ ସଂକଳନ ୧୯୮୯, ପୃ ୩୪୦) ଡ଼ଃ ବଂଶୀଧର ମହାନ୍ତି, ପ୍ରକାଶକ- ଫ୍ରେଣ୍ଡସ୍‌ ପବ୍ଲିସର୍ସ, କଟକ ।

 

 

ଓଡ଼ିଆ ବିଭାଗ, ଧରଣୀଧର ମହାବିଦ୍ୟାଳୟ,

କେନ୍ଦୁଝର – ୭୫୮୦୦୧

 

***

 

Unknown

ମୋ ଦୃଷ୍ଟିରେ ପରିବର୍ତ୍ତିତ ସାମାଜିକ ସ୍ଥିତି ଓ ବ୍ୟକ୍ତି-ଜୀବନରେ

ଦୃଶ୍ୟ-କାବ୍ୟର ଭୂମିକା

ଶ୍ରୀ ରଣଜିତ ପଟ୍ଟନାୟକ

 

ମୋ ଦେଖାନ୍ତେକେ କେତେ କ’ଣ ବଦଳିଗଲା । ଜହ୍ନ ସଂକ୍ରାନ୍ତୀୟ ସମସ୍ତ ଆବେଗର ରାତାରାତି ମୃତ୍ୟୁ ହେଲା ଏବଂ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ବିଜ୍ଞାନଭିତ୍ତିକ ବିଜୟ ଜହ୍ନକୁ ଚନ୍ଦ୍ରରେ ରୂପାନ୍ତରିତ କଲା । ଆମ ସାହିର ଯେଉଁ ପଡ଼ିଆରେ କୋଡ଼ିଏ ପଇସା ଟିକଟ କାଟି ଆମେ କଣ୍ଢେଇନାଚ, ରାମଲୀଳା ଦେଖୁଥିଲୁ, ସେଠି ଏବେ କୋଡ଼ିଏ ଟଙ୍କା ଟିକଟ କାଟି ଆମେ ଦେଖୁଚୁ ବ୍ୟାବସାୟିକ ସଫଳତାର ଆତ୍ମଗାରିମାରେ ମସ୍‌ଗୁଲ୍‌ ଅପେରା, ‘‘ସୁର ସାର୍‌ଙ୍କ ସାନ ଝିଅ’’, ନହେଲେ ‘‘ଶାଗୁଣା ବସିଚି ଡେଣା ମେଲାଇ’’ । ଏଇ ଦେଖୁଦେଖୁ ଜନଜୀବନକୁ ଧସେଇ ପଶିଲା କ୍ୟାସେଟ୍‌ ପ୍ଲେୟାର, କମ୍ପ୍ୟୁଟର ପରି ଅତ୍ୟାଧୁନିକ, ଚକମକ ପଦାର୍ଥମାନ । ଚାଉଳ ବାଟି ଚିତା ପକେଇବା କ୍ରମଶଃ ପୁରୁଣାକାଳିଆ ପ୍ରଥା ବୋଲି ମନେହେଲା ଏବଂ ସେହି ସ୍ଥାନରେ ଲକ୍ଷ୍ମୀଙ୍କ ପାଦ ଚିହ୍ନିତ ଷ୍ଟିକର୍‌ମାନ ଆମ ଘର ଅଗଣାରେ ଲଗେଇ ଦିଆଗଲା । ମଣିଷ ଏମିତି ଆତ୍ମକୈନ୍ଦ୍ରିକ ହୋଇପଡ଼ିଲା ଯେ ପରସ୍ପର ମଧ୍ୟରେ ଭାବ, ଅଭାବର ଆଦାନ ପ୍ରଦାନ ପର୍ଯ୍ୟନ୍ତ ବନ୍ଦ ହୋଇଗଲା । ମୋଟାମୋଟି ‘‘ଘରମୁହାଁ ଜୀବ’’ ହୋଇ ଜୀବନ ଯାପନ କରିବାକୁ ମଣିଷ ଶ୍ରେୟସ୍କର ମନେକଲା । ୟେ’ ତା’ ଘରକୁ ବୁଲିଯିବା ସେ’ ୟା’ ଘରକୁ ବୁଲିଆସିବା ଚଳଣି କମିକମି ଆସିଲା । ଯାହା ବା ହୁଅନ୍ତା ବା ହୋଇଥାନ୍ତା, ଟେଲିଭିଜନ୍‌ ଅନ୍ତରାୟ ହେଲା । ପିଠା, ତରକାରୀ ଦିଆନିଆ ପର୍ଯ୍ୟନ୍ତ ବନ୍ଦ ହୋଇଗଲା ।

 

ପଡ଼ୋଶୀ ଘରର ସୁଖ ଦୁଃଖ, ଭଲମନ୍ଦ, ହାନିଲାଭ, ଭାବ-ଅଭାବରେ ଭାଗୀଦାର ହେବାକୁ ସମୟ ନଥିବା ଅତ୍ୟାଧୁନିକ ମଣିଷ ପାଖରେ ନାଟକ ଦେଖିବାକୁ ସମୟ ଅଛି ତ ? ନବରସସମ୍ବଳିତ ସୂକ୍ଷ୍ମ ଆବେଦନରୁ ସୃଷ୍ଟ ନାଟକର ଆଙ୍ଗିକ ତଥା ଆତ୍ମିକ ସୌନ୍ଦର୍ଯ୍ୟକୁ ତଳେଇ ଦେଖି କିମ୍ବା ବୁଝି ଆଜି ନାଟକକୁ କେଉଁ ଦର୍ଶକ ପ୍ରୋତ୍ସାହନ ଦେବ ?

 

ଦର୍ଶକଙ୍କ କଥା ଏତିକିରେ ଥାଉ । ଯୁଗେ ଯୁଗେ ରାଜକୀୟ ପ୍ରୋତ୍ସାହନ ପାଇ ହିଁ ନାଟ୍ୟ - କଳା ବିକଶିତ ହୋଇଛି । ସଂପ୍ରତି, ଆମ ଦେଶର ରାଜନୈତିକ ପଦ୍ଧତି ଯେମିତି କଳୁଷିତ ଏବଂ ରାଜନୈତିକ ଡୋର ସମ୍ଭାଳିଥିବା ରାଜନୀତିଜ୍ଞମାନେ ଯେଉଁ ମାତ୍ରାରେ ଭ୍ରଷ୍ଟ, ସେମିତି ସ୍ଥିତାବସ୍ଥାରୁ ପ୍ରୋତ୍ସାହନ କଥା ଚିନ୍ତା କରିବା ହିଁ ଭୁଲ୍‌ । ତେବେ ଦୁଃଖର କଥା ଯେ କେବଳ ରାଜାଙ୍କର ନୁହେଁ, ପ୍ରଜା ଚରିତ୍ରରେ ମଧ୍ୟ ବେଶ୍‌ ଅଧୋପତନ ଘଟିଛି । ମାନବିକ ମୂଲ୍ୟବୋଧର ଦ୍ରୁତ ପତନ ଘଟୁଛି । ସାମାଜିକ ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାରେ ଆସି ପହଞ୍ଚିଛି । ସେହି ପରିପ୍ରେକ୍ଷୀରେ ସାଂପ୍ରତିକ ଧର୍ମ, ଦର୍ଶନ, ସାହିତ୍ୟ, ସଂସ୍କୃତି ଓ କଳାର ଅଭିବୃଦ୍ଧି ହଁ ସମାଜର ମଙ୍ଗଧରି ଠିକ୍‌ ବାଟରେ ନେଇ ପାରିବ-। ତେବେ ସରକାରୀ ସ୍ତରରେ ଏହି ଦିଗରେ କାର୍ଯ୍ୟରତ କର୍ମୀମାନଙ୍କୁ, ସ୍ରଷ୍ଟାମାନଙ୍କୁ ଉପଯୁକ୍ତ ଉତ୍ସାହ ବା ପ୍ରୋତ୍ସାହନ ଦିଆଯାଉନାହିଁ । ଏହାର କାରଣ ସ୍ପଷ୍ଟ-ସରକାର ମଧ୍ୟ ଅବକ୍ଷୟର ମାନସିକତା ନେଇ ଶାସନ କରୁଛି ।

 

ସର୍ବତ୍ର ଏବେ ଗୋଟିଏ ଚର୍ଚ୍ଚା । ଆମ ରାଜ୍ୟର, ଓଡ଼ିଆ ନାଟକର ଅଧୋଃପତନ ଘଟିଛି । ଉଭୟ ରଂଗମଂଚ ଓ ନାଟ୍ୟ-ସାହିତ୍ୟ ବିପନ୍ନ ବୋଲି ବାରଂବାର ମତମାନ ପ୍ରକାଶ ପାଉଛି । କେବେ ବି ନାଟକ ଦେଖୁନଥିବା ଏବଂ ପଢ଼ୁନଥିବା ବ୍ୟକ୍ତି ହିଁ ଏମିତି ମତଦେଇ ଓଡ଼ିଆ ଜାତିର ସ୍ଵାଭିମାନ ବୋଲି କିଛି ନାହିଁ, ଏହାର ପ୍ରମାଣ ଦେଉଛନ୍ତି । ସାଧାରଣ ଲୋକଙ୍କ ବ୍ୟତିରେକେ, ଯେଉଁ ଅଳ୍ପ କେତେକ ସମାଲୋଚକ ବିଭିନ୍ନ ପତ୍ରପତ୍ରିକାରେ କେବଳ ‘ପ୍ରକାଶିତ’ ହେବା ଅଭିଳାଷରେ ପ୍ରବନ୍ଧମାନ ପ୍ରକାଶ କରୁଛନ୍ତି, ସେମାନେ ବାସ୍ତବ କ୍ଷେତ୍ରରେ ଲେଖାଯାଉଥି‌ବା ନାଟକ କିମ୍ବା ମଞ୍ଚସ୍ଥ ହେଉଥିବା ନାଟକ ବିଷୟରେ ପ୍ରତ୍ୟକ୍ଷ କିଛି ଜାଣନ୍ତି ନାହିଁ । ମୁଖ୍ୟତଃ ଅଧ୍ୟାପକମାନେ ନାଟ୍ୟ-ସମାଲୋଚକ ସାଜିଥିବାରୁ ସେମାନଙ୍କ ଦ୍ୱାରା ରଚିତ ପୁସ୍ତକ କେବଳ ଓଡ଼ିଆ ଭାଷା ଓ ସାହିତ୍ୟ ପଢ଼ୁଥିବା କିମ୍ବା ପଢ଼ାଉଥିବା ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ହେଉଛି । ଏ ସଂପର୍କରେ ଏକ ଉଦାହରଣ ଦେବା ଉଚିତ ମନେ କରୁଛି । ଜଣେ ବିଶିଷ୍ଟ ନାଟ୍ୟ-ସମାଲୋଚକଙ୍କୁ କିଛି ପ୍ରସାର ଆଶାରେ ମୁଁ ମୋର ନାଟକ, ‘ଇଚ୍ଛା ବନାମ ପଦ୍ମନାଭ’ ପଢ଼ିବା ପାଇଁ ଦେଲି । କିଛି ଦିନ ପରେ ସାକ୍ଷାତ ହେଲା । ପଚାରିଲି, ‘‘ନାଟକ କେମିତି ଲାଗିଲା ଆଜ୍ଞା ?’’ କିଛି କହିବା ଦରକାର ବୋଲି କହିଲେ ‘‘ଭଲ... ‘ଇଚ୍ଛାର ନାମ ପଦ୍ମନାଭ’... ଭଲ ହୋଇଚି । କ୍ଲାଇମେକ୍ସଟା ଆଉ ଭଲ ହୋଇ ପାରିଥାନ୍ତା, ‘‘ନାଟକର ନାମ ଠିକ୍‌ କହିପାରୁନଥିବା ଏହି ସମାଲୋଚକଙ୍କଠାରୁ ଆଉ ଅଧିକା କ’ଣ ବା ଆଶା କରାଯାଇପାରେ ?

 

କିଏ କ’ଣ ଖବର ରଖୁଛି ସେକଥା ଅଲଗା । ସତ୍ୟ ହେଲା, ରୀତିମତ୍‌ ଓଡ଼ିଆ ନାଟକ ଚାଲିଛି । ସକ୍ରିୟ ଭାବରେ ଅନେକ ନାଟ୍ୟକାର ଏବେ ଉଚ୍ଚାଙ୍ଗ ନାଟକ ଗଢ଼ୁଛନ୍ତି । ଅଗଣିତ ନାଟ୍ୟସଂସ୍ଥା ଏବଂ ବହୁ ନାଟ୍ୟକର୍ମୀ ଓଡ଼ିଆ ନାଟକକୁ ବଞ୍ଚେଇ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଅବଶ୍ୟ ଏହା ମଧ୍ୟ ସତ୍ୟ ଯେ, ପୂର୍ବାପେକ୍ଷା ନାଟକର ଚାହିଦା କମିଛି । ନ କମିବ ବା କେମିତି ? ବାସ୍ତବ ଜୀବନରେ ଆମେ ସମସ୍ତେ ଏତେ ବେଶି ଅଭିନୟପ୍ରବଣ ହୋଇଗଲୁଣି ଯେ ରଂଗମଂଚର ଆବଦ୍ଧ ସୀମା ଭିତରେ ପ୍ରଦର୍ଶିତ ହେଉଥିବା କୃତ୍ରିମ ଅଭିନୟ ପ୍ରତି ଆମର ଅନୁରାଗ ନାହିଁ । ସମାଜରେ ଆନ୍ତରିକତାର ଅଭାବ ସମାଜକୁ ମୁଖା ପିନ୍ଧାଇଦେଇଛି । କିନ୍ତୁ ଦୃଢ଼ତାର ସହ କୁହାଯାଇପାରେ ଯେ ଏବେ ମଧ୍ୟ ରଙ୍ଗମଞ୍ଚର ପାଦ-ପ୍ରଦୀପ ନିୟମିତ ପ୍ରଜ୍ଜ୍ୱଳିତ ହେଉଛି, ଏବେ ମଧ୍ୟ ସୌଖୀନ୍‌ ନାଟ୍ୟ-ସଂସ୍ଥାମାନଙ୍କ ପ୍ରଚେଷ୍ଟାରେ ଶହ ଶହ ଉନ୍ନତ ମାନର ନାଟକ ମଂଚସ୍ଥ ହେଉଛି । ଅବଶ୍ୟ ମାନିଯିବାରେ ଦ୍ୱିଧା ନାହିଁ ଯେ ବିଦେଶୀ ଢାଞ୍ଚାରେ ଗଢ଼ା ପ୍ରସିନିୟମ୍‌ ଥିଏଟର୍‌, ଯାହାକୁ ଶହ ଶହ ବର୍ଷ ହେଲା ଆମେ ଗ୍ରହଣ କରିନେଇଛୁ - ତାହା ଆଜି ରୁଗ୍‌ଣ । ତେବେ, ଅନ୍ତରଂଗ ନାଟକ, ପଥପାନ୍ତର ନାଟକ ଆଜି ଆଦର ଲାଭ କରୁଛି । ଆମ ରାଜ୍ୟରେ ଏ ପ୍ରକାରର ନାଟକ ପରିବେଷଣ ବରାବର ଚାଲିଛି । ଅଳ୍ପ ବ୍ୟୟରେ, ଅପେକ୍ଷାକୃତ ଅଳ୍ପ ସଂଗଠନରେ ଏପ୍ରକାରର ନାଟକ ମଂଚସ୍ଥ କରାଯାଇ ପାରୁଛି ଏବଂ ଜନମାନସ ଉପରେ ଏ ନାଟକଗୁଡ଼ିକର ପ୍ରଭାବ ରହୁଛି ।

 

କେଜାଣି କାହିଁକି, ମନେହେଉଛି ଯେ, ଆମ ରାଜ୍ୟରେ ନାଟକକୁ ସାହିତ୍ୟର ଏକ ମୁଖ୍ୟ ଅଂଗ ଭାବରେ ଗ୍ରହଣ କରାଯାଉନାହିଁ । ନାଟକର ଯେ ସାହିତ୍ୟିକ ମୂଲ୍ୟବୋଧ ଅଛି ବା ଥାଇପାରେ ଏକଥା ଆମେ ଆଜି ଅତି ସହଜରେ ଗ୍ରହଣ କରିପାରୁନାହୁଁ । କିନ୍ତୁ ମନେରଖିବା ଉଚିତ ଯେ, କାହିଁ କେଉଁ ଯୁଗରୁ ଦୃଶ୍ୟ-କାବ୍ୟ ହିଁ ମଣିଷକୁ, ବିସ୍ତାରିତ ଭିତ୍ତିରେ, ସମାଜକୁ ସାଂସ୍କୃତିକ ଦିଗ୍‌ଦର୍ଶନ ଦେଇଆସିଛି । ଆଜି, ଏହି ଭୟଙ୍କର ଅବକ୍ଷୟର ଯୁଗରେ ନାଟକର ଆବଶ୍ୟକତା ବେଶିରୁ ବେଶି ଅନୁଭୂତ ହେଉଛି । ଅନିଶ୍ଚିତତାର ପୀଡ଼ାରେ ଜର୍ଜରିତ ଯୁବ-ସମାଜ ପାଇଁ, ବୋର୍‌ଡ଼ମ୍‌ର ଶିକାର ମଧ୍ୟବୟସ୍କଙ୍କ ପାଇଁ ଏବଂ ଅପସଂସ୍କୃତିର ବାତାବରଣରେ ଅଣନିଃଶ୍ଵାସୀ ବୟସ୍କମାନଙ୍କ ପାଇଁ ନାଟକର ଆବଶ୍ୟକତା ଅପରିହାର୍ଯ୍ୟ । ଗ୍ରାମ୍ୟ-ସଂସ୍କୃତିକୁ ସତ୍‌ସ୍କୃତିର ରଙ୍ଗ ଦେଇ ଗ୍ରାମାଞ୍ଚଳର କୋଟିକୋଟି ଜନତାଙ୍କୁ ସଂସ୍କୃତିସଂପନ୍ନ କରିବାର ସମୟ ଆଜି ଆସି ପହଞ୍ଚିଛି । ନାଟକ, ସମ୍ଭବତଃ କେବଳ ନାଟକ ମାଧ୍ୟମରେ ‘‘Search the Root’’ ଆନ୍ଦୋଳନକୁ ତୀବ୍ର କରିବାର ସମୟ ମଧ୍ୟ ଆଜି ଉପନୀତ । ନାଟକ ନାଁରେ ଚତୁର୍ମୁଖୀ ନାଟକର ଆଜି ଯେଉଁ ଦୁରବସ୍ଥା, ତାକୁ ପ୍ରତିହତ କରିବା ପାଇଁ ଶିକ୍ଷଣୀୟ, ରୁଚିସମ୍ପନ୍ନ ନାଟକମାନ ମଂଚସ୍ଥ କରିବା ଆଜି ଜରୁରୀ ହୋଇ ପଡ଼ିଛି । ଧର୍ମ ନାମରେ ଦଙ୍ଗା, ଆଦର୍ଶ ନାମରେ ବିଦ୍ୱେଷ, ଏବଂ ଶାସନ ନାମରେ ବ୍ୟଭିଚାରର ଏହି ସମୟରେ ଜାତିକୁ, ଦେଶକୁ, ଭାଷାକୁ, ସଂସ୍କୃତିକ କେବଳ ନାଟକ ହିଁ ମାର୍ଗ ପ୍ରଦର୍ଶନ କରିବ, ଏଥିରେ ସନ୍ଦେହ ନାହିଁ ।

 

ଆଉ ଏହି ଦୃଶ୍ୟ-କାବ୍ୟର Make Believe ଦୁନିଆ ବଂଚିରହିବ କିଛି ନିଷ୍ଠାପର ନାଟ୍ୟକର୍ମୀ ଏବଂ ସ୍ରଷ୍ଠାଙ୍କର ବ୍ୟକ୍ତିଗତ ଉଦ୍ୟମରେ । କେବଳ ଯେ ରାଜାଙ୍କ ପ୍ରୋତ୍ସାହନରେ କଳା ତିଷ୍ଠିରୁହେ ତା’ର କୌଣସି ମାନେନାହିଁ । ଅଜନ୍ତା, ଏଲୋରାର ଲିପିରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ରାଜା ବିହୁନେ ମଧ୍ୟ ଐତିହ୍ୟ ସୃଷ୍ଟି କରାଯାଇପାରେ । ତନ୍ତୀ ସଂପ୍ରଦାୟ, ବଢ଼େଇ ସଂପ୍ରଦାୟ, ବଣିଆ ସଂପ୍ରଦାୟ, ଧୋବା ସଂପ୍ରଦାୟ ପରି କିଛି କିଛି ସଂପ୍ରଦାୟଙ୍କ ଦାନ, ଅନୁଦାନରୁ ଯଦି ଅଜନ୍ତା, ଏଲୋରା ସୃଷ୍ଟି କରାଯାଇପାରିଲା, ତେବେ ମହୁମାଛି, କସ୍ତୁରୀ, ସୃଜନୀ, ଥିଏଟର୍‌ ଏକାଡେମୀ, ଶତାବ୍ଦୀର କଳାକାର, ସପ୍ତରଙ୍ଗ, ନାଟ୍ୟମ୍‌, କଖଗ, ସ୍ଵର, ସ୍ରଷ୍ଟା, ତା’ପରେ ଆମେ, ‘ଆମେ’ ସଂସ୍ଥା ଦ୍ୱାରା, ଶଙ୍କର ତ୍ରିପାଠୀ, ରଣଜିତ୍‌ ପଟ୍ଟନାୟକ, ପ୍ରମୋଦ ତ୍ରିପାଠୀ, ଶୋଭନ ଦାସ, ସୁବୋଧ ପଟନାୟକ, ବିଜୟ ଶତପଥୀ, ରତି ମିଶ୍ର, ବ୍ରଜେନ୍ଦ୍ର ନାୟକଙ୍କ ସୃଷ୍ଟି ଦ୍ଵାରା ଏବଂ ଶହ ଶହ ନାଟ୍ୟକର୍ମୀଙ୍କ ଦ୍ୱାରା ନାଟକ ବଂଚିବ । ସମୟର ଆବଶ୍ୟକତାକୁ ଅବଶ୍ୟ ଉଚ୍ଚାଙ୍ଗ ନାଟକ ସାମ୍‌ନା କରିବ ।

 

***

 

ପାଉରୀ ଭୂୟାଁମାନଙ୍କର ଆଚାରବିଧି ଓ ପ୍ରଥା

ସୁନୀତା ଶତପଥି

 

ଆଦିବାସୀବହୁଳ ଓଡ଼ିଶା ରାଜ୍ୟରେ ୬୨ଟି ଉପଜାତି ଅବସ୍ଥାନ କରନ୍ତି । ଏମାନଙ୍କ ମଧ୍ୟରୁ ସାଂସ୍କୃତିକ ବୈଚିତ୍ର୍ୟ ଏବଂ ଜାତିଗତ ଗୁଣ ଆଧାରରେ ୧୪ଟି ଗୋଷ୍ଠୀକୁ ମୁଖ୍ୟ ଆଦିବାସୀ ଶ୍ରେଣୀ ପର୍ଯ୍ୟାୟଭୂକ୍ତ କରାଯାଇଛି । ଏହି ଚଉଦଟି ମୁଖ୍ୟ ଆଦିବାସୀ ଗୋଷ୍ଠୀ ମଧ୍ୟରୁ ଭୂୟାଁ ସଂପ୍ରଦାୟ ଅନ୍ୟତମ ।

 

ଓଡ଼ିଶାରେ ଭୂୟାଁମାନଙ୍କୁ ମୁଖ୍ୟତଃ ସୁନ୍ଦରଗଡ଼, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳେ । ଏହି ଆଦିବାସୀ ଗୋଷ୍ଠୀ ଦୁଇ ଭାଗରେ ବିଭକ୍ତ ଯଥା ‘ପାଉରୀ’ (Pauri) ବା ‘ଦେଶ’ (Desh) ଭୂୟାଁ ଏବଂ ‘ସେମ’ (Sem) ବା ସମତଳ ଅଞ୍ଚଳରେ ବାସ କରୁଥିବା ଭୂୟାଁ । ଭୂୟାଁ ଆଦିବାସୀ ଶ୍ରେଣୀର ‘ଖଣ୍ଡାୟତ’ ବା ପାଇକ, ‘ରାଜକୋଳି’, ‘ପରଜା’ ପରି ଉପ-ବିଭାଗମାନ ରହିଛି । ଓଡ଼ିଶାରେ ବାସ କରୁଥିବା ଭୂୟାମାନଙ୍କ ମଧ୍ୟରେ ଜାତିଗତ ପ୍ରଭେଦ ନଥିଲେ ମଧ୍ୟ ସ୍ଥଳବିଶେଷରେ, ସେମାନେ ପାଳନକରୁଥିବା ରୀତିନୀତିରେ କିଛିଟା ଭିନ୍ନତା ଦୃଷ୍ଟି ଗୋଚର ହୁଏ । ସୁତରାଂ ଏଇ ପ୍ରବନ୍ଧଟି କେବଳ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ତହସିଲ ଅନ୍ତର୍ଗତ ଭଞ୍ଜପାଲୀ, କାସିରା ଅଞ୍ଚଳରେ ବାସ କରୁଥିବା ‘ପାଉରୀ’ ବା ‘ଦେଶ’, ଭୂୟାଁଙ୍କ ସମାଜରେ ‘ପ୍ରଚଳିତ ପ୍ରଥା’ (Rite) ଏବଂ ‘ଆଚାରବିଧି (Rotuals) ସମ୍ୱନ୍ଧୀୟ ଆଲୋଚନା ମଧରେ ସୀମିତ।

 

ବଣାଇ ଅଞ୍ଚଳରେ ବାସ କରୁଥିବା ‘ପାଉରୀ’ ଭୂୟାଁମାନେ, ଅତୀତରେ ବିହାର ରାଜ୍ୟର ସିଂହଭୂମି ଏବଂ ଛୋଟନାଗପୁର ଅଞ୍ଚଳରେ ବାସ କରୁଥିବାର ଅନୁମାନ କରାଯାଏ । ବିହାର ରାଜ୍ୟରେ ବାସ କରୁଥିବା ଭୂୟାଁମାନେ ନିଜକୁ ‘‘ପବନ-ବା’’ (Pawn-ba) ବା ପବନପୁତ୍ର ହନୁମାନଙ୍କ ବଂଶଧର ବୋଲି ଦାବି କରନ୍ତି । ଅନ୍ୟ ପକ୍ଷରେ ବଣାଇ ଅଞ୍ଚଳର ଭୂୟାଁମାନେ ନିଜକୁ “ମାଟି-ମା’ର ସନ୍ତାନ’’ (Son of the Soil) ଭାବରେ ଅଭିହିତ କରନ୍ତି । ଭୂୟାଁ ଶବ୍ଦଟି ସଂସ୍କୃତ ‘ଭୂମି’ ଶବ୍ଦରୁ ସୃଷ୍ଟି ହୋଇଥିବାରୁ ଏହି ଖଣ୍ଡବାକ୍ୟଟି ଯୁକ୍ତି ଯୁକ୍ତ ମନେହୁଏ । ଏହି ଅଞ୍ଚଳର ‘ପାଉରୀ’ ଭୂୟାଁମାନେ ସେମାନଙ୍କର ‘ଜାତି’ କିଭଳି ସୃଷ୍ଟି ହେଲା, ସେ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ମତାମତ ଦେଇ ପାରନ୍ତି ନାହିଁ । ଏକ ପ୍ରଚଳିତ ମିଥ୍‌ ଅନୁସାରେ ସୃଷ୍ଟିର ଆରମ୍ଭରେ କେବଳ ଧର୍ମ ଦେବତା ଥିଲେ । ପରବର୍ତ୍ତୀ କାଳରେ ମହାସମୁଦ୍ର ଭିତରୁ ପୃଥିବୀ ସୃଷ୍ଟି ହେଲା । ପୃଥିବୀ ଏବଂ ଧର୍ମ ଦେବତା ଏକ ଯୋଡ଼ା ପୁରୁଷ ଓ ସ୍ତ୍ରୀ ସୃଷ୍ଟି କଲେ । ଏହି ଯୋଡ଼ିଟିକୁ ବାଘ ହତ୍ୟା କଲା । ବାଘ ଆକ୍ରମଣ ସମୟରେ ସେମାନଙ୍କ ଶରୀରରୁ ବାହାରିଥିବା ରକ୍ତ ପୃଥିବୀର ମାଟିକୁ ସିକ୍ତକଲା ଏବଂ ଏହି ସିକ୍ତ ମାଟିରୁ ' ଭୂୟାଁଜାତି' ଜନ୍ମ ନେଲା ।

 

ଅନ୍ୟ ଆଦିବାସୀ ଗୋଷ୍ଠୀ ପରି, ଭୂୟାଁ ସଂପ୍ରଦାୟର ଲୋକେ କେତେକ ନିର୍ଦ୍ଦିଷ୍ଟ ରୀତି, ନୀତି, ପ୍ରଥାକୁ ମାନିଥାନ୍ତି । ବଣାଇ ଅଞ୍ଚଳର ପାଉରୀ ଭୂୟାଁମାନେ ସ୍ଥାନୀୟ ଓଡ଼ିଆ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କ ଜୀବନଯାତ୍ରା ପ୍ରଣାଳୀରେ କିଛିଟା ପରିବର୍ତ୍ତନ ଆସିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା, ସେଇ ସମାଜରେ ପ୍ରଚଳିତ ପ୍ରଥା ଓ ଆଚାରବିଧିରେ ବିଶେଷ ପରିବର୍ତ୍ତନ ଆସିନାହିଁ । ଏହି ପରିପ୍ରେକ୍ଷୀରେ, ପାଉରୀ ଭୂୟାଁ ଆଦିବାସୀ ଗୋଷ୍ଠୀରେ, ଜନୁଠାରୁ ମୃତ୍ୟୁଯାଏଁ ବିଧିବଦ୍ଧ ଭାବେ ପାଳିତ ହେଉଥିବା ପ୍ରଥା ଏବଂ ଆଚାରବିଧି ଉପରେ ଆଲୋଚନା କରାଯାଇପାରେ ।

 

ଯେକୌଣସି ସମାଜରେ ମଣିଷ ଜନ୍ମ ନେବାଠାରୁ, ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ପାଳିତ ହେଉଥିବା ଆଚାରବିଧି, ରୀତିନୀତିକୁ ‘‘ରାଇଟ୍‌-ଡି-ପାସାଜ୍‌’’ (Rite-de-passage) କୁହାଯାଏ । ହିନ୍ଦୁ ସମାଜରେ ଗର୍ଭଧାରଣଠାରୁ ଶରୀର ସଂସ୍କାର ହେବା ଯାଏଁ ବହୁ ପଦ୍ଧତି ଅନୁସୃତ ହୁଏ । ସେହିପରି ପାଉରୀ ଭୂୟାଁ ସମାଜରେ ମଧ୍ୟ ଶିଶୁର ଜନ୍ମପୂର୍ବଠାରୁ ଆରମ୍ଭକରି, ବ୍ୟକ୍ତି ମୃତ୍ୟୁ ବରଣ କରିବା ପର୍ଯ୍ୟନ୍ତ ବହୁ ପ୍ରଥା ଓ ଆଚାରବିଧି ପାଳନ କରିବାର ନିୟମ ରହିଛି ।

 

ଭୂୟାଁ ସଂପ୍ରଦାୟର ପ୍ରଥା ଅନୁସାରେ ଶିଶୁ ଜନ୍ମ ହେବା ପୂର୍ବରୁ ଗର୍ଭବତୀ ସ୍ତ୍ରୀକୁ କେତେକ ଆଚାରବିଧି ମାନିବାକୁ ହୁଏ । ପ୍ରଚଳିତ ନିୟମ ଅନୁସାରେ ଗୃହକାର୍ଯ୍ୟ, ଶାରୀରିକ ପରିଶ୍ରମ କରିବା ପାଇଁ ବାରଣ ନଥିଲେ ମଧ୍ୟ ଗର୍ଭବତୀ ମହିଳାକୁ ଜଙ୍ଗଲ, ପର୍ବତ, ଶ୍ମଶାନକୁ ଯିବାପାଇଁ ନିଷେଧ କରାଯାଏ । ଏହାର କାରଣ ସବୁସ୍ଥାନ ପ୍ରେତାତ୍ମାମାନଙ୍କର ବାସସ୍ଥଳୀ ବୋଲି ସେମାନେ ବିଶ୍ଵାସ କରନ୍ତି ।

 

ଶିଶୁ ଜନ୍ମ ହେବା ସମୟରେ ଗର୍ଭବତୀ ଭୂୟାଁ ସ୍ତ୍ରୀ ଲୋକକୁ ଚାରି ପାଞ୍ଚଦିନ ସକାଶେ ଗୋଟାଏ ସ୍ଵତନ୍ତ୍ର କୋଠରୀରେ ରହିବାକୁ ପଡ଼େ । ଏହି ସମୟରେ କୌଣସି ପୁରୁଷ ଲୋକକୁ ସେହି କୋଠରୀ ଭିତରକୁ ଯିବାପାଇଁ ଅନୁମତି ଦିଆ ଯାଏ ନାହିଁ । ପ୍ରସୂତୀ ସମୟରେ କେବଳ ଅଭିଜ୍ଞ ମହିଳା ଏବଂ ଧାଈକୁ ସେହି କୋଠରୀ ଭିତରକୁ ଯିବାପାଇଁ ଅନୁମତି ଦିଆଯାଇଥାଏ ।

 

ସନ୍ତାନ ଭୂମିଷ୍ଠ ହେବାପରେ ପୁତ୍ର ସନ୍ତାନ ହୋଇଥିଲେ ତା’ର ନାଭିକୁ ଗୋଟିଏ ‘ଶର’ ଏବଂ କନ୍ୟା ସନ୍ତାନର ନାଭିକୁ ଗୋଟାଏ ଛୁରୀ ବା ତୀକ୍ଷ୍‍ଣ ବାଉଁଶ ପାତିଆ ଦ୍ୱାରା କଟାଯାଏ । ଏହି ନାଭିକୁ ଧାଈ ଗୃହ ପ୍ରାଙ୍ଗଣର ବର୍ହିଭାଗରେ ପୋତିଦିଏ ।

 

ଭୂୟାଁ ସମାଜର ନିୟମ ଅନୁସାରେ, ଶିଶୁ ଜନ୍ମ ହେବାର ସାତଦିନ ଯାଏଁ ମା, ନବଜାତ ଶିଶୁ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଅଶୌଚ ରହନ୍ତି । ଏହି ସମୟରେ ସଦ୍ୟ ପ୍ରସୂତୀ ମା’କୁ ରୋଷାଇ ଘରକୁ ଯିବାପାଇଁ ବାରଣ କରାଯାଏ । ସାତ ଦିନ ଅଶୌଚ (Polluted) ରହିବା ପରେ, ପରିବାରର ସଦସ୍ୟମାନେ ଶୁଦ୍ଧପୂତ ହୁଅନ୍ତି । ମା’ ଓ ନବଜାତ ଶିଶୁ ରହିଥିବା ସ୍ଵତନ୍ତ୍ର କୋଠରୀରେ ବ୍ୟବହୃତ ହାଣ୍ଡି, ଲୁଗା ଏବଂ ଶଯ୍ୟାକୁ ପୁନର୍ବାର ବ୍ୟବହାର କରାଯାଏ ନାହିଁ । ଏହା ବ୍ୟତୀତ ସମ୍ପୂର୍ଣ୍ଣ ଗୃହକୁ ଶୁଦ୍ଧ କରାଯାଏ, ଏବଂ ରୋଷାଇ ନିମନ୍ତେ ନୂତନ ପାତ୍ର ବ୍ୟବହାର କରାଯାଏ ।

 

ପାଉରୀ ଭୂୟାଁମାନେ ଶିଶୁର ନାମକରଣ ଉତ୍ସବକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ସାଧାରଣତଃ ନବଜାତ ଶିଶୁର ନାମକରଣ ଉତ୍ସବ ‘ନଅ’ ଦିନରେ କିମ୍ବା ଜନ୍ମ ହେବାର ୨୧ ଦିନ ପରେ ପାଳନ କରାଯାଏ । ଏହି ଉତ୍ସବକୁ ‘ନଳତା ଉତ୍ସବ’ କୁହାଯାଏ । ‘ନଳତା ଉତ୍ସବ’କୁ ପାଳନ କରିବା ପାଇଁ ଭୂୟାଁ ସମାଜରେ କେତେକ ନିର୍ଦ୍ଦିଷ୍ଟ ଆଚାରବିଧି ରହିଛି ।

 

ସେଇ ବିଧି ଅନୁସାରେ ଜଣେ ବୃଦ୍ଧ ମହିଳା ଗୋଟାଏ ଜଳପାତ୍ର ଭିତରେ ଗୋଟାଏ ଚାଉଳ ଦାନା (Ricegrain) ପକାଏ । ତା’ପରେ ସେଇ ପାତ୍ର ଭିତରକୁ ଅନ୍ୟଏକ ଚାଉଳ ଦାନା ପକାଯାଏ ଏବଂ ସେହି ସମୟରେ କୌଣସି ପୂର୍ବପୁରୁଷ ବା ବନ୍ଧୁର ନାମ ସ୍ମରଣ କରାଯାଏ । ଯଦି ପ୍ରଥମଥର ପକାଯାଇଥିବା ଚାଉଳ ଦାନା ସହିତ ଦ୍ୱିତୀୟ ଚାଉଳ ଦାନା ଯୋଡ଼ି ହୋଇଯାଏ ତେବେ ସେଇ ନାମକୁ ହିଁ ନବଜାତକକୁ ପ୍ରଦାନ କରାଯାଏ । ଅନ୍ୟଥା ଏହି ପଦ୍ଧତିକୁ ଚାଉଳଦାନା ଦୁଇଟି ଯୋଡ଼ିହେବା ପାଇଁ ବାରମ୍ବାର କରାଯାଏ । ସାଧାରଣତଃ ଭୂୟାଁ ସମ୍ପ୍ରଦାୟରେ ବଡ଼ପୁଅକୁ ପିତାମହଙ୍କ ନାମ ଦିଆଯାଇଥାଏ । ଶିଶୁର ନାମକରଣ ହୋଇ ସାରିବାପରେ ଭୋଜିର ଆୟୋଜନ ହୋଇଥାଏ ।

 

ଭୂୟାଁ ସମାଜରେ ପ୍ରଚଳିତ ନିୟମ ଅନୁସାରେ ନବଜାତ ଶିଶୁ ସାମାନ୍ୟ ବଡ଼ ହେବାପରେ ତା’ର କେଶ କର୍ତ୍ତନ ବା ମୁଣ୍ଡନ କରାଯାଏ । କେଶ କର୍ତ୍ତନ କରିବା ପରେ ଭଗବାନଙ୍କୁ ଚାଉଳ, ବେଲପତ୍ର ଓ ନଡ଼ିଆ ମନ୍ଦିରରେ ଅର୍ପଣ କରାଯାଏ । ଏହା ଦ୍ୱାରା ଶିଶୁର ମଙ୍ଗଳ ହେବ ବୋଲି ଭୂୟାଁ ମାନେ ବିଶ୍ଵାସ କରନ୍ତି ।

 

ପାଉରୀ ଆଦିବାସୀ କନ୍ୟା ବୟଃପ୍ରାପ୍ତ ହୋଇ ଯୌବନରେ ପାଦଦେଲେ, ତା’କୁ କେତେକ ବିଧିବିଧାନ ମାନିବାକୁ ପଡ଼େ । ବିଧି ଅନୁସାରେ ରଜଃସ୍ଵଳା ଭୂୟାଁ କିଶୋରୀକୁ ଅଶୌଚ ବୋଲି ମନେକରାଯାଏ । ସେଥିପାଇଁ ସାତଦିନ ପାଏଁ ରଜଃବତୀ କନ୍ୟାକୁ ଘରର ଗୋଟାଏ କୋଣରେ ରହିବାକୁ ପଡ଼େ । ପ୍ରଚଳିତ ନିୟମ ଅନୁସାରେ ରଜଃସ୍ଵଳା କନ୍ୟାକୁ ଗୃହକାର୍ଯ୍ୟ କରିବା ପାଇଁ, ଧାର୍ମିକ ଉତ୍ସବ ଅନୁଷ୍ଠାନରେ ଯୋଗଦେବା ପାଇଁ ନିଷେଧ କରାଯାଏ । ସାତଦିନପରେ ଅଶୌଚ ଭୂୟାଁ କିଶୋରୀ ହଳଦୀ, ଅଁଳା ଗୁଣ୍ଡ ଲଗାଇ ସ୍ନାନ କରେ ଏବଂ ନୂତନ ବସ୍ତ୍ର ପରିଧାନ କରିଥାଏ ।

 

ବଣାଇ ଅଞ୍ଚଳର ପାଉରୀ ଭୂୟାଁ ସମାଜରେ ବିବାହ ସମୟରେ କେତେକ ନିର୍ଦ୍ଧିଷ୍ଟ ବିଧିବିଧାନ ପାଳିତ ହୁଏ । ସ୍ଥିରୀକୃତ ବିବାହ (Arranged-Marriage) ରେ ବିବାହ କରାଯାଏ । ପୂର୍ବଦିନ ଉଭୟ ବର ଓ କନ୍ୟାକୁ ‘ପବିତ୍ର ସ୍ନାନ’ କରାଯାଏ । ଏହି ସ୍ନାନକୁ ‘ଘୁରୁଡ଼ା ପାଣି’ କୁହାଯାଏ । ଆହୁରି ମଧ୍ୟ ବିବାହ ପୂର୍ବଦିନ ଦୁଇଜଣ କଣ୍ଡରା ବା ମଧ୍ୟସ୍ଥି କନ୍ୟା ଘରେ ଛଅ ମାଣ ଚାଉଳ, ଡାଲି ଏବଂ ପାଞ୍ଚ ଟଙ୍କା କନ୍ୟାମୂଲ (Bride price) ବାବଦକୁ ଦେଇ ଆସନ୍ତି । ଦୁଇଜଣ ‘କଣ୍ଡରା’ଙ୍କ ମଧ୍ୟରୁ ଗୋଟାଏ କଣ୍ଡରା କନ୍ୟା ଘରେ ରୁହେ ଏବଂ ଅନ୍ୟ ଜଣକ ଫେରିଯାଏ-। ବିବାହ ବରଘରେ ସମ୍ପନ୍ନ ହେଲେ, କନ୍ୟାଘରେ ଥିବା କଣ୍ଡରା କନ୍ୟା ସହିତ ବରଘରକୁ ଯାଏ । ସେହିପରି କନ୍ୟା ଘରେ ବିବାହ କାର୍ଯ୍ୟ କରାଗଲେ, କନ୍ୟାଘରୁ ଫେରି ଆସିଥିବା କଣ୍ଡରା, ବର ସହିତ କନ୍ୟା ଘରକୁ ପୁଣିଥରେ ଯାଏ ।

 

ବିବାହ ଦିନ ସକାଳେ ଉଭୟ ‘ବର’ ଓ ‘କନ୍ୟା’କୁ ଆଉଥରେ ‘ପବିତ୍ର ସ୍ନାନ’ କରିବାକୁ ପଡ଼େ । ଏହାକୁ ‘‘ଯୁଆଡ଼-ପାଣି’’ ବୋଲି କୁହାଯାଏ । ଏହି ସ୍ନାନ ସମୟରେ ବର କନ୍ୟାକୁ ‘ଯୁଆଳୀ’ ଉପରେ ବସିବାକୁ ପଡ଼େ । ଯୁଆଳୀ ପାଖରେ ଚାରୋଟି ଶର ରଖାଯିବାର ବିଧି ରହିଛି । ଏହାପରେ ଦିଶାରୀ ଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ । ଶେଷରେ ବନ୍ଧୁବାନ୍ଧବମାନଙ୍କୁ ଭୋଜିରେ ଆପ୍ୟାୟିତ କରାଯାଏ ।

 

ପାଉରୀ ଭୂୟାଁ ସମାଜରେ ଜନ୍ମ, କୈଶୋର ଏବଂ ଯୌବନ ସମୟରେ ବହୁ ରୀତିନୀତି ପାଳିତ ହୁଏ । ସେହିପରି ‘ମୃତ୍ୟୁ’ ସମୟରେ ମଧ୍ୟ ବଣାଇ ଅଞ୍ଚଳର ଭୂୟାଁମାନେ ପ୍ରଚଳିତ ପ୍ରଥା ଓ ନିୟମ ପ୍ରତି ସଜାଗ ଦୃଷ୍ଟି ଦେଇଥାନ୍ତି । ଏହି ଭୂୟାଁ ମାନଙ୍କର ଧାରଣା ଅନୁଯାୟୀ ମୃତ୍ୟୁ ଦେବାଦେବୀଙ୍କର କୋପରୁ ହିଁ ହୋଇଥାଏ । ଭୂୟାଁ ସଂପ୍ରଦାୟରେ କୌଣସି ବ୍ୟକ୍ତି ପ୍ରାଣତ୍ୟାଗ କଲେ ତା’ପାଇଁ ଦାହ ସଂସ୍କାର ପୂର୍ବରୁ ଏବଂ ଦାହ ସଂସ୍କାରପରେ ଏକାଧିକ ଆଚାରବିଧିପାଳିତ ହୁଏ ।

 

କୌଣସି ବ୍ୟକ୍ତି ମରିଗଲେ, ମୃତ୍ୟୁ ସନ୍ଦେଶକୁ ଗ୍ରାମବାସୀ ଏବଂ ବନ୍ଧୁବାନ୍ଧବଙ୍କ ପାଖରେ ପହଞ୍ଚାଇବାର କାର୍ଯ୍ୟ ‘‘ଡାକୁଆ’’ କରିଥାଏ । ମୃତ ଶରୀରକୁ ଦାହ ସଂସ୍କାର ପାଇଁ ନେବା ପୂର୍ବରୁ ସମ୍ପୂର୍ଣ୍ଣ ଶରୀରରେ ତେଲ, ହଳଦୀ ଲେପନ କରାଯାଏ । ତା’ପରେ ଶବକୁ ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରାଯାଏ ।

 

ବନ୍ଧୁବାନ୍ଧବମାନେ ପହଞ୍ଚିବା ପରେ ଶବକୁ ଗୋଟାଏ କୋକେଇରେ ଭୂୟାଁ ସମାଜର ନିୟମ ଅନୁସାରେ ମୃତବ୍ୟକ୍ତିର ପୁଅ କିମ୍ବା ‘କୁଟୁମ୍ବ’ର ଲୋକେ ଶବକୁ ଶ୍ମଶାନଭୂମିକୁ ନେଇଥାନ୍ତି । ପୂର୍ବେ ଭୂୟାଁମାନେ ମୃତ ଶରୀରକୁ ଦାହ କରୁଥିଲେ କିମ୍ବା ପୋତିଦେଉଥିଲେ । ସେହିପରି କୌଣସି ବ୍ୟକ୍ତି ଅପ୍ରାକୃତିକ ଅବସ୍ଥାରେ ମୃତ୍ୟୁ ବରଣ କଲେ (ଯଥା-ସାପ କାମୁଡ଼ା, ବାଘ ଆକ୍ରମଣ) ଶରୀରକୁ ପୋତା ଯିବାର ବିଧି ଥିଲା । ଏହା ବ୍ୟତୀତ ଅବିବାହିତା କନ୍ୟା ଏବଂ ଶିଶୁର ମୃତ ଶରୀରକୁ ପୋତିଦିଆ ଯାଉନଥିଲା । ବର୍ତ୍ତମାନ ପାଉରୀ ଭୂୟାଁମାନେ ଶବକୁ ପୋତି ଦେବାର ବିଧିକୁ ସମ୍ପୂର୍ଣ୍ଣଭାବେ ମାନିନେଇଛନ୍ତି ।

 

ଶବ ସଂସ୍କାର ପାଇଁ ଭୂୟାଁ ସମାଜରେ କେତେକ ପ୍ରଚଳିତ ବିଧି ରହିଛି । ଶବକୁ ପୋତିବା ପାଇଁ ଅଣ୍ଟାଏଖାଲର ଗର୍ତ୍ତ ଖୋଦନ କରାଯାଏ । ତା’ପରେ ଶବକୁ ସେହି ଗର୍ତ୍ତଭିତରେ ପୂରାଇ ତା ମୁଣ୍ଡକୁ ଉତ୍ତର ଦିଗକୁ ଏବଂ ମୁହଁକୁ ପୂର୍ବଦିଗ ଆଡ଼କୁ ରଖାଯାଏ । ଘରର ବଡ଼ପୁଅ ଗୋଟାଏ ମୁଠା ମାଟି ଶବ ଉପରେ ପକାଏ ଏବଂ ପରେ ଅନ୍ୟମାନେ ସେହି ନୀତି ଅନୁସରଣ କରନ୍ତି । ମୃତ ଶରୀର ସହିତ, ତା’ର ବ୍ୟବହୃତ ପୋଷାକପରିଚ୍ଛଦ, ବାସନକୁସନକୁ ମଧ୍ୟ ପୋତିଦିଆଯାଏ । ମୃତବ୍ୟକ୍ତି ପାଇଁ ପରିବାର ଏବଂ କୁଟୁମ୍ବର ଲୋକେ ୧୧ଦିନ ଯାଏଁ ଅଶୌଚ ହୋଇରହନ୍ତି ।

 

ବଣାଇ ଅଞ୍ଚଳର ପାଉରୀ ଭୂୟାଁ ସମାଜରେ ପ୍ରଚଳିତ ପ୍ରଥା ଅନୁଯାୟୀ ମୃତବ୍ୟକ୍ତି ପାଇଁ ୧୧ଦିନ ଯାଏଁ ବିଭିନ୍ନ ‘କର୍ମ’ କରାଯାଏ । ବ୍ୟକ୍ତି ମରିଯିବାର ଦଶଦିନ ପାଇଁ, ପରିବାର ଏବଂ ‘କୁଟୁମ୍ୱ’ର ପୁରୁଷ ଲୋକମାନେ କେଶ, ନଖ କର୍ତ୍ତନ ଏବଂ କ୍ଷୌର କର୍ମ କରନ୍ତି ନାହିଁ । ଏକାଦଶ ଦିବସରେ ପରିବାରବର୍ଗ ସମସ୍ତ ‘କର୍ମ’ ସଂପାଦନ ନହେବା ଯାଏଁ ଭୋଜନ କରନ୍ତି ନାହିଁ । ଏହି ସମାଜରେ ପ୍ରଚଳିତ ନିୟମ ଅନୁଯାୟୀ, ପ୍ରଥମେ ‘ଦିଶାରୀ’ ପରିବାରବର୍ଗକୁ ‘ଘିଅ’ ପ୍ରଦାନ କରେ ଏବଂ ତା’ପରେ ‘ହୋମ କର୍ମ’ କରେ । ହୋମ ଶେଷହେବାପରେ ପରିବାରବର୍ଗ ସ୍ନାନ କରି ଭାତ, ଡାଲି ଏବଂ ତରକାରୀ ଖାଆନ୍ତି ।

 

ପାଉରୀ ଭୂୟାଁ ସମାଜରେ ‘ପ୍ରେତାତ୍ମା’କୁ ଶାନ୍ତ କରିବା ପାଇଁ କେତେକ ନିର୍ଦ୍ଦିଷ୍ଟ ବିଧି ମାନିବାର ନିୟମ ରହିଛି । ପ୍ରେତକର୍ମ ସମାପ୍ତ ହେବା ପରେ ମୃତବ୍ୟକ୍ତିର ଛାୟାକୁ ଘରକୁ ଆବାହାନ କରାଯାଏ । ସୂର୍ଯ୍ୟାସ୍ତ ସମୟରେ ବନ୍ଧୁବାନ୍ଧବମାନେ ଶ୍ମଶାନ ଆଡ଼କୁ ଯାଆନ୍ତି । ଗୋଟାଏ ଲୋକ, ନୂଆ ହାଣ୍ଡିରେ ଚାଉଳ ଗୁଣ୍ଡ, ଅନ୍ୟ ହାଣ୍ଡିରେ ରନ୍ଧା ଛେଳିମାଂସ ଏବଂ ଅନ୍ୟ ବ୍ୟକ୍ତି ଦୁଇଟି କାଠି ଏବଂ ଗୋଟାଏ ପିତ୍ତଳ ପାତ୍ର ନେଇ ଘରୁ ବାହାରନ୍ତି । ଘରର ବାହାର କଡ଼ରେ ମାଂସ ଥିବା ପାତ୍ରକୁ ଭାଙ୍ଗି ଦିଆଯାଏ ଏବଂ ପ୍ରେତାତ୍ମାକୁ ପୁଣିଥରେ ଆବାହନ କରାଯାଏ । ଭୂୟାଁମାନେ ବିଶ୍ଵାସ କରନ୍ତି ଯେ ପ୍ରେତାତ୍ମା ଆସି ଚାଉଳଗୁଣ୍ଡ ଥିବା ହାଣ୍ଡିରେ ପ୍ରବେଶ କରେ । ତା’ପରେ ସେଇ ପାତ୍ରକୁ ଘରକୁ ଅଣାଯାଏ । ଚାଉଳଗୁଣ୍ଡ ଥିବା ହାଣ୍ଡିରେ ଫୁଟି ଉଠିଥିବା ପ୍ରାଣୀର ‘ଚିହ୍ନ’ରୁ ପ୍ରେତାତ୍ମା ଘରକୁ ଆସି ପୁଣି ସେଇ ପ୍ରାଣୀର ପିଠିରେ ବସି ଚାଲିଯାଏ ବୋଲି ଭୂୟାଁମାନେ ବିଶ୍ଵାସ କରନ୍ତି । ସାଧାରଣତଃ ପ୍ରେତାତ୍ମାକୁ ବହନ କରୁଥିବା ପ୍ରାଣୀକୁ ‘ହାତୀ’ ବା ‘ଗାଇ’ ବୋଲି ମନେ କରାଯାଇଥାଏ ।

 

ଏକାଦଶ ଦିନରେ ପ୍ରେତକର୍ମ ସମାପ୍ତ ହେବାପରେ ଦ୍ୱାଦଶ ଦିନରେ ଶୁଦ୍ଧପୂତ ହେବାପାଇଁ ଭୂୟାଁମାନେ ‘ଗୁଡ଼ପାଳ’ ପୂଜା ପାଳନ କରିଥାନ୍ତି । ସେଇଦିନ ‘ଦିଶାରୀ’ ଭୂମି ଉପରେ ଚିତା ଆଙ୍କେ । ଗୋଟାଏ, ବର୍ଗକ୍ଷେତ୍ର ଅଙ୍କାଯାଇ ତା’କୁ ଷୋହଳଟି କ୍ଷୁଦ୍ର ବର୍ଗକ୍ଷେତ୍ରରେ ପରିଣତ କରାଯାଏ । ପ୍ରତ୍ୟେକ ବର୍ଗକ୍ଷେତ୍ର ଭିତରେ ଦିଶାରୀ ଚାଉଳ, କଦଳୀ ଏବଂ ଗୁଡ଼ ରଖେ । ତା’ପରେ ମୂଳ ବର୍ଗକ୍ଷେତ୍ରରେ ଉଭୟ ପାର୍ଶ୍ଵରେ ଦୁଇଟି ଛଣ ଦଉଡ଼ି ଜଳାଯାଏ । ଏହାପରେ ସାତୋଟି ଆମ୍ବ ପତ୍ରକୁ ଗୋଟାଏ ପାତ୍ର ଭିତରେ ରଖି ବର୍ଗକ୍ଷେତ୍ର ମଧ୍ୟରେ ସ୍ଥାପନ କରାଯାଏ । ଏହିସବୁ ଆୟୋଜନ ଶେଷ ହେବାପରେ ଦିଶାରୀ ମନ୍ତ୍ର ଉଚ୍ଚାରଣ କରେ ଏବଂ ପରିବାରବର୍ଗ ମୃତବ୍ୟକ୍ତିକୁ ଶ୍ରଦ୍ଧାଞ୍ଜଳି ଦିଅନ୍ତି । ଶେଷରେ ଆମ୍ୱଡ଼ାଳକୁ ମୃତବ୍ୟକ୍ତିର ଘର ଉପରେ ରଖି ତା’ଉପରେ ଦିଶାରୀ ଜଳ ସିଞ୍ଚନ କରେ । ଘରର ବଡ଼ପୁଅ ସେଇ ବ୍ୟବହୃତ ପୂଜା ସାମଗ୍ରୀକୁ ପୋଖରୀରେ ପକାଇଦିଏ-। ପରିଶେଷରେ ଏକ ଭୋଜିର ଆୟୋଜନ ହୁଏ ଏବଂ ‘ପରିବାର’ ଓ ‘କୁଟୁମ୍ୱ’ ଲୋକେ ଭାତ, ମାଂସ ଓ ତରକାରୀ ଭୋଜନ କରନ୍ତି ।

 

ସର୍ବୋପରି ପାଉରୀ ଭୂୟାଁ ସଂପ୍ରଦାୟରେ ପାଳିତ ହେଉଥିବା ପୂଜାପର୍ବକୁ ମଧ୍ୟ ପ୍ରଚଳିତ ପ୍ରଥା ଏବଂ ବିଧି ଅନୁସାରେ ହିଁ କରାଯାଇଥାଏ । ବଣାଇ ଅଞ୍ଚଳର ପାଉରୀ ଭୂୟାଁମାନଙ୍କର ଜୀବନଯାତ୍ରା ପ୍ରଣାଳୀରେ କିଛିଟା ପରିବର୍ତ୍ତନ ଆସିଥିଲେ ମଧ୍ୟ, ପୁରାକାଳରୁ ସେଇ ସମାଜରେ ଚଳି ଆସୁଥିବା ପ୍ରଥା ଓ ଆଚାରବିଧିରେ ଅଦ୍ୟାବଧି କୌଣସି ପରିବର୍ତ୍ତନ ଆସିନାହିଁ ।

 

କନ୍‍କରେଣ୍ଟ ଅଡ଼ିଟ୍‍ ଅଫିସର

(ଓଡ଼ିଶା ସମବାୟ ସେବା) ଓସ୍‍କାର୍ଡ ବ୍ୟାଙ୍କ,

ଜବାହରଲାଲ ନେହେରୁ ମାର୍ଗ, ଭୁବନେଶ୍ୱର -୧

***

 

ଚଉଛକିରେ ସାହିତ୍ୟିକ

ଡକ୍ଟର ରତ୍ନାକର ଚଇନି

 

ପ୍ରଥମରୁ ଏମିତିଆ କଥାଟିରୁ ଆରମ୍ଭ କରେ - ଭଲକରି ଲକ୍ଷ୍ୟକଲେ ଜାଣିହେବ, ଆଜିର ସାହିତ୍ୟ ହେଉଛି ଏକ ଛିନ୍ନହସ୍ତା ଦେବୀ । ସେ ଦେବୀ ସତ, କିନ୍ତୁ ତାହାର ହାତ ନଥିବାରୁ ସେ ନିଷ୍କର୍ମା । ଆଜିର ସମାଜ ଜୀବନ ତାକୁ ଏଭଳି ହେବାକୁ ବାଧ୍ୟ କରିଛି । କାରଣ, ଯେଉଁ ସମାଜରେ ସତ୍ୟର ଆଦର ନାହିଁ - ସ୍ନେହସହାନୁଭୂତିର ସ୍ଵର ଯେଉଁ ଜୀବନରେ ପ୍ରତିଧ୍ୱନିତ ହୁଏ ନାହିଁ, ସେ ପ୍ରକାର ସମାଜ-ଜୀବନ ହେଉଛି ପଶୁ-ଜୀବନ । ବହୁ ଆଗରୁ ଏକଥାକୁ ବିଶ୍ଵାସକରି ନିଆଯାଇଛି ଯେ, ସାହିତ୍ୟିକ ହେଉଛି ମାନବବାଦର ମୁଗ୍ଧ କଳାକାର । ଏଣୁ ସାହିତ୍ୟକର କଥା, ତାହାର ସ୍ଵର ଓ ସଂକଳ୍ପ, ପଶୁ-ଜୀବନ ବିତାଉଥିବା ବ୍ୟକ୍ତିମାନଙ୍କୁ କେବେ ସ୍ପର୍ଶ କରିବ ନାହିଁ । ସାହିତ୍ୟ, ସାହିତ୍ୟିକ ଓ ସମାଜ ଆଜି ଯେଉଁ ଦ୍ୱନ୍ଦ୍ୱାତ୍ମକ ତ୍ରିଭୁଜର ତିନି ବାହୁରେ ପରିଣତ ହୋଇ ପରସ୍ପରର ଭୂମିକା ପାଇଁ ଅପରକୁ ଦାୟୀ କରୁଛନ୍ତି ତାହାର ଆତ୍ମ-ସମୀକ୍ଷା ହେବା ଉଚିତ ।

 

ଆଜିର ସମାଜରେ ଉପଭୋକ୍ତା ମନୋଭାବ (consumerism) ବଡ଼ ପ୍ରବଳ । ସମାଜରେ ନିଜର ସ୍ଥିତିକୁ ଦୃଢ଼ କରିବାପାଇଁ ବିକଳ ହେଉଥିବା ପ୍ରାଣୀଗୁଡ଼ିଏ ସବୁବେଳେ ଚିନ୍ତା କରୁଛନ୍ତି - କେଉଁଥିରେ ମୁନାଫା ବେଶି । ଆନନ୍ଦ ପ୍ରଦାନ କରିବା ଯଦି ସାହିତ୍ୟର ଏକ ଲକ୍ଷ୍ୟ ହୋଇଥାଏ, ତେବେ ଯେଉଁଥିରୁ ଅଧିକ ଆନନ୍ଦ ମିଳିବ, ତାହାକୁ ନିଜର କରିନେବା ଅଧିକ ଯଥାର୍ଥ ବୋଲି ସେମାନେ ବିବେଚନା କରୁଛନ୍ତି । ଫଳରେ କୌଣସି ଶାସ୍ତ୍ରୀୟ ବସ୍ତୁର ଆଜିର ସମାଜରେ ଆଦର ନାହିଁ । ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ଏବଂ ଶାସ୍ତ୍ରୀୟ ସାହିତ୍ୟ ଆଜି ଉପେକ୍ଷିତ । କାରଣ ‘ବିଜ୍ଞାନ ଓ ବୈଷୟିକ କଳା’ ଶସ୍ତାରେ/ସୁବିଧାରେ/ଅଧିକ ପରିମାଣରେ ଆନନ୍ଦ ପ୍ରଦାନ କରିବାର ଉପାଦାନ ଆକର୍ଷଣୀୟ ଢଙ୍ଗରେ ଆମ ଚାରିପଟେ ଅବିରତ ଜମା କରି ଚାଲିଛି । ମଣିଷର ସୂକ୍ଷ୍ମଚେତନା, କଳାତ୍ମକ ହୃଦୟକଳା ଓ ସାଂସ୍କୃତିକ ମନନଶୀଳତାକୁ ଗ୍ରାସ କରି ଯାଇଥିବା ଉପଭୋକ୍ତା ପ୍ରାଣଟି ସେସବୁ ବସ୍ତୁକୁ ଅଧିକ ପସନ୍ଦ କରିବା ଶିଖି ସାରିଲାଣି । ମଣିଷ ଅଧିକ ସୁରକ୍ଷିତ ସମାଜ ଜୀବନ ପାଇବାକୁ ଲୋଭ କରି ସ୍ୱାର୍ଥସର୍ବସ୍ଵ ଆତ୍ମକୈନ୍ଦ୍ରିକ ଅସାମାଜିକ ଜୀବଟିଏ ହୋଇ ସାରିଲାଣି । କାହାରି କଥାରେ ଆଉ ତାହାର ବିଶ୍ଵାସ ନାହିଁ । ଅନ୍ୟର ଭଲ-ମନ୍ଦ-ଭାବନା ପ୍ରତି ତାହାର ଆଉ ଖାତିର ନାହିଁ । ତେଣୁ ସେ ଆଜି ଅସାମାଜିକ-ସାମାଜିକ ପ୍ରାଣୀଟିଏ ହୋଇ ବଞ୍ଚିଛି ।

 

ସଂସ୍କୃତି କହିଲେ ଠିକ୍‌ କ’ଣ ବୁଝାଏ, ମୁଁ ଜାଣେନା । ତେବେ ଏତିକି ଜାଣେ, ଜଗତରେ ଯାହାକିଛି ଭଲ କଥା ଚିନ୍ତା କରାଯାଇଛି ଓ କୁହାଯାଇଛି, ତାହା ହିଁ ବୋଧେ ସଂସ୍କୃତି । ଏଇ ଭଲ ଜନିଷଗୁଡ଼ିକ ସମୟର ଆଘାତରେ ନଷ୍ଟ ନହୋଇ ଦୀପ୍ତି ମାନହୋଇ ଆସିଛି । ମାତ୍ର ଏବେ ଦେଖାଯାଉଛି,-ପୂର୍ବପୁରୁଷଙ୍କ ସ୍ନେହ, ସଦ୍ଦିଚ୍ଛା ଓ ସହଯୋଗିତାରେ ଯେଉଁ ସମାଜ ଓ ସଂସ୍କୃତି ଗଢ଼ି ଉଠିଥିଲା, ତାହା ଆଜି ଅସାମାଜିକଙ୍କ ସ୍ଵାର୍ଥ-କୈନ୍ଦିକ ପ୍ରତିଯୋଗିତାରେ ରକ୍ତାକ୍ତ-ଶରାହତ । ସମାଜ-ସାହିତ୍ୟ-ସଂସ୍କୃତିକୁ ନେଇ ଗର୍ବ କରିବା ଅପେକ୍ଷା ବ୍ୟକ୍ତି ଏବେ ବ୍ୟକ୍ତିଗତ ପାରିଲା-ପଣିଆ (ନିଜର କ୍ଷମତାର ଅକ୍ଟୋପାସ୍‌ ରୂପ ଓ ଅସଦ୍‌ ଉପାୟରେ ଧନସଂପତ୍ତି ଠୁଳ କରିବାର ଅହଂ)କୁ ନେଇ ଅଧିକ ଗର୍ବିତ । ଆଜି ଆଉ ନୈତିକ ଜୀବନର ଭିତ୍ତି ନାହିଁ । ମାଥ୍ୟୁ ଆରନୋଲ୍‌ଡ଼ଙ୍କ ‘କଲଚରାଲ୍‌’ ‘ଆନାର୍କି’ର ତଥ୍ୟ ଓ ତତ୍ତ୍ଵ କାହାରି ମନକୁ ସ୍ପର୍ଶ କରୁନାହିଁ । Without morality life is chaos ଭଳି ବାଣୀ ଚର୍ଚ୍ଚର କୌଣସି ଧାର୍ମିକ ପ୍ରବକ୍ତାର (ସରମନ୍‌) କଥା ଭଳି ସେ ମନେ କରୁଛି । କାରଣ ତାହାର କୌଣସି କଥାରେ ଆଉ ଆସ୍ଥାନାହିଁ କି ଭରସା ନାହିଁ ।

 

ଆଗେ କୁହାଯାଉଥିଲା - ସାହିତ୍ୟିକର ଲେଖନୀ ଏକ କୋଷମୁକ୍ତ ତରବାରୀ । ସେ ଅଦୃଶ୍ୟ ଭାବେ ସମାଜ ଜୀବନର ଭୟଙ୍କର ଶତ୍ରୁମାନଙ୍କୁ ବିନାଶ କରିପାରେ । ସତ୍ୟ-ନିଷ୍ଠା-ନ୍ୟାୟ ଉପରେ ପ୍ରଚଣ୍ଡ ବିଶ୍ଵାସ ରଖିବା ମଣିଷମାନଙ୍କୁ ଅଭୟ ଦେଇପାରେ, ଆହ୍ଲାଦିତ କରିପାରେ । ଭୟସଂତ୍ରସ୍ତ କରିପାରେ କୁପଥଗାମୀ ପ୍ରାଣୀମାନଙ୍କୁ । ମାତ୍ର ବର୍ତ୍ତମାନ ସେ ଅବସ୍ଥା ନାହିଁ । ଅତୀତର ବୀର ଖଣ୍ଡାୟତମାନଙ୍କର ଆୟୁଧ ଦଶହରାବେଳେ କେବଳ ପୂଜା ପାଇବା ଭଳି-ସାହିତ୍ୟିକର ବ୍ୟକ୍ତିତ୍ଵ ଏବେ କେବଳ ପୁରସ୍କାରରେ ମପାଯାଉଛି । ସାହିତ୍ୟିକଟି ନିଜର ସୃଜନ-ନିଷ୍ଠା ଅପେକ୍ଷା ବେଶି ଅପେକ୍ଷା ରଖୁଚି ପୁରସ୍କାର ଓ କିଛିଟା ପ୍ରଶସ୍ତି ଉପରେ । ପରିବର୍ତ୍ତିତ ସମାଜ ଜୀବନର ଧାରାରେ ଲେଖକର ଜୀବନଧାରା ଜଡ଼ିତ ହୋଇ ପଡ଼ିଛି । ତାହାର ଲେଖନୀ-ରୂପୀ ତରବାରୀ ଆଉ କେଉଁ କାମରେ ଆସୁ ବା ନଆସୁ, ଅନ୍ତତଃ ଦଶହର। ବେଳେ ପୂଜା ପାଉ - ଏଇ କାମନା ତୀବ୍ର ହୋଇ ଉଠୁଛି । ଫଳରେ ସେ କଳେବଳେକୌଶଳେ ପୁରସ୍କାରଟିଏ ପାଇବା ପାଇଁ ଲାଗି ପଡ଼ୁଛି । ପ୍ରତିଯୋଗିତାର ମହାପ୍ରବାହରେ ସାମିଲ ହୋଇ ସେ ନିଜର ବଡ଼ପଣ ଜାହିର କରିବାରେ ବ୍ୟଗ୍ର ।

 

ବାହ୍ୟ ପ୍ରଭାବ ସହିତ ଅନ୍ତରୀଣ ମୂଲ୍ୟବୋଧର ତୁଳନା କରି ଅସାମାଜିକ ଓ ନୀତିଗର୍ହତ କାର୍ଯ୍ୟ ବିରୁଦ୍ଧରେ ସଂଗ୍ରାମ କରିବା ସାହିତ୍ୟିକର ଲକ୍ଷ୍ୟ ବୋଲି ଦିନେ ସେ ଭାବୁଥିଲା । ଏଥିପାଇଁ ସାହିତ୍ୟିକଙ୍କୁ ଯଦି ବିପୁଳ ତ୍ୟାଗ ସହିବାକୁ ପଡ଼ୁଥିଲା, ସେ ସେଥିପାଇଁ ପଛାଉ ନଥିଲା । କାରଣ ସେ ଜାଣିଥିଲା - ‘ନିର୍ଯାତନା ଓ ଭ୍ରଷ୍ଟାଚାରର ଯନ୍ତ୍ରଣା ସାଧନାନିଷ୍ଠ ସ୍ରଷ୍ଟାର ସ୍ଵରକୁ ଶାଣିତ କରେ । ଯନ୍ତ୍ରଣାର ସସିଂହାସନରେ ବସି ବେଦନାବିଦ୍ଧ ସମ୍ରାଟର ଶିରୋଭୂଷା ପିନ୍ଧିବାରେ ଭିନ୍ନ ପ୍ରକାରର ଆନନ୍ଦ ମିଳେ ସ୍ରଷ୍ଟାକୁ । ସେଇ ପରିସ୍ଥିତିରେ ତାହାର ଲେଖନୀରୁ ବୁନ୍ଦାବୁନ୍ଦା ସତ୍ୟ ଝରି ଆସି ଅକ୍ଷରର ରୂପନେଇ ଆତ୍ମ ପ୍ରକାଶ କରେ । ମାତ୍ର ଆଜି ସେ ପରିସ୍ଥିତି ବଦଳି ଯାଇଛି । ଲେଖକ ସାମାଜିକ ବ୍ୟକ୍ତିଟିଏ ପାଲଟି ଯାଇ ସମାଜରେ କେବଳ ସେଇ ବ୍ୟକ୍ତିର ନିଚ୍ଛକ ଭୂମିକାଟି ସଂପାଦନ କରୁଛି ।

 

ଆଗେ ସାହିତ୍ୟ ସମାଜ-ଜୀବନକୁ ପ୍ରଭାବିତ କରୁଥିଲା; ଏବେ ସମାଜ-ଜୀବନ ସାହିତ୍ୟକୁ ପ୍ରଭାବିତ କରୁଛି । ବାହ୍ୟ ଜଗତର ଅସାରତା ଓ ଅନ୍ତର୍ଜଗତର ଅସହିଷ୍ଣୁତା ଆଜି ମଣିଷର ବ୍ୟକ୍ତିଗତ ସ୍ଵାଧୀନତାକୁ ଅପହରଣ କରି ନେଇଛି । ସେ ଖୁବ୍‌ ବିଷାଦଗ୍ରସ୍ତ ହୋଇ ପଡ଼ିଥିବା ଭଳି ମନେକରୁଛି । ସେଥିପାଇଁ ଭାବୁଛି - ତାହାର ବିଷାଦଗ୍ରସ୍ତ ମନ-ଆକାଶରେ ଶାନ୍ତି ଓ ସନ୍ତୋଷର ଚନ୍ଦ୍ରାତପଟିଏ କିଏ ଟାଣି ଦିଅନ୍ତାକି ! କିଏ ଅବା ଟାଣି ପାରିବ ? ଯେଉଁ ଈଶ୍ଵରଙ୍କ ଉପରେ ଆସ୍ଥା ରଖି ସେ ଏଇ କଥା କହନ୍ତା, ସେ ଈଶ୍ଵରଙ୍କୁ ତ ସିଏ ବେଶ୍‌ କିଛି ଦିନ ତଳୁ ମାରିଦେଇ ସାରିଛି । ଅତୀତ ସହିତ ବର୍ତ୍ତମାନକୁ ସଂଯୋଗ କରୁଥିବା ସେତୁଟି ଏହାରି ଭିତରେ କେଉଁ ଦିନ ଭୁଷୁଡ଼ି ପଡ଼ିଛି । ଏଣୁ ଅସହାୟ ମଣିଷ ଆଉ କାହା ଉପରେ ଆସ୍ଥା ନରଖି ନିଜର ସଂଗ୍ରାମୀ ବ୍ୟକ୍ତିତ୍ୱଟି ପ୍ରତି ଅଧିକ ଆସ୍ଥାବାନ୍‌ ହୋଇ ପଡ଼ୁଛି । ସାହିତ୍ୟ ଯେତେବେଳେ ସମାଜ-ଜୀବନର ଏହି ଧୂମିଳ ପରିସ୍ଥିତି ଭିତରେ ବାଟବଣା ହୋଇ ପଡ଼ିଛି, ତାହାଠାରୁ ଆଜି ଆଶା-ଆଶ୍ଵାସନାର ପ୍ରଲେପଟିଏ ପାଇବା ଅସମ୍ଭବ ବ୍ୟାପାର । ବରଂ ଏ ସାହିତ୍ୟ ବ୍ୟକ୍ତିବାଦର ସ୍ଥିତି ପ୍ରତିଷ୍ଠାପାଇଁ ଅହରହ ସଂଗ୍ରାମ କରୁଥିବା ମଣିଷର ଏକ ଖୋଲା ଇସ୍ତାହାର ବୋଲି କହିବାକୁ ହେବ-

 

ଦିନ ଥିଲା-ଲୋକେ ବିଶ୍ୱାସ କରୁଥିଲେ, ‘ସାହିତ୍ୟିକ ଏକ ଅମିତବୀର୍ଯ୍ୟ ବାମନ; ଯାହାର ପ୍ରଥମ ପାଦ ମାଟିରେ, ଦିତୀୟ ପାଦ ସ୍ୱର୍ଗ ବା କଳ୍ପଲୋକରେ ଏବଂ ତୃତୀୟ ପାଦ ପରିବ୍ୟାପ୍ତ ମଣିଷର ହୃଦୟରାଜ୍ୟ ବା ମନୋରାଜ୍ୟରେ’ । ମାତ୍ର ଆଜି ସମାଜ ଆଗରେ ସେଇ ବାମନ କେବଳ ଭିକାରୀଟିଏ ପାଲଟି ଯାଇଛି । ସେ କେବଳ ମାଗି ନେବାରେ ବ୍ୟସ୍ତ; କିଛି ପ୍ରତିଶ୍ରୁତି ଦେବାରେ ଆଗ୍ରହୀ ନୁହେଁ । ତାଙ୍କଠାରୁ ଅନେକ କିଛି ଆଶା କରୁଥିବା ସାମାଜିକ-ମଣିଷଟି ଦେଖୁଛି, - ସାହିତ୍ୟିକ ତାଆରି ଭଳି ସମସ୍ୟା ପଙ୍କରେ ଲଟପଟ ହେଉଥିବା ଘୁଷୁରୀଟିଏ । ତେଣୁ ଏ ଯାବତ୍‌ ସେ ତାଙ୍କଠୁଁ ଯାହା ଆଶା କରିଆସିଥିଲା, ସେସବୁ ଆଶା କରିବା ତାହା ପକ୍ଷରେ ଉଚିତ ନଥିଲା । ମଣିଷର ଗୁଂଫିତ ଆବେଗ ଓ ଅବଚେତନରେ ଖେଳୁଥିବା ଅପ୍ରକାଶ୍ୟ ଭାବତରଙ୍ଗ - ସାହିତ୍ୟିକର ସୃଷ୍ଟି- ଦର୍ପଣରେ ଝଲସି ଉଠି ତାକୁ ଉଦ୍‌ଭାସିତ କରିବା ଦରକାର ଥିଲା । ଠିକ୍‌ ଯେମିତି ଗ୍ରାମ୍ୟ-ବଧୂଟିଏ ଦି’ଅକ୍ଷର ପାଠପଢ଼ି, ବିଦେଶରେ ଥିବା ତାହାର ସ୍ଵାମୀର ଚିଠିକୁ ପ୍ରଥମେ ପଢ଼ି ପାରିବାର ଅନୁଭୂତି ଭଳି, ମେଞ୍ଚାଏ ଅନୁଭୂତି ତାହାର ଦରକାର । ମୋଟ ଉପରେ, ମଣିଷର ଅନ୍ତରତମ ପ୍ରଦେଶର ସେଇ କଥାଗୁଡ଼ାକ ଆସି ପଦାରେ ପଡ଼ିଯାଆନ୍ତା, ଯାହାକୁ ଦେଖି ସେ ହତଚକିତ ହୋଇଯାଆନ୍ତା ଏବଂ ନିଜେ ଭାବିବାକୁ ଗୋଟେ ସୁଯୋଗ ପାଆନ୍ତା - ଇସ୍‌, କେମିତି ଜାଣିନେଲା ସେ ମୋର ସକଳ ଭାବ-ଭାବନାଗୁଡ଼ାକୁ ।

 

ମାତ୍ର ସାହିତ୍ୟ-ରାଜ୍ୟରେ କିମ୍ବା ସମାଜ-ଜୀବନରେ ଆଜି ସେମିତି କିଛି ଘଟଣା ଘଟୁନାହିଁ-। ସାହିତ୍ୟିକ ନିହାତି ସାଧାରଣ/ମାମୁଲି ମଣିଷଟିଏ ମନେହେଉଛି । ଟିକିଏ ସ୍ପଷ୍ଟଭାଷୀ ହୋଇ ପଡ଼ିଥିବା କିମ୍ବା ମାନବବାଦ ସପକ୍ଷରେ ସ୍ଵର ଉଠାଉଥିବା ସାହିତ୍ୟିକଙ୍କ ପାଇଁ ମୌଳବାଦୀଙ୍କ ତରଫରୁ ମୃତ୍ୟୁ ଦଣ୍ତର ଭୟ ଝଂଜାବାତ ଭଳି ଲାଗି ରହୁଚି । ସୋଲେମନ ରୁସ୍‌ଦି, କିମ୍ବା ତସ୍‌ଲିମାଙ୍କ ଉଦାହରଣ ବିଶ୍ଵରେ ବିରଳ ନୁହେଁ । ଲେଖକର ପେଶା ଆଜି ଅବୈଧ ଉପାୟରେ ବିପନ୍ନ । ପ୍ରବଂଚନାମୟ ବିଚାରଧାରା ଧମକରେ ତାହା ଆଜି ଶଙ୍କାଚ୍ଛନ୍ନ । ସେଥିପାଇଁ ନୋବେଲ ପୁରସ୍କାର ବିଜେତା ଓ ସ୍ରଷ୍ଟା ଓଲିସୋଇକାଙ୍କ ମତ ହେଉଛି – ‘‘Creativity is in danger’’, ତେଣୁ ଲେଖକ ବିଦ୍ରୋହ କରିବାକୁ ବାଧ୍ୟ ହେଉଛି । ତାଛଡ଼ା ମାନବବାଦର ରକ୍ଷାକାରୀ ବୋଲାଉଥିବା କେତେକ ଦେଶର ସରକାର ଯେଉଁ ମିଥ୍ୟା-ପ୍ରବଂଚନାପୂର୍ଣ୍ଣ ଆଇନ ପ୍ରଣୟନ କରି ତାହାକୁ ଗ୍ରହଣ କରିନେବା ପାଇଁ ଲୋକଙ୍କ ଉପରେ ଲଦି ଦେଉଛନ୍ତି - ଲେଖକ ତା’ରି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ ହେଉଛି । ସେଠି ଲେଖକ ତା’ର ତାତ୍‌କାଳିକ ପରିବେଶରୁ ସୃଷ୍ଟିର ଉପାଦାନ ସଂଗ୍ରହ କରି ସୃଜନଶୀଳ ଉଷ୍ମତା ସୃଷ୍ଟି କରୁଛି । ସଂପ୍ରତି ବିଶ୍ଵରେ ତାହା ଦୃଷ୍ଟି ଆକର୍ଷଣକାରୀ ଧାରା ।

 

ଲେଖକ ପାଇଁ ସାଂପ୍ରତିକ କାଳରେ ଦୁଇଟି ଧାରାର ଆକର୍ଷଣ ରହିଥିବା ସ୍ପଷ୍ଟତଃ ବାରିହୋଇ ପଡ଼େ । ଗୋଟିଏ ଧାରାରେ ବୌଦ୍ଧିକ ଚିନ୍ତା-ଚେତନାର ସମ୍ମୋହନ, ଯାହା ଯୁଗ ଯନ୍ତ୍ରଣା, ଅସହାୟତା ଓ ନିଃସଙ୍ଗତାବୋଧକୁ ବାହନ କରି ଆସେ । ଅନେକ ସମୟରେ ଏହି ଧାରାର ଲେଖକ ଭୁଲିଯାଏ - ସେ କ’ଣ କହୁଚି ଏବଂ କାହାକୁ କହୁଚି ? ନିଜ ଯନ୍ତ୍ରଣାର ନାନ୍ଦୀପାଠ କରୁ କରୁ ସେ ବୁଢ଼ିଆଣୀ ଭଳି ନିଜେ ନିଜେ ଜାଲରେ ଛନ୍ଦି ହୋଇଯାଏ । ତାକୁ ଠିକ୍‌ ଭାବେ ବୁଝିପାରୁ ନଥିବାରୁ ସେ ଶିକ୍ଷା ଉପରେ ଦୋଷ ଲଦିଦେଇ ସାନ୍ତ୍ୱନା ଲାଭ କରେ । ନୂତନତା ନାଁରେ ପରୀକ୍ଷାମୂଳକଭାବେ ସେ ପରଂପରାର ଚେରକୁ ଛିନ୍ନକରି ଅଗ୍ରଗାମୀ ସ୍ରଷ୍ଟା ସାଜିବାର ଆଗ୍ରହ ରଖେ । ଫଳତଃ ଭାରତ ଭଳି ପରଂପରାବାଦୀ ଜନସମାଜ ଏହି ତଥାକଥିତ ପ୍ରଗତିଶୀଳ ସ୍ରଷ୍ଟାଟିକୁ ନଚିହ୍ନିପାରିବାର ଦୃଷ୍ଟିରେ ସ୍ତବ୍‌ଧ ଚକିତ ହୋଇ ଚାହେଁ । ଏଭଳି ସ୍ରଷ୍ଟାର ରାଷ୍ଟ୍ରୀୟ ସମ୍ମାନ ଓ ପୁରସ୍କାର ଆଦିକୁ ସେ ପ୍ରଶ୍ନବାଚୀ ତୋଳି ଅନାଇରହି ଆଶ୍ଚର୍ଯ୍ୟ ହୁଏ । ଏବଂ ଭାବି ଚାଲେ - କୋଉଠି କିଛି ଭୁଲ୍‌ ରହିଯାଇଛି ନିଶ୍ଚୟ ! ଆମର ବିଚାର ବିବେଚନାରେ କିମ୍ବା ପୁରସ୍କାର ଓ ସମ୍ମାନ ଦିଆଯାଉଥିବାର ଧାରାରେ ।

 

ଅନ୍ୟ ଧାରାଟି ସହିତ ଲେଖକର ଲୋକପ୍ରିୟତା ଏବଂ ଲେଖାର ବହୁଳ ପ୍ରସାର (Best Seller)ର ଦିଗ ଜଡ଼ିତ । ବର୍ତ୍ତମାନ କାଳରେ ସେହି ପୁସ୍ତକ ଅଧିକ ବିକ୍ରି ହେଉଛି, - ଯେଉଁଥିରେ ଧର୍ମଚେତନା, ଯୌନଭାବନା, ରାଜଧର୍ମିତା ଓ ସସ୍‌ପେନ୍‌ସଭାବ ପ୍ରତିଫଳିତ ହେଉଛି । ଅଳ୍ପ ଶିକ୍ଷିତ ପାଠକଙ୍କୁ ଆକର୍ଷିତ କରିବା ପାଇଁ ଏଥିରେ ସେହି ଭଳି ଶବ୍ଦସମ୍ଭାର ମଧ୍ୟ ଖଂଜି ଦିଆଯାଉଛି । ପ୍ରକାଶକ ବ୍ୟାବସାୟିକ ଦୃଷ୍ଟିରୁ ଏଭଳି ପୁସ୍ତକ ପ୍ରକାଶନ ଉପରେ ଗୁରୁତ୍ୱ ଦେଉଛି । କାରଣ ସବୁଠିଁ ଉପଭୋକ୍ତା ମନୋଭାବ ବିଦ୍ୟମାନ । ଯେଉଁଠି ଅଧିକ ଫାଇଦା, ସେଇହୁଏ ଆଦରଣୀୟ ବସ୍ତୁ । ତେବେ ପ୍ରଶ୍ନ ଉଠୁଚି- ଆଜିର ଲୋକପ୍ରିୟ ସାହିତ୍ୟ ଉପରୋକ୍ତ ଚାରିଖଣ୍ଡ କାଠରେ ବୁହାହୋଇ କେତେ ଦୂର ଯିବ ? ରୁସ୍‌ଦି କୁହନ୍ତୁ, ତସ୍‌ଲିମା କୁହନ୍ତୁ - ଏମାନଙ୍କ ସୃଷ୍ଟିରେ ଧର୍ମ ପ୍ରମୁଖ ଭୂମିକା ଗ୍ରହଣ କରିଛି ନିର୍ଦ୍ଦିଷ୍ଟ ଧର୍ମ ବିଶ୍ଵାସ ବିରୁଦ୍ଧରେ ସ୍ଵର ଉତ୍ତୋଳନକରି ଏମାନେ ବିଶ୍ଵରେ ବିବଦମାନ ସ୍ରଷ୍ଟା ହୋଇଛନ୍ତି ଏବଂ ବହୁ ପାଠକଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାରତୀୟ ସାହିତ୍ୟର ପୃଷ୍ଠପଟରେ ମଧ୍ୟ ଏ ଦିଗଟି ଉପେକ୍ଷିତ ନୁହଁ । ଅନେକ ଜାତୀୟ ପୁରସ୍କାରର ଅଧିକାରୀ ହୋଇଛନ୍ତି ଏହି ଧାରା ଅବଲମ୍ବନ କରିଥିବା କେତେକ ସ୍ରଷ୍ଟା । ଭାରତୀୟ ସଂସ୍କୃତିର ପୁନଃନବାୟନ ନାମରେ ଏହା ବାସ୍ତବରେ ଏକ ବ୍ୟାବସାୟିକ ଧାରା ।

 

ଓଡ଼ିଶା ଭଳି ରାଜ୍ୟରେ ସାହିତ୍ୟିକର ଓଜନ ତାହାର ପଦ-ପଦବୀର ଓଜନ ସହିତ ଜଡ଼ିତ ହୋଇଥିବା ଦେଖାଯାଏ । ଗୋଷ୍ଠୀ ଓ ଉପଗୋଷ୍ଠୀର ଚକ୍ରାନ୍ତରେ ପ୍ରକୃତ ସାହିତ୍ୟିକଟି ମର୍ଯ୍ୟାଦା ପାଇ ପାରୁନାହିଁ । ପ୍ରଚାର ଓ ପ୍ରବକ୍ତାର ଭ୍ରମାତ୍ମକ ତଥ୍ୟ ଯୋଗୁଁ ଅସଲ ସୁନା ପାଉଁଶ ଗଦା ତଳେ ରହିଯାଉଛି । ଅର୍ଥନୀତିର ଚିରନ୍ତନ ଉକ୍ତିଟି ସାହିତ୍ୟ-ଜଗତରେ ବାସ୍ତବ ରୂପ ନେଉଛି । ‘ବ୍ୟାଡ଼୍‌ ମନି’ ‘ଗୁଡ଼୍‌ମନି’କୁ ବଜାରରେ ପ୍ରଚଳିତ ହେବାକୁ ସୁଯୋଗ ଦିଏ ନାହିଁ । ପ୍ରଚାର ବଜାରରେ ବିଚାରା ସତ୍‌ସାହିତ୍ୟିକ ଜଣକ ବର୍ଷା କାଳରେ କୋଇଲି ଭଳି, ନୀରବ ରହିବାକୁ ବାଧ୍ୟ ହୁଏ । ଆଜିର ପରିସ୍ଥିତିରେ ‘ମନୋଜ ଦାସ’ କାହିଁକି-‘ସାରଳା ଦାସ’ ବଂଚିଥିଲେବି ତାଙ୍କ ପାଇଁ ରାଷ୍ଟ୍ରୀୟ ସମ୍ମାନ ମିଳିଥାଆନ୍ତା କି ନାହିଁ ସନ୍ଦେହ । ଯଥାର୍ଥ ମୂଲ୍ୟାଙ୍କନ ଅଭାବରୁ ଓଡ଼ିଆ ଭାଷାରେ ‘ବ୍ୟାଡ୍‌ ମନି’ର ପ୍ରଭାବ ଖୁବ୍‌ ବେଶି । ତେଣୁ ଅନେକ ଯଶସ୍ୱୀ ପ୍ରତିଭାବାନ୍‌ ସ୍ରଷ୍ଟା ଏବେ ପରଦା ଅନ୍ତରାଳରେ ।

 

ମୋର ଯାହା ମନେହୁଏ, ଆଜିର ପାଠକ ସଂଖ୍ୟା ଆଶାତୀତ ଭାବରେ କମି ଯାଉଥିବା କାରଣ ମଧ୍ୟରୁ ଏହା ମଧ୍ୟ ଏକ ବଳିଷ୍ଠ କାରଣ । ସେମାନେ ସତ୍‌ସାହିତ୍ୟ କ’ଣ ତାହା ସାଂପ୍ରତିକ ସାହିତ୍ୟିକ ମାପକାଠିରୁ ଜାଣିପାରୁନାହାନ୍ତି । ମୋଟ ଉପରେ ସାହିତ୍ୟିକ ଓ ସାହିତ୍ୟ ନିଜର ପ୍ରତ୍ୟୟ ଜନସମାଜ ପାଖରେ ହରାଇ ବସିଛନ୍ତି । ତେଣୁ ସେ ଚଉଛକିରେ ଠିଆହୋଇ କୁଆଡ଼କୁ ଯିବ, ବାଟ ବାଛି ପାରୁ ନାହିଁ । ଯେଉଁ ଦିନ ତାଙ୍କୁ ତାଙ୍କର ଅତୁଟ ବିଶ୍ଵାସ ଟିକକ ଫେରସ୍ତ ମିଳିବ, ସେଦିନ ସେ ଠିକ୍‌ ବାଟକୁ ଆସିଯିବେ ।

 

 

ଶ୍ରୀ ନିକେତନ, ବାଦାମବାଡ଼ି,

କଟକ - ୭୫୩୦୧୨

 

***

 

ଓଡ଼ିଆ ଶିଶୁ-ସାହିତ୍ୟରେ ନାନାବାୟା ଗୀତ

ଶ୍ରୀ ରାମପ୍ରସାଦ ମହାନ୍ତି

 

ଶିଶୁଗୀତି ଚିରନ୍ତନ ଓ ଶାଶ୍ୱତ । ଜନନୀ ସହିତ ଶିଶୁ ସନ୍ତାନର ସମ୍ପର୍କ ଥିବା ପର୍ଯ୍ୟନ୍ତ ଶିଶୁ ଗୀତି ବା ନାନାବାୟା ଗୀତ ସମସ୍ତଙ୍କୁ ଆନନ୍ଦ ଦେଉଥିବ ।

 

ଗବେଷକମାନଙ୍କ ମତରେ ଏହି ନାନାବାୟା ଗୀତ ହେଉଛି ସାହିତ୍ୟର ଜନନୀ । ଶିଶୁଗୀତିରୁ ଅଙ୍କୁରୋଦ୍‌ଗମ ହୋଇ ଶାଖାପ୍ରଶାଖା ମେଲି ସାହିତ୍ୟର ସୃଷ୍ଟି ହୋଇଥାଏ । ଶିଶୁକୁ ଖେଳାଇବା, ଖୁଆଇବା, ଶୁଆଇବା ଆଦି କାର୍ଯ୍ୟ ମାଆ ଗୀତ ମାଧ୍ୟମରେ ହିଁ କରିଥାଏ । କାରଣ ଶିଶୁ ସହଜରେ ଗୀତର ଧ୍ଵନି, ସ୍ଵର, ତାଳ, ଲୟ ପ୍ରତି ଆକୃଷ୍ଟ ହୋଇଥାଏ । ଯେତେବେଳେ କୌଣସି ଲିଖିତ ଶିଶୁ-ଗୀତି ନଥିଲା, ଶିଶୁକୁ ଭୁଲାଇବା ପାଇଁ ତା’ର ମାଆ ମୃଦୁ ମଧୁର ଧ୍ଵନି କରି ନିଜେ ଶିଖିଥିବା ଗୀତ ହେଉ ଅଥବା ନିଜେ ମନକୁ ମନ ଗୀତ ରଚନା କରି ଗାଉଥିଲା ସୁଲଳିତ କଣ୍ଠରେ । ତାହା ବେଳେବେଳେ ଅର୍ଥଦ୍ୟୋତକ ନହେଲେ ମଧ୍ୟ ଶିଶୁକୁ ପ୍ରଭାବିତ ଓ ବିମୋହିତ କରିପାରୁଥିଲା । ସେଥିପାଇଁ ନାରୀକୁ ଶିଶୁଗୀତିର ସ୍ରଷ୍ଟା ରୂପେ ଅଭିହିତ କରାଯାଇଛି ।

 

କେଉଁ ଭାଷାର ଶିଶୁଗୀତି ସବୁଠାରୁ ପୁରାତନ ତାହା ଚିହ୍ନିତ କରାଯାଇନପାରେ । ଶିଶୁର କେବଳ ଖାଦ୍ୟପେୟ ଛଡ଼ା ଆଉ କେଉଁଥିରେ କିଛି ଯାଏ ଆସେ ନାହିଁ । ବାୟା ଚଢ଼େଇର କି ଯାଏ; ବାଆ କଲେ ବସା ଦୋହଲୁଥାଏ । ଅର୍ଥ ବୁଝୁ କି ନ ବୁଝୁ ମାଆ, ବୁଢ଼ୀମାଠାରୁ ଯେଉଁ ଗୀତ ଶୁଣେ ସେଥିରେ ଶିଶୁ ମୁଗ୍ଧ ହୋଇଯାଏ । ବାରମ୍ବାର ଶୁଣିବା ପରେ ତାକୁ ଶିଖି ନିଏ ଓ ନିଜେ ଗାନ କରି ନାଚେ । ଏହା ହିଁ ଶିଶୁଗୀତି । ଅବୋଧ କ୍ଲିଷ୍ଟ ଶବ୍ଦ ଥିଲେ ମଧ୍ୟ ଓ ତାହା ଅର୍ଥହୀନ ହୋଇଥିଲେ ମଧ୍ୟ ସେଥିପ୍ରତି ଭ୍ରୁକ୍ଷେପ ନକରି ଗୀତରେ ଛନ୍ଦ, ତାଳ ଓ ଲୟରେ ତନ୍ମୟ ହୋଇ ତାକୁ ଆପଣାର କରିନିଏ । ଏହା ହିଁ ପ୍ରଥମ ଶିଶୁ ସାହିତ୍ୟ ।

 

ଶିଶୁକୁ କହନ୍ତି ପିଲା, ମାତ୍ର ସବୁ ପିଲାଙ୍କୁ ଶିଶୁ କହନ୍ତି ନାହିଁ । ପିଲାମାନଙ୍କୁ ବୟସ ଭେଦରେ ଶିଶୁ, ବାଳକ, କିଶୋର, ତରୁଣ ଆଦି ଶ୍ରେଣୀରେ ବିଭକ୍ତ କରାଯାଇଛି । ଶୈଶବର ସଂଜ୍ଞା ନିରୂପଣ ସଂପର୍କରେ ଭିନ୍ନ ମତ ଥାଇପାରେ, ମାତ୍ର ପାଞ୍ଚ ବର୍ଷ ପରେ ଶିଶୁର ଶୈଶବ ଚାଲିଯାଏ ଓ ଅଧ୍ୟୟନ ପାଇଁ ସେ ବିଦ୍ୟାଳୟକୁ ଯାଏ । ପ୍ରାକ୍‌- ବିଦ୍ୟାଳୟ ସ୍ତରରେ ଶିଶୁର ଯତ୍ନ ନେବା ଏବଂ ମନଲାଖି ନାନାବାୟା ଗୀତ ଓ କାହାଣୀ ମାଧ୍ୟମରେ ତାକୁ ହସାଇ ଖେଳାଇ ଶିକ୍ଷା ପ୍ରତି ତା’ର ଆଗ୍ରହ ଜନ୍ମାଇବା ଦାୟିତ୍ୱ ହେଉଛି ଅଭିଭାବକର । ଶିଶୁ ନିଜେ ଅର୍ଥ ବୁଝୁ କି ନ ବୁଝୁ ଏହି ଗୀତ ଓ କାହାଣୀର ମୂଲ୍ୟାଙ୍କନ କରିପାରେ । ଯେଉଁ ଛନ୍ଦ ଓ ତାଳ ଶିଶୁର ପ୍ରାଣକୁ ସ୍ପର୍ଶ କରେ ନାହିଁ, ସେପରି ଗୀତ ଆଡ଼କୁ ସେ କାନ ଦିଏ ନାହିଁ । ସେହିପରି କାହାଣୀଟି ଯଦି ଗ୍ରହଣୀୟ ନହୁଏ, ସେ ତାହାକୁ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ବସି ଶୁଣି ନଥାଏ ।

 

ଯେଉଁ ରାଷ୍ଟ୍ରର ଶିକ୍ଷା, ଶିଶୁ-ସାହିତ୍ୟ ଓ ଶିଶୁଗୀତି ଯେତେ ଉନ୍ନତ ଓ ବିକଶିତ ସେ ରାଷ୍ଟ୍ର ସେତେ ସମୃଦ୍ଧ । ଇଂଲଣ୍ଡ, ରୁଷିଆ, ଆମେରିକା ଆଦି ରାଷ୍ଟ୍ର ବହୁ ପୂର୍ବରୁ ଆଧୁନିକ ମୁଦ୍ରଣ ପ୍ରଣାଳୀ ପ୍ରଚଳନ କରିଥିବା ଯୋଗୁଁ ସେଠାରେ ଶିକ୍ଷା ଓ ସାହିତ୍ୟର ବିକାଶ ସମ୍ଭବ ହୋଇଛି । ସେଠାରେ ପ୍ରକାଶିତ ଶିଶୁ ପୁସ୍ତକ ବିଶେଷ ଚିତ୍ତାକର୍ଷକ ଓ ସୁରୁଚି ସମ୍ପନ୍ନ । ଆମ ଦେଶରେ ମୁଦ୍ରଣ ଶିଳ୍ପ ଧୀର ମନ୍ଥର ଗତିରେ ଚାଲିଛି । ତେଣୁ ଶିଶୁ-ପୁସ୍ତକ ପ୍ରକାଶନ ପାଇଁ ଆବଶ୍ୟକୀୟ ଧ୍ୟାନ ଦିଆଯାଇ ନାହିଁ । କିନ୍ତୁ ଲୋକମୁଖରେ ଆମର ଯେଉଁ ନାନାବାୟା ଗୀତଗୁଡ଼ିକ ପ୍ରଚଳିତ ତା’ଠାରୁ ବିଦେଶର ଶିଶୁଗୀତଗୁଡ଼ିକ ଅଧିକ ପ୍ରାଚୀନ ବୋଲି ମନେ କରିବା ଉଚିତ ନୁହେଁ ।

 

ବିଦେଶୀ ଭାଷାର ଶିଶୁଗୀତି କ୍ରମେ ଆବଶ୍ୟକ ସ୍ଥଳେ ସଂଶୋଧିତ ଓ ପରିମାର୍ଜ୍ଜିତ ହୋଇ ନୂତନ ଢଙ୍ଗରେ ମୁଦ୍ରିତ ହେଲା ଏବଂ ନର୍ସରୀ ଓ କିଣ୍ଡରଗାର୍ଟନମାନଙ୍କରେ ପ୍ରଚଳିତ ହେଲା । କିନ୍ତୁ ଲୋକମୁଖରେ ପ୍ରଚଳିତ ଆମ ନାନାବାୟା ଗୀତଗୁଡ଼ିକ ପୂର୍ବପରି ଜାତିଆଣ ଓ ଆଞ୍ଚଳିକ ଭେଦଭାବ ଏବଂ ନାନା କୁସଂସ୍କାରର ଆଧାର ହୋଇ ରହିଗଲା । ଇତିମଧ୍ୟରେ ଲିପିବଦ୍ଧ ହୋଇ ରହିନଥିବା ଅନେକ ଲୋକଗୀତି ଲୋକମୁଖରୁ ପାଶୋର ଗଲାଣି । ପୂର୍ବ ସଂସ୍କୃତି ଓ ପରମ୍ପରାକୁ ସାଇତି ରଖିବା ଆଳରେ କେତେକ ଶିଶୁପ୍ରେମୀ ଏହି କୁସଂସ୍କାରକୁ ମାର୍ଜ୍ଜିତ କରିବା ପାଇଁ ନାରାଜ ।

 

ସର୍ବଦା ଓ ସର୍ବତ୍ର ଶିଶୁମାନଙ୍କ ଚାଲିଚଳନ, ସ୍ଵଭାବ ଓ ଖେଳକୌତୂକ ସମାନ । ଶିଶୁ ମନରେ ହିଂସା, ଲୋଭ କି କୂଟକପଟ ନଥାଏ । ସେ ସ୍ୱାର୍ଥପର ହୋଇପାରେ ନାହିଁ । ଭାଷା ଭିନ୍ନ ହେଲେ ମଧ୍ୟ ଗୋଟିଏ ଭାଷାର ଶିଶୁଗୀତି ସବୁ ଦେଶର ଶିଶୁଙ୍କୁ ସମପରିମାଣରେ ଆନନ୍ଦ ଦେଇଥାଏ ।

 

ହାଣ୍ଡି ଗଢ଼ା ହେଉଥିବା କଞ୍ଚା ମାଟି ପରି ଶିଶୁର ମନ । ତାକୁ ଯେଉଁ ଛାଞ୍ଚରେ ପକାଯାଏ ତା’ର ଜୀବନ ସେହିପରି ଗଢ଼ି ହୁଏ ।

 

ଓଡ଼ିଶାକୁ ମୁଦ୍ରଣ ଯନ୍ତ୍ର ଆସିବାର ପ୍ରାୟ ୧୫ ବର୍ଷ ପରେ ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ‘ନାନାବାୟା ଗୀତ’ ପ୍ରକାଶିତ ହୋଇଥିଲା । ଶିଶୁଙ୍କ ପାଇଁ ଏହା ପ୍ରଥମ ଶିଶୁଗୀତି ହୋଇଥିବାରୁ ନନ୍ଦ କଶୋରଙ୍କୁ ଯଥାର୍ଥରେ ଓଡ଼ିଶା ଶିଶୁ ସାହିତ୍ୟର ଜନକ ଏବଂ ପ୍ରାଣ ପ୍ରତିଷ୍ଠାତା ବୋଲି କୁହାଯାଏ । ତାଙ୍କ ସମୟରେ ପିଲାଙ୍କ ପାଇଁ କୌଣସି ପତ୍ରପତ୍ରିକା ନଥିଲା । ସ୍ଵୀୟ ଚେଷ୍ଟା ବଳରେ ସେ ଯେଉଁ ପ୍ରାଣସ୍ପର୍ଶୀ ଶିଶୁଗୀତି ରଚନା କରିଥିଲେ ସେଥିପାଇଁ ସେ ଚିରକାଳ ଅବିସ୍ମରଣୀୟ ହୋଇ ରହିବେ । ବେଣ୍ଟ ପୋଖରୀ, ମାଣ୍ଡିଆ କିଆରୀ, ଗାଁ ଦାଣ୍ଡ, ଝଙ୍କାଳିଆ ବରଗଛ ଏବଂ ଚୁଟିଆ ମୂଷା, ବିଲୁଆ, ପାରା, କାଉ, ଏହିପରି ନିର୍ଜୀବ ବସ୍ତୁ ଓ ଜୀବନ୍ତ ପ୍ରାଣୀମାନେ ତାଙ୍କ ନାନାବାୟା ଗୀତର ଚରିତ୍ର । ଟିକି ଟିକି ପିଲାମାନେ ପ୍ରଥମରୁ ସେହିମାନଙ୍କ ସଙ୍ଗେ ହିଁ ପରିଚିତ ହୋଇଥାନ୍ତି । ସେହିମାନଙ୍କୁ ନେଇ ରଚିତ ପଲ୍ଲୀକବିଙ୍କ ଶିଶୁଗୀତିଗୁଡ଼ିକ ଯେପରି ମନସ୍ତାତ୍ତ୍ୱିକ ସେହିପରି ଲାଳିତ୍ୟପୂର୍ଣ୍ଣ ଛନ୍ଦରେ ଛନ୍ଦାୟିତ । ନନ୍ଦ କିଶୋର ନିଜେ ଶିଶୁ ଭୂମିକାରେ ଅବତୀର୍ଣ୍ଣ ହୋଇ ଗଛଲତା ଓ ଜୀବଜନ୍ତୁଙ୍କୁ କେତେ କଥା ପଚାରିଛନ୍ତି । ତାହା ଶିଶୁ ମନର କଥା । ସେଥିପାଇଁ ତାଙ୍କ ନାନାବାୟା ଗୀତ ଏତେ ପ୍ରାଣସ୍ପର୍ଶୀ ହୋଇ ପାରିଛି, ଏହି ଗୀତରୁ କେତୋଟିର ସଂକ୍ଷିପ୍ତ ସୂଚନା ଏଠାରେ ଦିଆଯାଉଛି -

 

ଡାମରା କାଉରେ ଡାମରା କାଉ ।

ଉଞ୍ଚ ପରବତେ ବୋବାଉଥାଉ ।

ଉଞ୍ଚି ପରବତ କୁଞ୍ଚି କୁଞ୍ଚିକା

ସେଥିରେ ବସିଚି ତିନି ମେଞ୍ଚିକା । ....

 

ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଭରଣକ ଖାଉଥା ବସି

କରୁଥାଆ ଯାହା ମନର ଖୁସି

ଘର ଛାଡ଼ି ମୁହିଁ ଯାଉଛି ରୁଷି । ....

 

ଚାଲୁଣି ଚଲଉଁ ଚଲଉଁ ପାଇଲଇଁ ମୁଁ ଗୋଡ଼ି

କି ସୁନ୍ଦର ପାରା ଯୋଡ଼ିକ ଯାଉ ଅଛନ୍ତି ଉଡ଼ି ।

ଆସ ଆସ ପାରା ଯୋଡ଼ିକ ମୋ ପିଣ୍ଡାରେ ବସ

ଖାଇବାକୁ ଦେବି ତୁମକୁ ନଡ଼ିଆର ରସ । ....

 

ଭୋଦୁଅ ମାସରେ ମାଣ୍ଡିଆ ପାଚଇ

      ହୋଓରେ ବଇଆ ହୋଓ

ଯେଉଁ କିଆରିରେ ଗହଳ ମାଣ୍ଡିଆ

      ସେଇ କିଆରିରେ ଶୋଓ ।

 

ଦିନ ତ ଯାଇଛି ରାତି ତ ଆସିଚି

      ହୋଓ ରେ ବାଇଆ ହୋଓ

ଝଙ୍କାଳିଆ ଗଛ ଗହଳିଆ ଡାଳେ

      ତୁନି ହୋଇ କରି ଶୋଓ ।

 

ଦିନ ତ ଯାଇଛି ରାତିତ ଆସିଚି

      ହୋଓରେ ବାଇଆ ହୋଓ

ସମସ୍ତେ ଶୋଇଲେ ବାଇଆ ଧନତୁ

      ଆଖି ବୁଜିକରି ଶୋଓ ।

 

ଏଇଠି ପ୍ରଶ୍ନ ଉଠେ ପଲ୍ଲୀକବି ନନ୍ଦକିଶୋରଙ୍କ ନାନାବାୟା ଗୀତ ପ୍ରକାଶନ ପୂର୍ବରୁ ଲୋକ ମୁଖରେତ ଶିଶୁଗୀତି ଥିଲା । ତେବେ ସେସବୁ ଶିଶୁ ଗୀତି କ’ଣ ‘ନାନାବାୟା ଗୀତ’କୁ ପ୍ରଭାବିତ କରିନାହିଁ, ହୁଏତ କରିଥିବ । ଶିଶୁମନୋରଞ୍ଜକ ଓ ରସ-ପ୍ରାଚୁର୍ଯ୍ୟ ହେତୁ ଚିତ୍ତଗ୍ରାହୀ ଶିଶୁଗୀତି ତ ଗୋଟିଏ ଭାଷା ମଧ୍ୟରେ ଆବଦ୍ଧ ହୋଇ ରହେ ନାହିଁ । ଶିଶୁଗୀତି ସାର୍ବଜନୀନ । ସେ ସୀମାସରହଦ ଅତିକ୍ରମ କରି ଅନ୍ୟ । ଭାଷା ଓ ଅନ୍ୟ ଦେଶକୁ ଯେତେବେଳେ ଚାଲିଯାଉଛି, ନନ୍ଦ କିଶୋର ପ୍ରାଚୀନ ଶିଶୁଗୀତିକୁ ଅନୁସରଣ କରିବାରେ କ୍ଷତି ନାହିଁ ତ କିନ୍ତୁ ତାଙ୍କର ରଚନାଶୈଳୀ ଏତେ ମନୋମୁଗ୍ଧକର ଯେ ଶିଶୁ ତାକୁ ସହଜରେ ଗ୍ରହଣ କରିପାରେ । ସାହିତ୍ୟିକ ଉପାଦାନ ବିବର୍ଜିତ ରଚନା ଏବଂ ନୀତିଶିକ୍ଷା ଓ ଉପଦେଶ ଦ୍ୱାରା ଭାରାକ୍ରାନ୍ତ ହୋଇଥିବା ନିରସ ନାନାବାୟା ଗୀତଗୁଡ଼ିକୁ ଶିଶୁ ସହଜରେ ନିଜର କରିପାରିବ ନାହିଁ ।

 

ଆମ ଶିଶୁ-ସାହିତ୍ୟିକମାନେ ବ୍ୟବହାର କରିଥିବା ‘ଚକା ଚକା ଭଉଁରୀ, ମାମୁଁଘର ଚଉଁରୀ’, ‘ମେଘ ବରଷିଲା ଟପର ଟପର’, ‘ଧୋଓରେ ବାଇଆ ଧୋଓ’, ‘ପୁଞ୍ଚିଲୋ ଘୁଞ୍ଚିଯା’, ‘ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ ?, ‘ମେଁ ମେଁ କା ମାଣିକ ରଜା’ ଆଦି ଗୀତ ଅତ୍ୟନ୍ତ ପୁରାତନ ବୋଲି ପ୍ରତୀୟମାନ ହୁଏ । ଅନେକ ଶିଶୁଗୀତି ରଚୟିତା ଏହି ପଦଗୁଡ଼ିକୁ ଏବେ ମଧ୍ୟ ନିଜ ରଚନାରେ ସନ୍ନିବେଶ କରୁଛନ୍ତି । ଏହି ଲୋକପ୍ରିୟ ଶିଶୁଗୀତିଗୁଡ଼ିକର ମୂଳ କେଉଁଠି ତାକୁ ଗବେଷକମାନେ ଖୋଜି ବାହାର କରିବା ଆବଶ୍ୟକ ।

 

ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ପ୍ରଥମ ଓଡ଼ିଆ ଶିଶୁ-ସାହିତ୍ୟ ପତ୍ରିକା ‘ପ୍ରଭାତ’ ସ୍ଵଳ୍ପ କାଳ । ପାଇଁ ଆତ୍ମପ୍ରକାଶ କରିଥିଲା । ନନ୍ଦ କିଶୋରଙ୍କ ନାନାବାୟା ଗୀତ ମୁଦ୍ରିତ ହେଲା ୧୯୧୫ରେ । ଏହାର ପାଞ୍ଚ ବର୍ଷପରେ ଚିନ୍ତାମଣି ଆଚାର୍ଯ୍ୟଙ୍କ ‘ପଞ୍ଚାମୃତ’ ଏବଂ ୧୯୩୨ରେ ବାଳକୃଷ୍ଣ କରଙ୍କ ‘ଜହ୍ନମାମୁଁ’, ପ୍ରକାଶ ପାଇବାପରେ ଓଡ଼ିଆ ଶିଶୁଗୀତି ଓ ଶିଶୁ-ସାହିତ୍ୟ ପାଇଁ ବିପୁଳ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହୋଇଥିଲା ।

 

କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକ ୧୯୧୭ରେ ‘କଳାହାଣ୍ଡିଆ ମେଘ’ ନାମକ ଏକ ଶିଶୁଗୀତି ପୁସ୍ତକ ପ୍ରକାଶ କରିଥିଲେ । ତାଙ୍କର ଅନ୍ୟଏକ ଶିଶୁଗୀତି ପୁସ୍ତକ ‘ବାଇଧନଟି’ ପ୍ରକାଶ ପାଇଲା ୧୯୨୧ ମସିହାରେ ।

 

ପରବର୍ତ୍ତୀ କାଳରେ ବାଳକୃଷ୍ଣ କରଙ୍କ ସଂପାଦିତ ‘ଜହ୍ନମାମୁଁ’ ଜାତୀୟ କବି ବୀରକିଶୋର ଦାସଙ୍କ ସମ୍ପାଦିତ .‘ମୋ ଦେଶ’ ଓ ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦିତ ‘ଟୁଆଁଟୁଇଁ’ ପତ୍ରିକାଗୁଡ଼ିକ-। ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ । ଏଥିରେ ଡଃ କୁଞ୍ଜ ବିହାରୀ ଦାଶ, ଲକ୍ଷ୍ମୀକାନ୍ତ ମହାପାତ୍ର, ଚକ୍ରଧର ମହାପାତ୍ର, କୃଷ୍ଣଚନ୍ଦ୍ର କର, କୁବେର ଦଳେଇ, ସତ୍ୟାନନ୍ଦ ମହାନ୍ତି, ରାମକୃଷ୍ଣ ନନ୍ଦ, ଉପେନ୍ଦ୍ର ତ୍ରିପାଠୀ, ଡଃ ଜଗନ୍ନାଥ ମହାନ୍ତି, ଡଃ ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ), ନିକୁଞ୍ଜ କିଶୋର କାନୁନ୍‌ଗୋ ଓ ରାମ ପ୍ରସାଦ ମହାନ୍ତି ପ୍ରମୁଖଙ୍କ ଶିଶୁଗୀତି ପ୍ରକାଶ ପାଉଥିଲା ।

 

ଏହାପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ଶିଶୁଲେଖା’ ନାମକ ଏକ ବହୁରଙ୍ଗରେ ମୁଦ୍ରିତ ଶିଶୁ ସାହିତ୍ୟ ପ୍ରକାଶ ପାଇଲା । ଅନ୍ୟ ଏକ ରଙ୍ଗୀନ ପତ୍ରିକା ‘ମନ ପବନ’ ମଧ୍ୟ ଡଃ ମହେଶ୍ଵର ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶ ପାଇଲା । ଶେଷୋକ୍ତ ଦୁଇଟି ପତ୍ରିକା ଏବେ ମଧ୍ୟ ପ୍ରକାଶ ପାଉଛି-

 

ଜାତୀୟ କବି ବୀରକିଶୋରଙ୍କ ‘ମୋ ଦେଶ’ ମଧ୍ୟ ବହୁରଙ୍ଗରେ ଦୀର୍ଘଦିନ ଧରି ପ୍ରକାଶ ପାଇଥିଲା । ଗତାନୁଗତିକ ଶିଶୁଗୀତିଠାରୁ ଜାତୀୟ କବିଙ୍କ ଲେଖା କିପରି ଭିନ୍ନ ଥିଲା ତାହା ନିମ୍ନୋକ୍ତ ଶିଶୁଗୀତିଗୁଡ଼ିକରୁ ସୂଚିତ ହୁଏ।

 

ବଜାରେ ବଜାରେ ବାଇଦ ବଜା

ଆମରି ଦେଶରେ ଆମେ ତ ରଜା ।

ଗରମ ପୁରିକି ନରମ ଭଜା

ଆମେ ପିଲାମାନେ ମାରିବା ମଜା ।

x      x      x

ପାନ ବିଡ଼ି ନୁହଁ ଛୋଟିଆ ନିଶା

ଜଣା ପଡ଼େ ନାଇଁ ଟାଣେ ପଇସା ।

x      x      x

ଆମ ବିଲେଇ କରିଛି ଛୁଆ

ଗୋଟିଏ ମାଇ ଗୋଟିଏ ଭୁଆ ।

ଫିଟି ନ ଥାଏ ଛୁଆଙ୍କ ଆଖି

ମାଆ ଦିହିଙ୍କି ପାଟିରେ ଜାକି ।

ଠାଆକୁ ଠାଆ ଆସଇ ଥୋଇ

ଜଗଇ ତାଙ୍କୁ ପାଖରେ ଶୋଇ ।

x      x      x

ଦୁଇଟି ମୋର ହାତ

ଦିହିଙ୍କି ଦିହେଁ ଖଟନ୍ତି ବୋଲି ।

ମିଳଇ ମୋତେ ଭାତ ।

ଏଇଟି ମୋର ପେଟ

ଯାହା ମୁଁ ଖାଏ, ଯାହା ମୁଁ ପିଏ

ଏଇଠି ସବୁ ଭେଟ ।

x      x      x

 

ଡଃ କୁଞ୍ଜବିହାରୀ ଦାଶଙ୍କ ‘ଲୋକ ଗୀତି’ ସଞ୍ଚୟନରେ ଶିଶୁମାନଙ୍କ ପାଇଁ ଯଥେଷ୍ଟ ଉପାଦାନ ରହିଛି । ତାଙ୍କ ସ୍ଵରଚିତ ‘କାଠଘୋଡ଼ା ପାଣି ପି’, ‘ରଜାପୁଅ ଯାଏ ପାରିଧି କରି’, ଶିଶୁମାନଙ୍କ ଦ୍ୱାରା ଖୁବ୍‌ ଆଦୃତ । ସେ ଲେଖିଛନ୍ତି :

 

ଘାସଫୁଲ ଚଅଁର ମହୁପିଏ ଭଅଁର

ନୀଳ କଇଁ ଗିଲାସେ ମହୁପିଏ ଉଲ୍ଲାସେ ।

କି କହୁଛି ଗୁଣ୍ଡୁଚି, କାଠ ଘୋଡ଼ା ପାଣି ପି ।

x      x      x

ଗଜା ମୁଗ ଆଗୋ କାକୁଡ଼ି କଷି

ରଜା ପୁଅ ଯାଏ ଘୋଡ଼ାରେ ବସି

x      x      x

ତଡ଼ପ୍‌ ତଡ଼ଫ୍‌ ଘୋଡ଼ାର ଟାପୁ

ଦରିଆ ମଝିରେ ସପନ ଟାପୁ

 

ଶିଶୁମାନଙ୍କୁ ଶୁଆଇବା ପାଇଁ କେତେକ ଶିଶୁଗୀତି ମଧ୍ୟ ଡଃ କୁଞ୍ଜ ବିହାରୀ ଦାଶଙ୍କ ଦ୍ୱାରା ସଂଗୃହୀତ ହୋଇଛି:

 

କଳାକାହ୍ନୁ ମୋର ପଡ଼ିବ ଶୋଇ ରେ

ଶୋଇ ପଡ଼ିବ ମୋ କାଇଁଚ ମାଳି

ବାଆ ସରସର ମଥାନ ଖେତରୁ

ବାଇଆ କହୁଛି, ଆସିବ ବୋଲିରେ

ଆସିବ ବୋଲି ।

x      x      x

 

ମୋ କୁନିକି କିଏ ମାଇଲା ମାଡ଼ରେ ।

ଭାଙ୍ଗି ପକାଇଲା ପିଞ୍ଜରାହାଡ଼

ନେଇ ମାମୁଁ ଘରେ ଛାଡ଼ ।

ମାମୁଁ ତ କହିଲେ ଏଇଟି କିଏ

ମାଇଁ ତ କହିଲେ ଭଣଜାଟିଏ ।

ଝାଡ଼ିଝୁଡ଼ି କରି ଘରକୁ ନିଅ

ଦୁଧ ଭାତ କରି ଗୁଣ୍ଡିଏ ଦିଅ ।.....

 

ରାମ ପ୍ରସାଦ ମହାନ୍ତି ଜହୁରୀ ଭାଇ ଛଦ୍ମ ନାମରେ ଅନେକ ଶିଶୁଗୀତି ରଚନା କରିଛନ୍ତି । କେବଳ ଶିଶୁଗୀତି ସମ୍ବଳିତ ଛଅଟି ପୁସ୍ତକ ବର୍ତ୍ତମାନ ସୁଦ୍ଧା ତାଙ୍କର ପ୍ରକାଶ ପାଇଛି । ତାଙ୍କର କେତେକ ଶିଶୁଗୀତି ନିମ୍ନରେ ସୂଚିତ ହୋଇଛି ।

 

(୧)       ‘ଅସୁର ନା ଫସୁର’ ପୁସ୍ତକରେ ଅଛି-

ଦାଢ଼ି ତ ଦାଢ଼ି ଏମିତି ଦାଢ଼ି କିଏ ସେ ଥିଲା ଗଢ଼ି

ଘଡ଼ିକି ଘଡ଼ି କୋଡ଼ିଏ କଡ଼ି ବଢ଼ିଯାଏ ସେ ଦାଢ଼ି ।.....

 

(୨)       ‘ଅଜବ କାରବାର’ ପୁସ୍ତକରେ ଅଛି -

ବୁଢ଼ୀଟିଏ ଥିଲା ପାକୋଇ ବୁଢ଼ୀ ସବୁବେଳେ ରାଉ ରାଉ

ଦିନେ ବୁଢ଼ୀ ଲୁଗା ଶୁଖାଉ ଶୁଖାଉ ନାକ ନେଇଗଲା କାଉ ।

x      x      x

ଦୁଇଟି ଚଢ଼େଇ କଲେ ଲଢ଼େଇ

      ସଡ଼କ ମଝିରେ ରହି

ଅଟକିଲେ ସବୁ ଗାଡ଼ି ମଟର

      ଛଡ଼େଇଲେ ନାହିଁ କେହି ।

 

(୩) ‘ବାଉଁଶ ଅଗରେ ଚଢ଼ିଲା ହାତୀ’ ପୁସ୍ତକରେ ଅଛି-.

 

ବାଉଁଶ ଅଗରେ            ଚଢ଼ିଲା ହାତୀ

ବାଉଁଶ କହିଲା କେଏଁ

ବାଜୁ କି ନ ବାଜୁ             ପାହାଡ଼ ଦେହେ ।

ପାହାଡ଼ କହିଲା ଭେଏଁ ।

 

ବାଉଁଶ ଅଗରେ             ପରଜାପତି

ଗୋଡ଼କୁ ହାତକୁ ମେଲି

ହାଇ ମାରୁଥି‌ଲା             ନିଶକୁ ବୋଳି

ଶୋଇବ ଟିକିଏ ବୋଲି ।

 

ପଥର ଉପରେ             କଚାଡ଼ି ହୋଇ

କଟିଗଲା ଫାଳେ ନିଶ

ଆମ ଆଗେ ଆସି             ଗୁହାରି କଲେ

କହଲୋ କରିବୁ କିସ ?

x      x      x

 

ଦଣ୍ଡ ବଇଠକ ମାଙ୍କଡ଼ ଚିତି

କିତି କିତି କିତି ଖେଳରେ ମାତି

ବେଙ୍ଗ ବେଙ୍ଗୁଲୀଙ୍କ ମନେତ ନାଇଁ

ମାଆ ପଠାଇଛି ପଢ଼ିବା ପାଇଁ ।

 

(୪) ‘ଲୁ ଲୁ ଆମର ପାରିବାର’ ପୁସ୍ତକରେ ଅଛି

ଦୁଇଟି ବୋକା ଚଢ଼େଇ

ଗୋଟିଏ ନଡ଼ୁ ଖାଇବା ପାଇଁ

ଦୁହେଁ ତ କଲେ ଲଢ଼େଇ ।

 

ଆଉରି ଏକ ଚଢ଼େଇ ଆସି

ନଡ଼ୁଟି ନେଲା ଛଡ଼େଇ ।

x      x      x

 

ଅନ୍ୟ ଏକ ପୁସ୍ତକ ‘ଥେଇକି ତାକଡ଼’ ରେ ତାଙ୍କର ପିଲା ଦିନର କେତେକ ଲେଖା ଗ୍ରଥିତ-। ‘ଦେଶ ବିଦେଶର ଗୀତ’ ଗୁଡ଼ିକ ଇଂରାଜୀରୁ ଓଡ଼ିଆରେ ଅନୁଦିତ ହୋଇଛ । ଗୀତର ସଂପୂର୍ଣ୍ଣ କଥାବସ୍ତୁ ଅକ୍ଷୁଣ୍ଣ ରଖାଯାଇଥିବା ସଙ୍ଗେ ସଙ୍ଗେ ଏହା ମୌଳିକ ରଚନା ପରି ମନେ ହୁଏ ।

 

ନିଜର ବଳିଷ୍ଠ ଲେଖନୀରେ ଓଡ଼ିଆ ଶିଶୁଗୀତିକୁ ଚିତ୍ତାକର୍ଷକ ଶୈଳୀରେ ପରିବେଷଣ କରିଥିବା ଅନ୍ୟ ଲେଖକମାନଙ୍କ ରଚନାର କିୟଦଂଶ ଏଠାରେ ଦିଆଗଲା-

 

ସୂରୁଯକୁ ଦେଲା କୁମ୍ଭୀର ଗିଳି

ଦେ ଲୋ ଠୁକୁଲି କବାଟ କିଳି ।

(ଅନନ୍ତ ପଟ୍ଟନାୟକ)

x      x      x

 

ଗଛ ଉପରେ କେ କରୁଚି ନାଟ

ମାମୁଁ ଘରକୁ ମୋ ଦେଖି ବାଟ ।.

(ଦୁର୍ଗା ପ୍ରସାଦ ପଟ୍ଟନାୟକ)

x      x      x

 

ଏଇ ଆମର ରୋଷେଇ ଘର

ଏ ଘର ଭିତର ସଫା ସୁତର

ଏଇଠାରେ ମାଆ ପରିବା କାଟେ

ବେସର ବାଟେ

ଜାଇ ରଗଡ଼େ କରଇ ପିଠା

ଆରିଷା କାକରା ଆହା କି ମିଠା ।

(ନନ୍ଦ କିଶୋର ସାମଲ)

x      x      x

 

କଇ କିଣିଥିଲା ବହି

ଯତନେ ସଜାଡ଼ି ରଖିଲା ନାଇଁ

ତାକୁ ଖାଇଗଲା ଉଇ ।

ବନା କିଣିଥିଲା କନା

ପେଡ଼ି ପେଟରାରେ ରଖ୍‌ଲା ନାଇଁ

ମୂଷା କାଟି କଲା କଣା ।

x      x      x

 

ଶିଶୁ ସାହିତ୍ୟ ଏକାଡେମୀର ‘ଶିଶୁ-କବିତା ସଙ୍କଳନ’

ଡଃ ଜଗନ୍ନାଥ ମହାନ୍ତିଙ୍କ ସଭାପତିତ୍ୱରେ ସ୍ଥାପିତ ଶିଶୁ ସାହିତ୍ୟ ଏକାଡେମୀ, ଓଡ଼ିଶା ପକ୍ଷରୁ ‘ଶିଶୁ-କବିତା ସଂକଳନ’ ୧୯୮୮ ମସିହାରେ ପ୍ରକାଶ ପାଇଛି । ଓଡ଼ିଶାର ବିଭିନ୍ନ ଲେଖକଙ୍କ ନିମ୍ନୋକ୍ତ ଉପାଦେୟ ଶିଶୁଗୀତିମାନ ଏଥିରେ ସ୍ଥାନ ପାଇଛି -

 

ଚକାଚକା ଭଉଁରୀ, ମାମୁଁଘର ଚଉଁରୀ

ମାମୁଁଘରେ ବାଜୁଥାଏ ଯୋଡ଼ା ଯୋଡ଼ା ମହୁରୀ ।

ମାମୁଁ ମୋତେ ମାଇଲେ, କେତେ କଥା କହିଲେ

ବୁଝେଇ ସୁଝେର ପୁଣି ଦୁଧଭାତ ଖୁଆଇଲେ

କୋଳରେ ବସାଇ ମୋତେ ମାଇଁ ଦେଲା ଖୁଆଇ

ଟୁଆଁ ଟୁଇଁ ଗପ କହି ଆଈ ଦେଲା ଶୁଆଇ ।

-ରାମକୃଷ୍ଣ ନନ୍ଦ

 

x      x      x

ମୋ ଜିତୁ ଦେଖୁଛି ମାଆ କୋଳେ ବସି ।

କୁଆଁର ପୁନେଇଁ ଜହ୍ନ ।

କେଉଁ ଦିନ ଯିବ ଜହ୍ନ ପାଖକୁ ସେ ।

ଭାବୁଛି ମନକୁ ମନ ।

- ସ୍ନେହଲତା ମହାନ୍ତି

 

x      x      x

ଏ ଦୁଇ ଭାଇ କିଏ ରେ

ଜଣେ ଦିଶେ ଗୋରା ଜଣେ କାଳିଆ ।

କଳିହା ନୁହଁ ତ ଆମ ଭଳିଆ

ଏତ ଦୁଇ ଭାଇ ଜଗା ବଳିଆ ।

 

ମଝିରେ ଆସୁଛି କିଏ ରେ ?

ମଝିରେ ଆସୁଛି ସାନ ଭଉଣୀ

ଅତି ଡରକୁଳୀ ଯିଏ ରେ !

-ରାମ ପ୍ରସାଦ ମହାନ୍ତି

 

x      x      x

ଆସିଛି ଆଜିରେ ଦଶରା

ଦଶ ଦିଗ ସଫା ସୁତରା

ନେଳିଆ ଆକାଶେ ଧଳା ମେଘ ଭାସେ

ମାଟି ମାଆ କୋଳେ ଯାତରା

ଆସିଛି ଆଜିରେ ଦଶରା ।

- ଡଃ ଜଗନ୍ନାଥ ମହାନ୍ତି

 

x      x      x

“ନଈ ପାଣି ନଈକୁ ଯା

କୂଅ ପାଣି କୂଅକୁ ଯା

ପାଠ ଲେଖି କି ଧୋଇ ଦେଇଛି

ମୋ ସିଲଟ ଶୁଖିଯା ।

- ଭଗବାନ ପାଢ଼ୀ

 

x      x      x

ଯାତରା ଲାଗିଛି ଧମାଧମ୍‌

ଦୋକାନ ବଜାର ଜମାଜମ୍‌ ।

ଲୋକଟିର ନାମ କାଳୁରାମ

ବିକୁଥିଲା ବସି ଆଳୁ ଦମ୍‌ ।

ପାଟି କରୁଥିଲା କାଳୁରାମ୍‌

ଝୁମୁକା ବଜାଇ ଝମ୍‌ ଝମ୍‌ ।

ନିଅ ନିଅ ଭାଇ ଆଳୁଦମ୍‌

ଆଗେ ଖାଇ ପଛେ ଦେବ ଦାମ୍‌ ।

- ଡଃ ମହେଶ୍ଵର ମହାନ୍ତି

 

x      x      x

ଶୀତରେ ଶୀତ

ଆ, ତୋ ସାଥିରେ ବସିବି ମିତ

ଖାଇବାକୁ ଦେବି ଏଣ୍ଡୁରି ପିଠା

ମଣ୍ଡା ଗଇଁଠା ।

- ପ୍ରଫୁଲ କୁମାର ଗିରି

 

x      x      x

କଳା କଳା କଳା ବଉଦ ଭେଳାରେ

ଆକାଶ ଗଲାଣି ଛାଇ ।

ଧଳା ଧଳା ଧଳା ଧାଡ଼ି ଧାଡ଼ି ବଗ

ବସିଲେଣି ମାଛ ଖାଇ ।

-ସୂର୍ଯ୍ୟମଣି ସାମନ୍ତରାୟ

 

x      x      x

ଗଛ କହିଲା ପତ୍ରରେ ତୁ ଝଡ଼୍ ଝଡ଼୍ ଝଡ଼୍

ନଈ କହିଲା ‘ମେଘରେ’ ତୁ ପଡ଼ ପଡ଼ ପଡ଼,

ପବନ କହିଲା ଧୂଳିର, ତୁ ଉଡ଼୍‌ ଭଡ଼୍‌ ଉଡ଼୍‌

ତାରା କହିଲା ଜହ୍ନରେ, ତୁ ବୁଡ୍‌ ବୁଡ୍‌ ବୁଡ୍‌ ।

- ଡଃ ପ୍ରସନ କୁମାର ମିଶ୍ର

 

x      x      x

ଠକ୍‌ ଠକ୍‌ ଘୋଡ଼ା ମୋ ଚାଲେ

ଆଉ କେ ଚାଲେ କାହିଁ ?

ଠୁକ୍‌ ଠୁକ୍‌ ବାବୁନି ଚାଲେ

କି ସେ ପଡ଼େ ନାହିଁ ।

- ଡଃ ଦିଗରାଜ ବ୍ରହ୍ମା

 

x      x      x

ମୋତେ କହି ପାରିବ କି ଭାଇ

କିଆଁ ଆଲୁଏ ନାଚଇ ଛାଇ ?

ବୋଲ ବରଷା ହୋଇଲେ କିଆଁ

ଜମା ଲିଭେନା ବିଜୁଳି ନିଆଁ ?

- ଡଃ କୁଞ୍ଜ ବିହାରୀ ଦାଶ ।

 

x      x      x

ରାତି ପାହିଲା

ନାଲି ଗୋଡ଼ା ଚଢ଼ି ଖରା ଅଇଲା

ଆଲୁଅ ହେଲା

ଅନ୍ଧାର ଗଲା

ଦୁଆରେ ଦୁଆରେ କାଉ ଡାକିଲା ।

- ବିନୋଦ ରାଉତରାୟ

x      x      x

 

ଅନ୍ୟ ଯେଉଁ କବିମାନେ ମନମତାଣିଆ ଶିଶୁଗୀତିମାନ ରଚନା କରି ଓଡ଼ିଆ ଶିଶୁ-ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି ସେମାନଙ୍କ ମଧ୍ୟରୁ କ୍ଷୀରୋଦ ଚନ୍ଦ୍ର ପୋଥାଳ, ମାନସ ରଂଜନ ସାମଲ, ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ, ବଙ୍କିମ ଚନ୍ଦ୍ର ପଟ୍ଟନାୟକ, ରମେଶ ଚନ୍ଦ୍ର ସ୍ୱାଇଁ, ଜଗଜ୍ୟୋତି ମାଜୀ ଓ ମହେଶ୍ଵର ମୂଳିଆଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୮୨ରେ ପ୍ରକାଶିତ ଓଡ଼ିଶା ‘ଶିଶୁ ସାହିତ୍ୟ ସଙ୍କଳନ’ରେ ବିଶିଷ୍ଟ ଶିକ୍ଷକ ଓ ଶିଶୁସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଅଭିମତ ବିଶେଷ ପ୍ରଣିଧାନଯୋଗ୍ୟ । ସେ ଲେଖିଛନ୍ତି-‘‘ଶିଶୁ ସାହିତ୍ୟର ଲେଖକ ଓ ବିଚାରକ ଉଭୟଙ୍କର ଶିଶୁ ମନସ୍ତତ୍ତ୍ୱ ବିଷୟରେ ଜ୍ଞାନ ଥିବା ଆବଶ୍ୟକ । ବର୍ତ୍ତମାନ ପୃଥିବୀର ଅନେକ ରାଷ୍ଟ୍ରରେ ଶିଶୁର ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବିଜ୍ଞାନସମ୍ମତ ରୀତି ଅନୁସୃତ ହେଉଛି । ଆମର ଶିଶୁ-ସାହିତ୍ୟ ମଧ୍ୟ ଗତାନୁଗତିକ ଧାରା ଛାଡ଼ି ସେହି ବୈଜ୍ଞାନିକ ପଦ୍ଧତିକୁ ଗ୍ରହଣ ନ କଲେ ଅନ୍ୟାନ୍ୟ ଭାରତୀୟ ଓ ବିଶ୍ଵ-ସାହିତ୍ୟ ସମକକ୍ଷ ହୋଇ ପାରିବ ନାହିଁ ।’’

 

ଶିଶୁ-ସାହିତ୍ୟକୁ ବୟସ୍କମାନଙ୍କ ସାହିତ୍ୟ ପରି ମର୍ଯ୍ୟାଦା ପ୍ରଦାନ କରି ଓ ପୁରସ୍କାର ରାଶି ସମାନ କରି ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଆଜିକୁ ୧୪ ବର୍ଷତଳେ ‘‘ଶିଶୁ ସାହିତ୍ୟ ସଙ୍କଳନ” ପ୍ରକାଶ ପାଇଥିଲା । ସେତିକିରେ ଏକାଡେମୀର ଦାୟିତ୍ୱ ସରିଗଲା ନାହିଁ-। ଶିଶୁ ସାହିତ୍ୟର ବିଭିନ୍ନ ବିଭାଗ, ଯଥା ଶିଶୁ-କାହାଣୀ, ଶିଶୁଗୀତି, ଶିଶୁ-ନାଟକଗୁଡ଼ିକର ସଙ୍କଳନ ଦାୟିତ୍ଵ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀର । ଏହା ଫଳରେ ଶିଶୁ-ସାହିତ୍ୟ ଲେଖକମାନେ ଅଧିକରୁ ଅଧିକ ଉନ୍ନତ ଶିଶୁ ସାହିତ୍ୟ ରଚନା ପାଇଁ ଅନୁପ୍ରାଣିତ ହେବେ।’’

 

ଡଃ ମନୀନ୍ଦ୍ର ମହାନ୍ତି, ଡଃ ଦିଗରାଜ ବ୍ରହ୍ମା ପ୍ରମୁଖ ଶିଶୁ-ସାହିତ୍ୟ ଗବେଷକମାନଙ୍କ ଉଦ୍ୟମ ପ୍ରଶଂସନୀୟ । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଶିଶୁ-ସାହିତ୍ୟ ଆଲୋଚନାଚକ୍ର, ‘ଧ୍ରୁବତାରା’ ପରି ଭ୍ରାମ୍ୟମାଣ ଶିଶୁ ସାହିତ୍ୟ ଅନୁଷ୍ଠାନ ମଧ୍ୟ ସ୍ୱାଗତଯୋଗ୍ୟ । କିନ୍ତୁ ସର୍ବାଧିକ ଫଳପ୍ରଦ ହେଉଛି ଶିଶୁ-ସାହିତ୍ୟ କର୍ମଶାଳା ।’’

 

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ଶିଶୁଗୀତି ରଚନା କର୍ମଶାଳା ବିଷୟ ଉଲ୍ଲେଖନୀୟ । ଏହି କର୍ମଶାଳାର ମିଳିତ ଆୟୋଜକ ଥିଲେ ମହୀଶୂରର ଭାରତୀୟ ଭାଷା ସଂସ୍ଥାନ, ଭାରତୀୟ ପ୍ରୟୋଗାତ୍ମକ ଭାଷା ବିଜ୍ଞାନ ସଂସ୍ଥାନ, ମହୀଶୂର ଓ ଓଡ଼ିଶା ସରକାରଙ୍କ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ତଥା ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ । ଓଡ଼ିଆ ଭାଷାରେ ୪/୫ ବର୍ଷ ବୟସର ଶିଶୁଙ୍କ ଲାଗି ‘ଲୁଲାବି’ ବା ନାନାବାୟା ଗୀତ ସୃଷ୍ଟି କରିବା କର୍ମଶାଳାର ଲକ୍ଷ୍ୟ ଥିଲା । ଦୀର୍ଘ ୧୭ ଦିନ ଧରି ଏହି କର୍ମଶାଳା ଚାଲିଥିଲା । ଆମେ ନିମ୍ନୋକ୍ତ ୧୫ ଜଣ ଶିଶୁ ସାହିତ୍ୟିକ ଏଥିରେ ଯୋଗଦାନ କରି ଅକ୍ଳାନ୍ତ ପରିଶ୍ରମ କରି ଅନେକ ଶିଶୁଗୀତି ରଚନା କରିଥିଲୁ । ସେଥିମଧ୍ୟରୁ ଉତ୍କୃଷ୍ଟ ୫୫୦ଟି ନାନାବାୟାଗୀତ ମନୋନୀତ ହୋଇ ‘ଶିଶୁଗୀତିକା’ ନାମରେ ୨୧୨ ପୃଷ୍ଠାର ଏକ ସଙ୍କଳନ ୧୯୯୫ ରେ ପ୍ରକାଶିତ ହୋଇଛି । ‘୩+ ଓ ‘୪+’ ଏହିପରି ଦୁଇ ଭାଗରେ ଗୀତିଗୁଡ଼ିକ ବିଭକ୍ତ । ଏହି ପୁସ୍ତକର ପ୍ରକାଶନ ପରେ ଓଡ଼ିଆ ଶିଶୁଗୀତିର ଏକ ନୂତନ ଦିଗନ୍ତ ଉନ୍ମୋଚିତ ହେଲା ।

 

କର୍ମଶାଳାରେ ଆମେ ଯେଉଁମାନେ ଅଂଶ ଗ୍ରହଣ କରିଥିଲୁ ସେମାନେ ହେଲେ-ନିରଞ୍ଜନ ବେହେରା, ସୂର୍ଯ୍ୟମଣି ସାମନ୍ତରାୟ, ଡଃ ମହେଶ୍ଵର ମହାନ୍ତି, ଦାଶ ବେନହୁର, ଜୟକୃଷ ସାହୁ, ଡଃ ଭାଗବତ ପ୍ରସାଦ ଲେଙ୍କା, ବିନୋଦିନୀ ଦେବୀ, ନନ୍ଦ କିଶୋର ସାମଲ, ଇନ୍ଦୁ ଭୂଷଣ ମିଶ୍ର, ଡଃ ଜଗନାଥ ମହାନ୍ତି, ସ୍ଵୀକୃତି ତନୟା ସାମନ୍ତରାୟ, ଡଃ ମନୋରମା ମହାପାତ୍ର (ବିଶ୍ୱାଳ), ଫାଶିଆର ଆଚାର୍ଯ୍ୟ, ଡଃ ଦିଗରାଜ ବ୍ରହ୍ମା ଓ ରାମପ୍ରସାଦ ମହାନ୍ତି । କର୍ମଶାଳାର ସଂଯୋଜନା ଓ ସମ୍ପାଦନା କରିଥିଲେ ଭାରତୀୟ ଭାଷା ସଂସ୍ଥାନର ଡ଼ଃ ବି. ଶ୍ୟାମଳା କୁମାରୀ, ଭାରତୀୟ ପ୍ରୟୋଗାତ୍ମକ ଭାଷା ବିଜ୍ଞାନ ସଂସ୍ଥାନର ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ଓଡ଼ିଶା ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟର ଡଃ ଦିଗରାଜ ବ୍ରହ୍ମା । ଉକ୍ତ କର୍ମଶାଳାରେ ଲିଖିତ କେତୋଟି ଶିଶୁଗୀତି ଏଠାରେ ଉପସ୍ଥାପିତ ହେଲା-

 

‘୩+’ ବୟସର ଶିଶୁଙ୍କ ପାଇଁ

ତୋ ଛତାଟି ନାଲିଆ

ମୋ ଛତାଟି ନାଲିଆ

କାନ୍ଧରେ ପକାଇ ନାଲିଛତାଟି

ଘର ଚାରିପଟେ ବୁଲିଆ ।...

x      x      x

ଏଇଠି ଥିଲା

କଣ୍ଢେଇଟା ମୋର କୁଆଡ଼େ ଗଲା ?

କଣ୍ଢେଇ ଘରଟା ହୋଇଛି ମେଲା

ଦାଣ୍ଡକୁ ଗଲା ନା ବାରି କି ଗଲା ?

କଣ୍ଢେଇଟା ମୋର କୁଆଡ଼େ ଗଲା ?

x      x      x

ଆସରେ ପିଲାଏ ଦେଖି ...

ପୁଅ ଦିଇଟି ମୋ କାଳିଆ କାଳିଆ

ବୋହୂ ଦିଇଟି ସଖୀ ....

x      x      x

ତାକ୍‌ ଧିନା ଧିନା ଧିନାକ୍‌ ଧିନା

ବାପୁନି ପାଖରେ ହଳଦୀ ଗିନା

ହଳଦୀ ଗିନାରେ ସୋରିଷ ତେଲ

ତେଲ ମାଖୁ ମାଖୁ କରିବି ଗେଲ ... ।

x      x      x

କାଉରେ କାଉ କୁଆଡ଼େ ଯାଉ ?

କାଉରେ କାଉ କେଉଁଠି ଥାଉ ?       

କାଉରେ କାଉ କଅଣ ଖାଉ ?

x      x      x

କୁନା ଆମ ପଡ଼ିଶା

ମୁନା ଆମ ପଡ଼ିଶା

ଜଣେ ଖାଏ ରୋହି ମାଛ

ଜଣେ ଖାଏ ଗଡ଼ିଶା ।

x      x      x

ଲାଲ ଟମାଟୋ ଗୋଲ ଗୋଲ ।

ଗୋଲ ଟମାଟୋ ଲାଲ ଲାଇ

ମୁଁ ଖାଇବି ତୁ ବି ଖା

ହୋଇଯିବା ଆମେ ଲାଲ ଲାଲ

ହୋଇଯିବା ଆମେ ଗୋଲଗୋଲ ।

x      x      x

ରତନୀ, ସିଏ ପିନ୍ଧିଥାଏ ପାଟ ପତନୀ,

ତା’ର କଣ୍ଢେଇ ପେଡ଼ିରେ ଘର

ଅଳତା ପାଉଁଜି ଗୋଡ଼ରେ ନାଇ

ହସୁଥାଏ କର କର ।

x      x      x

ଠେକୁଆ ଭାଇରେ ଭାଇ ଠେକୁଆ

କାନ ଦୁଇଟିକୁ କରିଛୁ ଠିଆ

ଖୁପୁରୁ ଖୁପୁରୁ ମାରୁଥା ଡିଆଁ ।

ଖୁପୁରୁ ଖୁପୁରୁ ମାରୁଥା ଡିଆଁ

ଖୁପୁରୁ ଖୁପୁରୁ ମାରୁଥା ଡିଆଁ

ଖୁପୁରୁ ଖୁପୁରୁ ମାରୁଥା ଡିଆଁ।

x      x      x

କୁନା ଯାଉଥିଲା ଦାଣ୍ଡରେ

ଟୋପି ନାଇଁଥିଲା ମୁଣ୍ଡରେ

ବରଷା ପଡ଼ିଲା ଥିଇରି ଥିରି

କୁନିଆ ହସିଲା କିଇରି କିରି ।

x      x      x

ସଂଜ ହେଲା ।

ଅନ୍ଧାର ହେଲା

ଡିଆସିଲି ମାରି ଡିବି ଜାଳି ଦେଲେ

ଘର ଗୋଟାଯାକ ଆଲୁଅ ହେଲା ।

x      x      x

‘୪+’ବୟସର ଶିଶୁଙ୍କ ପାଇଁ

ଅଜା ଯାଇଥିଲେ ହାଟକୁ

ଆଈ ଚାହିଁଥିଲେ ବାଟକୁ ।

ଫରମାସି ଥିଲା ଆଈର

ଆଣିବ ଚୁଙ୍ଗୁଡ଼ି ନଈର ।

ଭୁଲି ଗଲେ ଅଜା ବାଟରେ

ପାଟ କିଣି ଦେଲେ ହାଟରେ ।

x      x      x

ଟପ୍‌ ଟପ୍‌ ଟପ୍‌ ଘୋଡ଼ା ମୋ ଚାଲେ

ଆଉ କିଏ ସେ ଚାଲେ ?

ମୁନା କହିଲା, ଆଉ କିଏ ସେ ଚାଲେ ?

ଠୁକୁ ଠୁକୁ ଠୁକୁ ଅଜାଙ୍କ ସାଥେ

ସକାଳେ ମୁହିଁ ଚାଲେ ।

x      x      x

ମୋ ମାମୁଁ ତ ବହୁତ ଭଲ

କାନ୍ଧରେ ବସାଇ ବୁଲାନ୍ତି

ମୋ ମାଇଁ ତ ଆହୁରି ଭଲ

କୋଳରେ ଧରି ଝୁଲାନ୍ତି ।

ମୋ ଅଜାତ ବହୁତ ଭଲ

ବୁଲନ୍ତି ଧରି ସାଥିରେ

ମୋ ଆଈ ତ ଆହୁରି ଭଲ

ଗପ କହନ୍ତି ରାତିରେ ।

x      x      x

ଛବି ବହିଟିଏ ଆଣିବ ବାପା

ଛବି ବହିଟିଏ ଦେବ

ଯେଉଁ ବହିରେ ସେ ଝାମ୍ପୁଲା ଧଳା

ବିଲେଇ ଛୁଆଟି ଥିବ ।

ଖୋଲିଲେ ମ୍ୟାଉଁ ଚିପିଲେ ମ୍ୟାଉଁ

ହେଉ ଥିବ ସେହି ବହି

ଜୁଳୁ ଜୁଳୁ କରି ମିଆଁଉ ମିଆଁଉ

ରହିଥିବ ମୋତେ ଚାହିଁ ।

x      x      x

ପହଁରା ନେଲି

ଛାଞ୍ଚୁଣି ନେଲି

ଘର ଚାରିକଡ଼ ଓଳେଇ ଦେଲି

ଓଳେଇ ଦେଲିରେ ଓଳେଇ ଦେଲି

ଘର ଚାରିକଡ଼ ସଫା ମୁଁ କଲି

ଘର ଚାରିକଡ଼ ସଫା ମୁଁ କଲି ।

x      x      x

ମୁନୁର ଆଜି ଜନମ ଦିନ

ନୂଆ ଜାମା ପେଣ୍ଟ୍‌ ହୋଇଛି

ମିଠେଇ ଆଉ ଖେଳଣା ଆଣି

କିଏ କେତେ ତାକୁ ଦେଉଛି ।

ମୁନୁର ତ ନାଇଁ ସେଥିରେ ମନ ।

ଏଣିକି ତେଣିକି ଚାହୁଁଛି

ଭାଇ ଦେଲେ ଯେଉଁ ଛବି ବହିଟି

ସେଇଟି ମନକୁ ପାଇଛି ।

x      x      x

କାଉର କି ବୋଉ ଖଣ୍ଡିଏ ଜାମା ଲୋ

ଆଉ ତା’ର ଜାମା ନାଇଁ କି ?

ସବୁବେଳେ ସେଇ କଳା କୁରୁତାଟା

ପିନ୍ଧି କରି ବୁଲେ କାହିଁକି

ମୋ ପାଇଁ ରଖିଛୁ ନାଲି ନେଳି କେତେ

ସେଥିରୁ ଖଣ୍ଡିଏ ଦେଉନୁ

ରଙ୍ଗ ଜାମାଟିଏ ପିଛିଥିଲେ କାଉ

କେଡ଼େ ଭଲ ହେବ କହୁନୁ ?

x      x      x

ଝିଣ୍ଟିକା ଦୁଇଟି ବସିଲେ ମିତ

ଚରଣେ ଧରିଥିଲା ଜଣକ ହାତ

ଦୁଇ ଜଣ ମିଶି ନାଚିଲେ

ଅଳପ ଦୂରରେ ବେଙ୍ଗ ଛୁଆମାନେ

ତାଳି ମାରି ମାରି ହସିଲେ।

x      x      x

ଗାଈ ତ ଏ ଯାଏଁ ଫେରିଲା ନାଇଁ

ଶୋଇଛି ବାଛୁରୀ ମୁହଁ ଶୁଖାଇ ।

ପିଇଥିଲା କ୍ଷୀର ସକାଳେ କିଛି

ଆଉ କି ସେ କ୍ଷୀର ପେଟରେ ଅଛି ?

ଭାରି ଭୋକ ଆଉ ନପାରେ ସହି

ଦେ’ ତାକୁ ବୋଉ ଖାଇବା ପାଇଁ ।

x      x      x

ପାତି ମାଙ୍କଡ଼ ଅଇଲାରେ

ପାତି ମାଙ୍କଡ଼ ଅଇଲା,

ମୋ ବୋଉର ଲୁଗା କାନିକି

ଜୋର୍‌ କରି ଧଇଲା ।

ବୋଉ କହିଲେ ଛାଡ଼ିଦେ ମୋତେ

କଦଳୀଟିଏ ଦେବିରେ ତୋତେ ।

କଦଳୀଟି ତା’ହାତକୁ ଦେଲେ

ସେଇଠି ବସି ଖାଇଲା

ଏଠୁ ସେଠିକି ସେଠୁ ଏଠିକି

ଆମ ଆଗରେ ଡେଇଁଲା ।

x      x      x

ଗଡ଼ିଆ ହୁଡ଼ାରେ ନଡ଼ିଆ ଗଛ

ପାଣିରେ ନଡ଼ିଆ ଖସିଲା

କିଲିବିଲି ହୋଇ ଧାଇଁଲେ ମାଛ

କିଏ ଏଇ ଜନ୍ତୁ ଆସିଲା ?

ବେଙ୍ଗଟି ଥାଇ କହିଲା ଭାଇ

ଜନ୍ତୁ ନୁହଁ ସେ ତ ନଡ଼ିଆ

ଫଳ ଭିତରେ ବଢ଼ିଆ ।

x      x      x

ଆମ ସାର୍‌ ଆମ ସାର

ସାର୍‌ଙ୍କୁ ମୋର ନମସ୍କାର ।

ଆସିଲା ବେଳେ ନମସ୍କାର

ଗଲାବେଳେ ନମସ୍କାର,

ହାଟରେ ବାଟରେ ନମସ୍କାର

ଯେଉଁଠି ପାଇଲେ ନମସ୍କାର ।

x      x      x

ମେଘ ବରଷିଲା ଟୁପୁରୁ ଟୁପୁ

କିଏ ସେ ହେଉଛି ଖୁପୁରୁ ଖୁପୁ

ଭାଡ଼ିତଳେ ଡେଇଁ ଡେଇଁ

ସବୁ ବେଙ୍ଗ ଯାଇ ଗାଡ଼ିଆ କୂଳେ

ଫାପୁଲା କି ଯାଇ ନାଇଁ ।

x      x      x

ମୋ କଣ୍ଢେଇ ବଡ଼ ହୋଇବ

ପାଠ ପଢ଼ିବ ଦୂରକୁ ଯିବ

ଚିଠି ଲେଖିବ

ଡାକବାଲା ମୋର ନାଆଁଟିଧରି

‘‘ଚିଠି ନିଅ ଚିଠି’’

ଡାକ ଛାଡ଼ିବ ।

x      x      x

ଆଖିରେ ଚଷମା ହାତରେ ବାଡ଼ି

ନଇଁ ନଇଁ ଚାଲେ ଭୁଆ ବିରାଡ଼ି

ଛୁଆ ବିରାଡ଼ିକି ଡାକେ

ମୋତେ ନେଇ ଛାଡ଼ି ଦେ’ରେ ପୁଅ

ସଡ଼କର ଆରପାଖେ ।

x      x      x

 

କର୍ମଶାଳାର ଉଦଯାପନ ଦିବସରେ ଡଃ ବି. ଶ୍ୟାମଳା କୁମାରୀ ଓ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଏହାର ସଫଳତା ପାଇଁ ବିଶେଷ ସନ୍ତୋଷ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଆୟୋଜିତ କର୍ମଶାଳାରେ ପ୍ରସ୍ତୁତ ଶିଶୁଗୀତ ତୁଳନାରେ ଓଡ଼ିଆ ଶିଶୁଗୀତିଗୁଡ଼ିକ ଉଚ୍ଚକୋଟୀର ବୋଲି ମତ ବ୍ୟକ୍ତ କରିଥିଲେ ।

 

ଶେଷରେ ଗ୍ରାମ୍ୟ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ମନକୁ ଏହି ନାନାବାୟା ଗୀତଗୁଡ଼ିକ ସ୍ପର୍ଶ କରୁଛି କି ନାହିଁ ତାହା ପରୀକ୍ଷା କରି ଦେଖିବା ପାଇଁ ଆମ୍ଭମାନଙ୍କୁ ଭୁବନେଶ୍ଵର ନିକଟସ୍ଥ ଶିମିଳିପାଟଣା ବାଲବାଡ଼ି କେନ୍ଦ୍ରକୁ ନିଆଯାଇଥିଲା । କୁନି କୁନି ପିଲାମାନେ ସେମାନଙ୍କ ଶିକ୍ଷକଙ୍କ ସାଥିରେ ଗୀତଗୁଡ଼ିକୁ ବୋଲି କେବଳ ଆନନ୍ଦିତ ହୋଇନଥିଲେ ଆମ ସାଙ୍ଗରେ ଥିବା ବୟୋବୃଦ୍ଧ ଶିକ୍ଷାବିତ୍‌ ଓ କବି ଇନ୍ଦୁଭୂଷଣ ମିଶ୍ର ଆତ୍ମବିଭୋର ହୋଇ ପିଲାଙ୍କ ସଙ୍ଗେ ତାଳ ଦେଇ ଗୀତ ବୋଲିଥିଲେ ଓ ନାଚିଥିଲେ ।

 

ପାରମ୍ପରିକ ନାନାବାୟା ଗୀତଗୁଡ଼ିକଠାରୁ ଏହି ଶିଶୁଗୀତିଗୁଡ଼ିକ କେତେ ଭିନ୍ନ ଧରଣର ତାହା ଲକ୍ଷ୍ୟ କରିବା କଥା । ଓଡ଼ିଆ ଶିଶୁଗୀତିଗୁଡ଼ିକ ଯେ ଅନ୍ୟାନ୍ୟ ଭାରତୀୟ ଭାଷା ସହିତ ସମତାଳରେ ଗତି କରୁଛି ତାହା ଏଥିରୁ ହିଁ ଜଣା ପଡ଼େ । ଆମ ରାଜ୍ୟରେ ଶିଶୁଗୀତି କିମ୍ବା ଶିଶୁସାହିତ୍ୟ ସ୍ରଷ୍ଟାର ଅଭାବ ନାହିଁ । ଅଭାବ ହେଉଛି ଶିଶୁସାହିତ୍ୟକୁ ଅଗ୍ରସର ହେବା ପାଇଁ ସୁଯୋଗ ଓ ସହାୟତା ଦେବାର ମନୋବୃତ୍ତି । ଅତ୍ୟାଧୁନିକ ମୁଦ୍ରଣ ଯନ୍ତ୍ରରେ ଆବଶ୍ୟକୀୟ ଚିତ୍ର ସହିତ ବିଭିନ୍ନ ରଙ୍ଗରେ ଶିଶୁ-ସାହିତ୍ୟ ଛାପି ଶିଶୁଙ୍କ ହାତପାଆନ୍ତାରେ ପହଞ୍ଚାଇବା ଦେଶବାସୀଙ୍କର କର୍ତ୍ତବ୍ୟ । ଯେଉଁ ଶିଶୁସାହିତ୍ୟରେ ବିଶ୍ଵଜନୀନ ଓ ସର୍ବକାଳୀନ ସତ୍ୟ କଳାତ୍ମକଭାବରେ ପ୍ରତିଫଳିତ ହୋଇଥାଏ, ତାହାହିଁ ବାସ୍ତବ ଶିଶୁସାହିତ୍ୟ ପଦବାଚ୍ୟ । ଗଛଲତା, ପଶୁପକ୍ଷୀ ସମସ୍ତଙ୍କୁ ଶିଶୁ ଭଲ ପାଏ । ତା’ ପାଖରେ କୌଣସି ଭେଦଭାବ ନାହିଁ । ସେ ମନେ କରେ ମଣିଷ ମାତ୍ରେ ହିଁ ଭଲ । ତେଣୁ ଶିଶୁମାନଙ୍କୁ ଭବିଷ୍ୟତର ସୁନାଗରିକ କରି ଗଢ଼ିବା ଦାୟିତ୍ୱ ଆମ ସମସ୍ତଙ୍କର ।

 

 

ମୋ ଦେଶ ଭବନ, ନୟାଚୌକ,

କଟକ - ୭୫୩୦୧୦

 

***

 

Unknown

ଚରିତକାର ସୁରେନ୍ଦ୍ର ମହାନ୍ତି

(ଆତ୍ମ ଓ ପର)

ଡଃ ଲାବଣ୍ୟ ନାୟକ

 

ତା ୧୭/୭/୮୭ ରିଖର ଦୈନିକ ‘ସମ୍ବାଦ’ରେ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତି (ଜନ୍ମ ତା ୨୧.୬.୧୯୨୨) ଲେଖିଥିଲେ-‘‘(ବଡ଼ ଲୋକମାନେ ଅନେକ ସମୟରେ ଆତ୍ମଜୀବନୀ ବା ଜୀବନସ୍ମୃତି ଲେଖିବାର ପ୍ରତିଶ୍ରୁତି ଦେଇ ମନଗଢ଼ା କାହାଣୀ ଲେଖିଥାନ୍ତି । କ୍ୟାମେରାର କ୍ଲୋଜ୍‌ଅପ୍‌ ଛବିରେ ପୃଷ୍ଠଭୂମି ଓ ପରିବେଶ ସହିତ ପରିମିତି ନରଖି ଚେହେରାକୁ ଯେପରି ଖୁବ୍‌ ବଡ଼ ଆକାରରେ ଦେଖାଇ ଦିଆଯାଇଥାଏ । ଏ ଜୀବନସ୍ମୃତି ବା ଆତ୍ମଚରିତମାନଙ୍କରେ ନିଜକୁ ସେହିପରି ଖୁବ୍‌ ବଡ଼ ଭାବରେ ଉପସ୍ଥାପିତ କରିବା ପାଇଁ ଉଦ୍ୟମ କରାଯାଇଥାଏ ।’’

 

ଏଥିରୁ ଦୁଇଟି କଥା ପ୍ରତିପାଦିତ ହୁଏ ଯେ, ଯଦି ଚରିତ ନାୟକଙ୍କର ବଡ଼ିମା ଦେଖାଇ ଦିଆଯାଏ ଓ ସତ୍ୟ ପ୍ରକାଶ ପ୍ରତି ନିଷ୍ଠା ନ ରହେ ତେବେ ଚରିତ ରଚନାର ମର୍ଯ୍ୟାଦା ହାନି ହୁଏ । ମାତ୍ର ଚରିତ ନାୟକଙ୍କ ବ୍ୟକ୍ତିତ୍ୱର ବ୍ୟାପକତା ତଥା ଜୀବନର ପ୍ରଗାଢ଼ତା ହିଁ ପାଠକ ପାଇଁ ଉପଯୋଗୀ । ତେଣୁ ଚରିତ ରଚନାରେ ନାୟକ ଚରିତ୍ରଙ୍କ ବଡ଼ପଣିଆକୁ ଦର୍ଶାଇ ଦିଆଯିବ, ମାତ୍ର ବଡ଼ିମାକୁ ନୁହେଁ ।

 

ଚରିତ ରଚନା କ୍ଷେତ୍ରରେ ସୁରେନ୍ଦ୍ର ମହାନ୍ତିଙ୍କ ସୃଷ୍ଟିର ପରିମାଣ ଅପ୍ରତୁଳ । ମାତ୍ର ପରିମାଣ ନୁହେଁ, ଗୁଣାତ୍ମକ ମାନହିଁ ସାହିତ୍ୟର ମାପକାଠି । ସେ ଦୃଷ୍ଟିରୁ ବିଚାର କଲେ ଶ୍ରୀଯୁକ୍ତ ମହାନ୍ତିଙ୍କ ‘ପଥ ଓ ପୃଥିବୀ (୧୯୮୬) ଏକ ଉଲ୍ଲେଖଯୋଗ୍ୟ କୃତି । ଏହା ଲେଖକଙ୍କର ଆତ୍ମଜୀବନୀ ନୁହେଁ ସ୍ମୃତିଚିତ୍ର । ଆତ୍ମଜୀବନୀ ଓ ସ୍ମୃତିଚିତ୍ର ଉଭୟ ସତ୍ୟାଶ୍ରିତ ଘଟଣା ଉପରେ ପର୍ଯ୍ୟବସିତ ହେଲେ ହେଁ ଆତ୍ମଜୀବନୀ ଗାମ୍ଭୀର୍ଯ୍ୟପୂର୍ଣ୍ଣ, ତଥ୍ୟସର୍ବସ୍ଵ ଓ ସ୍ଥୂଳ ଘଟଣାବଳୀ ଉପରେ ଆଧାରିତ । ଅପର ପକ୍ଷରେ ଜୀବନର ଅସଂଖ୍ୟ ଘଟଣା ମଧ୍ୟରୁ ଯେଉଁଗୁଡ଼ିକ ସମୁଜ୍ଜ୍ୱଳ, ଯେଉଁଗୁଡ଼ିକ ଲେଖକଙ୍କ ମନରେ ଛାପି ହୋଇ ରହିଥାଏ ସେଇଗୁଡ଼ିକୁ ସାଉଁଟି ଆଣି ସ୍ମୃତିଚିତ୍ରରେ ଲିପିବଦ୍ଧ କରାଯାଇଥାଏ । ବ୍ୟକ୍ତିଗତ ଆବେଗ-ପ୍ରବଣ ଭାବାନୁଭୂତି ଓ ଅଙ୍ଗେଲିଭା ଉପଲନ୍ଥି ଉପରେ ଆଧାରିତ ହୋଇଥିବାରୁ ବସ୍ତୁତଃ ଅଭିବ୍ୟକ୍ତିର ସ୍ଵାତନ୍ତ୍ର୍ୟ ହେଉଛି ସ୍ମୃତିଚିତ୍ରର ମୌଳିକତା ।

 

ଶ୍ରୀଯୁକ୍ତ ମହାନ୍ତି ଏକାଧାରରେ ଜଣେ ବିଶିଷ୍ଟ ସାହିତ୍ୟକ, ଦକ୍ଷ ସାମ୍ବାଦିକ ଓ ନିଷ୍ଠାପର ରାଜନୀତିଜ୍ଞ । ସମବାହୁ ତ୍ରିଭୁଜର ବାହୁ ଯେପରି କେହି କାହାରିଠାରୁ ଊଣା ନୁହନ୍ତି, ତାଙ୍କ ତ୍ରିଧାରା ପରିପୁଷ୍ଟ ବ୍ୟକ୍ତିତ୍ୱର ପ୍ରତ୍ୟେକ ପ୍ରତ୍ୟେକର ହୋଇଛି ପରିପୂରକ । ରାଜନୀତିରେ ସକ୍ରିୟ ଅଂଶଗ୍ରହଣ ହେତୁ ବହୁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ତାଙ୍କୁ ମିଳିଛି । ସେଥିପାଇଁ ଜୀବନ ହୋଇଛି ଘଟଣାବହୁଳ ଓ ସାହିତ୍ୟ ହୋଇଛି ସୁଦୂରପ୍ରସାରୀ ।

 

୧୯୪୨ ମସିହାରେ ଛାତ୍ର ଥିବାବେଳେ ସେ ଯେଉଁ ଅଣ୍ଡର ଗ୍ରାଉଣ୍ଡ ଜୀବନ ବିତାଇଥିଲେ ତାହାରି ସ୍ମୃତି ପ୍ରତିଫଳିତ ହୋଇଛି ‘ଅତିଥି’ ଓ ‘ଅଣ୍ଡର ଗ୍ରାଉଣ୍ଡ’ ଗଳ୍ପ ଦୁଇଟିରେ । ‘ନେତି ନେତି’ ଉପନ୍ୟାସରେ ମଧ୍ୟ ଏହାର କିଛି ସୂଚନା ମିଳେ । ତାଙ୍କ ଜୀବନରେ ଅର୍ଥାଭାବ ବେଶ୍‌ ଗୋଟାଏ ସମସ୍ୟା ହୋଇ ବେଳେ ବେଳେ ଠିଆ ହୋଇଯାଏ । ବିବାହ ପରେ ଚତୁର୍ଥୀ ଭୋଜି ଦେବାକୁ ସମ୍ବଳ ନଥିବାରୁ ସ୍ତ୍ରୀଙ୍କ ବେକର ସୁନାହାର ବନ୍ଧା ପକାଇ ଟଙ୍କା ଯୋଗାଡ଼ କରିବାକୁ ହୋଇଥଲା । ଏପରି ମଧ୍ୟ ହୋଇଛି, ଦୈନନ୍ଦିନ ଜୀବନରେ ବେଳେବେଳେ ଉପବାସ ରହିଯିବାକୁ ହୋଇଛି । ‘ଜନତା’ ପତ୍ରିକା ଘୋର ଅଭାବ ଭିତରେ ଚାଲିଥାଏ । ପ୍ରାୟ ବନ୍ଦହୋଇଯିବା ଅବସ୍ଥା । ଦିନେ ପକେଟ୍ ଥାଏ ବିଲ୍‌କୁଲ୍‌ ଖାଲି । ସନ୍ଧ୍ୟାବେଳଠାରୁ ବଜାର ସଉଦା ପାଇଁ ଅପେକ୍ଷା କରି କରି ରାତି ହେଲା ଦଶଟା । ପତ୍ରିକା ଡାକରେ ଯିବାପାଇଁ କିଛି ମଇଦା ଲେହି ତିଆରି ହୋଇଥିଲା । ସେତକ ଲେଖକଙ୍କୁ ଖାଇବାକୁ ଦେଇ ତାଙ୍କ ପତ୍ନୀ ଗିଲାସେ ପାଣି ପିଇ ରାତ୍ର ଉଦ୍‌ଯାପନ କଲେ। ଅନୁରୂପ ବର୍ଣ୍ଣନା ଦେଖିବାକୁ ମିଳେ ‘ମଣିଷ ଓ ଅର୍ଥନୀତି’ ଗଳ୍ପରେ । ସେଥିରେ ମଧ୍ୟ ଗୋଟାଏ ଖିଆଲରେ ସିନେମା ଦେଖି ସାରିବା ପରେ ପକେଟ ଖାଲି ହୋଇଯାଇଛି । ମାତ୍ର ତା’ପରଦିନ ଖାଇବାକୁ ପଇସା ନଥିବାରୁ ସାମାନ୍ୟ କିଛି ମୁଢ଼ି ସ୍ୱାମୀଙ୍କୁ ଦେଇ ସ୍ତ୍ରୀ ଉପବାସ ରହିଯା’ନ୍ତି । ପଚାରିଲେ କହନ୍ତି, ପେଟ ଭଲ ନାହିଁ, ବାଲି ପାଣି ପିଇବି । ହୁଏତ ପେଟ ଭଲ ଥିଲା ଓ ଘରେ ବାଲି ମଧ୍ୟ ନଥିଲା । ‘ଅନ୍ଧ ଦିଗନ୍ତ’ ଉପନ୍ୟାସକୁ ନେଇ ଲଙ୍କାକାଣ୍ଡ ସୃଷ୍ଟି ହେଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କେହି ବ୍ୟକ୍ତି ମହତାବଙ୍କ କର୍ଣ୍ଣଗୋଚର କରାଇଲେ ଯେ ଉପନ୍ୟାସର ଶୁଦ୍ଧୋଦନ ଚରିତ୍ରଟି ମହତାବଙ୍କ ବ୍ୟତୀତ ଅନ୍ୟ କେହି ନୁହନ୍ତି । ସେଥିପାଇଁ ମକଦ୍ଦମା ପର୍ଯ୍ୟନ୍ତ କଥା ଗଲା । ଅବଶ୍ୟ ଲେଖକ କହନ୍ତି, ‘‘ଟୋପିଟା ଯଦି କାହା ମୁଣ୍ଡରେ ଖାପିଲା, ମୁଁ ସେଥିକୁ ନାଚାର’’ । ଲେଖକ ହୁଏତ ସଚେତନ ଭାବରେ ଏହା ଲେଖି ନଥାଇ ପାରନ୍ତି । ଅବଚେତନ ମନରେ ଥିବା ଅନେକ ସ୍ମୃତି ମଧ୍ୟରୁ କିଛି ସାହିତ୍ୟ ଭିତରକୁ ଆସିଥାଇପାରେ ।

 

ସୁରେନ୍ଦ୍ର ମହାନ୍ତିଙ୍କ ରାଜନୀତିକ ସଫଳତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠେ । ସାଂସାରିକ ଅର୍ଥରେ ଯେଉଁ ଦିଗରୁ ରାଜନୀତିର ସଫଳତା ବିଚାର କରାଯାଏ ସେସବୁ ସେ ହାସଲ କରିପାରିନଥିଲେ । କିନ୍ତୁ ଲେଖକ ଅନୁଭବ କରନ୍ତି ଯେ ସେ ରାଜନୀତି କ୍ଷେତ୍ରରେ ସଫଳ ହୋଇ ପାରିଛନ୍ତି । ରାଜନୀତି କହିଲେ ସେ ଅନୁଭବ କରନ୍ତି ଲକ୍ଷ୍ୟ ହାସଲ ପାଇଁ ନିରବଚ୍ଛିନ୍ନ ସଂଗ୍ରାମ । ସେ ପଥ କଙ୍କରିଳ ସତ, ମାତ୍ର କ୍ଳାନ୍ତି, ଗ୍ଲାନି ଓ ସ୍ଵାର୍ଥପରତାର ବଶବର୍ତ୍ତୀ ହୋଇ ଅଟକି ରହିବା ପଥଯାତ୍ରୀ ପକ୍ଷରେ ବାଞ୍ଛନୀୟ ନୁହେଁ ।

 

୧୯୪୮ ମସିହା ବେଳକୁ ଓଡ଼ିଶାରେ ବିରୋଧୀ ଦଳର କୌଣସି ସତ୍ତା ନଥିଲା । କମ୍ୟୁନିଷ୍ଠମାନେ କୃଷକ ଆନ୍ଦୋଳନ ମାଧ୍ୟମରେ କିଛି କାର୍ଯ୍ୟ କରୁଥିଲେ ମଧ୍ୟ ଓଡ଼ିଶା ରାଜନୀତିରେ ସେମାନଙ୍କର କୌଣସି ପ୍ରଭାବ ନଥିଲା । ସେତେବେଳେ କଂଗ୍ରେସ ଥିଲା ଏକମାତ୍ର ଦଳ । ରାଜାମାନଙ୍କୁ ଶାସନ କ୍ଷମତାରୁ ଅପସାରିତ କରିବା ପରେ ଗଡ଼ଜାତମାନଙ୍କରେ ମୋଗଲବନ୍ଦୀ ଶାସନ ଚାଲିଲା । ମାତ୍ର ତାହା ମଧ୍ୟ ଥିଲା ହାକିମତାନ୍ତ୍ରିକ, ଦୁର୍ନୀତିପୂର୍ଣ୍ଣ ଓ ଅପାରଗ । ଉଭୟ ଶାସନ ରୀତି ପ୍ରାୟତଃ ସମାନ । ଦରବାରୀ ଶାସନରେ ଥିଲା ଅଣ୍ଟାଗୁଞ୍ଜା, ମୋଗଲବନ୍ଦୀ ଶାସନରେ ହେଲା ପକେଟ କଟା । ରାଜାମାନେ ଯାହା ଚାହୁଁଛନ୍ତି ପ୍ରଜାମାନେ ବିନା ବାକ୍ୟ ବ୍ୟୟରେ କହନ୍ତି ‘ତଥାସ୍ତୁ’ ଆଉ ଗଣତନ୍ତ୍ରର ନେତାମାନେ ଯଦି ଦିନକୁ ରାତି କହନ୍ତି ତେବେ କର୍ମୀ ବୋଲାଉଥିବା ଚାମ୍‌ଚାମାନେ କହନ୍ତି ଠିକ୍‌, ଠିକ୍‌ । ଉଭୟ କ୍ଷେତ୍ରରେ ବିଚାର-ନିର୍ଭର, ସ୍ଵତନ୍ତ୍ର ମତର ପ୍ରୟୋଜନ ଥିଲା । ଏଇ ପରିପ୍ରେକ୍ଷୀରେ ଲେଖକ ଶ୍ରୀଯୁକ୍ତ ମହାନ୍ତି ଚାହିଁଥିଲେ ସାମନ୍ତବାଦୀ ଶକ୍ତି ସହିତ ସାମିଲ ହୋଇ ଏପରି ଗୋଟିଏ ଦଳ ଗଢ଼ାଯାଉ, ଯେଉଁମାନେ ଗଣତନ୍ତ୍ରକୁ ବିଶ୍ୱାସ କରୁଥିବେ ଅଥଚ ଶାସକମାନଙ୍କ ମନୋମୁଖୀ । କାର୍ଯ୍ୟକଳାପକୁ ଆଖିବୁଜା ସମର୍ଥନ କରୁନଥିବେ । ଏଥିପାଇଁ ଗୋଟିଏ ସୁଦୃଢ଼ ବିରୋଧୀ ଦଳର ପ୍ରୟୋଜନୀୟତା ଖୁବ୍‌ ବେଶି । ସେହି କାରଣରୁ ‘ଜନତା’ ପୃଷ୍ଠାରେ ସେ କୋଶଳ-ଉତ୍କଳ-ପ୍ରଜାପରିଷଦର ବିସ୍ତୃତ ବିବରଣୀମାନ ପ୍ରକାଶ କରିବା ସହିତ ଓଡ଼ିଶାର ରାଜାମାନେ ଦାବି କରୁଥିବା ଇଷ୍ଟର୍ଣ୍ଣ ଷ୍ଟେଟ୍‌ସ୍‌ ପିପୁଲ୍‌ସ୍‌ ୟୁନିୟନ ଗଠନ କରିବା ଉଦ୍ୟମକୁ ମଧ୍ୟ ସମର୍ଥନ କରୁଥିଲେ, ସେ ଅନୁମାନ କରୁଥିଲେ ଇଉନିୟନ୍‌ ସବୁ ସମ୍ପୃକ୍ତ ଭାଷାଭାଷୀ ପ୍ରଦେଶ ସହିତ ଦିନେ ନା ଦିନେ ମିଶିଯିବେ ଓ ବୃହତ୍ତର ଓଡ଼ିଶା ଗଠନରେ ସହାୟକ ହେବେ । ତେଣୁ ଗୋଟିଏ ସୁଦୃଢ଼ ବିରୋଧୀ ଦଳ ଗଠନ ମାଧ୍ୟମରେ ଗଣତନ୍ତ୍ରର ମୂଲ୍ୟବୋଧ ଓ ଆଦର୍ଶ ସମ୍ବନ୍ଧରେ ଜନ ସଚେତନତା ଜାଗ୍ରତ କରିବାକୁ ସେ ଚାହୁଁଥିଲେ । ବୃହତ୍ତର ଓଡ଼ିଶା ଗଠନ ଉଦ୍ଦେଶ୍ୟରେ ଉତ୍କଳ ସମ୍ମିଳନୀକୁ ଇଷ୍ଟର୍ଣ୍ଣ ଷ୍ଟେଟ୍‌ସ୍‌ ପିପୁଲ୍‌ସ୍‌ ୟୁନିୟନର ଯୋଜନା ପ୍ରତି ଆକୃଷ୍ଟ କରିବା ପାଇଁ ସେ ନିଷ୍ଠାପରଭାବରେ ଚେଷ୍ଟା ଅବ୍ୟାହତ ରଖିଲେ । ପୁନଶ୍ଚ ପାଟନା ଓ କଳାହାଣ୍ଡି ମହାରାଜାଙ୍କୁ ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ବିଷୟରେ ସଚେତନ କରାଇବା ଓ ଗଡ଼ଜାତର ଜନସାଧାରଣଙ୍କ ମନରେ ବିରୋଧୀ ରାଜନୈତିକ ଚେତନା ସୃଷ୍ଟି କରିବା ପାଇଁ ମଧ୍ୟ ତତ୍ପର ହେଲେ । ଇଷ୍ଟର୍ଣ୍ଣ ଷ୍ଟେଟ୍‌ସ୍‌ ପିପୁଲ୍‌ସ୍‌ ୟୁନିଅନ ସ୍ଥାପିତ ହେଲେ ମଧ୍ୟପ୍ରଦେଶରେ ଥିବା ଶକ୍ତି, ସାରଙ୍ଗଗଡ଼ ଓ ଫୁଲଝର ପ୍ରଭୃତି ଅଞ୍ଚଳ ଓଡ଼ିଶାକୁ ସୁବିଧାରେ ଆସିଯିବ । ତେଣୁ ଉତ୍କଳ ସମ୍ମିଳନୀ ଓ କୋଶଳ- ଉତ୍କଳ-ପ୍ରଜାପରିଷଦ ମିଳିତଭାବରେ କାର୍ଯ୍ୟ କରିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ । ଅବଶ୍ୟ ଏଥିପାଇଁ ତାଙ୍କୁ ଦେଶଦ୍ରୋହୀ ଓ ରାଜୁଡ଼ା ଲୋକ ଭାବରେ ସମାଲୋଚିତ ହେବାକୁ ପଡ଼ିଥିଲା । ମାତ୍ର ଲକ୍ଷ୍ମୀନାରାୟଣ ସାହୁ, ଦିବାକର ପଟ୍ଟନାୟକ, ଯଦୁମଣି ମଙ୍ଗରାଜ, ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ନବକିଶୋର ଦାସ, ସରଳା ଦେବୀ ଇତ୍ୟାଦି କେତେଜଣଙ୍କର ବଳିଷ୍ଠ ସହଯୋଗ ଏଥିରେ ରହିଥିଲା । କଟକ ଟାଉନ୍‌ ହଲ୍‌ରେ ହେଉଥିବା ଉତ୍କଳ ସମ୍ମିଳନୀର ବାର୍ଷିକ ଅଧିବେଶନରେ କୋଶଳ ଉତ୍କଳ-ପ୍ରଜାପରିଷଦ ସହିତ ଉତ୍କଳ ସମ୍ମିଳନୀର ସହଯୋଗ ରହିଲେ ମଧ୍ୟପ୍ରଦେଶର ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳ ଏବଂ ସିଂହଭୂମି ଓ ଧଳଭୂମି ଓଡ଼ିଶା ସହିତ ମିଶିବାର ସମ୍ଭାବନା ରହିଛି ବୋଲି ଦର୍ଶାଇ ସୁଦୀର୍ଘ ଭାଷଣ ପ୍ରଦାନ କରିଥିଲେ । ଲେଖକ କହନ୍ତି-ଏହି କାର୍ଯ୍ୟକରି ସେ ସଫଳ ହୋଇଛନ୍ତି ବୋଲି ଅନୁଭବ କଲେ, ଗଭୀର ତୃପ୍ତି ମଧ୍ୟ ଲାଭ କରିଥିଲେ ।

 

ଷଢ଼େଇକଳା-ଖରସୁଆଁକୁ ଭାରତ ସରକାର ସାମୟିକ ଭାବରେ ବିହାର ସହିତ ମିଶାଇ ଦେଲେ ଏବଂ ଓଡ଼ିଶାର ଭୌଗୋଳିକ ଯୋଗସୂତ୍ରର ଅଭାବ ଏହାର ମୁଖ୍ୟ କାରଣ ବୋଲି ଦର୍ଶାଇଥିଲେ । ଓଡ଼ିଶା ସହିତ ମୟୁରଭଞ୍ଜର ସାମ୍ବିଧାନିକ ମିଶ୍ରଣ ପରେ ଷଢ଼େଇକଳା ଖରସୁଆଁର ଅସ୍ଥାୟୀ ମିଶ୍ରଣକୁ ସ୍ଥାୟୀ କରାଗଲା । ବିହାରର ନେତା, ଶାସନ ବିଧାୟକ ସଭାର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ପ୍ରସାଦ ଓଡ଼ିଶା ସହିତ ଏହାର ମିଶ୍ରଣ ଚାହୁଁନଥିଲେ ଏବଂ ଓଡ଼ିଶାର କଂଗ୍ରେସ ନେତାମାନଙ୍କ ଉପରେ ଚାପ ପଡ଼ୁଥିବାରୁ ସେମାନେ ଭୟରେ ପଦକ୍ଷେପ ନେବାରେ ବିଶେଷ ଆଗ୍ରହ ପ୍ରକାଶ କରୁନଥିଲେ । ଓଡ଼ିଆମାନଙ୍କର ହୀନମନ୍ୟତା, ଗୌଣ ମନୋଭାବ ଏବଂ ଭୟଭୀତ ହୋଇ ଅନ୍ୟାୟକୁ ମାନିନେବା ସ୍ଵଭାବ ଲେଖକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଏହି ସମୟରେ ଷଢ଼େଇକଳା-ଖରସୁଆଁ ଓ ସିଂହଭୂମିରେ ବସବାସ କରୁଥିବା ଓଡ଼ିଆମାନଙ୍କ ମନରେ ଆତ୍ମପ୍ରତ୍ୟୟ ଜାଗ୍ରତ କରିବା ନିହାତି ଜରୁରୀ ଥିଲା । ଏ ଉଦ୍ଦେଶ୍ୟରେ କୋଶଳ-ଉତ୍କଳପ୍ରଜାପରିଷଦ ପକ୍ଷରୁ ଗୋଟିଏ ପ୍ରତିନିଧି ଦଳ ପଠାଇବା ପାଇଁ ନିଷ୍ପତ୍ତି ନିଆଗଲା ଓ ଏହାର ସଂପାଦକ ଥିଲେ ନିଜେ ସୁରେନ୍ଦ୍ର ମହାନ୍ତି । ଏ କ୍ଷେତ୍ରରେ ତାଙ୍କର ନିଷ୍ଠାପର ସକ୍ରିୟତା ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ସେ ସମୟରେ ବିଭିନ୍ନ ଜାଗା ବୁଲି ସେଠାରେ କେତେ ପରିବାର ଓଡ଼ିଆ ଅଛନ୍ତି, ‘ହୋ’ମାନେ କେତେ ସଂଖ୍ୟାରେ ଓଡ଼ିଆ କହି ଜାଣନ୍ତି ଏବଂ ଓଡ଼ିଆମାନେ କିପରି ଭାବରେ ନିର୍ଯାତିତ ହେଉଛନ୍ତି ଇତ୍ୟାଦି ବିଷୟରେ ତଥ୍ୟ ସଂଗ୍ରହ କରିବା ଥିଲା ତାଙ୍କର ମୁଖ୍ୟ କାର୍ଯ୍ୟ । ଏସବୁ ତଥ୍ୟକୁ ନେଇ ଇଂରାଜୀରେ ଦୀର୍ଘ ରିପୋର୍ଟ ସେ ଲେଖିଥିଲେ ପ୍ରାୟ ଏକମାସ ସମୟ ବ୍ୟୟକରି । ଗଣତନ୍ତ୍ର ପରିଷଦ ପକ୍ଷରୁ ରାଜ୍ୟ ପୁନର୍ଗଠନ କମିଶନଙ୍କଠାରେ ଉପସ୍ଥାପିତ କରିବା ପାଇଁ ଦୀର୍ଘ ସ୍ମାରକପତ୍ର ମଧ୍ୟ ସେ ପ୍ରସ୍ତୁତ କରିଥିଲେ । ଲୋକସଭାରେ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ଲେଖକ ନିଜେ ରାଜ୍ୟ ସଭାରେ ସଦସ୍ୟ ଥିବାବେଳେ ଯଥାସାଧ୍ୟ ଯୁକ୍ତିତର୍କ କରି ଷଢ଼େଇକଳା-ଖରସୁଆଁ ପ୍ରଶ୍ନ ବାରମ୍ବାର ଉତ୍‌ଥାପନ କରୁଥିଲେ । ଅଥଚ ଓଡ଼ିଶାର କଂଗ୍ରେସ ସଭ୍ୟମାନେ ସେତେବେଳେ ପାର୍ଲାମେଣ୍ଟରେ ମୌନବ୍ରତ ପାଳନ କରିବାପରି ଚୁପ୍‌ ରହିଲେ ସିନା କେହି ସ୍ଵର ଉତ୍ତୋଳନ କଲେ ନାହିଁ । ଏପରିକି ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ବିଶ୍ଵନାଥ ଦାସ, ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସହ କେତେଜଣ ମନ୍ତ୍ରୀ ଓ ବ୍ୟବସ୍ଥାପକଙ୍କ ଇସ୍ତଫା ପତ୍ର ଧରି ଦିଲ୍ଲୀରେ ଦେବାପାଇଁ ବାହାରିଥିଲେ ମଧ୍ୟ ଫଳତଃ ତାହା ବିପରୀତ ହେଲା । ଲେଖକ କହନ୍ତି ‘‘ମୁଖ୍ୟମନ୍ତ୍ରୀ ନବବାବୁ ଦିଲ୍ଲୀ ଯାଇଥିଲେ ଇସ୍ତଫା ଦେବା ପାଇଁ । ମାତ୍ର ସେଆଡ଼ୁ ଫେରିଲେ ଦୁଇହଜାର ସଶସ୍ତ୍ର ସୈନ୍ୟ ଓ ଗୁଳିଗୋଳା ଧରି । ଆମେ ସବୁତ ହତଚକିତ ହେଇଗଲୁ-। × × × ଆମକୁ ଆଉ ବୁଝିବା ପାଇଁ ବାକି ରହିଲା ନାହିଁ ଯେ ମନ୍ତ୍ରୀମଣ୍ଡଳ, ସୀମା ପ୍ରଶ୍ନ ଉପରେ ଇସ୍ତଫା ଦେବା ପରିବର୍ତ୍ତେ ବର୍ତ୍ତମାନ ସୀମା ଆନ୍ଦୋଳନକୁ ପୋଲିସ୍‌ ଓ ମିଲିଟାରୀର ବୁଟ୍‌ ଜୋତା ତଳେ ଦବାଇ ଦେବାପାଇଁ ବଦ୍ଧପରିକର ।’’ (ପଥ ଓ ପୃଥିବୀ-ପୃ ୧୮୭) ମୋଟ ଉପରେ ଓଡ଼ିଶାର ଶାସନକ୍ଷମତାସୀନ ଦଳର ଦୁର୍ବଳ ନେତୃତ୍ୟ ଓ ଓଡ଼ିଶା କଂଗ୍ରେସ ନେତୃଗଣଙ୍କର ଉଦାସୀନତା ପାଇଁ ଷଢ଼େଇକଳା-ଖରସୁଆଁ ସବୁଦିନ ପାଇଁ ଓଡ଼ିଶାରୁ ପୃଥକ୍‌ ହୋଇଗଲା । ଲେଖକଙ୍କ ସମେତ ଅନ୍ୟାନ୍ୟ କର୍ମୀଙ୍କର ସମସ୍ତ ଶ୍ରମ ପଣ୍ଡ ହୋଇଗଲା । ସୁଦୃଢ଼ ବିରୋଧୀ ଦଳର ଅଭ୍ୟୁଦୟ ଓ ସୀମା ଆନ୍ଦୋଳନ ବିଷୟରେ ଏପରି ସବିଶେଷ ଖବର ଅନ୍ୟମାନଙ୍କ ଲେଖାରେ ପ୍ରାୟ ମିଳେ ନାହିଁ ।

 

ରାଜନୀତିର ଅନେକ କ୍ଷେତ୍ରରେ ସେ ପରିଶ୍ରମର ଫଳ ପାଇନଥିଲେ ମଧ୍ୟ ତାଙ୍କର ଅବଶୋଷ ନଥିଲା । ଏହାର କାରଣ ହେଉଛି ସେଥିଲେ ଏକଜିଦିଆ ଓ ଖିଆଲି । ଯେଉଁ କାମରେ ହାତ ଦେଉଥି‌ଲେ ସେଥିରେ ନିଷ୍ଠାପରଭାବରେ ଲାଗୁଥିଲେ । ନିର୍ଭୀକତା ତଥା ସ୍ପଷ୍ଟବାଦିତା ଥିଲା ତାଙ୍କ ରାଜନୀତିକ ବ୍ୟକ୍ତିତ୍ୱର ଉଜ୍ଵଳ ଦିଗ । ‘ପଥ ଓ ପୃଥିବୀ’ ପୃଷ୍ଠାରେ ନିଜ ବିଷୟରେ ମତବ୍ୟକ୍ତ କରି ସେ କହନ୍ତି - ‘‘କ୍ଷମତା ଲୋଭ ନୁହେଁ, କ୍ଷମତାର ବିରୋଧ ପାଇଁ ମୁଁ ମୋର ରାଜନୈତିକ ଜୀବନ ପାର୍ଲାମେଣ୍ଟରେ ହିଁ ଆରମ୍ଭ କରିଥିଲି ।’’ (ପୃ ୪୨୩) ଅନ୍ୟତ୍ର ସେ ଭଲ୍ଲେଖ କରିଛନ୍ତି - ‘‘ମୁଁ ତ କୌଣସି ଦିନ ଆଉ ପେଶାଦାର ରାଜନୀତିକ ନ ଥିଲି । ରାଜନୀତି ମୋର ପେଶା ନଥିଲା, ଥିଲା ନିଶା - ଏକ ବୌଦ୍ଧିକ ବିଳାସ, ମୋର ସାହିତ୍ୟର ଗୋଟାଏ ପ୍ରସାରଣ ।’’ (ପଥ ଓ ପୃଥିବୀ - ପୃ ୩୫୦) ପ୍ରକୃତପକ୍ଷେ ଯେତେବେଳେ ସେ ରାଜନୀତି କ୍ଷେତ୍ରରେ ବିଫଳ ହୋଇଛନ୍ତି ସେତେବେଳେ ଫେରି ଆସିଛନ୍ତି ସାରସ୍ଵତ ଜଗତକୁ ଏବଂ ସୃଷ୍ଟିକରିଛନ୍ତି ଅମ୍ଳାନ କୀର୍ତ୍ତିସମ୍ପନ୍ନ ଗ୍ରନ୍ଥରାଜି । ନିର୍ବାଚନରେ ପରାଜିତ ହେଲାପରେ ସୁରେନ୍ଦ୍ର ମହାନ୍ତିଙ୍କ ଲେଖନୀରୁ ସୃଷ୍ଟି ହେଲା ଓଡ଼ିଆ ସାହିତ୍ୟର ଆଦିପର୍ବ, ‘ନୀଳଶୈଳ’ ଓ ‘ଶତାବ୍ଦୀର ସୂର୍ଯ୍ୟ’ ପରି ଉନ୍ନତମାନର ଗ୍ରନ୍ଥ ସମୂହ । ମାତ୍ର ପ୍ରଶ୍ନଉଠେ, ରାଜନୀତି ଯାହାର ପେଶା ନୁହେଁ, ହାଇଁ ପାଇଁ ଭାବ ଯାହାର ନାହିଁ, ସେ ନିର୍ବାଚନରେ ହାରିଯାଇ ଉପମନ୍ତ୍ରୀ ନହେବା ଗ୍ଲାନିରେ ମାନସିକ ଅସ୍ଥିରତା ଅନୁଭବ କଲେ କାହିଁକି ? ସେ ଏତେ ବେଶି ବିଚଳିତ ହେଲେ ଯେ ସେ କାଳେ ଆତ୍ମହତ୍ୟା କରି ଦେବେ ଭାବି ତାଙ୍କ ପନ୍ନୀ ଗଡ଼ଗଡ଼ିଆ ଘାଟରେ ଥରେ ପହଞ୍ଚିଗଲେ । ମାତ୍ର ଅର୍ଦ୍ଧ-ନାସ୍ତିକ ସୁରେନ୍ଦ୍ର ମହାନ୍ତି ଆତ୍ମହତ୍ୟା ନକରି ଘଣ୍ଟି ବଜାଇ ମନ୍ଦିରରେ ‘ବଂ ବଂ ଭୋଲା’ ଡାକୁଥି‌ଲେ । ମନେହୁଏ, ହାଇଁ ପାଇଁ ଭାବଟା ଥିଲା ଯେ ଅଳପ ଥିଲା-। ଅଳପ ଆଉ ବହୁତ ଭିତରେ କ’ଣ ପାର୍ଥକ୍ୟ ନାହିଁ ?

 

ଲୋକସଭା ନିର୍ବାଚନରେ ଜଗତସିଂହପୁର ଆସନ ପାଇଁ ଠିଆ ହେବାର ପ୍ରତିଶ୍ରୁତି ପାଇଲାପରେ ପୁଣି ତାଙ୍କୁ ଓହରି ଯିବାକୁ ନିର୍ଦେଶ ଦିଆଯିବାରୁ ସେ ପ୍ରତିଜ୍ଞା କରିଥି‌ଲେ ଆଉ ରାଜନୀତିରେ ମିଶିବେ ନାହିଁ । ପୁନଶ୍ଚ ଶୁଭେଚ୍ଛୁ ବନ୍ଧୁମାନେ ଅନୁରୋଧ କରିବାରୁ ସେ ଦୃଢ଼ ଭାବରେ ଜଣାଇ ଦେଇଥିଲେ ‘‘ମୁଁ ଭିକ୍ଷାଥାଳ ଧରି ଦିଲ୍ଲୀତ ଯିବି ନାହିଁ । ଭୁବନେଶ୍ଵର ନୈବଚ ନୈବଚ ।’’ ସେଇ ପୁଣି ୧୯୭୭ ମସିହାରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ମୋରାରଜୀ ଦେଶାଇ, ଚରଣ ସିଂହ, ଅଟଳ ବିହାରୀ ବାଜପେୟୀ, ବିଜୁ ପଟ୍ଟନାୟକଙ୍କୁ ଦୀର୍ଘ ଟେଲିଗ୍ରାମମାନ ପଠାଇଲେ କିପରି ? ଏବଂ ତାଙ୍କ ସ୍ଵାଭିମାନକୁ ବାଧିଲାପରି ବ୍ୟବହାର ସେମାନଙ୍କଠାରୁ ପାଇବା ସତ୍ତ୍ଵେ ସେ ନିର୍ବାଚନରେ ଠିଆହେଲେ କିପରି ? ତାଙ୍କର ମତ ଓ ଦଳ ପରିବର୍ତ୍ତନ ବିରୋଧାଭାସ ପରି ମନେ ହେଉ ନାହିଁକି ? ତଥାପି ତାଙ୍କର ମୌଳିକ ଚିନ୍ତାଧାରା, ନିର୍ଭୀକତା ଓ ସକ୍ରିୟତା ଯୋଗୁ ଆମ ଦେଶର ରାଜନୀତିରେ ତାଙ୍କୁ ଏକ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଭାବରେ ଗ୍ରହଣ କରାଯାଇପାରେ ।

 

ମାତ୍ର ବୃତ୍ତିଗତ ଭାବରେ ସେ ମୂଳରୁ ଜଣେ ସାମ୍ବାଦିକ । ଜୀବନ କାଳ ମଧ୍ୟରେ ‘ଜନତା’, ‘ଗଣତନ୍ତ୍ର’, ଓ ‘କଳିଙ୍ଗ’ର ସମ୍ପାଦନା ଦାୟିତ୍ୱରେ ରହିଥି‌ଲେ ମଧ୍ୟ ସେଥିରେ ତାଙ୍କର ପରିତୃପ୍ତି ଆସୁନଥିଲା, ଯଦିଓ ସମ୍ପାଦକର ମୌଳିକ ଗୁଣ ନିର୍ଭୀକତା ଓ ନିଷ୍କଟତାକୁ ସେ ବଜାୟ ରଖି‌ବାରେ ଅବହେଳା କରୁନଥିଲେ । ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଓ ଲେଖକଙ୍କ ବ୍ୟକ୍ତିଗତ ପରମ ବନ୍ଧୁ ରାଜେନ୍ଦ୍ର ନାରାୟଣ ସିଂହଦେଓ ହାଇକୋର୍ଟ ସଂପର୍କରେ ଅଶୋଭନୀୟ ଭାଷଣ ଦେଇଥି‌ବାରୁ ଏବଂ ହାଇକୋର୍ଟରେ ମହତାବ ଓ ସିଂହଦେଓଙ୍କ ନାମରେ ମକଦ୍ଦମା ଥି‌ବା ସତ୍ତ୍ଵେ ସେମାନଙ୍କୁ ବିଶିଷ୍ଟ ଅତିଥି‌ ଭାବରେ ସେଇ ହାଇକୋର୍ଟ ପରିସରକୁ ନିମନ୍ତ୍ରଣ କରିବା ସମୁଚ୍ଚିତ କର୍ମ ନଥିଲା ବୋଲି ସମାଲୋଚନା ହୋଇଥିଲା । ଅନ୍ୟ ସମ୍ବାଦପତ୍ର ଏ ସମ୍ପର୍କରେ ହଲିଲା ପାଣିରେ ଗୋଡ଼ ନ ବୁଡ଼ାଇବା ନୀତିକୁ ମାନିନେଲେ କିମ୍ବା ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ ରୀତିରେ ଲେଖି‌ଲେ । ‘କଳିଙ୍ଗ’ର ଅଗ୍ରଲେଖାରେ ‘ରାଜା କି କଲ, ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ ! ଶୀର୍ଷକରେ ଶ୍ରୀଯୁକ୍ତ ମହାନ୍ତି ଯେଉଁ ସମ୍ବାଦ ପରିବେଷଣ କଲେ ତାହା ଦ୍ୱାରା କଟକର ଶିକ୍ଷିତ ସମାଜ ଓ ଆଇନଜୀବୀମାନଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଗଲା ।

 

ବିବେକ ପରିଚାଳିତ ହୋଇ ଲେଖନୀ ଚଳାଇବା ପ୍ରତ୍ୟେକ ସାମ୍ବାଦିକର କର୍ତ୍ତବ୍ୟ । ନିନ୍ଦା-ପ୍ରଶଂସାର ବଶବର୍ତ୍ତୀ ହେଲେ ପ୍ରକୃତ ସାମ୍ବାଦିକର କାର୍ଯ୍ୟ ହୁଏ ନାହିଁ । ସାମ୍ବାଦିକତା ବୃତ୍ତି ହେଲେହେଁ ତାହାକୁ ମଧ୍ୟ ଧର୍ମ ଭାବରେ ଗ୍ରହଣ କରିବା ଉଚିତ । ସାମ୍ବାଦିକତାର ଥି‌ଓରୀ ତାଙ୍କୁ ଜଣାଥି‌ଲେ ମଧ୍ୟ ଓଡ଼ିଶାରେ ତାହାକୁ ସେ ସମ୍ପୂର୍ଣ୍ଣ ସଫଳ କରିପାରୁନଥିବା ଲକ୍ଷ୍ୟ କରୁଥି‌ଲେ । କାରଣ ସାମ୍ବାଦିକତା କରୁଥିବା ତତ୍‌କାଳୀନ ବିଶିଷ୍ଟ ବ୍ୟକ୍ତିମାନେ ଏହାର ଅର୍ଥ ବୁଝିଥି‌ଲେ କେବଳ ରାଜନୀତି ଖବରକୁ ପ୍ରକାଶ କରିବା । ତାହା ପୁଣି ନିଜକୁ ସୁହାଇବା ପରି, ଅର୍ଥାତ୍‌ ନିଜର ଲକ୍ଷ୍ୟ ଚରିତାର୍ଥ ହୋଇ ପାରିବା ଭଳି । ସାମ୍ବାଦିକତାର ଯେ ସାହିତ୍ୟ ସହିତ ସମ୍ପର୍କ ନିବିଡ଼ ତାହା ସେମାନେ ବୁଝୁ‌ ଥି‌ଲେ । ପାଶ୍ଚାତ୍ୟ ଦେଶରେ ଲୋକେ ଏହା ବୁଝୁ ଥି‌ଲେ ବୋଲି ଦିନେ ସ୍ଥିତିବାଦୀ ଦର୍ଶନକୁ ନେଇ ସାର୍ତ୍ତ୍ରେ ଓ କାମ୍ୟୁଙ୍କ ମଧ୍ୟରେ ହୋଇଥିବା ମତଭେଦକୁ ଫ୍ରାନସ୍‌ର ବିଖ୍ୟାତ ସମ୍ବାଦପତ୍ର ‘ଲା ମୁଦ’ ପ୍ରମୁଖ ଖବର ଭାବେ ଛାପିଥି‌ଲା । ସମ୍ବାଦ, ସାହିତ୍ୟ ଓ ରାଜନୀତି ତିନୋଟିର ସମନ୍ୱୟରେ ସମ୍ବାଦପତ୍ରକୁ ସମୃଦ୍ଧ କରିବାର ଅଭିଳାଷ ଲେଖକଙ୍କର ମୂଳରୁ ରହିଥିଲା, ତାହାରି ପ୍ରତିଫଳନ ହୋଇଛି ‘କୃଷ୍ଣଚୂଡ଼ା’ ଗଳ୍ପର ସଦାନନ୍ଦ ଚରିତ୍ର - ଠାରେ । ଜୀବନର ଅନ୍ତିମ ପର୍ଯ୍ୟାୟରେ ‘ସମ୍ବାଦ’ ର ସମ୍ପାଦନା ଦାୟିତ୍ୱ ନେଇ ତାଙ୍କର ସେହି ଅଭିଳାଷ ପୂରଣ ହୋଇଛି ବୋଲି ସେ ଅନୁଭବ କରିଛନ୍ତି ।

 

‘ପଥ ଓ ପୃଥିବୀ’ରେ ତାଙ୍କ ବ୍ୟକ୍ତତ୍ୱର ସାମ୍ବାଦିକତା ଓ ରାଜନୀତି ଦିଗ ପ୍ରତି ସେ ଯେତେ ଗୁରୂତ୍ୱ ଦେଇଛନ୍ତି, ଜୀବନର ଅନ୍ୟାନ୍ୟ ବିଷୟ ପ୍ରତି ସେହି ଅନୁସାରେ ସଚେତନ ନୁହନ୍ତି । ଏପରିକି ସାରସ୍ଵତ କାର୍ଯ୍ୟକଳାପ ବିଷୟରେ ମଧ୍ୟ ବିଶେଷ ଉଲ୍ଲେଖ ନାହିଁ । ଲେଖକ ଉପୋଦ୍‌ଘାତରେ ଆଗତୁରା କୈଫିୟତ୍‌ ଦେଇଛନ୍ତି ଯେ ‘‘ଯେଉଁମାନେ ମୋର ପ୍ରେମକାହାଣୀ ସମ୍ପର୍କରେ ଅଯଥା କୌତୁହଳୀ ହୋଇ ଏହାକୁ ପଢ଼ିବେ ସେମାନେ ନିଶ୍ଚୟ ହତାଶ ହେବେ ।’’ କିନ୍ତୁ ପ୍ରେମ ସମ୍ବନ୍ଧରେ ତାଙ୍କର ସ୍ପଷ୍ଟ ମତ ପ୍ରକାଶ କରିବାରେ ସେ ଦ୍ୱିଧା ବୋଧ କରି ନାହାନ୍ତି । ସେ ମିଥୁନବାଦୀ ଇନ୍ଦ୍ରଜିତଙ୍କର ସହମତ, ଯିଏ କି ମୈଥୁନକୁ ‘କଚ୍ଛକଣ୍ଡୁୟନ’ ବୋଲି କହିଛନ୍ତି । ତାଙ୍କ ମତରେ କବି, ଶିଳ୍ପୀ ଓ ଆଧ୍ୟାତ୍ମବାଦୀମାନେ ଯେଉଁ ପ୍ରେମର ବର୍ଣ୍ଠନା କରି ସ୍ଵର୍ଗୀୟ ବୋଲି କହନ୍ତି ପ୍ରକୃତରେ ପ୍ରେମ ଫ୍ରେମ ସେମିତି କିଛି ନାହିଁ । ପ୍ରେମ ଗୋଟାଏ ଜାନ୍ତବ ପ୍ରବୃତ୍ତି ଛଡ଼ା ଅନ୍ୟ କିଛି ନୁହେଁ । ତୃଷାର୍ତ୍ତ ପାଣି ଗ୍ଲାସ୍‌ ପାଖକୁ ନିଶ୍ଚୟ ଯିବ ।

 

ସେ ମଦ୍ୟପାନ କରୁଥିଲେ ମଧ୍ୟ ଅନ୍ୟମାନଙ୍କୁ ସେଥିରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ତାଙ୍କ ପ୍ରରୋଚନାରେ ମଦ୍ୟପାନ କରି ଅଖିଳ ମୋହନଙ୍କ ଜୀବନ କିପରି ବିପର୍ଯ୍ୟସ୍ତ ହୋଇଥିଲା ତାହାର ସୂଚନା ଏଥିରୁ ମିଳେ । ତାଙ୍କର ମତ, ସୁରାପାନରେ ମଗ୍ନ ଲୋକର ଚୈତନ୍ୟତ ଆସିବ ନାହିଁ, ମନ ଓ ଏକାଗ୍ରତା ମଧ୍ୟ କେନ୍ଦ୍ରୀଭୂତ ନହୋଇ ବିକ୍ଷିପ୍ତ ହୋଇଯିବ । ନିଜେ ମଦ୍ୟପାନ କରି ଲେଖିବା ପାଇଁ ଚେଷ୍ଟା କରିଥି‌ଲେ ମଧ୍ୟ କଲମ ହାତରୁ ଖସି ପଡ଼ିଛି ସିନା ଲେଖା ହୋଇନାହିଁ ।

 

ନିର୍ବାଚନରେ ହାରି ଯାଇଁ ବ୍ୟର୍ଥତା ଓ ମହାଶୂନ୍ୟତା ମଧ୍ୟରେ ସମୟ କାଟୁଥିବା ସୁରେନ୍ଦ୍ର ମହାନ୍ତିଙ୍କ ଈଶ୍ଵର ବିଶ୍ଵାସ ଜାଗ୍ରତ ହେବା ଘଟଣାଟି ବେଶ୍‌ କୌତୂହଳପ୍ରଦ । ପାଠକମାନଙ୍କ ଉଦ୍ଦେଶ୍ୟରେ ନିଜର ଅନୁଭୂତି ଜରିଆରେ ସେ ଯେଉଁ ଦର୍ଶନ ଶୁଣାଇଛନ୍ତି ତାହା ପ୍ରଣିଧାନଯୋଗ୍ୟ । ତାଙ୍କ ମତରେ, ଆମର ବ୍ୟର୍ଥତା, ଅବସାଦ ଓ ଶୂନ୍ୟତାବୋଧ ହେଉଛି ଆମ ଆମ୍ମକୈନ୍ଦ୍ରିକତାର ହିଁ ପରିଣତି । ଯଦି ଆତ୍ମକୈନ୍ଦ୍ରିକତାର ଆବଦ୍ଧ ପଞ୍ଜୁରି ଭାଙ୍ଗି ଆମେ ସାଧାରଣ ଲୋକଙ୍କ ପରି ଠାକୁର ମନ୍ଦିରକୁ ଯାଇ ସେଠାରେ ନିଜକୁ ଚିର ଆନନ୍ଦମୟ ନିଖି‌ଳ ସତ୍ତା ସହିତ ମିଶାଇ ଦେଇ ପାରୁ ତେବେ ନିଜର ଅସ୍ମିତା ଭାବ କଟିଯାଏ ଏବଂ ତା’ ସହିତ ବ୍ୟର୍ଥତା, ନିଃସଙ୍ଗତାବୋଧ ଓ ଗ୍ଲାନିର ମହାସମୁଦ୍ରରେ ଥାଇ ମଧ୍ୟ ତାହା ଅତି ସାମାନ୍ୟ ବୋଧ ହୁଏ ।

 

ମୋଟ ଉପରେ ରାଜନୀତିର ଉତ୍ତେଜନା, ସାମ୍ବାଦିକତାର ଅଭିଜ୍ଞତା ତାଙ୍କ ସାହିତ୍ୟରେ ଆଣି ଦେଇଛି ପ୍ରଶାନ୍ତି ଓ ପରିପୂର୍ଣ୍ଣତା । ଗୀତିନାଟ୍ୟରୁ ଲେଖା ଆରମ୍ଭ କରି ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ସମାଲୋଚନା ଓ ସମ୍ପାଦକୀୟ ପର୍ଯ୍ୟନ୍ତ ସେ ଯେଉଁ ବିପୁଳ ସାହିତ୍ୟ ସୃଷ୍ଟି କରିଛନ୍ତି ପ୍ରତ୍ୟେକ ଲେଖାରେ ଯେ ଜଣେ କୁଶଳୀ କଳାକାରର ସ୍ଵାକ୍ଷର ମିଳେ ତାହାର କାରଣ ହେଉଛି ଜୀବନର ବିପୁଳ ଅନୁଭୂତି ଓ ଅଭିଜ୍ଞତା । ଅଭିଜ୍ଞତାହିଁ ଜ୍ଞାନର ଭଣ୍ଡାରକୁ ପରିବର୍ଦ୍ଧିତ କରେ, ବୁଦ୍ଧିକୁ ଶାଣିତ କରେ ଓ ସାହିତ୍ୟକୁ ସମୃଦ୍ଧ କରେ । ବସ୍ତୁତଃ ରାଜନୀତି ଓ ସାମ୍ବାଦିକତା ଶ୍ରୀଯୁକ୍ତ ମହାନ୍ତିଙ୍କୁ କିପରି ସାହିତ୍ୟ ପ୍ରତି କରିପାରିଛି ସଂପୃକ୍ତ ଓ ପ୍ରତିଶ୍ରୁତିବଦ୍ଧ, ତା’ରି ପରିଚୟ ମିଳେ ‘ପଥ ଓ ପୃଥିବୀ’ରୁ ।

 

ଅନ୍ୟମାନଙ୍କ ଜୀବନଚରିତକୁ ନେଇ ଯେଉଁ ଅଳ୍ପ କେତେଖଣ୍ଡ ପୁସ୍ତକ ସେ ରଚନା କରିଛନ୍ତି ସେଥି‌ ମଧ୍ୟରେ ‘ମଧୁସୂଦନ ଦାସ’ ପୁସ୍ତକଟି ଉଲ୍ଲେଖଯୋଗ୍ୟ । ମଧୁସୁଦନ ଦାସଙ୍କ ଜୀବନକୁ ଆଧାର କରି ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ ଦୁଇଖଣ୍ଡ ପୁସ୍ତକ ରଚନା କରିଥିଲେ ହେଁ ତାହା ଜୀବନ ଚରିତ ନ ହୋଇ ଚରିତ ଉପନ୍ୟାସ ହୋଇଥି‌ବାରୁ ତାହାକୁ ଆଲୋଚନାର ପରିସରଭୁକ୍ତ କରାଯାଇ ନାହିଁ । ମଧୁସୂଦନ ଦାସ ପ୍ରକୃତ ପକ୍ଷରେ ଓଡ଼ିଶା ପାଇଁ, ଓଡ଼ିଆ ଜାତି ପାଇଁ, ଓ ଓଡ଼ିଆର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଉନ୍ନତି ପାଇଁ ଯତ୍ପରୋନାସ୍ତି ପ୍ରଚେଷ୍ଟା କରିଛନ୍ତି । ତାଙ୍କର ମହନୀୟ କାର୍ଯ୍ୟାବଳୀ ମଧ୍ୟରୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ବଡ଼ ଦେଉଳ ମାମଲା ଘଟଣା ଦୁଇଟି ବିଶେଷଭାବରେ ଉଲ୍ଲେଖଯୋଗ୍ୟ । ଏହା ତାଙ୍କୁ ଅଧିକ ଜନପ୍ରିୟ ଓ ବିଖ୍ୟାତ କରିପାରିଥିଲା । ମଧୁସୂଦନ ନିଜେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଥିଲେ ହେଁ ଓଡ଼ିଶାର ରାଷ୍ଟ୍ରଦେବତାଙ୍କ କାର୍ଯ୍ୟ ଦାବି ହାସଲ ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ଓଡ଼ିଶାର ଗଜପତି ଦିବ୍ୟସିଂହ ଦେବଙ୍କ ମାତା ସୂର୍ଯ୍ୟମଣି ପାଟମହାଦେଈଙ୍କଠାରୁ ଶାସକ ଗୋଷ୍ଠୀ ସମସ୍ତ କ୍ଷମତା କାଢ଼ି ନେଲାପରେ ମଧୁସୂଦନଙ୍କର ଜିଦ୍‌ ଆହୁରି ବଢ଼ିଗଲା । ଏ ସଂକ୍ରାନ୍ତରେ ଯେଉଁ ଦୁଇଟି ଚିଠି ସେ ‘ଗୋଟାଏ ପାଗଳ’ ଛଦ୍ମ ନାମରେ ‘ଉତ୍କଳ ଦୀପିକା’ରେ ‘ସମ୍ପାଦକଙ୍କୁ ପତ୍ର’ ସ୍ତମ୍ଭରେ ଲେଖିଥିଲେ ତାହା ବିଶେଷଭାବରେ ପ୍ରଣିଧାନଯୋଗ୍ୟ । ତାଙ୍କର ଶକ୍ତିଶାଳୀ ଭାଷା, ତୀବ୍ର ବ୍ୟଙ୍ଗାତ୍ମକ ଦୃଷ୍ଟି ଓ ଉନ୍ନତ ରଚନା ଶୈଳୀରେ ଯେ କେହି ପ୍ରଭାବିତ ହୋଇ ପାରୁଥିଲେ । ଭାରତ ଓ ବିଲାତରେ ଥି‌ବା ଖ୍ରୀଷ୍ଟିୟାନ ପ୍ରଜାମାନଙ୍କୁ ଭାରତ ସରକାର ହଲପ୍‌ କରି ପ୍ରତିଶ୍ରୁତି ଦେଇଥି‌ଲେ ଯେ ବଡ଼ ଦେଉଳ ସହିତ କେବେହେଁ କୌଣସି ପ୍ରକାର ସମ୍ପର୍କ ରଖି‌ବେ ନାହିଁ । ଗଭର୍ଣ୍ଣର ଜେନେରାଲଙ୍କ ବିବୃତି, କାଉନସିଲ୍‌ର ସଭ୍ୟମାନଙ୍କ ଭାଷଣ, ଖ୍ରୀଷ୍ଟିୟାନମାନଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ଇତ୍ୟାଦି ବହୁ ସୂତ୍ରରୁ ସେ ଏହାର ପ୍ରମାଣ ଦର୍ଶାଇଛନ୍ତି । ଦୀର୍ଘଦିନ ଧରି କଲିକତା ହାଇକୋର୍ଟରେ କାଗଜପତ୍ରର ଲଢ଼େଇ ପରେ ମଧୁସୂଦନଙ୍କ ଶ୍ରମ ସାର୍ଥକ ହେଲା । ଏଠାରେ ବିଶେଷଭାବରେ ଉଲ୍ଲେଖଯୋଗ୍ୟ ଯେ ମଧୁସୂଦନ ଏଥି‌ପାଇଁ ମିଃ. ଟି. ଉଡ଼୍‌ରଫ୍‌ ଇତ୍ୟାଦି ବିଖ୍ୟାତ ଇଂରେଜ ବାରିଷ୍ଠରମାନଙ୍କୁ ନିଯୁକ୍ତ କରିଥିଲେ ।

 

ସ୍ଵତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ, ପ୍ରାଦେଶିକ କଂଗ୍ରେସ କମିଟି ସ୍ଥାପନ, ନିଜେ ଜମିଦାର ଘରର ସନ୍ତାନ ଥିବା ସତ୍ତ୍ୱେ ଓଡ଼ିଆ ଚାଷୀଙ୍କ ପାଇଁ ସଂଗ୍ରାମ ଏବଂ ଆଇନ ବ୍ୟବସାୟରେ ନାରୀମାନେ ଅଧିକାର ପାଇବା ଇତ୍ୟାଦି ଗଠନମୂଳକ କାର୍ଯ୍ୟରେ ସେ ଥଲେ ଅଗ୍ରଦୂତ । ୧୯୨୨ ମସିହା ପର୍ଯ୍ୟନ୍ତ ନାରୀମାନଙ୍କୁ ଆଇନ ବ୍ୟବସାୟ କରିବାକୁ ସୁଯୋଗ ଦିଆଯାଉନଥିଲା । ମଧୁବାବୁ ଜିଦ୍‌ଖୋର ଲୋକଥିବାରୁ ବାରମ୍ବାର ବିଫଳ ହେବା ସତ୍ତ୍ୱେ ଚେଷ୍ଟାରୁ ବିରତ ନହୋଇ ଲଢ଼ିଥି‌ଲେ ଓ ଶେଷରେ କେବଳ ସଫଳ ହେଲେନାହିଁ, ଆଇନ ପରିବର୍ତ୍ତନ ମଧ୍ୟ କରାଇ ପାରିଲେ । ମଧୁସୂଦନଙ୍କ ସମ୍ପର୍କରେ ନବକିଶୋର ଦାସଙ୍କ ‘ଉତ୍କଳ ଗୌରବ ମଧୁସୂଦନ’ (୧୯୫୧), ‘ମହାଯାତ୍ରୀ ମଧୁସୂଦନ’ ଓ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ‘ଦେଶପ୍ରାଣ ମଧୁସୂଦନ’ (୧୯୭୧) ଇତ୍ୟାଦି ଛୋଟ ବଡ଼ କେତେଗୁଡିଏ ଜୀବନୀ ରଚିତ ହୋଇଥି‌ଲେ ହେଁ ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ‘ମଧୁସୂଦନ ଦାସ’ ପୁସ୍ତକଟି ଉତ୍କୃଷ୍ଟ ମନେହୁଏ । ପ୍ରମାଣ ସ୍ଵରୂପ, ମଧୁବାବୁଙ୍କ ଜୀବନର ଅନ୍ତିମ ସମୟର ଦୃଷ୍ଟାନ୍ତଟି ଦିଆଯାଇପାରେ । ମହାପ୍ରୟାଣ ସମୟଟି ସାଧାରଣତଃ ଆବେଗମୟ ଓ ସମ୍ବେଦନଶୀଳ ହୋଇଥାଏ । ଦେଶପ୍ରାଣ ମଧୁସୂଦନର ବର୍ଣ୍ଣନା ବସ୍ତୁନିଷ୍ଠ ଓ ସାମ୍ବାଦିକ ଶୈଳୀସମ୍ପନ୍ନ । * କିନ୍ତୁ ସୁରେନ୍ଦ୍ର ମହାନ୍ତିଙ୍କ ବର୍ଣ୍ଣନା ହେଉଛି ଏହିପରି - ‘‘ଉତ୍ତର ଦିଗରୁ ଯେଉଁ ସୁ ସୁ ହେମାଳ ପବନ ବହୁଥି‌ଲା ସତେ ଯେପରି କି ସେଥିରେ ଥିଲା ଆସନ ଦୁର୍ଯୋଗର ଅଶୁଭ ସଙ୍କେତ-। × × × ଓଡ଼ିଶାର କୁଳଶ୍ରେଷ୍ଠ କୁଳବୃଦ୍ଧ ମଧୁସୂଦନଙ୍କ ଆସନ ମୃତ୍ୟୁ ସମ୍ବାଦରେ ସାରା ଓଡ଼ିଶାରେ ଯୁଗପତ୍‌ ଗୋଟାଏ ଉଦ୍‌ବେଗ ଓ ନିରାନନ୍ଦର ସ୍ରୋତ ଖେଳିଗଲା । ବ୍ରିଟିଶ୍‌ ପଦାନତ ଓଡ଼ିଶାର କୁଜ୍‌ଝଟୀକାମୟ ଅନ୍ଧକାର ମଧ୍ୟରେ ଗୋଟାଏ ପ୍ରକାଣ୍ଡ ବରଗଛ ପରି ଠିଆ ରହିଥି‌ଲେ ମଧୁସୂଦନ । ସବୁ ଝଡ଼, ସବୁ ବତାସ ସେହି ବରଗଛ ପାଖରେ ହାର ମାନୁଥିଲା ସିନା, ଗଛଟାକୁ କିନ୍ତୁ ନୁଆଇଁ ପାରୁନଥିଲା । ଓଡ଼ିଶା ମୁଲକର ସେହି ପ୍ରକାଣ୍ଡ ବରଗଛଟା ବର୍ତ୍ତମାନ ଟଳି ପଡ଼ିବା ଉପରକୁ ଆସି ଯାଇଥି‌ବା ସମ୍ବାଦରେ ସାରା ଓଡ଼ିଶାର ପୁରପଲ୍ଲୀରେ ଗୋଟାଏ ଆତଙ୍କ ଖେଳିଗଲା-। **

 

* ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ - ଦେଶପ୍ରାଣ ମଧୁସୂଦନ - ୧୯୭୧ - ପୃ - ୪୬୮-୪୭୦ ।

** ସୁରେନ୍ଦ୍ର ମହାନ୍ତି - ମଧୁସୂଦନ ଦାସ-ଅନୁବାଦ - କ୍ଷୀରୋଦଚନ୍ଦ୍ର ମହାନ୍ତି - ନ୍ୟାସନାଲ ବୁକ୍‌ ଟ୍ରଷ୍ଟ - ୧୯୭୨-ପୃ, ୧୭୩ ।

 

କେନ୍ଦ୍ର ସାହିତ୍ୟ ଏକାଡେମୀ ଛାପିଥି‌ବା ‘ଦୀନକୃଷ୍ଣ ଦାସ’ (୧୯୮୫) ମଧ୍ୟ ତାଙ୍କର ଏକ ଉଲ୍ଲେଖଯୋଗ୍ୟ ଜୀବନୀ ପୁସ୍ତକ । ଦୀନକୃଷ୍ଣ ଜଣେ କି ଦୁଇଜଣ ଏ ବିଷୟରେ ବାରମ୍ବାର ସମାଲୋଚକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଥି‌ଲେ ହେଁ ଲେଖକ ଏ ପୁସ୍ତକରେ ଯୁକ୍ତି ସମର୍ଥିତ ଦିଗ୍‌ଦର୍ଶନ ଦେଇଛନ୍ତି । ‘ରସବିନୋଦ’କାର ଦୀନକୃଷ ଦାସ ଓ ‘ରସକଲ୍ଲୋଳ’ର ରଚୟିତା ଦୀନକୃଷ ଦାସ ଯେ ପୃଥକ୍‌ ବ୍ୟକ୍ତି, ଏହା ସେ ବିଭିନ୍ନ ଦିଗରୁ ଆଲୋଚନା କରି ଦର୍ଶାଇଛନ୍ତି । ବିଶିଷ୍ଟ ସମାଲୋଚକମାନଙ୍କ ମତ ବିଶ୍ଳେଷଣ କରିବା ସହିତ ଇତିହାସର ଅନୁଶୀଳନ କରି ଉଭୟ ପୃଥକ୍‌ ସମୟର ବ୍ୟକ୍ତି ବୋଲି ପ୍ରତିପାଦନ କରିଛନ୍ତି । * * * ପୁନଶ୍ଚ ତାଙ୍କର ଏହି ଯୁକ୍ତିକୁ ପ୍ରମାଣସିଦ୍ଧ କରିବାର ଯତ୍ନ କରିଛନ୍ତି ଉଭୟଙ୍କ ସାହିତ୍ୟକୃତିର ଆଲୋଚନା ମାଧ୍ୟମରେ । ଲେଖକଙ୍କର ଯୁକ୍ତି ହେଉଛି ‘ରସବିନୋଦ’ର ଲେଖା ଅପେକ୍ଷାକୃତ ନିକୃଷ୍ଟ ଓ ପଦ୍ୟଧର୍ମୀ । ‘ରସକଲ୍ଲୋଳ’ର ସ୍ଵତଃସ୍ପୂର୍ତ୍ତତା ଓ କାବ୍ୟକତା ‘ରସବିନୋଦ’ ରେ ନାହିଁ ।****

 

*** But a critical analysis of the poetic motif, themes and style of the two poets, establishes beyond doubt that the two Dinakrushnas were two different persons. Surendra Mohanty - Dinakrushna Das, Sahitya Akademi - New Delhi - Introduction - P. 9.

 

**** Any superficial reader may notice that the ‘Rasa Vindoa’ is a work of very inferior merit and the author of the Raskallola can not be connected in any way with Rasa Vinoda. On the other hand, Rasakallola is a spontaneous flow of poetry. Surendra Mohanty - Dinakrushna Das - 1985, Sahitya Akademi - New Delhi - Introduction - P. 9.

 

‘ଆମ୍ବେଦକର’ (୧୯୯୦) ଗୋଟିଏ କ୍ଷୁଦ୍ର ପୁସ୍ତିକା ହେଲେ ମଧ୍ୟ ସେଥି‌ରେ ଲେଖକଙ୍କର ମୌଳିକତା ଦୃଷ୍ଟିଗୋଚର ହୁଏ । ଆମ୍ବେଦକର, ଅସ୍ପଶ୍ୟ ଓ ଦଳିତମାନଙ୍କର ସ୍ଵାର୍ଥରକ୍ଷା ପାଇଁ ‘ଇଣ୍ଡିପେଣ୍ଡେଟ୍‌ ଲେବର ପାର୍ଟି’ ଗଠନ କରିବା, ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ଦାବିରେ ଅଟଳ ରହିବା ଏବଂ ସେମାନଙ୍କ ଦାବି ଉପସ୍ଥାପନ କରିବା ପାଇଁ ‘ବହିଷ୍କୃତ ଭାରତ’ ସମ୍ବାଦପତ୍ର ପ୍ରକାଶ କରିବା, ଇତ୍ୟାଦି ଉଲ୍ଲେଖଯୋଗ୍ୟ ଘଟଣାବଳୀ ପାଠକ ତଥା ସାଧାରଣ ଜନତାଙ୍କୁ ଉଦ୍‌ବୁଦ୍ଧ କରେ । ତାହା ଲେଖକ ଶ୍ରୀଯୁକ୍ତ ମହାନ୍ତି କ୍ଷୁଦ୍ର ପରିସର ମଧ୍ୟରେ ସଂଗତି ରକ୍ଷାକରି ଉପସ୍ଥାପନ କରିଛନ୍ତି । ଆମ୍ବେଦକରଙ୍କ ବାପା, ମା ଆର୍ଥିକ ସମ୍ବଳ ଅଭାବରୁ ବମ୍ବେର ଗୋଟିଏ ବଖରା ଘରେ ଚଉଦଟି ପିଲା ଓ ଗୋଟିଏ ଛେଳିକୁ ନେଇ ଦିନ କଟାଉଥି‌ଲେ । ଏଇ ପରିବେଶ ମଧ୍ୟରେ ବଢ଼ି ଓ ଅସ୍କୃଶ୍ୟ ଭାବରେ ସମାଜରେ ଘୃଣିତ ହୋଇ ମଧ୍ୟ ପରିଶେଷରେ ସେ କେଉଁ ସ୍ତରକୁ ନିଜକୁ ଉନ୍ନତି କରି ପାରିଥି‌ଲେ ତାହା ହିଁ ଲେଖକ ଦର୍ଶାଇଛନ୍ତି ।

 

ବହିର୍ଜୀବନର ବହୁତଥ୍ୟ ସଂଗ୍ରହ କରି ଚରିତ ଗ୍ରନ୍ଥରେ ସ୍ଥାନିତ କରିବାରେ ପାରଦର୍ଶିତା ଅର୍ଜନ କରିବା ସହିତ ଚରିତ ନାୟକଙ୍କ ବର୍ଦ୍ଧିଷ୍ଣୁ ବ୍ୟକ୍ତିତ୍ୱକୁ ଉପଲବ୍ଧି କରି ଅନ୍ତର୍ଦୃଷ୍ଟି ସମ୍ପନ୍ନ ଅନୁଶୀଳନ କରିବା ହେଉଛି ଚରିତକାର ସୁରେନ୍ଦ୍ର ମହାନ୍ତିଙ୍କ ବିଶେଷତ୍ଵ । ଚରିତ ଗ୍ରନ୍ଥରେ ସ୍ଥାନ ପାଉଥି‌ବା ପ୍ରମାଣସିଦ୍ଧ ତଥ୍ୟ ସବୁ ଇତିହାସ ଓ ରାଜନୀତିକ ଡକୁମେଣ୍ଟରୁ ମିଳିପାରିବ । ତେଣୁ ଚରିତ ଗ୍ରନ୍ଥ ପାଇଁ କେବଳ ଜ୍ଞାନସତ୍ୟ ବଡ଼ କଥା ନୁହେଁ । ଗ୍ରନ୍ଥର ନାନ୍ଦନିକତା ଲେଖକଙ୍କ କଳା କୌଶଳ ଉପରେ ନିର୍ଭର କରେ । ସୁରେନ୍ଦ୍ର ମହାନ୍ତିଙ୍କ ଜୀବନର ରାଜନୈତିକ ଉତ୍ତେଜନା ଓ ସାମ୍ବାଦିକତାର ଅଭିଜ୍ଞତା ତାଙ୍କ ସାହିତ୍ୟରେ ଆଣି ଦେଇଛି ପ୍ରଶାନ୍ତି । ଆବେଗମୟ ଅନୁଭୂତିରଞ୍ଜତ ଘଟଣା ନିର୍ବାଚନ, ବ୍ୟକ୍ତିନିଷ୍ଠ ଶୈଳୀ, ସଂଳାପଧର୍ମୀ ଭାଷା, କବିସୁଲଭ ଅନ୍ତର୍ଦୃଷ୍ଟି ଓ ସ୍ୱତସ୍ଫୂର୍ତ୍ତାତା ତାଙ୍କ ଚରିତ କୃତିର ମୌଳିକତା ।

 

(ତା ୨୧.୬, ୯୬ରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ‘ସୁରେନ୍ଦ୍ର ମହାନ୍ତି ହୀରକ ଜୟନ୍ତୀ’ ଉତ୍ସବରେ ଉପସ୍ଥାପିତ ପ୍ରବନ୍ଧ ।)

 

***

 

ଓଡ଼ିଶାରେ ଶୂନ୍ୟ-ସାଧନାର ପରମ୍ପରା

ଡକ୍ଟର ରାଘବାନନ୍ଦ ନାୟକ

 

ବୌଦ୍ଧଧର୍ମରେ ଶୂନ୍ୟବାଦ ଏକ ବିଶିଷ୍ଟ ଦିଗ । ଶୂନ୍ୟକଳ୍ପରୁ ଜଗତର ଉତ୍ପତ୍ତି ବୋଲି ସେମାନେ ମନେ କରନ୍ତି । ଶୂନ୍ୟ ସାଧନା ଓ ନିର୍ବାଣ ଯୋଗ ଏ ଦେଶର ବହୁ ପ୍ରାଚୀନ ଓ ଆଦିମ ପରଂପରା । ଏହା କାୟା ସାଧନାର ଅନ୍ତର୍ଗତ । ବହୁ କାଳରୁ ଏହା ଗୋଟିଏ ଦିଗରେ ସଂଯମ ଓ ଅନ୍ୟ ଦିଗରେ ଯୋଗର ଧାରା ଧରି ଦୁଇପ୍ରକାର ବିକାଶ ଲାଭ କରିଥିଲା ବୋଲି ପଣ୍ଡିତ ନୀଳକଣ୍ଠ ମତ ଦିଅନ୍ତି । ଆର୍ଯମାନଙ୍କର ହଠଯୋଗ ଓ ରାଜଯୋଗ ମଧ୍ୟ ଏହିଥି‌ରୁ ଗୃହୀତ ହୋଇଥିବା ଅନୁମାନ କରାଯାଏ । ବିଶ୍ଵର ପ୍ରକାଣ୍ଡ ଶକ୍ତି ଏହି ଶୂନ୍ୟତତ୍ତ୍ଵ ସଂଘର୍ଷରୁ ଆସିଥିବାରୁ ଆତ୍ମା ଓ ପରମାତ୍ମାତତ୍ତ୍ୱ ମଧ୍ୟ ଏଥିରୁ ଆସିଛି ବୋଲି ସେ କହନ୍ତି ।

 

ନାଗାର୍ଜୁନ ଯେଉଁ ଶୂନ୍ୟବାଦର ପ୍ରବର୍ତ୍ତନ କରିଥି‌ଲେ ତାହା ବୌଦ୍ଧ ମହାଯାନର ଅନ୍ତର୍ଗତ ‘ମାଧ୍ୟମିକ ଦର୍ଶନ’ ବୋଲି ବିଖ୍ୟାତ । ବ୍ରହ୍ମ ସଂପର୍କରେ ବେଦାନ୍ତ ଦର୍ଶନର ଯେଉଁ ପରିକଳ୍ପନା ଶୂନ୍ୟତା ସଂପର୍କରେ ମଧ୍ୟ ସେହି ପରିକଳ୍ପନା ସ୍ଥାନ ପାଇଥିଲା । ଏହା ଏକ ଅଦ୍ୱୈତ, ଅନିର୍ବଚନୀୟ ଅବାଙ୍‌ମାନସ-ଗୋଚର ପରମତତ୍ତ୍ୱ । ବେଦାନ୍ତର ବ୍ରହ୍ମ, ସଂଖ୍ୟର ପୁରୁଷ, ଯୋଗର ଈଶ୍ଵର, ନାଥ ଧର୍ମର ନାଥସ୍ୱରୂପ ସହ ବୈଦ୍ଧ ମାଧ୍ୟମିକ ଶୂନ୍ୟ ତତ୍ତ୍ୱର ଐକ୍ୟ ଲକ୍ଷ୍ୟ କରାଯାଇପାରେ । ଅଶ୍ଵଘୋଷ ସୌନ୍ଦରାନନ୍ଦରେ ନିର୍ବାଣକୁ ନିର୍ବାପିତ ଦୀପ ଶିଖା ସହ ତୁଳନା କରିଛନ୍ତି । ଏହା ହୀନଯାନୀମାନଙ୍କର ନିର୍ବାଣ ସଂପର୍କରେ ଶେଷ କଥା ।

 

ତୈଳ ସରିଗଲେ ଯେପରି ଦୀପ ଲିଭିଯାଏ, ଯନ୍ତ୍ରଣା ଓ କ୍ଲେଶର ଅବସାନ ପରେ ବ୍ୟକ୍ତି ମଧ୍ୟ ସେହିପରି ବିଲୟ ଲାଭ କରେ । ସାରାଜୀବନ ନୈତିକ କୁଚ୍ଛସାଧନା ପରେ ନିର୍ବାଣ ଭଳି ଈପ୍‌ସିତ ଲକ୍ଷ୍ୟର ପରିଣାମ କ’ଣ, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାର୍ଶନିକ ଆଦର୍ଶର ସ୍ଵରୂପ ବିଷୟରେ ବୁଦ୍ଧଙ୍କର ସଂପୂର୍ଣ୍ଣ ନୀରବତା ସାଧକମାନଙ୍କୁ ସନ୍ତୁଷ୍ଟ କରି ପାରିନଥିଲା । ବୁଦ୍ଧଦେବ ‘ନିର୍ବାଣ’ ପ୍ରାପ୍ତି ଜୀବର ଶେଷ ଅବସ୍ଥା ବୋଲି କହିଥି‌ଲେ ମଧ୍ୟ ଏହାର ପ୍ରକୃତ ସ୍ଵରୂପ ବ୍ୟାଖ୍ୟା କରି ନଥି‌ଲେ । ଏପରିକି ସେ ଈଶ୍ଵର ଓ ଆତ୍ମାର ଅସ୍ତିତ୍ୱ ସଂପର୍କରେ ଅସ୍ତି ନାସ୍ତି କୌଣସି ମନ୍ତବ୍ୟ ଦେଇ ନଥି‌ଲେ । ସେମାନେ ଶେଷରେ ଏହି ନିର୍ବାଣ ଶୂନ୍ୟଛଡ଼ା ଅନ୍ୟକିଛି ନୁହେଁ ବୋଲି ସ୍ଥିର କଲେ ।

 

ମାଧ୍ୟମିକ ଦର୍ଶନର ଆଚାର୍ଯ୍ୟ ନାଗାର୍ଜୁନ ପରବର୍ତ୍ତୀ କାଳରେ ନିର୍ବାଣ ପରବର୍ତ୍ତୀ ଚିତ୍ତ ଅବସ୍ଥାକୁ ‘ଶୂନ୍ୟ’ ଆଖ୍ୟା ଦେଲେ । ସେ ବୌଦ୍ଧ ମହାଯାନ ମତବାଦକୁ ଦାର୍ଶନିକ ଭିତ୍ତି ଦେଲେ । ଶୂନ୍ୟବାଦୀ ମାଧ୍ୟମିକ ଦର୍ଶନର ପ୍ରବର୍ତ୍ତକ ନାଗାର୍ଜୁନ ଦକ୍ଷିଣ କୋଶଳର ଦେବଳୀର ଅଧିବାସୀ ଥିଲେ । ଏହି ଦେବଳୀକୁ ବିଦର୍ଭ କୁହାଯାଇପାରେ ବୋଲି ଡଃ ନବୀନ କୁମାର ସାହୁ ମତ ଦିଅନ୍ତି । ଏହି ମହାନ୍ ଆଚାର୍ଯ୍ୟଙ୍କ ମତବାଦ ଦ୍ୱାରା ଆକୃଷ୍ଣ ହୋଇ ଓଡ଼ିଶାର ରାଜା ଏକ ସହସ୍ର ପ୍ରଜାଗଣଙ୍କ ସହ ବୌଦ୍ଧଧର୍ମ ଗ୍ରହଣ କରିଥି‌ଲେ । ଏହି ରାଜାଙ୍କ ନାମ ଥିଲା ମୁଞ୍ଜ । ନାଗାର୍ଜୁନ ଆଧୁନିକ ସମ୍ବଲପୁର, ବଲାଙ୍ଗିର ଓ କଳାହାଣ୍ଡିର ସୀମାରେଖାରେ ପରିମଳ ଗିରି ବା ହରିଶଙ୍କର ନୃସିଂହନାଥ ପର୍ବତମାଳାରେ ଏବଂ ତାଙ୍କ ଶିଷ୍ୟ ଆର୍ଯ୍ୟ ଦେବ କଳିଙ୍ଗ ରାଜଧାନୀ ସିଂହପୁରଠାରେ ଅବସ୍ଥାନ କରି ବୌଦ୍ଧଧର୍ମର ପ୍ରଚାର କରିଥିଲେ ।

 

ମାଧ୍ୟମିକ ଦର୍ଶନ ଅନୁସାରେ ସଂସାର ଅସତ୍ୟ, ନିର୍ବାଣ ମଧ୍ୟ ଅସତ୍ୟ । ଶୂନ୍ୟତା ହିଁ କେବଳ ସତ୍ୟବସ୍ତୁ । ଏହାକୁ କ୍ଷଣିକ ସତ୍‌ବାଦ ବା ଶୂନ୍ୟବାଦ କୁହାଯାଏ । ଏହି ମାଧ୍ୟମିକ ଦର୍ଶନର ପ୍ରଚାର ସ୍ଥାନ ଥିଲା ପରିମଳ ଗିରି । ଆଚାର୍ଯ୍ୟ ନାଗାର୍ଜୁନ ଓ ତାଙ୍କର ଶିଷ୍ୟ ଆର୍ଯ୍ୟଦେବ ଏହା ପ୍ରଚାର କରିଥିଲେ । ସୁରଭିଗିରି ବା ଆଧୁନିକି ଧଉଳି ପାହାଡ଼ରେ ଆଚାର୍ଯ୍ୟ ସର୍ବଗ୍ରାମୀ, ସୁଧାନ, ଅଚଳାସ୍ଥିରା, ଭୀମଟ ଓ ଭଙ୍ଗ ୟୋୟାମକ ମଧ୍ୟ ଏହି ଶୂନ୍ୟବାଦର ପ୍ରଚାର କରିଥଲେ । ନାଗାର୍ଜୁନଙ୍କ ରଚିତ ପ୍ରଜ୍ଞାପାରମିତା, ପ୍ରଜ୍ଞାପ୍ରଦୀପ, ଶାସ୍ତ୍ରକାରିକା, ସଜ୍ଞାମୂଳ ଶାସ୍ତ୍ରଟୀକା, ମୂଳ ମାଧ୍ୟମିକ ଶାସ୍ତ୍ର ପ୍ରଜ୍ଞାପ୍ରଦୀପ ଶାସ୍ତ୍ରର କାରିକା, ମଧ୍ୟାନ୍ତାନୂଗମ ଶାସ୍ତ୍ର ଦଶଭୂମି, ଦ୍ୱିଭାଷା, ଦ୍ୱାଦଶ ନିକାୟ, ଭପାୟକୌଶଲ୍ୟ ହୃଦୟ, ବିରାହ ବିବର୍ତ୍ତିନୀ କାରିକା ପ୍ରଭୃତି ଓଡ଼ିଶାରେ ପ୍ରଚାରିତ ହୋଇଥିଲା ।

 

ନାଗାର୍ଜୁନଙ୍କ ପରଂପରାକୁ ତାଙ୍କ ଯୋଗ୍ୟଶିଷ୍ୟ ଆର୍ଯ୍ୟଦେବ ସଫଳତା ସହ ରକ୍ଷା କରିଥିଲେ । ଏହି ଆର୍ଯ୍ୟଦେବ କଳିଙ୍ଗ ସିଂହପୁରରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥି‌ଲେ । ସେ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତକରେ ସମ୍ଭବତଃ ତାଙ୍କର ଦାର୍ଶନିକ ଚିନ୍ତାଧାରା ଦ୍ୱାରା ସୁପ୍ରତିଷ୍ଠିତ ହୋଇଥିଲେ । ଏହାହିଁ ଥିଲା ମାଧ୍ୟମିକ ବୌଦ୍ଧ ଦର୍ଶନ । ମୂଳତଃ ଏହି ଶୂନ୍ୟତତ୍ତ୍ୱ ଯଥାର୍ଥରେ ପରମ ତତ୍ତ୍ଵ ଭାବରେ ସଂପ୍ରଦାୟର ବୈଶିଷ୍ଟ୍ୟ ଭାବରେ ପ୍ରଚାର କରିଥିଲେ ।

 

ତଥାପି ଏହି ବୌଦ୍ଧ ମାଧ୍ୟମିକ ସଂପ୍ରଦାୟର ଉଦ୍‌ଭାବନ ମଧ୍ୟ ନୁହେଁ ପରତତ୍ତ୍ଵର ପ୍ରତିଶବ୍ଦ ଭାବରେ । ‘ଆକାଶ’ ଓ ‘ଶୂନ୍ୟ’ ପ୍ରଭୃତି ଶବ୍ଦ ଦ୍ୱାରା ଏହା ପୂର୍ବରୁ ବେଦ ଓ ଉପନିଷଦରେ ପ୍ରୟୋଗ ହୋଇଥିବା ଲକ୍ଷ୍ୟ କରାଯାଇପାରେ । ଅଥର୍ବବେଦୀୟ ମାଣ୍ଡୁକ୍ୟ ଉପନିଷଦରେ ପରତତ୍ତ୍ୱ ତୈଜସ ନୁହଁନ୍ତି, ବିଶ୍ଵ ନୁହଁନ୍ତି, ସ୍ଵପ୍ନ ବା ଜାଗରଣର ମଧ୍ୟବର୍ତ୍ତୀ ନୁହଁନ୍ତି, ପ୍ରାଜ୍ଞ୍ୟ ନୁହଁନ୍ତି, ଜ୍ଞାତି ନୁହଁନ୍ତି, ଜଡ଼୍‌ ନୁହଁନ୍ତି, ଦୃଶ୍ୟ ନୁହଁନ୍ତି, ବ୍ୟବହାର୍ଯ୍ୟ ନୁହଁନ୍ତି, ଗ୍ରାହ୍ୟ ନୁହଁନ୍ତି, ଅନୁମେୟ ନୁହଁନ୍ତି, ଚିନ୍ତ୍ୟ ନୁହଁନ୍ତି, ନିର୍ଦ୍ଦେଶ୍ୟ ନୁହଁନ୍ତି । ସେହି ତତ୍ତ୍ୱ କେବଳ ଆତ୍ମା ଓ ପ୍ରପଞ୍ଚର ବିରାମସ୍ଥଳ ଶାନ୍ତ, ଶିବ, ଅଦ୍ୱିତୀୟ ଓ ତୁରୀୟ । ଏହି ପରତତ୍ତ୍ୱକୁ ଆତ୍ମା ଓ ବିଜ୍ଞେୟ ବୋଲି କୁହାଯାଇପାରେ । ମାଧ୍ୟମିକ ସଂପ୍ରଦାୟର ଶୂନ୍ୟବାଦ ଏହି ଉପନିଷଦ ବାକ୍ୟର ପ୍ରତିଧ୍ୱନି ମାତ୍ର ।

 

ମାଧ୍ୟମିକ କାରିକାରେ ନାଗାର୍ଜୁନଙ୍କର ଶୂନ୍ୟସତ୍ତା ସଂପର୍କରେ କୁହାଯାଇଛି ଯେ ଏହି ଶୂନ୍ୟତତ୍ତ୍ୱ ଅପର ପ୍ରତ୍ୟୟ ଅର୍ଥାତ୍‌ ଏ ସଂପର୍କରେ କେହି କାହାକୁ ଉପଦେଶ ଦେବାକୁ ସମର୍ଥ ହୋଇପାରେ ନାହିଁ । ଏହା ଶାନ୍ତ ଅର୍ଥାତ୍‌ ସ୍ଵଭାବ-ରହିତ । ଏହା ଅଶବ୍ଦ ତେଣୁ ପ୍ରପଞ୍ଚ ଦ୍ୱାରା ଅଭିବ୍ୟକ୍ତ ହୋଇପାରେ ନାହିଁ । ଏହା ନିର୍ବିକଳ୍ପ ତତ୍ତ୍ୱ-ବିକଳ୍ପ ବା ଚିତ୍ତର ବ୍ୟାପାର ଅନ୍ତର୍ଗତ ନୁହେଁ । ସେଥି‌ପାଇଁ ଏହି ତତ୍ତ୍ୱ ଅଜ୍ଞେୟ । ମାଧ୍ୟମିକ ବିଚାର ଅନୁସାରେ ଏହା ଅସ୍ତି ନୁହେଁ କି ନାସ୍ତି ନୁହେଁ, ଏହା ପୁଣି ଉଭୟର ସମବାୟ ନୁହେଁ କି ଏହା ନାସ୍ତ୍ୟର୍ଥବାଚକ ରୂପ ମଧ୍ୟ ନୁହେଁ । ଏହି ଶୂନ୍ୟତତ୍ତ୍ଵ ଚତୁଷ୍ଲୋଟି ଦିନିର୍ମୁକ୍ତ ବୋଲି କୁହାଯାଏ ।

 

କୌଣସି ପଦାର୍ଥର ସ୍ଵରୂପ ଚାରିଗୋଟି କୋଟି ଦ୍ୱାରା ଅର୍ଥାତ୍‌ ଅଛି ଓ ନାହିଁ, ଅଛି ବି ନୁହେଁ ଏବଂ ନାହିଁ ବି ନୁହେଁ - ଏହି ଦୃଷ୍ଟିରୁ ନିରୂପଣ କରାଯାଇପାରେ । ମାତ୍ର ନାଗାର୍ଜୁନଙ୍କ ମତରେ ଅସ୍ତି ଓ ନାସ୍ତିର ମଧ୍ୟବିନ୍ଦୁ ହିଁ ଶୂନ୍ୟତତ୍ତ୍ୱ । ଏହା ପୁଣି ଅବାଙ୍‌ମାନସ ଗୋଚର ଓ ଅନିର୍ବଚନୀୟ । ବୌଦ୍ଧ ମାଧ୍ୟମିକ ସଂପ୍ରଦାୟର ଶୂନ୍ୟତତ୍ତ୍ଵ ବା ପରତତ୍ତ୍ୱ ଜୈନଧର୍ମ, ନାଥଧର୍ମ ଓ ପରବର୍ତ୍ତୀ ବୈଷ୍ଣବଧର୍ମତତ୍ତ୍ୱକୁ ମଧ୍ୟ ପ୍ରଭାବିତ କରିଥି‌ଲା । ମାତ୍ର ପରବର୍ତ୍ତୀ ବୌଦ୍ଧ ସଂପ୍ରଦାୟଗଣ ଶେଷରେ ଶୁନ୍ୟବାଦୀ ନାସ୍ତିକ ହୋଇପଡ଼ିଲେ । ନାଗାର୍ଜୁନଙ୍କ ଏହି ଶୂନ୍ୟ କାହାରିକି ସନ୍ତୁଷ୍ଟ କରିପାରି ନଥିଲା-। କୌଣସି ବୁଦ୍ଧିମାନ ବ୍ୟକ୍ତି ବା ମୂର୍ଖ ଜନସାଧାରଣ ଏହି ଅତି ମାନସିକ ଅବସ୍ଥାରେ ତୃପ୍ତ ହୋଇ ପାରି ନ ଥିଲେ । ବରଂ ବୁଦ୍ଧଦେବଙ୍କର ଗମ୍ଭୀର ନୀରବତାଠାରୁ ଏହା ଥିଲା ଆହୁରି ଦୁଃଖଦ ।

 

ଶୂନ୍ୟତତ୍ତ୍ଵରୁ ମାଧ୍ୟମିକ ସଂପ୍ରଦାୟ ପରବର୍ତ୍ତୀ କାଳରେ ବିଂଶତି ପ୍ରକାର ଶୂନ୍ୟତା ପ୍ରତିପାଦନ କଲେ । ତେଣୁ ପଣ୍ଡିତ ବଳଦେବ ଉପାଧ୍ୟାୟ କହନ୍ତି ଯେ ମାଧ୍ୟମିକ ଶୂନ୍ୟବାଦୀମାନେ ପ୍ରମାଣ ଧ୍ୱଂସକରି ଶେଷରେ ସର୍ବଧ୍ୱଂସକ ନାସ୍ତିକବାଦୀରେ ପରିଣତ ହେଲେ । ମାଧ୍ୟମିକ ଶୂନ୍ୟବାଦ ସହ ଅନ୍ୟ ଏକ ଯୋଗାଚାର ଦର୍ଶନ ମଧ୍ୟ ବିକାଶ ଲାଭ କରିଥି‌ଲା । ମହାଯାନ ବୌଦ୍ଧଧର୍ମ କ୍ରମେ ମାଧ୍ୟମିକ ସଂପ୍ରଦାୟରେ ପରିଣତ ହୋଇଥିଲା । ଏହାକୁ ଯୋଗାଚାର ବା ବିଜ୍ଞାନବାଦ ମଧ୍ୟ କୁହାଗଲା । ଯୋଗାଚାର ଶୂନ୍ୟତାର ଭିନ୍ନ ବିଚାର କରିଥିଲା । ଏହା ନିର୍ଗୁଣ ଶୂନ୍ୟତାକୁ ସଗୁଣ ଶୂନ୍ୟରୂପ ଦେଇ ଏହାକୁ ବିଜ୍ଞାନମୟ ବୋଲି ସ୍ମରଣ କରିଥିଲା । ଏହି ଦର୍ଶନ ଦ୍ୱାରା ଲୋକେ କିଞ୍ଚିତ୍‌ ଆଶ୍ଵାସନା ପାଇଲେ । ଏହି ଦର୍ଶନ ଅନୁସାରେ ନିର୍ବାଣଲାଭ କଲେ ବ୍ୟକ୍ତି ସଂପୂର୍ଣ୍ଣ ବିଲୟ ପ୍ରାପ୍ତି ହୁଏ ନାହିଁ, କି ଦୀପଶିଖା ଭଳି ନିର୍ବାପିତ ହୁଏ ନାହିଁ ଅଥବା ଅଚିନ୍ତ୍ୟ ଅବସ୍ଥା ପ୍ରାପ୍ତି ହୁଏ ନାହିଁ । ବିଶ୍ଵାସ କରାଯାଏ ମୈତ୍ରେୟ ଥି‌ଲେ ଏହି ଯୋଗାଚାର ଦର୍ଶନର ପ୍ରତିଷ୍ଠାତା । କିଛି କାଳ ଧରି ଏହି ଦର୍ଶନ ଲୋକଙ୍କୁ ସନ୍ତୁଷ୍ଟ କରି ରଖିଥିଲା ।

 

ଖ୍ରୀଷ୍ଟୀୟ ୩ୟ ଶତାବ୍ଦୀରେ ଆଚାର୍ଯ୍ୟ ମୈତ୍ରେୟନାଥ ବିଜ୍ଞାନବାଦ ଦର୍ଶନ ବା ଯୋଗାଚାର ଦର୍ଶନ ପ୍ରବର୍ତ୍ତନ କରିଥି‌ଲେ । ସୁବିଖ୍ୟାତ ଦାର୍ଶନିକ ଅସଙ୍ଗ ଓ ବସୁବନ୍ଧୁ ଚତୁର୍ଥ ଶତାବ୍ଦୀରେ ଯୋଗାଚାର ବୌଦ୍ଧ ଦର୍ଶନର ଅଭିବୃଦ୍ଧି ସାଧନ କରିଥି‌ଲେ । ସୁରଭଗିରିଠାରେ ଆଚାର୍ଯ୍ୟ ସର୍ବଗ୍ରାମୀ ଛାତ୍ରମାନଙ୍କୁ ଯୋଗାଚାର ବିଜ୍ଞାନବାଦ ଦର୍ଶନ ଶିକ୍ଷା ଦେଉଥି‌ଲେ । ଏହି ଦାର୍ଶନିକ ମତବାଦର ମୂଳ ଖ୍ରୀଷ୍ଟୀୟ ପ୍ରଥମ ଶତକର କବି ଅଶ୍ଵଘୋଷଙ୍କ ରଚନା ‘ମହାଯାନ ଶ୍ରଦ୍ଧୋତ୍‌ପାଦ’ରେ ମିଳୁଥି‌ଲେ ମଧ୍ୟ ମୈତ୍ରେୟନାଥଙ୍କ ରଚନାରେ ଏହି ମତବାଦର ପ୍ରତିଷ୍ଠା ହୋଇଥି‌ଲା ।

 

ଯୋଗାଚାର ଦାର୍ଶନିକଗଣଙ୍କ ମତରେ ଅନ୍ତରର ବୁଦ୍ଧିବିଜ୍ଞାନହିଁ ବହିଃଦେଶରେ ଘଟାଦି ବିଷୟାକାରରେ ସ୍ଵପ୍ନଜ୍ଞାନ ପରି ପ୍ରତିଭାତ ହୋଇଥାଏ । ତେଣୁ ବିଜ୍ଞାନ ଅତିରିକ୍ତ କୌଣସି ବାହ୍ୟ ପଦାର୍ଥର ଅସ୍ତିତ୍ୱ ନାହିଁ । ଏହି ମତ ଅନୁସାରେ ନିର୍ବାଣହିଁ ସତ୍ୟ ଓ ସଂସାର ଅସତ୍ୟ, ପ୍ରତିବିମ୍ବ ମାତ୍ର-। ରତ୍ନଗିରିଠାରେ ଏହି ଦର୍ଶନର ପ୍ରଚାରକ ଥିଲେ ଆଚାର୍ଯ୍ୟ ପିତୋପାଦ, ପ୍ରାଜ୍ଞ, ଅବଧୂତୀ, ବୌଧିଶ୍ରୀ, ବାଳାଦିତ୍ୟ, ନରସିଂହ ମୁନି, ନିରୋ ପ୍ରଭୃତି ଦାର୍ଶନିକଗଣ । ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଯୋଗାଚାର କେନ୍ଦ୍ରରୂପେ ରତ୍ନଗିରି ପ୍ରସିଦ୍ଧିଲାଭ କରିଥଲା । ଅଷ୍ଟମ ଓ ନବନ ଶତାବ୍ଦୀରେ ଭୌମ ଶାସନ କାଳରେ ଏହାର ପ୍ରଭୂତ ଉତ୍‌ଥାନ ହୋଇଥିବାର ଜଣାଯାଏ ।

 

ରାଜା ଶୁଭକରଙ୍କ ଲିଖିତ ‘ଗଣ୍ଡବ୍ୟୁହଗ୍ରନ୍ଥ’ ଚୀନ ସମ୍ରାଟ ଟ୍ରିସିଂଙ୍କ ଦରକାରକୁ ପଠାଯାଇଥିଲା । ରତ୍ନଗିରିର ଆଚାର୍ଯ୍ୟ ପିତୋପାଦ ‘କାଳଚକ୍ର ଯାନ’ ନାମକ ବୈଦ୍ଧଧର୍ମର ନୂତନ ଶାଖାର ପ୍ରବର୍ତ୍ତକ ଥିଲେ । ଏଠରେ ଅବଧୂତୀ, ବୋଧି ଶ୍ରୀ, ନରୋ ପ୍ରଭୃତି ପିତୋଙ୍କ ପାଖରେ ଯୋଗାଚାର ଓ ତନ୍ତ୍ରଶାସ୍ତ୍ର ଶିକ୍ଷା କରିଥି‌ଲେ । ନାଗାର୍ଜ୍ଜୁନଙ୍କ ପରେ ମହାଯାନ ସଂପ୍ରଦାୟର ଆଚାର୍ଯ୍ୟତ୍ୱ ଗ୍ରହଣ କରିଥି‌ଲେ ଅସଙ୍ଗ ବସୁବନ୍ଧୁ ଓ ଦିଙ୍‌ନାଗ । ଏହି ଦିଙ୍‌ନାଗାଚାର୍ଯ୍ୟ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ଓଡ଼ିଶାର ତତ୍‌କାଳୀନ ରାଜାଙ୍କ ମନ୍ତ୍ରୀ ଭଦ୍ରପାଳିତଙ୍କ ଗୁରୁ । ସେ ଭୋରଶୈଳଠାରେ ତପସ୍ୟା କରିବାର କଥା ପ୍ରସିଦ୍ଧି ଅଛି । ସମ୍ଭବତଃ ଏହି ଭୋରଶୈଳ ବା ବିଶ୍ଵ ନାଥ ମୁଣ୍ଡିଆ ଦିଙ୍‌ନାଗଙ୍କ ପ୍ରସିଦ୍ଧି ଯୋଗୁଁ ଢେଲାଙ୍ଗରେ ପରିଣତ ହୋଇଛି ।

 

ଗଞ୍ଜାମରେ ଆଚାର୍ଯ୍ୟ ଧର୍ମକୀର୍ତ୍ତି ମଧ୍ୟ ଏହି ମତବାଦର ପ୍ରଚାର କରିଥିଲେ । ଦିଙ୍‌ନାଗାଚାର୍ଯ୍ୟଙ୍କ ‘ପ୍ରମାଣ ସମୁୟୋ’ ଭଳି ତାଙ୍କ ରଚିତ ‘ନାୟବିନ୍ଦୁ’ ଗ୍ରନ୍ଥ ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥି‌ଲା । ତାଳଚେର ବା ଜଗତୀଠାରେ ଶିବଳର ଦେବ ଜୟଶ୍ରୀ ଜଗଦଳଠାରେ ଜୟାଶ୍ରୟ ସ୍ଥାପନ କରିଥି‌ଲେ । ୧୩ଶ ଶତାବ୍ଦୀରେ ତୃତୀୟ ଶିବଙ୍କର ଦେବଙ୍କ ସମୟରେ ନାଳନ୍ଦା, ବିକ୍ରମଶୀଳ ପ୍ରଭୃତି ବୌଦ୍ଧ ବିହାର ମୁସଲମାନ ଆକ୍ରମଣ ଦ୍ୱାରା ବିଧ୍ୱସ୍ତ ହୋଇଯିବାରୁ ବିହାରର କୁଳପତି ଶାକ୍ୟ ଶ୍ରୀଭଦ୍ର ଏହିଠାରେ ରହି ମହାଯାନ ବୌଦ୍ଧଧର୍ମର ପ୍ରଚାର କରିଥିଲେ । ବସୁବନ୍ଧୁଙ୍କ ଶିଷ୍ୟ ଦିଙ୍‌ନାଗ ୪୦୦ ଖ୍ରୀଷ୍ଟାବ୍ଦରେ ବଞ୍ଚିଥି‌ଲେ ।

 

ଦିଙ୍‌ନାଗଙ୍କ ସମସାମୟିକ ବସୁମିତ୍ର ମଧ୍ୟ ବସୁବନ୍ଧୁଙ୍କର ଶିଷ୍ୟ ଥିଲେ । ସେ ଓଡ଼ିଶାରେ ବୌଦ୍ଧଧର୍ମ ଦର୍ଶନର ପ୍ରଚାର କରିଥି‌ଲେ । ଉତ୍କଳର ସମୁଦ୍ରତୀରରେ ବସୁମିତ୍ରଙ୍କ ଶିଷ୍ୟ ତ୍ରିରତ୍ନ ଦାସ ମଧ୍ୟ ଏହି ପରଂପରାକୁ ରକ୍ଷା କରିଥି‌ଲେ । ଦିଙ୍‌ନାଗ ଓ ବସୁମିତ୍ରଙ୍କ ବ୍ୟତୀତ ବସୁବନ୍ଧୁଙ୍କର ଅନ୍ୟତମ ଶିଷ୍ୟ ସ୍ଥିରମତି ଯୋଗାଚାର ଦର୍ଶନ ଓଡ଼ିଶାରେ ପ୍ରଚାର କରିଥି‌ଲେ । ଷଷ୍ଠ ଶତାବ୍ଦୀରେ କାଞ୍ଚିଦେଶରୁ ଦିଙ୍‌ନାଗଙ୍କ ଶିଷ୍ୟ ଧର୍ମପାଳ ଆସି ଆଚାର୍ଯ୍ୟଙ୍କ ନିକଟରେ ଅବସ୍ଥାନ କରିବା ସଙ୍ଗେ ସଙ୍ଗେ ଯୋଗାଚାର ଦର୍ଶନକୁ ଲୋକପ୍ରିୟ କରିବାରେ ସହାୟତା କରିଥିଲେ । ସ୍ଥିରମତିଙ୍କ ଶିଷ୍ୟ ଚନ୍ଦ୍ରଗୋମିନ୍‌ ଓଡ଼ିଶାରେ କିଛିଦିନ ଅବସ୍ଥାନ କରିଥି‌ଲେ । ଆଚାର୍ଯ୍ୟ ଧର୍ମପାଳଙ୍କ ଦୁଇଶିଷ୍ୟ ଚନ୍ଦ୍ରକୀର୍ତ୍ତି ଓ ଶୀଳଭଦ୍ରଙ୍କ ମଧ୍ୟରୁ ଶୀଳଭଦ୍ର ପ୍ରଥମେ ମାଧ୍ୟମିକ ଦର୍ଶନ ଅନୁସରଣ କରିଥିଲେ ମଧ୍ୟ ଯୋଗାଚାର ଦର୍ଶନର ଆଚାର୍ଯ୍ୟଭାବରେ ଖ୍ୟାତି ଲାଭ କରିଥିଲେ । ମାତ୍ର ଚନ୍ଦ୍ରକୀର୍ତ୍ତି ଓଡ଼ିଶାରେ ମାଧ୍ୟମିକ ଶୂନ୍ୟବାଦ ଦର୍ଶନର ପ୍ରଚାର କରିଥିଲେ । ଶୀଳଭଦ୍ର ଥିଲେ ନାଳନ୍ଦାର ଅଧ୍ୟକ୍ଷ ଓ ତାଙ୍କଠାରୁ ହୁଏନ୍‌ସାଙ୍ଗ ୬୩୭ ଖ୍ରୀ:ଅ:ରେ ଯୋଗଶାସ୍ତ୍ର ଶିକ୍ଷା କରିଥିଲେ । ଧର୍ମପାଳଙ୍କର ଶିଷ୍ୟ ଧର୍ମକୀର୍ତ୍ତି ମଧ୍ୟ ଓଡ଼ିଶାରେ ବହୁକାଳ ରହିଥି‌ଲେ ବୋଲି ଜଣାପଡ଼େ । ଧର୍ମପାଳଙ୍କ ଶିଷ୍ୟ ଜୟଦେବଙ୍କ ଅନ୍ୟତମ ଶିଷ୍ୟ ଶାନ୍ତିଦେବ ସପ୍ତମ ଶତାବ୍ଦୀରେ ଯୋଗାଚାର ଓ ମାଧ୍ୟମିକ ଦର୍ଶନର ସମନ୍ୱୟ କରିଥିଲେ ।

 

ବୌଦ୍ଧଧର୍ମର ଶୂନ୍ୟବାଦ ଓ ଯୋଗାଚାର ଦର୍ଶନର ପ୍ରସାରରେ ଓଡ଼ିଶାର ଭୂମିକା ଥିଲା ଅତ୍ୟନ୍ତ ଗୁରୂତ୍ୱପୂର୍ଣ୍ଣ । ଏହି ଦର୍ଶନ ଦୀର୍ଘ ସାତଶହ ବର୍ଷଧରି ପ୍ରଥମ ଶତକ ପର୍ଯ୍ୟନ୍ତ ସମଗ୍ର ଭାରତବର୍ଷରେ, ବିଶେଷତଃ ଓଡ଼ିଶାରେ ଗଭୀର ପ୍ରଭାବ ବିସ୍ତାର କରିଥିଲା । ଡଃ କରୁଣାକରଙ୍କ ମତରେ ଶୂନ୍ୟବାଦ ଓ ଶୂନ୍ୟସାଧନା ଓଡ଼ିଶାରେ ପ୍ରଥମେ ସୃଷ୍ଟି ହୋଇଥଲା, ଏପରିକି ଓଡ଼ିଶାରେ ତାନ୍ତ୍ରିକ ଶୂନ୍ୟସାଧନାର ବିଶ୍ଵବିଦ୍ୟାଳୟ ମଧ୍ୟ ଥିଲା ।

 

ଓଡ଼ିଶାରେ ଶୂନ୍ୟଦର୍ଶନ ଜନଚେତନାରେ ଫଲ୍‌ଗୁ ଭଳି ପ୍ରବାହିତ ହୋଇ ଆସିଥିଲା । ସାରଳା ଦାସଙ୍କ କୃତିରେ ଆମେ ପାଉ ସେହି ଉତ୍ତରାଧିକାରର ବିଶ୍ଵସ୍ତ ପ୍ରମାଣ । ଓଡ଼ିଶାରେ ଯେଉଁ ବୌଦ୍ଧ ଧର୍ମ ପ୍ରଚଳିତ ଥିଲା ତାହା ପ୍ରକୃତରେ ମହାଯାନୀ ବୌଦ୍ଧଧର୍ମ ଓ ତା’ର ବିବର୍ତ୍ତିତ ଧାର୍ମିକ ପରଂପରା ବୋଲି ଜଣାଯାଏ । ଓଡ଼ିଶାର ଧାର୍ମିକ ଚେତନାରେ ତେଣୁ ଶୂନ୍ୟବାଦ ଏକ ସ୍ଵାଭାବିକ ପରଂପରା ଭାବରେ ପ୍ରତିଷ୍ଠା ପାଇଥିଲା ।

 

ଅଷ୍ଟମ ଓ ନବମ ଶତାବ୍ଦୀ ବେଳକୁ ଏହି ମହାଯାନୀ ବୌଦ୍ଧଧର୍ମ ତନ୍ତ୍ର ସହିତ ସଂଯୁକ୍ତ ହୋଇ ପଡ଼ିଥିଲା । କଟକର ଲଳିତଗିରି ଓ ରତ୍ନଗିରିରେ ବୌଦ୍ଧ ବିହାରର ଭଗ୍ନାବଶେଷରୁ ମିଳୁଥି‌ବା ବୌଦ୍ଧତାନ୍ତ୍ରିକ ମୂର୍ତ୍ତିଗୁଡ଼ିକରୁ ଏହା ନିଃସନ୍ଦେହଭାବରେ ପ୍ରମାଣିତ ହୋଇଥାଏ । ତାନ୍ତ୍ରିକ ବୌଦ୍ଧଧର୍ମର ଶୂନ୍ୟତା କରୁଣା ମିଳନ ଉପରେ ସମଗ୍ର ସାଧନା ପ୍ରତିଷ୍ଠିତ । କୁହାଯାଏ ଯେ ବୋଧିସତ୍ୱ ଓ ବୋଧଚିତ୍ତ ଲାଭ କରିବା ପାଇଁ ଏହ ଶୂନ୍ୟ ସାଧନାରେ ସାଧକ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ । ତନ୍ତ୍ରଶାସ୍ତ୍ରରେ ମିଥୁନ ତତ୍ତ୍ଵ ସହ ବୌଦ୍ଧତାନ୍ତ୍ରିକ ଶୂନ୍ୟତା ଓ କରୁଣା ତତ୍ତ୍ଵର ତୁଳନା କରାଯାଇପାରେ । ତାନ୍ତ୍ରିକ ବୌଦ୍ଧ ମହାଯାନ ପରଂପରାରେ ଶୂନ୍ୟତା ଜ୍ଞାନର ସାଧନା ଦ୍ୱାରା ବ୍ୟକ୍ତିଗତ ମୁକ୍ତିଲାଭ କରିବାର ମାର୍ଗ ସୃଷ୍ଟି ହେଲା । ଏହି ଶୂନ୍ୟତାକୁ ପ୍ରଜ୍ଞାରୂପିଣୀ ଭଗବତୀ, ନୈରାତ୍ମା ଦେବୀ ଓ ସର୍ବଶକ୍ତିମୟୀ ମଧ୍ୟ କୁହାଗଲା । ଶୂନ୍ୟତା ହିଁ ପ୍ରଜ୍ଞାରୂପିଣୀ ଭଗବତୀ ଓ ଉପାୟ ହିଁ ଭଗବାନ୍‌ । ବୌଦ୍ଧତନ୍ତ୍ରରେ ଏହି ଭଗବତୀ ନିର୍ବାଣରୂପିଣୀ, ବିନ୍ଦୁରୂପିଣୀ ଓ ସେ ପୁଣି ହେଉଛନ୍ତି ନୈରାତ୍ମା ଦେବୀ, ଚଣ୍ଡାଳୀ, ଡୋମ୍ବୀ, ଶବରୀ, ମାତଙ୍ଗୀ ଓ ନୈରାମଣି ତଥା ସହଜ ସୁନ୍ଦରୀ ।

 

ବୌଦ୍ଧ ତାନ୍ତ୍ରିକମାନେ ‘ଶୂନ୍ୟ’କୁ ବିଶ୍ଵର ସାରସତ୍ତା, ଅସୀମ ସର୍ବବ୍ୟାପୀ, ସର୍ବଶକ୍ତି ସ୍ଵରୂପ, ଅସୀମ ପ୍ରଜ୍ଞାନ, ଅସୀମ ଜ୍ଞାନ, ଅସୀମ ଶବ୍ଦ ଓ ଆଲୋକର ଆଧାର ଭାବରେ ଗ୍ରହଣ କରିଥିଲେ । ବୌଦ୍ଧତାନ୍ତ୍ରିକ ଦର୍ଶନ ଅନୁସାରେ ଶୂନ୍ୟ ହେଉଛି ସର୍ବ କାରଣର କାରଣ । ପ୍ରତ୍ୟେକ ନାମରୂପ ଶୂନ୍ୟରୁ ଉଦ୍‌ଭବ, ଶୂନ୍ୟରେ ବିକାଶ ଓ ଶୂନ୍ୟରେ ବିଲୟ ଭଜେ । ତେଣୁ ସର୍ବ ନାମରୂପର ମୂଳ ହେଉଛି ଶୂନ୍ୟ । ଶୂନ୍ୟ ଦ୍ୱାରା ଶକ୍ତି ସଂଚାର ହୁଏ । ଏହି ଶକ୍ତି ସଂଚାର ଅପହୃତ ହେଲେ ଧ୍ୱଂସ ପ୍ରାପ୍ତ ହୁଏ । ଏହି ଶୂନ୍ୟ ହେଉଛି ପରିବ୍ୟାପ୍ତ ବିଶ୍ଵର ଆଲୋକ ସମୁଦ୍ର । ଏହିଠାରୁ ସର୍ବନାମ ରୂପ ମୂଳ ଓ ଅସ୍ତିତ୍ଵ ପାଇଁ ଶକ୍ତି ଲାଭ କରିଥାନ୍ତି । ତେଣୁ ବୌଦ୍ଧତାନ୍ତ୍ରିକ ସାଧନା ପରଂପରାରେ ଶୂନ୍ୟତତ୍ତ୍ଵ ପରମତତ୍ତ୍ଵ ଭାବରେ ଗୃହୀତ ହୋଇଥିଲା । ନେପାଳରୁ ‘ସ୍ଵୟମ୍ଭୁବ ପୁରାଣ’ ନାମକ ଏକ ବୌଦ୍ଧ ପୁରାଣ ମିଳିଛି । ଉକ୍ତ ଗ୍ରନ୍ଥରେ ବୁଦ୍ଧଦେବକୁ ଶୂନ୍ୟ ଓ ଧର୍ମରୂପରେ ନମସ୍କାର କରିବାର ଦେଖାଯାଏ ।

 

ମହାଯାନର ସେହି ଶୂନ୍ୟବାଦ ଭିନ୍ନ ଭିନ୍ନ ସ୍ତରଦେଇ କାଳ କାଳାନ୍ତରରେ ଭିନ୍ନ ଭିନ୍ନ ରୂପ ଧାରଣ କରିଥିଲା । ତାନ୍ତ୍ରିକ ବଜ୍ରଯାନ ଓ ସହଜଯାନରେ ଯେଉଁ ଶୂନ୍ୟ କଥା ବର୍ଣ୍ଣିତ ତାହା ଆନନ୍ଦମୟ, ମହାକାଶ ପରି ବ୍ୟାପକ ବୋଲି ପରିକଳ୍ପିତ । ଶୂନ୍ୟବାଦ ସହଜ ସାଧନାରେ ସହଜାନନ୍ଦ ଭାବରେ ରୂପାୟିତ । ଡଃ କରୁଣାକରଙ୍କ ମତରେ - ‘ଶୂନ୍ୟବାଦରେ ଏହି ସହଜାନନ୍ଦ ଦର୍ଶନଶାସ୍ତ୍ରର ଶିରୋରତ୍ନ ଏପର୍ଯ୍ୟନ୍ତ ଦାର୍ଶନିକ ଚିନ୍ତା ଶୂନ୍ୟ ସହଜାନନ୍ଦ ଅପେକ୍ଷା ଆଉ କୌଣସି ଅଧିକତର ଉଚ୍ଚ ଶିଖରକୁ ଆରୋହଣ କରିବାକୁ ସମର୍ଥ ହୋଇନାହିଁ । କେହି କେହି ମନେ କରନ୍ତି ଲୁଇପା, ହାଡ଼ିପା, କାହୁଁପା, ଶବରୀପା, ଚର୍ଯଟୀପା ପ୍ରଭୃତି ପ୍ରଧାନ ଚର୍ଯ୍ୟାପଦକର୍ତ୍ତା ନାଥଯୋଗୀଗଣ ବୌଦ୍ଧ ନୁହନ୍ତି । ସେମାନଙ୍କ ଶୂନ୍ୟ ଅବସ୍ଥା ବା ନିର୍ବାଣ ଅବସ୍ଥା ଯଥାର୍ଥରେ ଅସଂପ୍ରଜ୍ଞାତ ସମାଧି । ଏହି ନିର୍ବାଣ ନାଥ ଧର୍ମର ପରିଭାଷାରେ ଶୂନ୍ୟ ସମାଧି ରୂପରେ ବର୍ଣ୍ଣିତ । ସହଜିୟାମାନଙ୍କର ସହଜାବସ୍ଥା, ନାଥଧର୍ମର ଉନ୍ମନୀ ଅବସ୍ଥା, ପାତଞ୍ଜଳିଙ୍କ ବର୍ଣ୍ଣିତ ଅସଂପ୍ରଜ୍ଞାତ ସମାଧି ସମ ପର୍ଯ୍ୟାୟଭୁକ୍ତ ।

 

ଶ୍ରୀମଦ୍‌ ଭଗବଦ୍‌ଗୀତାରେ ପବନ ନଥିବା ସ୍ଥଳରେ ଦୀପଶିଖା ପରି ଅଚଞ୍ଚଳ ଚିତ୍ତ, ଆତ୍ମା ସହିତ ପରମାତ୍ମାଙ୍କର ମିଳନ ଭାବରେ ଏହା ସୂଚିତ । ‘ହଠଯୋଗ ପ୍ରଦୀପିକା’ରେ ସମାଧିର ସ୍ତରଭେଦ ‘ଶୂନ୍ୟ’ ନାମରେ ଉଲ୍ଲିଖିତ ହେବାର ପ୍ରମାଣ ମିଳେ । ଅବଧୂତ ଗୀତାରେ ମଧ୍ୟ ଯୋଗୀର ଚିତ୍ତ ଏହି ଶୂନ୍ୟ ସମାଧିରେ ରହିଲେ ଆକାଶସ୍ଥିତ ଶୂନ୍ୟକୂମ୍ଭ ଯେପରି ଅନ୍ତଃଶୂନ୍ୟ ବହିଃଶୂନ୍ୟ ଅଥବା ସମୁଦ୍ରରେ ନିମଜ୍ଜିତ କୁମ୍ଭ ଯେପରି ଅନ୍ତଃପୂର୍ଣ୍ଣ ସେହିପରି ହୋଇଥାଏ । ଏହାହିଁ ହେଉଛି ସିଦ୍ଧନାଥ ଯୋଗୀମାନଙ୍କର ଶୂନ୍ୟ ସମାଧିର ଅବସ୍ଥା ।

 

ଶଙ୍କର ପ୍ରଥମେ ବୌଦ୍ଧ ଶୂନ୍ୟତତ୍ତ୍ୱକୁ ନିରସନ କରି ବ୍ରହ୍ମର ପାରମାର୍ଥି‌କ ସତ୍ତାକୁ ପ୍ରତିପାଦନ କରିଥିଲେ । ସେହି ବ୍ରହ୍ମ ଯେ ସତ୍‌, ଚିତ୍‌ ଓ ଆନନ୍ଦମୟ ତାହା ପ୍ରତିଷ୍ଠା କରିଥି‌ଲେ । ନାଥ ଧର୍ମରେ ଏହି ଶୂନ୍ୟବାଦ ଉପନିଷଦ ଦର୍ଶନ ଉପରେ ପ୍ରତିଷ୍ଠିତ । କୃଷ୍ଣ ଯଜୁର୍ବେଦୀୟ ଉପନିଷଦରେ ‘ଆକାଶ’ ବ୍ରହ୍ମରୂପର ଉଲ୍ଲେଖ ଦେଖାଯାଏ । ଏହି ଆକାଶ ତତ୍ତ୍ଵ ଶୂନ୍ୟ ବା ବ୍ୟୋମ ଭାବରେ ନାଥ ଦର୍ଶନରେ ସ୍ଵୀକୃତ । ସିଦ୍ଧ ସିଦ୍ଧାନ୍ତ ପଦ୍ଧତିରେ ଗୋରକ୍ଷନାଥ ଏହାକୁ ଆକାଶ, ପରାକାଶ, ମହାକାଶ, ସୂର୍ଯ୍ୟାକାଶ ଓ ତତ୍ତ୍ୱାକାଶ ଭାବରେ ବର୍ଣ୍ଣନା କରିଛନ୍ତି । ପଣ୍ଡିତ ନୀଳକଣ୍ଠଙ୍କ ମତରେ, ଜଗନ୍ନାଥ ଶୂନ୍ୟବାଦର ପ୍ରତୀକ । ସେଥି‌ପାଇଁ ଜଗନ୍ନାଥଙ୍କୁ ଉତ୍କଳର କବିମାନେ ବୌଦ୍ଧାବତାର ଭାବରେ ଗ୍ରହଣ କରି ଆସିଛନ୍ତି । ଡଃ କରୁଣାକର ମଧ୍ୟ କହନ୍ତି ଯେ - ଭାରତବର୍ଷରେ କୌଣସି ସ୍ଥାନରେ କୌଣସି ଦେବତା ଶୂନ୍ୟର ପ୍ରତୀକ ଭାବରେ ପୂଜିତ ହେବାର ଶୁଣାନାହିଁ, କେବଳ ଶ୍ରୀକ୍ଷେତ୍ରରେ ତାହା ସମ୍ଭବ ହୋଇଛି ।

 

***

 

ଏକାଡେମୀ ସମାଚାର

ବେଳାଧ୍ୱନି ସାରସ୍ଵତ ସମାରୋହ

ସ୍ଵାଧୀନତାର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଓଡ଼ିଆ ଭାଷାସାହିତ୍ୟର ପ୍ରସାର ଓ ବିକାଶ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବେଳାଧ୍ୱନି, ଛତ୍ରପୁରଙ୍କ ମିଳିତ ଆନୁକୂଲ୍ୟରେ ଛତ୍ରପୁରସ୍ଥିତ ପାଠାଗାରରେ ସାରସ୍ୱତ ସମାରୋହ - ୯୭ ତା ୫.୧୦.୯୭ ରିଖରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହକୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ସନ୍ତୋଷ କୁମାର ଶତପଥୀ ମୁଖ୍ୟଅତିଥିଭାବେ ଉଦ୍‌ଘାଟନ କରିଥିଲେ ।

 

ପ୍ରଥମ ଅଧିବେଶନରେ ଅନୁଷ୍ଠିତ ଗଦ୍ୟ ସାହିତ୍ୟର ଆଲୋଚନାରେ ଅଧ୍ୟାପକ ମନୋରଞ୍ଜନ ଦାସ ସଭାପତିତ୍ୱ କରିଥିଲେ । ସମ୍ମାନିତ ବକ୍ତାରୂପେ ପ୍ରଶାନ୍ତ ମହାନ୍ତି ଓ ସମ୍ମାନିତ ଅତିଥି‌ଭାବେ ଅମରେଶ ପ୍ରସାଦ ମିଶ୍ର ଯୋଗଦେଇ ଗଦ୍ୟ ସାହିତ୍ୟର ପଚାଶ ବର୍ଷର ଇତିହାସ ଉପରେ ଆଲୋକପାତ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ ‘ପଚାଶ ବର୍ଷର’ କବିତା ଶୀର୍ଷକ ଆଲୋଚନା ଚକ୍ରରେ ସଚ୍ଚିଦାନନ୍ଦ ମିଶ୍ର ସଭାପତିତ୍ୱ କରି ସାଂପ୍ରତିକ ଓଡ଼ିଆ କବିତା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ।

 

ସମ୍ମାନିତ ଅତିଧି କବି ଡକ୍ଟର ଫନୀ ମହାନ୍ତି ଏଥିରେ ଯୋଗଦେଇ ଓଡ଼ିଆ କବିତାର ବିକାଶ ଓ ପ୍ରସାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ନେଉଥିବା ପଦକ୍ଷେପ ଗୁଡ଼ିକ ସଂପର୍କରେ ସମ୍ୟକ୍‌ ସୂଚନା ପ୍ରଦାନ କରିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ନିମନ୍ତେ ସାହିତ୍ୟ ଏକାଡେମୀ ରାଜ୍ୟରେ ଥିବା ସମସ୍ତ ସାରସ୍ଵତ ଅନୁଷ୍ଠାନ ସହିତ ସୁସଂପର୍କ ରଖିବା ଉଚିତ୍‌ ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି‌ ଡକ୍ଟର ହର ପ୍ରସାଦ ପରିଚ୍ଛା ପଟ୍ଟନାୟକ ସାହିତ୍ୟ ଏକାଡେମୀର ଭୂମିକା ଏବଂ କବିମାନଙ୍କର କାବ୍ୟ ପ୍ରତିଭାର ବିକାଶର ନିମେନ୍ତ ଏକାଡେମୀ ଯେଉଁ ନୂତନ ପଦକ୍ଷେପମାନ ଗ୍ରହଣ କରି ଅଛି ସେ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଓଡ଼ିଆ ସାହିତ୍ୟର ସାମୂହିକ ବିକାଶ ପାଇଁ ସାହତ୍ୟିକମାନଙ୍କ ମଧ୍ୟରେ ସଦ୍‌ଭାବ ନରହିଲେ ଏକା ସାହିତ୍ୟ ଏକାଡେମୀ କ’ଣ କରିବ ବୋଲି ସେ ପ୍ରଶ୍ନ କରିଥିଲେ । କବି ବିପିନ ନାୟକ ମୁଖ୍ୟବକ୍ତାଭାବେ ଯୋଗଦେଇ ସାହିତ୍ୟିକମାନେ ସଚେତନା ମୂଳକ ସାହିତ୍ୟ ସୃଷ୍ଟି କରିବାପାଇଁ ପରାମର୍ଶ ଦେଇଥି‌ଲେ । ବେଳାଧ୍ୱନିର ମୂଖ୍ୟ ସଂପାଦକ ଶ୍ରୀ ସୁଶାନ୍ତ ଦାଶ ଏକାଡେମୀର ସହଯୋଗପାଇଁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଏହି ସମାରୋହର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ-। ବେଳାଧ୍ୱନି ସଂପାଦକ ଶ୍ରୀ ନିରଞ୍ଜନ ତ୍ରିପାଠୀ ବିବରଣୀ ପାଠ କରିଥିଲେ । ଏହି ସମାରୋହରେ ନଅଗୋଟି ପୁସ୍ତକ ଉନ୍ମୋଚିତ ହୋଇଥିଲା । କବିତା ପାଠୋତ୍ସବରେ କବି ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଓ ସ୍ଵାମୀ ଅରୂପା ନନ୍ଦ ଯୋଗଦାନ କରିଥିଲେ ।

 

କବି ବସନ୍ତ ପଟନାୟକ, ସୁଶୀଳା ସାହୁ, ଅଜୟ ତ୍ରିପାଠୀ ଓ ଗୀତାଶ୍ରୀ ପ୍ରିୟମ୍ବଦା କବିତାଗୁଡ଼ିକୁ ସଂଯୋଜନା କରିଥି‌ଲେ । ଏହି ସମାରୋହରେ ଡକ୍ଟର ଘନଶ୍ୟାମ ରଥଙ୍କ ସ୍ମୃତି ଉଦ୍ଦେଶ୍ୟ‌ରେ ଡକ୍ଟର ଘନଶ୍ୟାମ ରଥ ସ୍ମୃତି ପୁସ୍ତକ ପ୍ରଦର୍ଶନୀ କରାଯାଇଥିଲା । କବି ପ୍ରମୋଦ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିଲେ ।

 

ପଣ୍ଡିତ ଗୋଦାବରୀଶ ମିଶ୍ର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗୋଦାବରୀଶ ବିଦ୍ୟାପୀଠ ପୁରାତନ ଛାତ୍ର ସଂସଦଙ୍କ ମିଳିତ ଆନୁକୂଲ୍ୟରେ ତା ୨୬.୧୦.୯୭ ରିଖରେ ବାଣପୁରସ୍ଥ ଗୋଦାବରୀଶ ବିଦ୍ୟାପୀଠ ପରିସରରେ କବି, ଶିକ୍ଷାବିତ୍‌, ରାଜନୀତିଜ୍ଞ ଓ ପଞ୍ଚସଖାର ଅନ୍ୟତମ ସାରଥି‌ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଶହେ ଏଗାରତମ ଜୟନ୍ତୀ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥିଲା ।

 

ଗୋଦାବରୀଶ ବିଦ୍ୟାପୀଠରେ ଛାତ୍ରମାନଙ୍କ ଦ୍ୱାରା ପ୍ରଦତ୍ତ ଜ୍ୟୋତିକୁ ମୁଖ୍ୟ ଅତିଥି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଶ୍ରୀଯୁକ୍ତ ରଙ୍ଗନାଥ ମିଶ୍ର ଗ୍ରହଣକରି ସ୍ଵାଧୀନତାର ସୁବର୍ଣ୍ଣ ଜୟନ୍ତୀ ପତାକା ଉତ୍ତୋଳନ କରିଥିଲେ । ଜଷ୍ଟିସ୍‌ ମିଶ୍ର ତାଙ୍କ ଭାଷଣ ପ୍ରସଙ୍ଗରେ କହିଥି‌ଲେ ଯେ ସମଗ୍ର ପୃଥିବୀରେ ଯେଉଁ ମାନବିକତାର ସଂକଟ ଦେଖାଦେଇଛି ସେହି ପରିପ୍ରେକ୍ଷୀରେ ଭାରତର ଧନୀ ଗରିବ ନିର୍ବିଶେଷରେ ପ୍ରତ୍ୟେକଙ୍କ ମୁହଁରେ ହସଟିଏ ଫୁଟାଇବାର ଆବଶ୍ୟକତା ରହିଛି । ସ୍ଥାନୀୟ ଚିଲିକା ବିଧାୟକ ଡକ୍ଟର ଦେବେନ୍ଦ୍ର ନାଥ ମାନସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏ ସଭାରେ ପୁରୀର ସାଂସଦ ଶ୍ରୀଯୁକ୍ତ ପିନାକୀ ମିଶ୍ର ସମ୍ମାନିତ ଅତିଥି, ଦୁର୍ନୀତି ନିବାରଣ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଉମାଶଙ୍କର ମିଶ୍ର ମୁଖ୍ୟବକ୍ତା ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରଫେସର ଡକ୍ଟର ଗଣେଶ୍ୱର ମିଶ୍ର ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ କୃତି, ଆଦର୍ଶ ଓ ଜୀବନୀ ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ ।

 

ପୁରାତନ ଛାତ୍ର ସଂସଦର ସଭାପତି ଡକ୍ଟର ଦିବ୍ୟସିଂହ ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ-। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରସଙ୍ଗରେ କହିଥି‌ଲେ ଯେ ଗୋଦାବରୀଶ ଓଡ଼ିଆ ଗାଥା କବିତାର ଅନ୍ୟତମ ପୁରୋଧା । ତାଙ୍କ କବିତାର ସରଳ ସାଙ୍ଗୀତିକତା ତାଙ୍କ କବିତାକୁ ସାଧାରଣ ଲୋକଙ୍କର ନିକଟତର କରି ପାରିଛି । ଆସନ୍ତା ମାର୍ଚ୍ଚ ମାସରେ ଚିଲିକାଠାରେ ଏକ ସର୍ବଭାରତୀୟ ବହୁଭାଷୀ କବି ସମ୍ମିଳନୀ ହେବ ବୋଲି ଡକ୍ଟର ପରିଚ୍ଛା ପଟ୍ଟନାୟକ ସୂଚନା ଦେଇଥିଲେ ।

 

ଏହି ଅବସରରେ ସ୍ଵାଧୀନତାସଂଗ୍ରାମୀମାନଙ୍କୁ ମୁଖ୍ୟ ଅତିଥି‌ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଵାଧୀନତାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ମଧ୍ୟାହ୍ନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ଏହି କବିତା ପାଠୋତ୍ସବରେ ସଭାପତି ଭାବରେ ଶ୍ରୀ ମଦନ ମୋହନ ମିଶ୍ର ଯୋଗଦାନ କରିଥିଲେ । କବିତା ପାଠୋତ୍ସବକୁ ସ୍ଥାନୀୟ କବି ଶ୍ରୀ ତପନ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ । ଶେଖ୍‌ କରିମ୍‌ ଓ ଶ୍ରୀ ଶଶାଙ୍କ ଶେଖର ଚୂଡ଼ାମଣି ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ପଚାଶରୁ ଉର୍ଦ୍ଧ୍ୱ ସ୍ଥାନୀୟ କବି ଏହି କବିତା ପାଠୋତ୍ସବରେ ନିଜର ସ୍ଵରଚିତ କବିତା ପାଠ କରିଥିଲେ ।

 

ସର୍ବଭାରତୀୟ ଶିଶୁ-ସାହିତ୍ୟ ସମ୍ମେଳନ ଓ ଶିଶୁମେଳା

ରାଜ୍ୟ ସରକାରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଶ୍ରମ ଓ ନିଯୁକ୍ତି ବିଭାଗ କଲିକତାସ୍ଥିତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ସର୍ବଭାରତୀୟ ଶିଶୁ ସାହିତ୍ୟ ସମ୍ମେଳନ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ପୃଷ୍ଠପୋଷକତାରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ତା ୧୭.୧୦.୯୭ ରିଖରୁ ୧୯.୧୦.୯୭ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ସର୍ବଭାରତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ଓ ଶିଶୁମେଳା ଆୟୋଜନ କରାଯାଇଥିଲା ।

 

ତା ୧୭.୧୦.୯୭ ରିଖ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ମାନ୍ୟବର ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଭୂପିନ୍ଦର ସିଂହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଶିଶୁମେଳାକୁ ଉଦ୍‌ଘାଟନ କରିଥିଲେ । ଶିଶୁମାନଙ୍କ ମଧ୍ୟରେ ଜାତୀୟତା ମନୋଭାବ ସୃଷ୍ଟି ସାଙ୍ଗକୁ ସାଂପ୍ରଦାୟିକତାରୁ ସେମାନଙ୍କୁ ମୁକ୍ତ ରଖିବା ଲାଗି ସଂସ୍କୃତି ମନ୍ତ୍ରୀ ଶ୍ରୀ ସିଂହ ଶିଶୁ ସାହିତ୍ୟିକମାନଙ୍କୁ ଆହ୍ୱାନ ଜଣାଇଥି‌ଲେ । ଶିଶୁମାନଙ୍କର ସ୍ଵାଭିମାନୀ ଚିନ୍ତାଧାରାର । ବକାଶ ପାଇଁ ସାହିତ୍ୟିକମାନେ ଉଦ୍ୟମ କରିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାଙ୍କ ପାଇଁ ସରଳଭାଷାରେ ପୁସ୍ତକ ପ୍ରକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

 

ପ୍ରାରମ୍ଭରେ ଶ୍ରମ ଓ ନିଯୁକ୍ତି ବିଭାଗ ସଚିବ ଶ୍ରୀ ଅଜିତ କୁମାର ତ୍ରିପାଠୀ ସ୍ଵାଗତ ସୂଚନା ଦେବାପରେ ସର୍ବଭାରତୀୟ ଶିଶୁସାହିତ୍ୟ ସମ୍ମେଳନର ପ୍ରତିଷ୍ଠାତା ସଭାପତି ଡକ୍ଟର ଉତ୍ପଳତ୍ତୋମ ରାୟ ଓ ସଂପାଦକ ଡକ୍ଟର ରାସବିହାରୀ ଦତ୍ତ ଶିଶୁ ସାହିତ୍ୟର ଗୁଣାତ୍ମକ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଶତ୍ରୁଘ୍ନନାଥ କହିଥି‌ଲେ ଯେ ଶିଶୁଙ୍କ ଅନ୍ତରାତ୍ମାଙ୍କୁ ପ୍ରସ୍ଫୁଟିତ କରିପାରିଲେ ହିଁ ସେମାନଙ୍କ ଲେଖା ସଫଳ ହୋଇଥାଏ । ପିଲାମାନଙ୍କୁ ସୁନାଗରିକ ଭାବେ ଗଢ଼ିତୋଳିବାରେ ଶିଶୁ ସାହିତ୍ୟିକମାନଙ୍କର ବିଶେଷ ଭୂମିକା ରହିଛି ବୋଲି ସେ ମତଦେଇଥିଲେ ।

 

ଜୀବନ ବିଚିତ୍ରା କାର୍ଯ୍ୟକ୍ରମରେ ଐତିହ୍ୟ ପରଂପରା ସଂପର୍କରେ କହିଥିଲେ ଓଡ଼ିଶାର ଲବ୍‌ଧପ୍ରତିଷ୍ଠ ଶିଶୁ ସାହିତ୍ୟିକ ଶ୍ରୀ ରାମ ପ୍ରସାଦ ମହାନ୍ତି, ମହାପୁରୁଷଙ୍କ ଜୀବନୀ କହିଥି‌ଲେ ମହାପାତ୍ର ନୀଳମଣି ସାହୁ, ନାନାବାୟାଗୀତ ଶୁଣାଇଥିଲେ ଶ୍ରୀମତୀ ସ୍ନେହଲତା ମହାନ୍ତି, ଶିଶୁନାଟକର ରଚୟିତା ତଥା ନିର୍ଦ୍ଦେଶକ ଶ୍ରୀ କୃଷ୍ଣ ଚରଣ ପଟ୍ଟନାୟକ ଶିଶୁ ନାଟକର ଅଭିନୟକଳା ପ୍ରଦର୍ଶନ କରିଥି‌ଲେ ଏବଂ ଶ୍ରୀ ଅରବିନ୍ଦ ଷଡ଼ଙ୍ଗୀ ହାସ୍ୟରସ ପରିବେଷଣ କରି ପିଲାମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲେ ।

 

ତା ୧୮. ୧୦. ୯୭ରିଖ ପୂର୍ବାହ୍ନ ଦଶଘଣ୍ଟାରେ ଶିଶୁମେଳାର ତୃତୀୟ ଅଧିବେଶନ ଅଜା ଶ୍ରୀ ଶତୁଘ୍ନ ନାଥଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା । ଏଥି‌ରେ ଚିତ୍ରକଳା ସଂପର୍କରେ ବୁଝାଇଥି‌ଲେ ଶିଳ୍ପୀ ଶ୍ରୀ ରାମହରି ଜେନା । ଉପସ୍ଥିତ ପିଲାମାନେ ଭାରତ ସ୍ଵାଧୀନତାର ପଚାଶବର୍ଷ ପୂର୍ତ୍ତିର ସୁନ୍ଦର ସୁନ୍ଦର ରଙ୍ଗିନ ଚିତ୍ର ଅଙ୍କନ କରିଥିଲେ । ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀ କ୍ଷୀରୋଦ ଚନ୍ଦ୍ର ପୋଥାଳ ଭକ୍ତି ସଂଗୀତ ସଂପର୍କରେ ଉଲ୍ଲେଖକରି ସ୍ଵରଚିତ ଭକ୍ତି ସଂଗୀତ ଗାନ କରିଥିଲେ । ବିଭିନ୍ନ ଧର୍ମ ଧାରା ସହିତ ମାନବ ଧର୍ମ ସଂପର୍କରେ ପିଲାମାନଙ୍କୁ ଅବଗତ କରାଇଥିଲେ ଶ୍ରୀ ଶତୁଘ୍ନ ନାଥ । ପରୀ କାହାଣୀ ଶୁଣାଇ ଶ୍ରୀ ନଦିଆ ବିହାରୀ ମହାନ୍ତି ପିଲାମାନଙ୍କୁ ଆମୋଦିତ କରିଥଲେ । ପର୍ବପର୍ବାଣି ବିଷୟରେ ଶ୍ରୀମତୀ ଅନସୂୟାନନ୍ଦ ସୂଚନା ଦେଇଥିଲେ । ଶ୍ରୀ ଲୋକନାଥ ସାଗରୀକା ତାଙ୍କର ଏକକ ଅଭିନୟ ମାଧ୍ୟମରେ ପିଲାମାନଙ୍କ ଆଗରେ ହାସ୍ୟରସ ପରିବେଷଣ କରିଥଲେ ।

 

ଶିଶୁମେଳାର ଚତୁର୍ଥ ଅଧିବେଶନରେ ଦେଶବିଦେଶର ବିଚିତ୍ରା କାର୍ଯ୍ୟକ୍ରମରେ ବିଦେଶ ଖବର ସହିତ ଡାକ ଟିକଟ କାହାଣୀ ଓ ତା’ର ସଂଗ୍ରହ ସଂପର୍କରେ କହିଥିଲେ ଶ୍ରୀ ସହଦେବ ସାହୁ । ଶିଶୁଗୀତ ପରିବେଷଣ କରିଥିଲେ ‘ଶିଶୁଲେଖା’ର ସଂପାଦକ ଶ୍ରୀ ଚିନ୍ତାମଣି ବେହେରା ବିଭିନ୍ନ କୁଇଜ ପରିବେଷଣ କରିଥିଲେ ଶ୍ରୀ ଦାଶବେନ୍‌ହୁର ଓ ଶ୍ରୀ ରମେଶ ପରିଡ଼ା । ଶ୍ରୀ ଦାଶବେନହୁରଙ୍କ ଗାଁଗହଳିରେ ପ୍ରଚଳିତ ପ୍ରବଚନ, ଢଗ ଢମାଳି ଓ ପ୍ରହେଳୀ ଆଦି କୁଇଜର ପ୍ରାୟ ସବୁ ପ୍ରଶ୍ନର ଉତ୍ତର ପିଲାମାନେ ଦେଇଥିଲେ । ଏଥି‌ରୁ ପିଲାମାନଙ୍କର ସ୍ମରଣ ଶକ୍ତି ଓ ବୁଦ୍ଧିମତ୍ତାର ପରିଚୟ ମିଳୁଥିଲା । ଶ୍ରୀ ପରିଡ଼ା ବିଜ୍ଞାନ ସଂପର୍କରେ କୁଇଜ ପିଲାମାନଙ୍କୁ ପଚାରିଥିଲେ ।

 

୧୯ ତାରିଖରେ ଅନୁଷ୍ଠିତ ଶିଶୁମେଳାର ପଞ୍ଚମ ଅଧିବେଶନ ତଥା ଅନ୍ତିମ କାର୍ଯ୍ୟକ୍ରମ ଶ୍ରୀ ରାମ ପ୍ରସାଦ ମହାନ୍ତିଙ୍କ ସଂଯୋଜନାରେ ଆରମ୍ଭ ହୋଇଥି‌ଲା । ଏଥି‌ରେ ଶ୍ରୀ ଚିତ୍ତରଞ୍ଜନ ଦାସ, ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି ଓ ଡକ୍ଟର ଉଦ୍ଧବ ନାୟକ ଧର୍ମ ସଂବନ୍ଧୀୟ କାହାଣୀମାନ ପିଲାମାନଙ୍କୁ ଶୁଣାଇଥି‌ଲେ । ଶ୍ରମ ଓ ନିଯୁକ୍ତି ବିଭାଗର ଶାସନ ସଚିବ ଶ୍ରୀ ଅଜିତ କୁମାର ତ୍ରିପାଠୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ହର ପ୍ରସାଦ ପରିଚ୍ଛା ପଟ୍ଟନାୟକ ଶିଶୁମାନଙ୍କ ଗହଣରେ ରହି ସେମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ରାଜ୍ୟ ପ୍ରଶାସନ ଟ୍ରିବ୍ୟୁନାଲର ସଦସ୍ୟ ଶ୍ରୀମତୀ ଚନ୍ଦ୍ରମଣି ନାରାୟଣ ସ୍ଵାମୀ ଏପରି ଶିଶୁମେଳାର ଭୂୟସୀ ପ୍ରଶଂସା କରିଥିଲେ ।

 

ଏହି ତିନିଦିନଧରି ଶିଶୁମେଳାରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଶିଶୁମାନଙ୍କ ସହ ଅନ୍ତରଙ୍ଗ ପରିଚୟ ଆଳାପ ଓ ସାନ୍ନିଧ୍ୟ ବାସ୍ତବିକ ଏକ ଅବିସ୍ମରଣୀୟ ଅନିର୍ବଚନୀୟ ସ୍ମୃତି । ଶିଶୁ ଜଗତର ଏହି ନିଷ୍ପାପ ସରଳ ମନର ସ୍ଵତଃସ୍ଫୂର୍ତ୍ତ ଅଭିବ୍ୟକ୍ତି ସମସ୍ତଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା । ଶିଶୁପ୍ରିୟ ବୟୋବୃଦ୍ଧମାନେ ସମସ୍ତ ପିଲାଙ୍କର ସାର୍ବଜନୀନ ଅଜା ଆଈ ବନିଯାଇଥିଲେ । ପିଲାମାନଙ୍କର ମଧୁମୟ ଅଜା ଆଉ ସଂବୋଧନରେ ସେମାନେ ଆତ୍ମହରା ହୋଇଯାଇଥିଲେ । ପ୍ରତ୍ୟେକଦିନ ଶିଶୁମାନଙ୍କ ସଂଗୀତଗାନ ଓ ପଦ୍ୟାନ୍ତର ପ୍ରତିଯୋଗିତା ବଡ଼ ଆକର୍ଷଣୀୟ ହୋଇଥିଲା । ବିଭିନ୍ନ ଅଭିନୟ ପଶୁପକ୍ଷୀଙ୍କ ରାବ ଅନୁକରଣ, ନୃତ୍ୟଗୀତ ବାଦନ ପ୍ରଦର୍ଶନକରି ଶିଶୁମାନେ ସେମାନଙ୍କର କଳାପ୍ରତିଭାର ପରିଚୟ ଦେଇଥିଲେ । ସବୁଠାରୁ ଚିତ୍ତାକର୍ଷକ ହୋଇଥି‌ଲା କୌତୁକ ପୋଷାକ ପ୍ରଦର୍ଶନ । ରଙ୍ଗବେରଙ୍ଗର ଭଳିକିଭଳି ପୋଷାକ ପରିଧାନ କରି ପିଲାମାନେ ଗୋଟିଏ ଗୋଟିଏ ଚରିତ୍ରର ନିଖୁଣ ଅଭିନୟ କରିଥି‌ଲେ । କିଏ ନାଚବାଲି ବେଶରେ ତ କିଏ ଘୁମୁରା ଲୋକନୃତ୍ୟ ବେଶରେ, କିଏ ଖବର କାଗଜର ପ୍ରତିନିଧିତ୍ୱ , କିଏ ଆଈମାବୁଢ଼ୀ, ପୁଣି କିଏ ଆକାଶବାଣୀ ନିଉଜ ରିଡ଼ର ତ କିଏ କରୁଛି ମାଇଚିଆର ଅଭିନୟ । ମନକୁମନ ଡାଇଲଗ୍‌ ଏବଂ ଆକ୍‌ସନ୍‌ ଅତି ସ୍ଵଚ୍ଛନ୍ଦଭାବରେ । ରାୟଗଡ଼ାରୁ ଆସିଥି‌ବା ବାଳକର ଲୋକଗୀତ ସମସ୍ତଙ୍କ ମନକୁ ଛୁଇଁଥିଲା, ରୁଚିକା ସ୍କୁଲର ପିଲାମାନେ ଦେଶ ବନ୍ଦନାଗାନ କରିଥିଲେ ।

 

ପିଲାମାନଙ୍କୁ ଗୋଟିଏ ସୁନ୍ଦର ଝୁଲାବ୍ୟାଗ୍‌ ସହିତ କେତେକ ଲେଖକ ଉପକରଣ ଓ ରଙ୍ଗ ବାକ୍‌ସ ଦିଆଯାଇଥିଲା । ଖାଇବା ଓ ରହିବାର ସମସ୍ତ ସୁବିଧା ପିଲାମାନଙ୍କୁ ଯୋଗାଇ ଦିଆଯାଇଥିଲା । ଉପସ୍ଥିତ ଶିକ୍ଷକ ଓ ଅଭିଭାବକମାନେ ଶିଶୁମେଳାର ସଫଳତା ପାଇଁ ଉଦ୍ୟୋକ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ ।

 

ବଳଦେବ ବିଦ୍ୟାଭୂଷଣ ଜୟନ୍ତୀ

ପବିତ୍ର ଅଁଳା ନବମୀ ତିଥି‌ରେ ତା ୦୪.୧୧.୯୭ରିଖ ସଂଧ୍ୟା ଛ’ଘଣ୍ଟା ସମୟରେ ଭୁବନେଶ୍ଵରସ୍ଥିତ ପାନ୍ଥନିବାସ ସଭାକକ୍ଷରେ ପଣ୍ଡିତ ବଳଦେବ ବିଦ୍ୟାଭୂଷଣଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପ୍ରଥମଥର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପାଳନ କରାଯାଇଥିଲା । ଜୟନ୍ତୀପାଳନ ଅବସରରେ ଓଡ଼ିଶାର ଖ୍ୟାତନାମା କଥାକାର ମହାପାତ୍ର ନୀଳମଣି ସାହୁ ସଭାପତି ଭାବରେ ଯୋଗଦାନ କରି ଆୟୋଜିତ ସାରସ୍ଵତ ସ୍ମୃତି ସଭାକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥି‌ଲେ । ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନକରି ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶାର ଅନ୍ୟତମ ସାରସ୍ଵତ ବରପୁତ୍ର ବିଶିଷ୍ଟ ସଂସ୍କୃତଜ୍ଞ ଦାର୍ଶନିକ ପଣ୍ଡିତ ବଳଦେବ ବିଦ୍ୟାଭୂଷଣଙ୍କ ଜୀବନ ଓ ପ୍ରତିଭା ସଂପର୍କରେ ଆଲୋକପାତ କରି କହିଲେ ଯେ ଭାରତୀୟ ଦର୍ଶନ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସଂସ୍କୃତି-ନିର୍ଦେଶାଳୟର ଉପ-ନିର୍ଦ୍ଦେଶକ ବିଶିଷ୍ଟ ସଂସ୍କୃତ ବିଦ୍ୱାନ୍‌ ଦୁଃଖିଶ୍ୟାମ ପଟ୍ଟନାୟକ ବୈଷ୍ଣବଶାନ୍ତ, ଶଙ୍କରାଚାର୍ଯ୍ୟ, ରାମାନୁଜ ଓ ଚୈତନ୍ୟଦେବଙ୍କ ସଂପର୍କରେ ତାଙ୍କର ପାଣ୍ଡିତ୍ୟ ପୂର୍ଣ୍ଣ ବକ୍ତବ୍ୟ ପ୍ରଦାନକରି ପଣ୍ଡିତ ବଳଦେବ ବିଦ୍ୟାଭୂଷଣଙ୍କ ସର୍ଜନା ସଂପର୍କରେ ଗଭୀର ଆଲୋକପାତ କରିଥିଲେ । ପ୍ରସ୍ଥାନତ୍ରୟୀ ଉପରେ ପଣ୍ଡିତ ବଳଦେବଙ୍କ ଅବଦାନ ସଂପର୍କରେ ସେ ବିଶେଷ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ଡକ୍ଟର ଗଣେଶ ପ୍ରସାଦ ଦାସ ଭାରତୀୟ ଦର୍ଶନଧାରା, ଜ୍ଞାନବିଜ୍ଞାନ, ବିଦ୍ୟାପର ବିଦ୍ୟା ବିଷୟରେ ଆଲୋଚନା କରି ଅଚିନ୍ତ୍ୟ- ଭେଦାଭେଦ ତନ୍ତ୍ର-ଦର୍ଶନ ପ୍ରତି ବଳଦେବଙ୍କ ଅବଦାନ ସଂପର୍କରେ ବିଶ୍ଳେଷଣ କରିଥିଲେ-। ମହାପାତ୍ର ନୀଳମଣି ସାହୁ ତାଙ୍କର ସଭାପତି ଅଭିଭାଷଣରେ ବଳଦେବ ବିଦ୍ୟାଭୂଷଣଙ୍କର ସାହିତ୍ୟିକ କୃତି ସଂପର୍କରେ ଆଲୋଚନା କରି ତାଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ । ବହୁ ବିଦଗ୍‌ଧ ଶ୍ରୋତା ଏହି ଜୟନ୍ତୀ ଉସବରେ ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶ୍ରୋତାମଣ୍ଡଳୀ ମଧ୍ୟରୁ ଶ୍ରୀ ଜଗବଂଧୁ ପାଢ଼ୀ, ଡକ୍ଟର କାହ୍ନୁଚରଣ ମିଶ୍ର, ଶ୍ରୀମତୀ ଚନ୍ଦ୍ରମଣି ନାରାୟଣ ସ୍ଵାମୀ, ଶ୍ରୀ ବରେନ୍ଦ୍ର କୃଷ୍ଣ ଧଳ, ପଣ୍ଡିତ ବିଦ୍ୟାଭୂଷଣଙ୍କ ସମୟ ଓ ଜୀବନ ସଂପର୍କରେ ଅଧିକ ଗବେଷଣା ସାପେକ୍ଷ ବୋଲି ମତପ୍ରକାଶ କରିଥି‌ଲେ । ବିଗତ ଏକ ହଜାର ବର୍ଷ ଓଡ଼ିଶାର ଗୌରବାବହ ସଂସ୍କୃତ ପରଂପରା ସଂପର୍କରେ ଏକ ପ୍ରାମାଣିକ ଗ୍ରନ୍ଥ ଏକାଡେମୀ ପକ୍ଷରୁ ପ୍ରଣୟନ କରିବା ପାଇଁ ପ୍ରଫେସର ଯତୀନ୍ଦ୍ର ମୋହନ ମହାନ୍ତି ଏକ ପ୍ରସ୍ତାବ ଦେଇଥି‌ଲେ । ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ ପଣ୍ଡିତ ବଳଦେବଙ୍କ ଲିଖିତ କେତେକ ଦୃଷ୍ଣ୍ରାପ୍ୟ ପୁସ୍ତକ ପ୍ରଦର୍ଶନ କରିଥି‌ଲେ ।

 

ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ସୁଧୀ ମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରି ଶ୍ରୋତାମାନଙ୍କର ବିଭିନ୍ନ ମତାମତ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଥି‌ଲେ ।

 

ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ର ଶେଖରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସ୍ଥାନୀୟ ପଠାଣି ସାମନ୍ତ ସ୍ମୃତି ପରିଷଦର ମିଳିତ ଉଦ୍ୟମରେ ଖଣ୍ଡପଡ଼ା ବାଳିକା ବିଦ୍ୟାଳୟ ପରିସର ମଧ୍ୟରେ ତା ୨୨. ୧୨. ୯୮ ରିଖ ଦିନ ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୬୩ତମ ଜୟନ୍ତୀ ଉତ୍ସବ ଓ ଶିଶୁମେଳା ମହାସମାରୋହରେ ପାଳନ କରାଯାଇଥି‌ଲା ।

 

ଏହି ଉପଲକ୍ଷେ ଆୟୋଜିତ ସଭାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥି‌ଲେ । ପଠାଣି ସାମନ୍ତ ସ୍ମୃତି ପରିଷଦର ସମ୍ପାଦକ ଓଡ଼ିଶାର ବିଶିଷ୍ଟ ଔପନ୍ୟାସିକ ଗିରିଜା ଶଙ୍କର ତରାସିଆ ସାମନ୍ତ ଚନ୍ଦ୍ରଶେଖରଙ୍କୁ ‘ଭାରତରତ୍ନ’ ଉପାଧିରେ ଭୂଷିତ କରିବାପାଇଁ ଉପସ୍ଥାପିତ କରିଥିବା ଦାବିକୁ ରାଜ୍ୟ ସାହିତ୍ୟ ଏକାଡେମୀ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଜଣାଇବା ପାଇଁ ଉଦ୍ୟମ ଜାରିରଖିବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଥି‌ଲେ ।

 

ଏହି ଉତ୍ସବର ଅନ୍ୟତମ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ‘ସିଦ୍ଧାନ୍ତ ଦର୍ପଣ’ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଏକ କାଳଜୟୀ ଗ୍ରନ୍ଥ ବୋଲି ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ୟମରେ ଚଳିତବର୍ଷଠାରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିବର୍ଷ ଏହି ଉତ୍ସବ ରାଜ୍ୟସ୍ତରରେ ଖଣ୍ଡପଡ଼ାଠାରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିବାର ସେ ଘୋଷଣା କରିଥିଲେ । ଉତ୍ସବର ମୁଖ୍ୟ ଅତିଥି‌ ତଥା ନୟାଗଡ଼ ଜିଲ୍ଲାପାଳ ମନୋରଞ୍ଜନ ଶରଣ ସିଦ୍ଧାନ୍ତ ଦର୍ପଣର ଶତବାର୍ଷିକୀ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

 

ଏହି ଉତ୍ସବରେ ମୁଖ୍ୟବକ୍ତାଭାବେ ଯୋଗଦେଇ ଓଡ଼ିଶାର ବିଶିଷ୍ଟ ପଶ୍ଚିତ ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଏକ ତୁଳନାତ୍ମକ ବ୍ୟାଖ୍ୟା ପ୍ରଦାନ କରି ସାମନ୍ତ ଚନ୍ଦ୍ର ଶେଖରଙ୍କ ‘ସିଦ୍ଧାନ୍ତ ଦର୍ପଣ’ ପୁସ୍ତକ ଜ୍ୟୋତିର୍ବିଜ୍ଞାନୀ ଭାସ୍କରାଚାର୍ଯ୍ୟ, କୋପରନିକସ୍‌ ଓ ଗାଲିଲିଓଙ୍କ ପ୍ରଣୀତ ପୁସ୍ତକଗୁଡ଼ିକଠାରୁ ବହୁ ଉଚ୍ଚମାନର ଓ ଆଧୁନିକ ବିଜ୍ଞାନ ସମ୍ମତ ବୋଲି ମତପ୍ରଦାନ କରିଥିଲେ ।

 

ଲବ୍‌ଧ ପ୍ରତିଷ୍ଠ କଥାକାର ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ ତାଙ୍କ ଅଭିଭାଷଣରେ ପୂର୍ବସୂରୀମାନଙ୍କ ବିବାଦୀୟ ବିଷୟକୁ ଛାଡ଼ିଦେଇ ତାଙ୍କର ଗୁଣ କୀର୍ତ୍ତିକୁ ଅଧି‌କ ଲୋକଲୋଚନକୁ ଆଣି ସେହି ମହାନ୍‌ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉଦ୍‌ବୋଧନ ଦେଇଥିଲେ ।

 

ମୁଖ୍ୟ ଅତିଥି‌ ଭାବରେ ନୟାଗଡ଼ର ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ଶରଣ ଏକାଡେମୀ ପକ୍ଷରୁ ଖଣ୍ଡପଡ଼ାଠାରେ ପ୍ରଥମଥର ପାଇଁ ଏପରି ପୂଜ୍ୟପୂଜାର ଆୟୋଜନ କରାଯାଇଥିବାରୁ ଏକାଡେମୀର ସଚିବଙ୍କୁ ସେ ଧନ୍ୟବାଦ ଜଣାଇ ଥିଲେ । ପଠାଣି ସାମନ୍ତ ମେମୋରିଆଲ୍‌ ପରିଷଦର ସଂପାଦକ ଶ୍ରୀ ଗିରିଜା ଶଙ୍କର ତରାସିଆ ଅତିଥି‌ମାନଙ୍କର ପରିଚୟ ପ୍ରଦାନ କରିଥି‌ଲେ ଓ ପରିଶେଷରେ ପରିଷଦର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।

 

ଜାତୀୟକବି ବୀରକିଶୋରଙ୍କ ଜନ୍ମଶତବାର୍ଷିକୀ ପାଳନ

ସାହିତ୍ୟ ଏକାଡେମୀ ପକ୍ଷରୁ ତା ୨୩.୧୧.୯୭ରିଖ ସଂଧ୍ୟା ଛ’ଘଣ୍ଟା ସମୟରେ ଜାତୀୟକବି ବୀରକିଶୋରଙ୍କ ଜନ୍ମ-ଶତବାର୍ଷିକୀ ପାଳନ ଅବସରରେ ଏକ ମନୋଜ୍ଞ ସ୍ମୃତିସଭା କବିଙ୍କ ଜନ୍ମପୀଠ ପୁନଙ୍ଗଠାରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟକବି ବୀରକିଶୋର ସ୍ମୃତିସଂସଦ, ଜାତୀୟକବି ବୀରକିଶୋର ସ୍ମୃତି ସମିତି, ଜିଲ୍ଲା ସଂସ୍କୃତି ପରିଷଦଙ୍କ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ କବିଙ୍କ ଘନିଷ୍ଠ ସହଯୋଗୀ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ପ୍ରିୟନାଥ ଦେ ସଭାପତିତ୍ୱକରି କବିଙ୍କ ପଟ୍ଟଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । କବିଙ୍କ ସହକର୍ମୀ ଭାବରେ ତାଙ୍କର ଗଭୀର ସାନ୍ନିଧ୍ୟ ଓ ସଂପର୍କ ସମ୍ବନ୍ଧରେ ସେ ଉଲ୍ଲେଖ କରି କବିଙ୍କୁ ସ୍ଵାଭିମାନ ଓ ସ୍ଵଦେଶ ପ୍ରାଣତାର ପ୍ରତୀକ ବୋଲି ଅଭିହିତ କରିଥିଲେ ।

 

ସ୍ମୃତି ସଭାର ମୁଖ୍ୟ ଅତିଥି‌ ଭାବରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦୋଳଗୋବିନ୍ଦ ପ୍ରଧାନ ସ୍ଵଅନୁଭୂତିରୁ କବିଙ୍କ ତ୍ୟାଗପୂତ ଜୀବନ ସଂପର୍କରେ ଆଲୋକପାତ କରି ଉଦାର କଣ୍ଠରେ ଜାତୀୟକବିଙ୍କ କେତେକ ପ୍ରାଣସ୍ପର୍ଶୀ କବିତା ଗାନ କରିଥି‌ଲେ ।

 

ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରଖ୍ୟାତ କବି ଓ ସମାଲୋଚକ ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗଦାନ କରି କବିଙ୍କ ସହ ତାଙ୍କର ନିବିଡ଼ ସଂପର୍କ ବିଷୟରେ ଉଲ୍ଲେଖ କରିବା ସଂଗେ ସଂଗେ ତାଙ୍କ କବିତାବଳୀର ସାହିତ୍ୟିକ ମୂଲ୍ୟ ଉପରେ ଏକ ସାରଗର୍ଭକ ଆଲୋଚନା କରିଥିଲେ । ସାରଳା ସାହିତ୍ୟ ସଂସଦର ସଂପାଦକ, ବିଶିଷ୍ଟ ସାହିତ୍ୟିକ ତଥା ସାରସ୍ଵତ ସଂଗଠକ ଇଂଜିନିଅର ଶ୍ରୀ ପ୍ରଭାକର ସ୍ଵାଇଁ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରିଥି‌ଲେ । ସେ ତାଙ୍କ ଭାଷଣରେ ଜଗତସିଂହପୁର ଅଞ୍ଚଳ ବହୁ ସାରସ୍ଵତ ସାଧକ, ସଂଗ୍ରାମୀ ଓ ସମାଜସେବୀଙ୍କ ଜନ୍ମ ଓ କର୍ମଭୂମି ବୋଲି ଉଲ୍ଲେଖକରି ଏହି ଅଞ୍ଚଳ ଓଡ଼ିଶାର ଗର୍ବ ଓ ଗୌରବ ବୋଲି କହିଥି‌ଲେ । ସେ ଜାତୀୟ କବିଙ୍କ ଜୀବନାଦର୍ଶରେ ପ୍ରଭାବିତ ହେବା ପାଇଁ ଆଜିର ଯୁବସମାଜକୁ ଆହ୍ୱାନ ଦେଇଥି‌ଲେ । ଶ୍ରୀ ମାୟାଧର ଦାସ, ଶ୍ରୀ ବନମାଳୀ ସାହୁ, ଶ୍ରୀ ପ୍ରଭାକର ଦାସ, ଚୌଧୁରୀ ବରଦା ପ୍ରସନ୍ନ ଦାସ, ଶ୍ରୀ ଗୁରୁଚରଣ ସାମନ୍ତରାୟ, ଶ୍ରୀ ଲକ୍ଷ୍ମୀନାରାୟଣ ବାନାର୍ଜୀ, ଶ୍ରୀ ପିନାକୀ ପ୍ରସାଦ ପ୍ରଧାନ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରି ଜାତୀୟକବିଙ୍କ ଜୀବନୀ ଓ କୃତି ସଂପର୍କରେ ଆଲୋକପାତ କରିଥିଲେ । ଜାତୀୟକବିଙ୍କ ପୁଣ୍ୟସ୍ମୃତି ଉଦ୍ଦେଶ୍ୟରେ ପୁନଙ୍ଗସ୍ଥିତ କବିଙ୍କ ଜୀର୍ଣ୍ଣ ବାସଗୃହକୁ ସଂଗ୍ରାମୀ ଭବନ ଓ ଏକ ଆଦର୍ଶ ପାଠାଗାରରେ ପରିଣତ କରିବା ପାଇଁ ଜନସାଧାରଣରେ ମତପ୍ରକାଶ ପାଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରକାଶନ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ସିଂହ ସ୍ଵାଗତ ଭାଷଣ ପ୍ରଦାନ କରି ଭାରତ ସ୍ଵାଧୀନତାର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସ୍ଵାଧୀନତା ସଂଗ୍ରାମର ଚାରଣ କବି ବୀର କିଶୋରଙ୍କ ଜନ୍ମଶତବାର୍ଷିକୀ ପାଳନ ବାସ୍ତବିକ ବଡ଼ ତାତ୍ପର୍ଯ୍ୟ ପୂର୍ଣ୍ଣ ବୋଲି ମତ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଗେନ୍ଦ୍ରନାଥ ନାୟକ ଧନ୍ୟବାଦ ଅର୍ପଣ କରିଥି‌ଲେ । ସ୍ଥାନୀୟ ବୀରକିଶୋର କଳାମନ୍ଦିରର କଳାକାରମାନେ କବିଙ୍କ ରଚନାରୁ ସଂଗୀତ ଗାନ କରିଥିଲେ ।

 

କାନ୍ତକବି ଲକ୍ଷ୍ମୀକାନ୍ତ ଜୟନ୍ତୀ

ସାହିତ୍ୟ ଏକାଡେମୀପକ୍ଷରୁ ତା୦୯.୧୨.୯୭ରିଖ ସଂଧ୍ୟା ଛ’ଘଣ୍ଟା ସମୟରେ ଭୁବନେଶ୍ଵରସ୍ଥିତ ଭଞ୍ଜ କଳାମଣ୍ଡପଠାରେ ମହାନ୍ ସାରସ୍ଵତ ସାଧକ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଇଥିଲା ।

 

ଏହି ଜୟନ୍ତୀ ପାଳନ ଅବସରରେ ଆୟୋଜିତ ସାରସ୍ଵତ ସ୍ମୃତି ସଭାରେ ମୁଖ୍ୟଅତିଥି‌ ଭାବରେ କାନ୍ତକବିଙ୍କ ସୁଯୋଗ୍ୟ ପୁତ୍ର ଲବ୍‍ଧ ପ୍ରତିଷ୍ଠ କବି ଓ କଥାକାର ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ସହ କାନ୍ତକବିଙ୍କ ତୈଳଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥି‌ଲେ । ସେ ତାଙ୍କ ଭାଷଣ ପ୍ରସଙ୍ଗରେ ପିତୃସ୍ମୃତିଚାରଣ କରି ତାଙ୍କ ଅନୁଭୂତିରୁ କାନ୍ତକବିଙ୍କ ଜୀବନର ନାନା ଘଟଣା ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି‌ଭାବରେ ପ୍ରଫେସର ଶ୍ରୀ ଯତୀନ୍ଦ୍ର ମୋହନ ମହାନ୍ତି ଯୋଗଦାନ କରି କାନ୍ତ ସାହିତ୍ୟର ବିଭିନ୍ନ ଦିଗ ସଂପର୍କରେ ଏକ ମାର୍ମିକ ଆଲୋଚନା କରିଥିଲେ । ଏଥି‌ରେ ବିଶିଷ୍ଟ ସମାଲୋଚିକା ଅଧ୍ୟାପିକା ଡକ୍ଟର ଅର୍ଚ୍ଚନା ନାୟକ ମୁଖ୍ୟବକ୍ତା ଭାବରେ ଅଂଶ ଗ୍ରହଣ କରି କାନ୍ତକବିଙ୍କ ଜୀବନ, ଦର୍ଶନ ଓ ପ୍ରତିଭାର ବିଭିନ୍ନ ଦିଗ ଉପରେ ଏକ ମନୋଜ୍ଞ ବିଶ୍ଲେଷଣ କରି ତାଙ୍କର ମହିମାନ୍ୱିତ ସାରସ୍ଵତ ବ୍ୟକ୍ତିତ୍ୱର ଏକ ସାମଗ୍ରିକ ଆକଳନ କରିଥିଲେ । ଏହି ପୂଜ୍ୟପୂଜା ଅନୁଷ୍ଠାନରେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ବିଶିଷ୍ଟ ଶିକ୍ଷାବିତ୍‌ ଡକ୍ଟର ଗୌର କିଶୋର ଦାସ ପୌରୋହିତ୍ୟକରି କାନ୍ତକବିଙ୍କ ମାନସିକତା ଓ ପ୍ରତିଭା ବିଶ୍ଵ ସାହିତ୍ୟ ପର୍ଯ୍ୟାୟର ବୋଲି ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥି‌ଲେ । ଏକାଡେମୀର ସଚିବ କବି ଡକ୍ଟର ହର ପ୍ରସାଦ ପରିଚ୍ଛା ପଟ୍ଟନାୟକ ତାଙ୍କର ସ୍ଵାଗତ ଭାଷଣ ପ୍ରସଙ୍ଗରେ କାନ୍ତକବିଙ୍କୁ କବି ଦୀନକୃଷ୍ଣଙ୍କ ପରେ ଜଣେ ମହାନ୍‌ ସାରସ୍ଵତ ସାଧକ ଭାବରେ ଉଲ୍ଲେଖ କରି ତାଙ୍କର ସାରସ୍ଵତ ଜୀବନ ଚିରଦିନ ପାଇଁ ପ୍ରେରଣାର ଉତ୍ସହୋଇ ରହିବ ବୋଲି ମତ ପ୍ରକାଶ କରିଥିଲେ । ଏକାଡେମୀର ପ୍ରକାଶନ ଅଧିକାରୀ ଶ୍ରୀଭବାନୀ ପ୍ରସାଦସିଂହ ଧନ୍ୟବାଦ ଅର୍ପଣ କରିଥଲେ । କଣ୍ଠଶିଳ୍ପୀ ଶ୍ରୀ ସୁକାନ୍ତ ବଳ ଓ ସାଥୀ କଳାକାରମାନେ କାନ୍ତକବିଙ୍କ ରଚନାରୁ ସଂଗୀତ ପରିବେଷଣ କରିଥିଲେ ।

 

ସିଦ୍ଧସାଧକ ଶିଶୁ ଅନନ୍ତଙ୍କ ଜୟନ୍ତୀ

ତା ୧୩.୧୨.୯୭ ରିଖ ଅପରାହ୍ନ ପାଞ୍ଚଘଣ୍ଟା ସମୟରେ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସଖା ସୁପ୍ରସିଦ୍ଧ କବି ଶିଶୁ ଅନନ୍ତଙ୍କ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମପୀଠ ବାଲିପାଟଣାସ୍ଥ ଶିଶୁମଠଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ଶିଶୁଅନନ୍ତ ସ୍ମୃତିସଂସଦଙ୍କ ଆନୁକୂଲ୍ୟରେ ପାଳିତ ହୋଇଯାଇଛି ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଧୁନା ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷା ବିଶିଷ୍ଠ ଗାଳ୍ପିକା ଶ୍ରୀମତୀ ନନ୍ଦିନୀ ଶତପଥୀ ମୁଖ୍ୟଅତିଥି‌ ଭାବରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି ପୂଜ୍ୟପୂଜା ଅନୁଷ୍ଠାନକୁ ଉଦ୍‌ଘାଟନ କରି ଶିଶୁ ଅନନ୍ତଙ୍କ ଜୀବନର କେତେକ ଅଲୌକିକ ଘଟଣାର ଅବତାରଣା କରିଥିଲେ । ତାଙ୍କ ସାଧନାର ମୂଳକଥା ସଂପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ତାଙ୍କର ମହାନ୍‌ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଉଦ୍‌ବୋଧନ ଦେଇଥିଲେ ।

 

ବିଶିଷ୍ଟ ସମାଲୋଚକ, ସାମ୍ବାଦିକ ତଥା ସଂପାଦକ ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ଷୋଡ଼ଶ ଶତାବ୍ଦୀର ଶିଶୁ ଅନନ୍ତଙ୍କ ଚିନ୍ତାଧାରା ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଅଧିକ ପ୍ରଗତିଶୀଳ ବୋଲି ତାଙ୍କ ଭାଷଣ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ଆଜିର ବ୍ୟସ୍ତ ଜୀବନରେ ସେହି ମହାପୁରୁଷଙ୍କ ବାଣୀ ଓ ଦର୍ଶନ ଶାନ୍ତି ଓ ଆନନ୍ଦର ଉତ୍ସ ବୋଲି କହିଥିଲେ ।

 

ବରିଷ୍ଠ ସାହିତ୍ୟ ସାଧକ ଓଡ଼ିଆ ସନ୍ଥ ସାହିତ୍ୟର ଅନ୍ୟତମ ପ୍ରବକ୍ତା ଶ୍ରୀ ଚିତ୍ତରଞ୍ଜନ ଦାସ ସ୍ମୃତିସଭାରେ ପୌରୋହିତ୍ୟ କରି ତାଙ୍କର ଅଭିଭାଷଣରେ ଅନ୍ୟାନ୍ୟ ସନ୍ଥମାନଙ୍କ ପରି ଶିଶୁ ଅନନ୍ତ ଅଲୌକିକତାରେ ବିଶ୍ଵାସ କରୁନଥିଲେ କିମ୍ବା ଜାତିପ୍ରଥା ମାନୁନଥି‌ଲେ ବୋଲି ମତପ୍ରକାଶ କରିଥିଲେ । ଶିଶୁ ଅନନ୍ତଙ୍କୁ ବୁଝିବାକୁ ହେଲେ ତାଙ୍କର ରଚନାବଳୀକୁ ଭଲ ରୂପେ ବୁଝିବା ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ଶିଶୁ ଅନନ୍ତ ସ୍ମୃତିସଂସଦ ପକ୍ଷରୁ ବିଶିଷ୍ଟ ସମାଲୋଚକ ତଥା ଗବେଷକ ଡକ୍ଟର ନଗେନ୍ଦ୍ରନାଥ ପ୍ରଧାନଙ୍କୁ ଏ ବର୍ଷର ଶିଶୁ ଅନନ୍ତ ପୁରସ୍କାର ପ୍ରଦାନ କରାଯାଇଥି‌ଲା-। ଏକାଡେମୀର ପ୍ରକାଶନ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦସିଂହ ସ୍ଵାଗତ ଭାଷଣ ପ୍ରଦାନକରି ଜୟନ୍ତୀ ଉତ୍ସବର ସାଫଲ୍ୟ ପାଇଁ ଜନସାଧାରଣଙ୍କର ସଦିଚ୍ଛା ଓ ସହଯୋଗ କାମନା କରିଥିଲେ । ସ୍କ୍ମୃ‌ତିସଂସଦର ସଂପାଦିକା ଶ୍ରୀମତୀ ତନୟା ଦାସ ଗୋସ୍ଵାମୀ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ଶିଶୁ ଅନନ୍ତ ୟୁଥ୍‌ କ୍ଲବ୍‌ର କଳାକାରମାନେ ଶିଶୁ ଅନନ୍ତଙ୍କ ରଚନାରୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।

 

ପଲ୍ଲୀକବି ନନ୍ଦକିଶୋର ଜୟନ୍ତୀ

ତା ୨୨.୧୨.୯୭ ରିଖ ସଂଧ୍ୟା ଛ’ଘଣ୍ଟା ସମୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପଲ୍ଲୀକବି ନନ୍ଦକିଶୋର ଫାଉଣ୍ଡେସନ୍‌ଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟ ସୂଚନା ଭବନଠାରେ ପଲ୍ଲୀକବି ନନ୍ଦକିଶୋରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାରସ୍ଵତ ସ୍ମୃତିସଭାକୁ ଏ ବର୍ଷର ପଲ୍ଲୀକବି ନନ୍ଦକିଶୋର ସମ୍ମାନର ଅଧିକାରୀ ପ୍ରଫେସର ଡକ୍ଟର ମଧୁସୂଦନ ପତି ପ୍ରଦୀପ ପ୍ରଜ୍ୱ‌ଳନ କରି ଉଦ୍‌ଘାଟନ କରିଥିଲେ ।

 

ଏହି ସ୍ମୃତି-ଆସରରେ ଏକାଡେମୀର ସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପୌରୋହିତ୍ୟ କରି କବି ଓ ସାହିତ୍ୟିକ ମାନଙ୍କୁ ଉଦାର ଓ ସମ୍ବେଦନଶୀଳ ହେବାକୁ ଉଦ୍‌ବୋଧନ ଦେଇଥିଲେ । ପଲ୍ଲୀକବି ନନ୍ଦକିଶୋର ଫାଉଣ୍ଡେସନ୍‌ର ସଭାପତି ବିଶିଷ୍ଟ ସମାଲୋଚକ ଡକ୍ଟର ଭାବଗ୍ରାହୀ ମିଶ୍ର ଉତ୍ସବରେ ସମ୍ମାନିତ ଅତିଥି‌ଭାବରେ ଯୋଗଦାନକରି ନନ୍ଦକିଶୋରଙ୍କ ସ୍ମୃତିରକ୍ଷା ପାଇଁ ଫାଉଣ୍ଡେସନ୍‌ କାର୍ଯ୍ୟାବଳୀର ସୂଚନା ପ୍ରଦାନ ଅବସରରେ ଫାଉଣ୍ଡେସନ ପକ୍ଷରୁ ଦୁଇହଜାର ପୃଷ୍ଠା ସମ୍ବଳିତ ପଲ୍ଲୀକବିଙ୍କ ସମଗ୍ର ରଚନାବଳୀର ଆଶୁ ପ୍ରକାଶନ ଏକ ଉଲ୍ଲେଖନୀୟ କାର୍ଯ୍ୟ ହେବ ଏବଂ ତାହା ପ୍ରକାଶ ପାଇଲେ ଓଡ଼ିଆ ସାହିତ୍ୟ ଇତିହାସର ଏକ ନୂତନ ଦିଗ ଉନ୍ମୋଚିତ ହେବ ବୋଲି ସେ ମତପ୍ରକାଶ କରିଥିଲେ ।

 

ପ୍ରଖ୍ୟାତ ସମାଲୋଚକ ପ୍ରଫେସର ଡକ୍ଟର ମଧୁସୂଦନ ପତିଙ୍କୁ ଏକାଡେମୀର ସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପଲ୍ଲୀକବି ନନ୍ଦକିଶୋର ସମ୍ମାନ-୧୯୯୭ ପ୍ରଦାନ କରିଥିଲେ । ସମ୍ମାନ ପ୍ରଦାନର ଉତ୍ତରରେ ଡକ୍ଟର ପତି ନନ୍ଦକିଶୋରଙ୍କ ସ୍ଵାତନ୍ତ୍ର୍ୟ ବିଷୟରେ ଉଲ୍ଲେଖ କରିବାକୁ ଯାଇ କହିଲେଯେ, ଗଙ୍ଗାଧରକୁ ଛାଡ଼ିଦେଲେ ଅନ୍ୟ କୌଣସି ସମସାମୟିକ କବି-ଚିତ୍ତ ମୌଳିକ ସ୍ତରରେ ତାଙ୍କ ସମଧର୍ମୀ ନଥି‌ଲା । ପଲ୍ଲୀ ତାଙ୍କ ପାଇଁ ଥିଲା ଏକ ସ୍ଵଚ୍ଛ, ସ୍ପନ୍ଦନଶୀଳ, ଅନ୍ତରଙ୍ଗ ବାସ୍ତବତା । ଉତ୍କଳ ବିଶ୍ଵବିଦ୍ୟାଳୟ ଇଂରାଜୀ ବିଭାଗର ମୁଖ୍ୟ ଡକ୍ଟର ଯୁଗଳ କିଶୋର ଚାନ୍ଦ ‘‘ପଲ୍ଲୀକବି ନନ୍ଦକିଶୋର ସାହିତ୍ୟରେ ଭାଷା ଓ ଶୈଳୀ’’ ଶୀର୍ଷକ ପଞ୍ଚମ ସ୍ମାରକୀ ବକ୍ତୃତା ପ୍ରଦାନକରି ପଲ୍ଲୀକବିଙ୍କ ରଚନାରୁ ବହୁ ଉଦାହରଣ ଦେଇ ତାଙ୍କ ଶବ୍ଦବିନ୍ୟାସ ଓ ଶୈଳୀର ସ୍ଵାତନ୍ତ୍ର୍ୟ ସଂପର୍କରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ ।

 

ଏ ଅବସରରେ ଏକାଡେମୀ ଦ୍ୱାରା ପ୍ରକାଶିତ ଡକ୍ଟର ପ୍ରସନ୍ନ କୁମାର ମହାନ୍ତିଙ୍କ ସଂପାଦିତ ‘‘ପଲ୍ଲୀକବି ସୃଷ୍ଟି ପରିଧି’’ ଶୀର୍ଷକ ଏକ ମନୋଜ୍ଞ ପ୍ରବନ୍ଧ ସଂକଳନ ଡକ୍ଟର ଭାବଗ୍ରାହୀ ମିଶ୍ରଙ୍କ ଦ୍ୱାରା ଧମ ଉନ୍ମୋଚିତ ହୋଇଥିଲା ।

 

ଏକାଡେମୀର ସହ ସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ ସ୍ଵାଗତ ଭାଷଣ ପ୍ରଦାନ କରି ଲୋକସାହିତ୍ୟର ସୃଷ୍ଟି ଓ ସୁରକ୍ଷା ଦିଗରେ ପଲ୍ଲୀକବିଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ-। ଶେଷରେ ଶ୍ରୀ ସିଂହ ଉପସ୍ଥିତ ଅତିଥି‌ ଓ ଶ୍ରୋତାବୃନ୍ଦଙ୍କୁ ସେମାନଙ୍କର ସଦିଚ୍ଛା ଓ ସହଯୋଗ ପାଇଁ ଏକାଡେମୀ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଚନ୍ଦ୍ରଭାଗା ଉତ୍ସବ - ୯୭

ଚନ୍ଦ୍ରଭାଗା ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ତା ୨୮.୧୨.୯୭ ରୁ ୩୧.୧୨.୯୭ ରିଖ ଚାରିଦିନ ବ୍ୟାପୀ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ରାଜ୍ୟସ୍ତରୀୟ ଚନ୍ଦ୍ରଭାଗା ଉତ୍ସବ ୯୭ ଓ ତୃତୀୟ ବାଲେଶ୍ଵର ବହିମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

 

ତା ୨୮.୧୨.୯୭ରିଖ ପୂର୍ବାହ୍ନରେ ଅନୁଷ୍ଠିତ ‘‘ପଚାଶ ବର୍ଷର ଓଡ଼ିଆ କବିତା’ ଅଧିବେଶନକୁ ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଉଦ୍‌ଘାଟନ କରି ଆଧୁନିକ ଓଡ଼ିଆ କବିତା କ୍ରମଶଃ ପାଠକର ନିକଟତର ହେଉଥିବାରୁ ତାହା ଓଡ଼ିଆ କବିତାକୁ ରଦ୍ଧିମନ୍ତ କରିବାରେ ବିଶେଷ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ କବି ଶ୍ରୀ ବ୍ରଜନାଥ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ କବି ଅକ୍ଷୟ ବେହେରା, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସିତାଂଶୁ ଲେଙ୍କା ଓ କବିତା ଗାୟନ ଆସରରେ ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ବାଞ୍ଚାନିଧି ଦାଶ, ମନମୋହନ ମିଶ୍ର, ବିପିନ ନାୟକ, ଏମାର କୋଆର, ଅଜୟ ସ୍ୱାଇଁ, ରମାକାନ୍ତ ମିଶ୍ର, ସନ୍ତୋଷ ସାମଲ, ପ୍ରଶାନ୍ତ ଦାସ ଓ ଅଭୟ ଦାସ ପ୍ରମୁଖ କବିତା ଗାନ କରିଥି‌ଲେ । ଅଧ୍ୟାପକ ସଂଜୟ ଶତପଥି ଏହି ଆସରର ସୂତ୍ରଧର ରହି ଏହାକୁ ସରସ ସୁନ୍ଦର କରିପାରିଥିଲେ ।

 

ଅପରାହ୍ନରେ ଆୟୋଜିତ କବିତା ଅଦାଲତ ଓ କବିତା ପାଠୋତ୍ସବରେ କବି ଚନ୍ଦ୍ର କୁମାର ମହାନ୍ତି ସଭାପତିତ୍ୱ କରିଥି‌ଲେ । ଏଥି‌ରେ ପଞ୍ଚାନନ ଦାଶ, ଅରୂପାନନ୍ଦ ପାଣିଗ୍ରାହୀ, ଡକ୍ଟର ସେନାପତି, ପ୍ରଦ୍ୟୁମ୍ନ କେଶରୀ, ଡକ୍ଟର ହରିଶ ଚନ୍ଦ୍ର ବେହେରା, ମାନସ ରଞ୍ଜନ ମହାପାତ୍ର, ସଂବିତ୍‌ କୁମାର ବଳ, ନିର୍ମଳ ଚନ୍ଦ୍ର ସେନାପତି, ସୁବ୍ରତ କୁମାର ଦାସ, ରାମଚନ୍ଦ୍ର ଦାସ, ସଦାଶିବ ଦାସ ପ୍ରମୁଖ ପ୍ରାୟ ଅର୍ଦ୍ଧଶତାଧିକ କବି ଯୋଗଦେଇ କବିତା ଆବୃତ୍ତି କରିଥିଲେ ।

 

ସଂଧ୍ୟାରେ ଅନୁଷ୍ଠିତ ବହିମେଳା ଉଦ୍‌ଘାଟନ ଉତ୍ସବରେ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ସଭାପତିତ୍ୱ କରିଥିଲେ । ଏଥିରେ ଭିଜିଲାନ୍‌ସ ଏସ୍‌.ପି. ସାରଙ୍ଗଧର ରାୟଗୁରୁ, ପ୍ରକାଶକ ସଦାଶିବ ଦାଶ, ସନ୍ତୋଷ ଦାସ ପ୍ରମୁଖ ଅତିଥି‌ଭାବେ ଯୋଗଦେଇ ଜ୍ଞାନ ଆହରଣ ଓ ଜ୍ଞାନ ବିକିରଣ ପାଇଁ ବହିମେଳାର ଆବଶ୍ୟକତାର ସଂପର୍କରେ ଆଲୋକପାତ କରିଥିଲେ ।

 

୨୯ ତାରିଖ ପୂର୍ବାହ୍ନରେ ସଂଗୀତ, ଅନ୍ତାକ୍ଷରୀ ଓ କବିତା ଆବୃତ୍ତି ପ୍ରତିଯୋଗିତା ହୋଇଥି‌ବାବେଳେ ଅପରାହ୍ନରେ ଗଳ୍ପ କର୍ମଶାଳା ଓ ଗଳ୍ପ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏଥି‌ରେ ପ୍ରଖ୍ୟାତ ଗାଳ୍ପିକ ଅଚ୍ୟୁତାନନ୍ଦ ପତି ସଭାପତିତ୍ୱ କରିଥି‌ଲେ । ଡକ୍ଟର ବିଜୟ ପ୍ରସାଦ ମହାପାତ୍ର, ରାମଚନ୍ଦ୍ର ବେହେରା, ଭୂପେନ୍‌ ମହାପାତ୍ର, ପବିତ୍ର ପାଣିଗ୍ରାହୀ, ବିଜୟ ନାୟକ, ନିବାରଣ ଜେନା, ରଜନୀକାନ୍ତ ମହାନ୍ତି, ଡକ୍ଟର ପ୍ରଦୀପ ଦାଶ, ବିଷ୍ଣୁ ସାହୁ, ପ୍ରଦୋଷ ମିଶ୍ର, ଗଙ୍ଗାଧର ବିଶ୍ଵାଳ, ମୃଣାଳ, ରାମଚନ୍ଦ୍ର ସାହୁ ପ୍ରମୁଖ ଗାଳ୍ପିକ ଯୋଗଦେଇ ପ୍ରଶ୍ନୋତ୍ତର ମାଧ୍ୟମରେ ଗଳ୍ପ ଲିଖନ, ଗଳ୍ପର ସ୍ଥିତି ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ସଂଧ୍ୟାରେ ନାଟକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

 

କନ୍ଧମାଳ ମହୋତ୍ସବ - ୯୭

ତା ୨୨.୧୧.୯୭ ରିଖ ଅପରାହ୍ନରେ ଫୁଲବାଣୀର କରୋନେସନ୍‌ ପଡ଼ିଆରେ ପୁସ୍ତକ ଉତ୍ସବ ସମିତି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଏକ କବି ସମ୍ମିଳନୀର ଆୟୋଜନ କରାଯାଇଥିଲା । କନ୍ଧମାଳର ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ ଆଇ.ଏ.ଏସ୍‌ ଏହି ଆସରରେ ସଭାପତିତ୍ୱ କରିଥିଲେ । ଓଡ଼ିଶାର ଲବ୍‌ଧ ପ୍ରତିଷ୍ଠ କବି ଶ୍ରୀ ରବି ସିଂ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । ବିଶିଷ୍ଠ କବି ଶ୍ରୀ ଅଜୟ ସ୍ଵାଇଁ ଏବଂ ଡକ୍ଟର ଫନୀ ମହାନ୍ତି ସମ୍ମାନିତ ଅତିଥି‌ଭାବେ ଯୋଗଦେଇଥିଲେ ।

 

ଏହି ମନୋଜ୍ଞ ସାରସ୍ଵତ ପର୍ବରେ ବହୁ କବି ସ୍ଵରଚିତ କବିତା ଆବୃତ୍ତି କରିଥିଲେ ।